

South 24 Parganas, West Bengal
|MON, SEP 16, 2019
ସୁନ୍ଦରବନ: ‘କେରାଏ ଘାସ ମଧ୍ୟ ଉଠୁନି’
ଦୀର୍ଘ ସମୟ ହେବ ଦୁଃଖ ଦୁର୍ଦ୍ଦଶା ମଧ୍ୟରେ କାଳାତିପାତ କରି ଆସୁଥିବା ପଶ୍ଚିମବଙ୍ଗର ସୁନ୍ଦରବନର ଲୋକମାନେ ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି- ପୁନଃ ପୁନଃ ସଂଗଠିତ ହେଉଥିବା ବାତ୍ୟା, ଅନିୟମିତ ବର୍ଷା, ବୃଦ୍ଧି ହେଉଥିବା ତାପମାତ୍ରା, ହ୍ରାସ ପାଉଥିବା ହିନ୍ତାଳ ବଣ ଏବଂ ବହୁତ କିଛି
Reporter
Editor
Series Editors
Translator
କାଜଲ ଲତା ବିଶ୍ୱାସ ଏବେ ମଧ୍ୟ ବାତ୍ୟା କଥା ମନେ ପଡିଗଲେ ଭୟଭୀତ ହୋଇ ଯାଉଛନ୍ତି । ଯଦିଓ ସୁନ୍ଦରବନ ଏଲା ଦ୍ୱାରା ପ୍ରଭାବିତ ହେବାର ୧୦ବର୍ଷରୁ ଅଧିକ ସମୟ ବିତିଗଲାଣି, ତଥାପି ସେ ମେ ୨୫, ୨୦୦୯ ର କଥା ପ୍ରାଞ୍ଜଳ ଭାବେ ମନେ ପକାଇ ପାରୁଛନ୍ତି ।
ଦ୍ୱିପହର ହେବାକୁ ଆଉ ଟିକିଏ ସମୟ ବାକି ଥାଏ। “ନଦୀ [ କାଳିନ୍ଦୀ] ପାଣି ଗ୍ରାମ ଭିତରକୁ ପ୍ରବଳ ବେଗରେ ପଶିଗଲା ଓ ସମସ୍ତଙ୍କ ଘର ଭିତରେ ପାଣି ଭର୍ତ୍ତି ହୋଇଗଲା,’’ ବୋଲି କାଜଲ ଲତା କୁହନ୍ତି । ସେ ସେହି ଦିନ କୁମିର୍ମାରୀ ଗ୍ରାମରେ ନିଜର ଜଣେ ସମ୍ପର୍କୀୟଙ୍କ ଘରେ ଥିଲେ, ଯାହା ତାଙ୍କ ନିଜ ଗ୍ରାମ ଗୋବିନ୍ଦକାଟିଠାରୁ ପ୍ରାୟ ସାତ କିଲୋମିଟର ଦୂରରେ ଅବସ୍ଥିତ । ‘‘ଆମମାନଙ୍କ ମଧ୍ୟରୁ ପ୍ରାୟ ୪୦ -୫୦ ଜଣ ଗୋଟିଏ ଡଙ୍ଗାରେ ଆଶ୍ରୟ ନେଇଥିଲୁ ଓ ସେଠାରେ ପୂରା ଦିନ ଓ ରାତି ରହିଥିଲୁ । ଆମେମାନେ ଗଛ, ଡଙ୍ଗା, ଗାଇଗୋରୁ ଓ ଧାନ ଆଦି ପାଣିରେ ଭାସି ଯାଉଥିବା ଦେଖୁଥିଲୁ । ରାତିରେ, ଆମେ କିଛି ମଧ୍ୟ ଦେଖି ପାରିଲୁନି । ଏପରିକି ଦିଆସିଲିଗୁଡିକ ମଧ୍ୟ ଓଦା ହୋଇଯାଇଥିଲା । ଆକାଶରେ ବିଜୁଳି ମାରିବା ଯୋଗୁଁ ସୃଷ୍ଟି ହେଉଥିବା ଆଲୋକରେ କେବଳ ଆମେ କିଛି ଦେଖିବା ସମ୍ଭବ ହେଉଥିଲା ।’’
ତାଙ୍କ ଘର ବାହାରେ ବସି ଓ ଦ୍ୱିପହର ଭୋଜନ ପାଇଁ ମାଛ ସଫା କରିବା ସହିତ, ୪୮ ବର୍ଷର କାଜଲ ଲତା, ଜଣେ କୃଷକ, କହିବା ଜାରି ରଖି କୁହନ୍ତି, “ସେ ରାତିକୁ କେବେ ମଧ୍ୟ ଭୁଲି ହେବ ନାହିଁ । ପିଇବା ପାଇଁ ଟୋପାଏ ପାଣି ମଧ୍ୟ ନଥିଲା । ଯେକୌଣସି ପ୍ରକାରେ, ମୁଁ ଗୋଟିଏ ପ୍ଲାଷ୍ଟିକ୍ ଥଳିରେ କିଛି ବୁନ୍ଦା ବର୍ଷା ଜଳ ସଂଗ୍ରହ କରିବାରେ ସମର୍ଥ ହେଲି ଯେଉଁଥିରେ ମୁଁ ମୋର ଦୁଇ ଝିଅ ଓ ଝିଆରୀଙ୍କ ଓଠ ଓଦା କଲି, ଯେଉଁମାନଙ୍କୁ ପ୍ରବଳ ଶୋଷ ହେଉଥିଲା’’। ସେହି କଥା ମନେ ପଡିବା ସହିତ ତାଙ୍କ ସ୍ୱର ଥରିବାକୁ ଆରମ୍ଭ ହେଲା ।
ତା’ପର ଦିନ ସକାଳେ ସେମାନେ ସେହି ଡଙ୍ଗା ବ୍ୟବହାର କରି ସେମାନଙ୍କ ଗ୍ରାମରେ ପହଞ୍ଚିଲେ । ବନ୍ୟା ଜଳରେ ବହୁ କଷ୍ଟରେ ଚାଲି ଚାଲି ଘରକୁ ପହଞ୍ଚିଲେ । “ତନୁଶ୍ରୀ, ମୋର ବଡ ଝିଅ, ସେତେବେଳେ ତାକୁ ୧୭ ବର୍ଷ ହୋଇଥିଲା, ଯେଉଁଠାରେ ଜଳ ସ୍ତର ସବୁଠାରୁ ଅଧିକ ଥିଲା, ସେଥିରେ ପ୍ରାୟ ବୁଡିବାକୁ ଯାଉଥିଲା । ଭାଗ୍ୟବଶତଃ, ସେ ଓହଳିକି ରହିଥିବା ତାର ଆଣ୍ଟିର ଶାଢୀର ପଲ୍ଲୁକୁ ଟାଣି ଧରିଲା’’, ବୋଲି କାଜଲ ଲତା କୁହନ୍ତି, ସେତେବେଳେ ସେ ଅନୁଭବ କରିଥିବା ଭୟ ତାଙ୍କ ଆଖିରେ ସ୍ପଷ୍ଟ ବାରି ହୋଇ ପଡୁଥିଲା ।
ମେ ୨୦୧୯ ରେ, ବାତ୍ୟା ଫନି ଆସିବା କଥା ଶୁଣି ତାଙ୍କ ମନରେ ସେହି ଭୟ ପୁଣି ଜାଗ୍ରତ ହୋଇଗଲା, ଏହା ସେହି ଦିନ ଆସିବାକୁ ଅଛି ଯେଉଁଦିନ ତାଙ୍କର ସାନ ଝିଅ ୨୫-ବର୍ଷ –ବୟସ୍କ ଅନୁଶ୍ରୀଙ୍କ ବିବାହ ଅନୁଷ୍ଠିତ ହେବା ପାଇଁ ଠିକ୍ ହୋଇଛି ।

Urvashi Sarkar

Urvashi Sarkar
ମେ ୬ରେ ବିବାହ କାର୍ଯ୍ୟ ଅନୁଷ୍ଠିତ ହେବା ପାଇଁ ସ୍ଥିର କରାଯାଇଛି । କିଛି ଦିନ ପୂର୍ବେ ଲାଉଡ୍ସ୍ପିକର୍ରେ ପଞ୍ଚାୟତ ଦ୍ୱାରା ଓ ରେଡିଓ ମାଧ୍ୟମରେ ସରକାରଙ୍କ ଦ୍ୱାରା ଫନି ବିଷୟରେ ଆଗୁଆ ସୂଚନା ପ୍ରଦାନ କରାଯିବା କାର୍ଯ୍ୟ ଆରମ୍ଭ କରାଯାଇଛି । “ଆମର ଦୁଃଖ ଓ ଭୟ କଥା କଳ୍ପନା କରନ୍ତୁ,” ବୋଲି କାଜଲ ଲତା କୁହନ୍ତି । “ଆମେମାନେ ଆତଙ୍କିତ ହୋଇ ଯାଇଥିଲୁ, କାରଣ ବର୍ଷା ଓ ପବନରେ ଆମର ସମସ୍ତ ପ୍ରସ୍ତୁତି ଧ୍ୱଂସ ହୋଇଯିବା ସମ୍ଭାବନା ଥିଲା । ବିବାହ ପୂର୍ବରୁ କିଛି ମାତ୍ରାରେ ବର୍ଷା ହୋଇଥିଲା । କିନ୍ତୁ, ଭାଗ୍ୟବଶତଃ, ବାତ୍ୟାରେ ଆମ ଗ୍ରାମ ପ୍ରଭାବିତ ହେଲାନାହିଁ,’’ ବୋଲି ସେ ସମ୍ପୂର୍ଣ୍ଣ ଭାରମୁକ୍ତ ହୋଇ କୁହନ୍ତି ।
ମେ ୨ରେ, ଭାରତୀୟ ଜଳବାୟୁ ବିଭାଗ ପକ୍ଷରୁ ଫନି ଦ୍ୱାରା ଆନ୍ଧ୍ରପ୍ରଦେଶ, ଓଡିଶା (ଯାହା ସର୍ବାଧିକ ପ୍ରଭାବିତ ହୋଇଥିଲା) ଓ ପଶ୍ଚିମବଙ୍ଗ ପ୍ରଭାବିତ ହେବା ନେଇ ସୂଚନା ଜାରି କରାଗଲା । ଫନି ବିଷୟରେ କହିବାକୁ ଯାଇ, ୮୦-ବର୍ଷ-ବୟସ୍କ କୃଷକ ଓ ରଜତ୍ ଜୁବିଲି ଗ୍ରାମର ପୂର୍ବତନ ଶିକ୍ଷକ, ପ୍ରଫୁଲ ମଣ୍ଡଳ ତାଙ୍କର ସ୍ୱର ଟିକିଏ ଉଚ୍ଚ କରି କୁହନ୍ତି ଯେ, “ଫନିଠାରୁ ସୁନ୍ଦରବନ ଅଳ୍ପରେ ବର୍ତ୍ତିଗଲା । କେବଳ ଯାହା ପବନ ହୋଇଥିଲା । ଯଦି ଏହା ଆମ ଗ୍ରାମ ଦେଇ ଅତିକ୍ରମ କରିଥାନ୍ତା ତେବେ ଆମେ ସମସ୍ତେ ଧ୍ୱଂସ ହୋଇ ଯାଇଥାନ୍ତୁ, ଆମର ଘର ଓ ଜମି ସହିତ…
ଉଭୟ ମଣ୍ଡଳ ଓ କାଜଲ ଭଲ ଭାବେ ଏହା ଜାଣନ୍ତି ଯେ, ସୁନ୍ଦରବନରେ ବାତ୍ୟା ହେବା ଅତି ସାଧାରଣ କଥା । ପଶ୍ଚିମବଙ୍ଗ ସରକାରଙ୍କ ବିପର୍ଯ୍ୟୟ ପ୍ରଶମନ ଓ ନାଗରିକ ସୁରକ୍ଷା ବିଭାଗ ଉଭୟ ଦକ୍ଷିଣ ଓ ୨୪ ଉତ୍ତର ପ୍ରଗଣା ଜିଲ୍ଲାଗୁଡିକୁ ବାତ୍ୟା ଯୋଗୁଁ ‘ଅତ୍ୟଧିକ କ୍ଷତି ସାଧନ ହେବା ଭୟ ଥିବା ଜୋନ୍’ ବର୍ଗରେ ଅନ୍ତର୍ଭୁକ୍ତ କରିଛନ୍ତି ।
ମଣ୍ଡଳଙ୍କ ଗ୍ରାମ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲା ଅନ୍ତର୍ଗତ ଗୋସାବା ବ୍ଲକ୍ରେ ଅବସ୍ଥିତ ଓ କାଜଲ ଲତାଙ୍କ ଗ୍ରାମ ଉତ୍ତର ୨୪ ପ୍ରଗଣା ଜିଲ୍ଲା ଅନ୍ତର୍ଗତ ହିଙ୍ଗଲ୍ଗଞ୍ଜ ବ୍ଲକ୍ରେ ଅବସ୍ଥିତ। ଉଭୟ ସେହି ୧୯ଟି ବ୍ଲକ୍ ମଧ୍ୟରେ ଅନ୍ୟତମ ଯାହାକୁ ନେଇ ପଶ୍ଚିମବଙ୍ଗରେ ଭାରତର ସୁନ୍ଦରବନ ଗଢି ଉଠିଛି- ଉତ୍ତର ୧୯ ପ୍ରଗଣାରେ ୬ଟି ବ୍ଲକ୍ ଓ ଦକ୍ଷିଣ ୨୪ ପ୍ରଗଣାରେ ୧୩ଟି ବ୍ଲକ୍ ।
ଭାରତ ଓ ବାଂଲାଦେଶରେ ବିଛେଇ ହୋଇ ରହିଥିବା ସୁନ୍ଦରବନ ହେଉଛି ଏକ ବୃହତ୍ ତ୍ରିକୋଣ ଭୂମି, ଯେଉଁଠାରେ ସଂଲଗ୍ନ ଭାବେ ସମ୍ଭବତଃ ବିଶ୍ୱର ସବୁଠାରୁ ବଡ ହିନ୍ତାଳ ବଣ ରହିଛି- ଯାହା ୧୦,୨୦୦ ବର୍ଗ କିଲୋମିଟର୍ ଅଞ୍ଚଳରେ ବ୍ୟାପିଛି । “ସୁନ୍ଦରବନ ଅଞ୍ଚଳ ହେଉଛି ବିଶ୍ୱର ସର୍ବାଧିକ ସମ୍ପନ୍ନ ପରିସଂସ୍ଥାନଗୁଡିକ ମଧ୍ୟରୁ ଗୋଟିଏ’’ ବୋଲି ବିଲ୍ଡିଂ ରେଜିଲିଏନ୍ସ ଫର୍ ସଷ୍ଟେନେବଲ୍ ଡେଭେଲପ୍ମେଣ୍ଟ ଅଫ୍ ଦ ସୁନ୍ଦରବନ୍ ଶିରୋନାମାରେ ୨୦୧୪ରେ ବିଶ୍ୱ ବ୍ୟାଙ୍କ ଦ୍ୱାରା ଦିଆଯାଇଥିବା ରିପୋର୍ଟରେ କୁହାଯାଇଛି। “ସମ୍ପୂର୍ଣ୍ଣ ହିନ୍ତାଳ ବଣ ଅଞ୍ଚଳ ଏହାର ସ୍ୱତନ୍ତ୍ର ଜୈବ ବିବିଧତା ପାଇଁ ପ୍ରସିଦ୍ଧି ଲାଭ କରିଛି, ଯେଉଁଠି ଅନେକ ବିପଦ ଶଙ୍କୁଳ ଅବସ୍ଥାରେ ଥିବା ଜୀବ ଯେପରିକି ମହାବଳ ବାଘ, ମୁହାଣରେ ବାସ କରୁଥିବା କୁମ୍ଭୀର, ଭାରତୀୟ ଅଜଗର ଓ ବିଭିନ୍ନ ପ୍ରଜାତିର ନଦୀରେ ରହୁଥିବା ଡଲ୍ଫିନ୍ ଆଦି ଦେଖିବାକୁ ମିଳିଥାନ୍ତି । ଏଠାରେ ଭାରତରେ ଥିବା ସମୁଦାୟ ସ୍ତନ୍ୟପାୟୀ ପ୍ରାଣୀମାନଙ୍କ ୧୦ ପ୍ରତିଶତ ଓ ପକ୍ଷୀମାନଙ୍କ ୨୫ପ୍ରତିଶତ ପ୍ରଜାତି ରୁହନ୍ତି ।
ଭାରତୀୟ ସୁନ୍ଦରବନଗୁଡିକ – ମୋଟାମୋଟି ଭାବେ ୪,୨୦୦ ବର୍ଗ କିଲୋମିଟର୍ ଅଞ୍ଚଳରେ ବ୍ୟାପିଛି- ଯେଉଁଠାରେ ପ୍ରାୟ ୪.୫ ଲକ୍ଷ ଲୋକ ବସବାସ କରନ୍ତି, ଯେଉଁମାନଙ୍କ ମଧ୍ୟରୁ ଅନେକ ଅତି କଷ୍ଟରେ ଜୀବନଯାପନ କରନ୍ତି, ନଗଣ୍ୟ ଜୀବନଧାରଣ ପନ୍ଥା, ଅପ୍ରୀତିକର ଭୂଭାଗ ଓ ଚରମ ଜଳବାୟୁ ସହିତ ସେମାନଙ୍କୁ ବଞ୍ଚିବା ପାଇଁ ଅବିରତ ସଂଘର୍ଷ କରିବାକୁ ପଡିଥାଏ ।
ଏଲା ପରେ, ଯଦିଓ ଏହି ଅଞ୍ଚଳରେ ଅନ୍ୟ କୌଣସି ବଡ ଧରଣର ବାତ୍ୟା ହୋଇନାହିଁ,ଏହା ତଥାପି ବିପଦଶଙ୍କୁଳ ସ୍ଥିତିରେ ରହିଛି। ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ଖଡଗ୍ପୁର ଦ୍ୱାରା ପଶ୍ଚିମବଙ୍ଗ ସରକାରଙ୍କ ବିପର୍ଯ୍ୟୟ ପ୍ରଶମନ ବିଭାଗ ପାଇଁ ପ୍ରସ୍ତୁତ କରାଯାଇଥିବା ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ୧୮୯୧- ୨୦୦୪ ମଧ୍ୟରେ ରାଜ୍ୟରେ ମୋଟ ୭୧ଥର ଝଡ ବାତ୍ୟା ହୋଇଛି । ସେହି ସମୟ ଅବଧିରେ, ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ଗୋସବା ହେଉଛି ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ବ୍ଲକ୍, ଯେଉଁଠାରେ ଛଅ ଥର ମହାବାତ୍ୟା ଓ ୧୯ଥର ବାତ୍ୟା ହୋଇଛି ।

Urvashi Sarkar
ପ୍ରଫୁଲ୍ଲ ଏଲା ପୂର୍ବରୁ ଆସିଥିବା ବାତ୍ୟାଗୁଡିକର କଥା ମଧ୍ୟ ମନେ ପକାଇ ପାରନ୍ତି । “ମୁଁ ୧୯୯୮ର ବାତ୍ୟାକୁ କେବେ ମଧ୍ୟ ଭୁଲିପାରିବି ନାହିଁ (ଯାହାକୁ ପଶ୍ଚିମବଙ୍ଗରେ ସ୍ୱାଧୀନତା ପରେ ଆସିଥିବା ସର୍ବାଧିକ ତୀବ୍ରତା ଯୁକ୍ତ ବାତ୍ୟା, ଯାହା ଏଲାଠାରୁ ମଧ୍ୟ ଶକ୍ତିଶାଳୀ, ଭାବେ ବର୍ଣ୍ଣନା କରାଯାଏ, ଯାହା ଏକ ମହାବାତ୍ୟା ଥିଲା), ଏହାର ଶକ୍ତିଶାଳୀ ଓ ପ୍ରଚଣ୍ଡ ପବନକୁ ମଧ୍ୟ । ଏହା ପୂର୍ବର କଥା କହିବାକୁ ଗଲେ, ମୋର ୧୯୮୮ର ବାତ୍ୟା କଥା ମନେ ପଡୁଛି,” ବୋଲି ସେ କୁହନ୍ତି ।
ଏହିପରି ଝଡମୟ ଅତୀତ କଥା ବାଦ୍ ଦେଲେ, ବାତ୍ୟା ଜନିତ ଲଘୁଚାପ ( ସମୁଦ୍ରରେ ସଂଗଠିତ ହେଉଥିବା ଏକ କ୍ରାନ୍ତୀୟ ଅଶାନ୍ତି, ଯେଉଁଥିରେ ଘଣ୍ଟା ପ୍ରତି ୩୧- ୬୦ ବେଗରେ ପବନ ପ୍ରବାହିତ ହୋଇଥାଏ, ଯାହା ବାତ୍ୟା ଜନିତ ଝଡରେ ୬୨-୮୨ କିଲୋମିଟର ବେଗରେ ପ୍ରବାହିତ ହେଉଥିବା ପବନ ସୀମାଠାରୁ କମ୍ ହୋଇଥାଏ )ର ହାର ନିମ୍ନ ଗଙ୍ଗା ତ୍ରିକୋଣଭୂମିରେ ଗତ ୧୦ ବର୍ଷରେ ୨.୫ପ୍ରତିଶତ ବୃଦ୍ଧି ପାଇଛି (ଯେଉଁଠାରେ ସୁନ୍ଦରବନ ଅବସ୍ଥିତ), ବୋଲି କୋଲ୍କତାରେ ରହୁଥିବା ସମୁଦ୍ର ବିଜ୍ଞାନୀ ଡ.ଅଭିଜିତ୍ ମିତ୍ର, ୨୦୧୯ରେ ପ୍ରକାଶିତ ମେନ୍ଗ୍ରୁଭ୍ ଫରେଷ୍ଟସ ଇନ୍ ଇଣ୍ଡିଆ, ଏକ୍ସପ୍ଲୋରିଂ ଇକୋସିଷ୍ଟମ ସର୍ଭିସେସ୍ ପୁସ୍ତକରେ ଉଲ୍ଲେଖ କରିଛନ୍ତି । “ଏହାର ଅର୍ଥ ହେଉଛି ବାରମ୍ବାର ବାତ୍ୟା ହେବା” ସେ କୁହନ୍ତି ।
ଅନ୍ୟାନ୍ୟ ବିଭିନ୍ନ ଅଧ୍ୟୟନରୁ ଏହା ଜଣାପଡିଛି ଯେ ବଙ୍ଗୋପସାଗରରେ ସୁନ୍ଦରବନ ପାର୍ଶ୍ୱରେ, ବାତ୍ୟା ଘଟଣା ବୃଦ୍ଧି ପାଇବାରେ ଲାଗିଛି । ୨୦୧୫ରେ ଡାଇଭର୍ସିଟି ଜର୍ଣ୍ଣାଲ୍ରେ ପ୍ରକାଶିତ ହୋଇଥିବା ଏକ ଅଧ୍ୟୟନରେ ୧୮୮୧ ରୁ ୨୦୦୧ ମଧ୍ୟରେ ୨୬ ପ୍ରତିଶତ ବୃଦ୍ଧି ହେବା କଥା କୁହାଯାଇଛି । ୧୮୭୭ ରୁ ୨୦୦୫ ମଧ୍ୟରେ ମେ, ଅକ୍ଟୋବର ଓ ନଭେମ୍ବର ମାସରେ ବଙ୍ଗୋପ ସାଗରରେ ସଂଗଠିତ ହୋଇଥିବା ବାତ୍ୟା ସମ୍ବନ୍ଧୀୟ ଉପଲବ୍ଧ ତଥ୍ୟ ବ୍ୟବହାର କରି, ୨୦୦୭ ମସିହାରେ କରାଯାଇଥିବା ଏକ ଅଧ୍ୟୟନରେ ଏହା ଦେଖାଯାଇଛି ଯେ ଗତ ୧୨୯ ବର୍ଷରେ ପ୍ରବଳ ବାତ୍ୟା ସଂଗଠିତ ହେଉଥିବା ଏହି ମାସଗୁଡିକରେ ଏଠାରେ ମହାବାତ୍ୟା ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ହୋଇଛି ।
ଆଂଶିକ ଭାବେ, ସମୁଦ୍ର ପୃଷ୍ଠର ତାପମାତ୍ରା ବୃଦ୍ଧି ଏହାର କାରଣ ବୋଲି କୁହାଯାଉଛି । (ଅନ୍ୟ ମଧ୍ୟରେ,ଜୋର୍ଣ୍ଣାଲ୍ ଅଫ୍ ଆର୍ଥ ସାଇନ୍ସ ଓ କ୍ଲାଇମେଟ୍ ଚେଞ୍ଜରେ ପ୍ରକାଶିତ ଏକ ପେପର୍ରେ ଉଲ୍ଲେଖ କରାଯାଇଛି)। ଭାରତୀୟ ସୁନ୍ଦରବନରେ ଏହି ତାପମାତ୍ରା ୧୯୮୦ ରୁ ୨୦୦୭ ମଧ୍ୟରେ ଏକ ଦଶନ୍ଧିରେ ୦.୫ ଡିଗ୍ରୀ ସେଲ୍ସିଅସ୍ ବୃଦ୍ଧି ପାଇଛି – ଯାହା ଏକ ଦଶନ୍ଧିରେ ବିଶ୍ୱସ୍ତରୀୟ ଉତ୍ତାପନ ହାର ୦.୦୬ ଠାରୁ ଅଧିକ ହୋଇଥିବା ଜଣାପଡିଛି ।
ଏଥିଯୋଗୁଁ ଅନେକ ବିପଜ୍ଜନକ ପରିଣତି ସାମନା କରିବାକୁ ପଡିଛି । “୨୦୦୯ରେ ଶେଷ ଥର ପାଇଁ ସୁନ୍ଦରବନରେ ବାତ୍ୟା ହୋଇଥିବା ବେଳେ,” ‘‘ଏହି ଅଞ୍ଚଳରେ ବାରମ୍ବାର ବନ୍ୟା ଆସିବା ଯୋଗୁଁ ଓ ପରବର୍ତ୍ତୀ ସମୟରେ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ବାତ୍ୟା ଯୋଗୁଁ ସେତୁବନ୍ଧଗୁଡିକ ଭାଙ୍ଗିଯିବାରୁ, ଏହି ଅଞ୍ଚଳ ବ୍ୟାପକ ଭାବେ ପ୍ରଭାବିତ ହେଉଥିବା,” କୋଲ୍କାତାର ଜାଦବପୁର୍ ବିଶ୍ୱବିଦ୍ୟାଳୟର ସ୍କୁଲ୍ ଅଫ୍ ଓସେନୋଗ୍ରାଫିକ୍ ଷ୍ଟଡିଜ୍ର ପ୍ରଫେସର୍ ସୁଗତା ହାଜ୍ରା କୁହନ୍ତି ।

Urvashi Sarkar
ସେତୁବନ୍ଧ, ବିଶ୍ୱ ବ୍ୟାଙ୍କର ରିପୋର୍ଟରେ ଯେପରି ଉଲ୍ଲେଖ ହୋଇଛି, “ସୁନ୍ଦରବନକୁ ବାତ୍ୟା ଓ ବଢୁଥିବା ସମୁଦ୍ର ପତ୍ତନ ବିପକ୍ଷରେ ପ୍ରତିରକ୍ଷା ପ୍ରଦାନ କରିବା ପାଇଁ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ତ୍ରିକୋଣଭୂମି ଦବିବା, ସମୁଦ୍ର ପତ୍ତନ ବୃଦ୍ଧି ପାଇବା ଓ ବାତ୍ୟାର ତୀବ୍ରତା ବୃଦ୍ଧି ଯୋଗୁଁ ଲୋକମାନଙ୍କ ପାଇଁ ଓ ସେମାନଙ୍କ ଚାଷ ଜମିର ଉତ୍ପାଦନ କ୍ଷମତା ପ୍ରତି ବିପଦ ବୃଦ୍ଧି ପାଇବାରେ ଲାଗିଛି ଓ ଜଳବାୟୁରେ ପରିବର୍ତ୍ତନ ଓ ୧୯ଶ ଶତାବ୍ଦୀର ୩,୫୦୦ କିଲୋମିଟରର ଏକ ସେତୁବନ୍ଧ ପ୍ରଣାଳୀ କ୍ଷୟ ହୋଇଯିବା କାରଣରୁ ମଧ୍ୟ ଅଶେଷ କ୍ଷତି ସାଧନ ହେଉଛି…”
୨୦୧୧ ରେ ପ୍ରକାଶିତ ୱାର୍ଲ୍ଡ ୱାଇଲ୍ଡଲାଇଫ୍ ଫଣ୍ଡର ଏକ ପେପର୍ରେ କୁହାଯାଇଛି ଯେ ସାଗର ଦ୍ୱୀପ ପର୍ଯ୍ୟବେକ୍ଷଣାଗାର, ସୁନ୍ଦରବନଠାରେ ୨୦୦୨ ରୁ ୨୦୦୯ ମଧ୍ୟରେ ମାପ କରାଯାଇଥିବା ଆପେକ୍ଷିକ ସମୁଦ୍ର ପତ୍ତନର ମାଧ୍ୟ ମାନ, ବାର୍ଷିକ ୧୨ମିମି ହାରରେ ବା ୨୫ବର୍ଷରେ ବର୍ଷକୁ ୮ମିମି ହାରରେ ବୃଦ୍ଧି ପାଇଛି ।
ସମୁଦ୍ରର ଉଷ୍ମତା ବଢିବା ଓ ସମୁଦ୍ର ପତ୍ତନ ବଢିବା ଯୋଗୁଁ ହିନ୍ତାଳବଣ ଉପରେ ଏହାର ବିପରୀତ ପ୍ରଭାବ ପଡୁଛି । ଏହି ବଣଗୁଡ଼ିକ ବାତ୍ୟା ଓ କ୍ରମ କ୍ଷୟଠାରୁ ଉପକୂଳ ଅଞ୍ଚଳକୁ ସୁରକ୍ଷା ପ୍ରଦାନ କରିଥାଏ, ଯାହା ମାଛ ଓ ଅନ୍ୟ ପ୍ରଜାତି ପାଇଁ ପ୍ରଜନନ କେନ୍ଦ୍ର ଭଳି କାମ କରିଥାଏ ଓ ଏହା ମହାବଳ ବାଘମାନଙ୍କ ପ୍ରାକୃତିକ ଆବାସ ମଧ୍ୟ । ୨୦୧୦ ରେ ଜାଦବପୁର ବିଶ୍ୱବିଦ୍ୟାଳୟର ସ୍କୁଲ୍ ଅଫ୍ ଓସେନୋଗ୍ରାଫିକ୍ ଷ୍ଟଡିଜ୍ ଦ୍ୱାରା ପ୍ରକାଶ ପାଇଥିବା ଟେମ୍ପୋରାଲ୍ ଚେଞ୍ଜ ଡିଟେକ୍ସନ୍ (୨୦୦୧ – ୨୦୦୮) ଶୀର୍ଷକ ଏକ ପେପର୍ରେ ଉଲ୍ଲେଖ କରାଯାଇଛି ଯେ ସମୁଦ୍ର ସ୍ତର ବୃଦ୍ଧି ଓ ବାତ୍ୟା ଯୋଗୁଁ ହିନ୍ତାଳ ବଣର ପରିସୀମା ହ୍ରାସ ପାଇ ସୁନ୍ଦରବନର ହିନ୍ତାଳ ବଣ ଗମ୍ଭୀର ଭାବେ ପ୍ରଭାବିତ ହେଉଛି ।
ଅର୍ଜୁନ ମଣ୍ଡଳ, ରଜତ ଜୁବିଲି ଗ୍ରାମରେ ରହୁଥିବା ଜଣେ ମତ୍ସ୍ୟଜୀବୀ, ସୁନ୍ଦରବନର ସ୍ଥିତି ବଜାୟ ରହିବା ପାଇଁ ହିନ୍ତାଳ ବଣର ଗୁରୁତ୍ୱ ନେଇ ଖୁବ୍ ସଚେତନ ଅଛନ୍ତି । ସେ ସୁନ୍ଦରବନ ଗ୍ରାମ୍ୟ ବିକାଶ ସୋସାଇଟି, ନାମକ ଏକ ଏନ୍ଜିଓରେ କାମ କରୁଥିଲେ । “ସମସ୍ତେ ଜଳବାୟୁ ପରିବର୍ତ୍ତନ ବିଷୟରେ ଶୁଣିଛନ୍ତି, କନ୍ତୁ ଏହା କିଭଳି ଭାବେ ଆମକୁ ପ୍ରଭାବିତ କରୁଛି? ଆମକୁ ଏହା ବିଷୟରେ ଅଧିକ ଜାଣିବା ଆବଶ୍ୟକ,” ବୋଲି ସେ ମୋତେ ମେ ୨୦୧୯ରେ କହିଥିଲେ ।
ଜୁନ୍ ୨୯, ୨୦୧୯ରେ ଅର୍ଜୁନ ପିର୍ଖାଲି ଜଙ୍ଗଲରେ କଙ୍କଡା ଧରୁଥିବା ବେଳେ ତାଙ୍କୁ ଗୋଟିଏ ବାଘ ବୋହି ନେଇଯାଇଥିଲା । ଯଦିଓ ସୁନ୍ଦରବନରେ ବାଘମାନେ ମନୁଷ୍ୟକୁ ଆକ୍ରମଣ କରିବା କିଛି ନୂଆ କଥା ନୁହେଁ, ତେବେ କ୍ରମଶଃ ବୃଦ୍ଧି ପାଉଥିବା ଏହି ଆକ୍ରମଣ ପାଇଁ ଆଂଶିକ ଭାବେ ସମୁଦ୍ର ପତ୍ତନ ବୃଦ୍ଧି ଯୋଗୁଁ ଜଙ୍ଗଲ କ୍ଷୟ ହେବା ଦାୟୀ ବୋଲି କୁହାଯାଇପାରିବ, ଯାହା ଫଳରେ ବାଘ ଓ ଜନବସତି ଥିବା ଗ୍ରାମଗୁଡିକ ମଧ୍ୟରେ ଦୂରତା କମିବାରେ ଲାଗିଛି ।
ଦୀର୍ଘ ଦିନ ଧରି ଏହି ଅଞ୍ଚଳଗୁଡ଼ିକ ବାତ୍ୟା ଦ୍ୱାରା ପ୍ରଭାବିତ ହେବା ଯୋଗୁଁ, ଜଳର ଲବଣତା ସ୍ତରରେ ମଧ୍ୟ ବୃଦ୍ଧି ଘଟିଛି, ବିଶେଷକରି କେନ୍ଦ୍ରୀୟ ସୁନ୍ଦରବନରେ, ଯେଉଁଠାରେ ଗୋସବା ଅବସ୍ଥିତ । “…ଉଲ୍ଲେଖନୀୟ ଭାବେ ଲବଣତା ବୃଦ୍ଧି ପାଇବା ଯୋଗୁଁ ପରିସଂସ୍ଥାନ ଗମ୍ଭୀର ଭାବେ ପ୍ରଭାବିତ ହେଉଛି, ଯାହାର କାରଣ ଆଂଶିକ ଭାବେ, ସମୁଦ୍ର ପତ୍ତନ ବୃଦ୍ଧି ହେବା ସହିତ ତ୍ରିକୋଣ ଭୂମି ଅଞ୍ଚଳକୁ ମଧୁର ଜଳ ପ୍ରବାହ ହାର ହ୍ରାସ ପାଇବା ଦାୟୀ ,” ବୋଲି ବିଶ୍ୱ ବ୍ୟାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ।

Urvashi Sarkar

Urvashi Sarkar
ଏକ ରିସର୍ଚ୍ଚ ପେପର୍ରେ ଡାକ୍ତର ମିତ୍ର ଜଣେ ସହ-ଲେଖିକା ଭାବେ ସୁନ୍ଦରବନକୁ ‘ଅତ୍ୟଧିକ ଲବଣାକ୍ତ’ ବୋଲି ବର୍ଣ୍ଣନା କରିଛନ୍ତି । “ଜଳର ଲବଣତା ସୁନ୍ଦରବନର କେନ୍ଦ୍ରରେ ସମୁଦ୍ର ପତ୍ତନରେ ବୃଦ୍ଧି ହେବା ଯୋଗୁଁ ବୃଦ୍ଧି ପାଉଛି। ସ୍ପଷ୍ଟ ଭାବେ ଏହାର ସମ୍ପର୍କ ଜଳବାୟୁ ପରିବର୍ତ୍ତନ ସହିତ ରହିଛି,” ବୋଲି ଡାକ୍ତର ମିତ୍ର କୁହନ୍ତି ।
ଅନ୍ୟ ଗବେଷକମାନେ ବିଦ୍ୟାଧାରି ନଦୀରେ ପଟୁ ଜମିବା ବିଷୟରେ ଉଲ୍ଲେଖ କରିଛନ୍ତି, ଯାହା ହିମାଳୟରୁ ପ୍ରବାହିତ ହୋଇ ଆସୁଥିବା ମଧୁର ଜଳକୁ କେନ୍ଦ୍ର ଓ ପୂର୍ବ ସୁନ୍ଦରବନରେ ପହଞ୍ଚିବାକୁ ଦିଏ ନାହିଁ । ଗବେଷକମାନେ ପଟୁ ଜମା ହେବା ପାଇଁ ଆଂଶିକ ଭାବେ ପତିତ ଜମିକୁ ଚାଷଯୋଗ୍ୟ କରାଯିବା, କୃଷି, ନାଳ ନର୍ଦ୍ଦମାର ପଙ୍କ ଓ ମାଛ ଚାଷରୁ ବାହୁରୁଥିବା ବର୍ଜ୍ୟକୁ ସେଠାରେ ଫୋପାଡିବା ଆଦିକୁ ଦାୟୀ କରିଛନ୍ତି । ୧୯୭୫ରେ ନିର୍ମିତ ହୋଇଥିବା ଫରକ୍କା ବ୍ୟାରେଜ୍ର (ପଶ୍ଚିମବଙ୍ଗର ମୁର୍ଶୀଦାବାଦ ଜିଲ୍ଲାରେ, ଗଙ୍ଗା ଉପରେ) ମଧ୍ୟ କେନ୍ଦ୍ରୀୟ ସୁନ୍ଦରବନରେ ଲବଣତା ବୃଦ୍ଧି ପାଇଁ ଅବଦାନ ରହିଛି ।
ରଜତ ଜୁବିଲିର ମଣ୍ଡଳ ପରିବାର ଉଚ୍ଚ ଲବଣତାର ପ୍ରଭାବ ବିଷୟରେ ଜାଣନ୍ତି – ଏଲା ପରେ ତିନି ବର୍ଷ ପର୍ଯ୍ୟନ୍ତ ବିକ୍ରି କରିବା ପାଇଁ ସେମାନଙ୍କ ପାଖରେ ଚାଉଳ ନଥିଲା । ଚାଉଳ ବିକ୍ରି କରି ବର୍ଷକୁ ସେମାନେ ଉପାର୍ଜନ କରୁଥିବା ୧୦,୦୦୦ରୁ ୧୨,୦୦୦ ଟଙ୍କା ଉପାର୍ଜନ କରିବା ରାସ୍ତା ବନ୍ଦ ହୋଇଗଲା । “ଧାନ ଚାଷ ହୋଇ ନପାରିବାରୁ, ସମ୍ପୂର୍ଣ୍ଣ ଗ୍ରାମ ଖାଲି ହୋଇଗଲା ଯେହେତୁ ପୁରୁଷମାନେ କାମ ଖୋଜିବା ପାଇଁ ତାମିଲନାଡ଼ୁ, କର୍ଣ୍ଣାଟକ, ଗୁଜୁରାଟ ଓ ମହାରାଷ୍ଟ୍ରକୁ ଚାଲିଗଲେ, ଯେଉଁଠାରେ ସେମାନେ କାରଖାନା ବା ନିର୍ମାଣ ସାଇଟ୍ରେ ଶ୍ରମିକ ଭାବେ କାର୍ଯ୍ୟ କରିବାକୁ ଆରମ୍ଭ କଲେ,’’ ବୋଲି ପ୍ରଫୁଲ ମନେପକାନ୍ତି ।
ସମଗ୍ର ରାଜ୍ୟରେ ୨ଲକ୍ଷ ହେକ୍ଟରରୁ ଅଧିକ ଜମି ଓ ୬ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି ଓ ଏଥିରେ ପ୍ରାୟ ୧୩୭ଜଣ ପ୍ରାଣ ହରାଇଛନ୍ତି ଓ ପ୍ରାୟ ୧ଲକ୍ଷରୁ ଅଧିକ ଘର ଭାଙ୍ଗିଯାଇଛି । “ମୋ ଗ୍ରାମରେ ଏଭଳି କେହି ନାହାନ୍ତି, ଯାହାକୁ କ୍ଷତି ସହିବାକୁ ପଡିନି,’’ ବୋଲି ପ୍ରଫୁଲ କୁହନ୍ତି । “ମୋର ଘର ଭାଙ୍ଗି ଗଲା ଓ ଚାଷ ଉଜୁଡି ଗଲା । ମୋର ୧୪ଟି ଛେଳି ମରିଗଲେ ଓ ମୁଁ ତିନି ବର୍ଷ ପର୍ଯ୍ୟନ୍ତ ଧାନ ଚାଷ କରିପାରିଲିନି । ପୁଣି ସବୁକିଛି ଶୂନ୍ୟରୁ ଆରମ୍ଭ କରିବାକୁ ପଡିଲା । ସେଗୁଡିକ ଅତି କଷ୍ଟଦାୟକ ଦିନ ଥିଲା । ମୁଁ ବଢେଇ କାମ କରିବାକୁ ଆରମ୍ଭ କଲି ଓ କିଛି ଉପାର୍ଜନ କରିବା ପାଇଁ ଯେତେବେଳେ ଯେମିତି ସୁବିଧା ହେଲା କାମ କରିବାକୁ ଲାଗିଲି’’।
ଏଲା ପରେ ଲବଣତା ତୀବ୍ର ହେବାରୁ, କାଜଲ ଲତାଙ୍କ ପରିବାରକୁ ମଧ୍ୟ ସେମାନଙ୍କ ପାଖରେ ଥିବା ୨.୩ ବିଘା (୭.୬ ଏକର) ଜମିରୁ ଛଅ ବିଘା ଜମି ବିକ୍ରି କରିବାକୁ ପଡିଲା । “ମାଟି ଏତେ ପରିମାଣରେ ଲବଣାକ୍ତ ହୋଇଗଲା ଯେ ସେଠାରେ ଘାସ ମଧ୍ୟ ଉଠିଲାନି । ଧାନ କିପରି ହୋଇଥାନ୍ତା । ଧିରେ ଧିରେ, ପନିପରିବା ଯେପରିକି ସୋରିଷ, ବନ୍ଧାକୋବି, ଫୁଲକୋବି ଓ ଲାଉ ଆଦି ପୁଣି ଥରେ ଫଳିବାକୁ ଆରମ୍ଭ ହେଲା, ଯାହା ଆମେ ଖାଇବା ପାଇଁ ପର୍ଯ୍ୟାପ୍ତ ହେଉଥିଲା କିନ୍ତୁ ବିକ୍ରି କରିବା ପାଇଁ କିଛି ବଳୁନଥିଲା । “ଆମର ଗୋଟିଏ ପୋଖରୀ ମଧ୍ୟ ଥିଲା ଯେଉଁଥିରେ ଆମେ ବିଭିନ୍ନ କିସମର ମାଛ ଯେପରିକି ସୋଲ୍, ମାଗୁର, ରୁଈ ଆଦି ମାଛ କରୁଥିଲୁ ଓ ଏହାକୁ ବିକ୍ରି କରି ଆମେ ବର୍ଷକୁ ପ୍ରାୟ ୨୫,୦୦୦- ୩୦, ୦୦୦ଟଙ୍କା ପର୍ଯ୍ୟନ୍ତ ଉପାର୍ଜନ କରୁଥିଲୁ । କିନ୍ତୁ ଏଲା ପରେ, ପାଣି ସମ୍ପୂର୍ଣ୍ଣ ଲବଣାକ୍ତ ହୋଇଯିବାରୁ, ସେଠାରେ ପ୍ରାୟତଃ ଆଉ ମାଛ ନାହାନ୍ତି ।

Urvashi Sarkar

Ritayan Mukherjee
ଏଲା ପ୍ରଭାବରେ ମୃତ୍ତିକାରେ ଅବନତି ହେବା ଯୋଗୁଁ- ଯେଉଁଥିରେ ଉଚ୍ଚ ଲବଣତା ଓ ଉଚ୍ଚ କ୍ଷାରତା ମଧ୍ୟ ଅନ୍ତର୍ଭୁକ୍ତ- ଉତ୍ତର ଓ ଦକ୍ଷିଣ ୨୪ ପ୍ରଗଣାରେ ଧାନ ଫସଲ ଭଲ ହେଲା ନାହିଁ ବୋଲି ୨୦୧୬ରେ ଜର୍ଣ୍ଣାଲ୍ ଅଫ୍ ଏକ୍ସପେରିମେଣ୍ଟାଲ୍ ବାୟୋଲୋଜି ଓ ଏଗ୍ରୀକଲ୍ଚରାଲ୍ ସାଇନ୍ସରେ ପ୍ରକାଶିତ ହୋଇଥିବା ଏକ ପେପର୍ରେ ଉଲ୍ଲେଖ କରାଯାଇଛି । ଏହି ଜର୍ଣ୍ଣାଲ୍ରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡିଛି ଯେ ପୁଣି ଥରେ ଧାନ ଉତ୍ପାଦନ ଆରମ୍ଭ କରିବା ପାଇଁ ଜମିରେ ଫସ୍ଫେଟ୍ ଓ ପୋଟାସ୍ ଯୁକ୍ତ ସାର, ସୁପାରିଶ ସ୍ତରଠାରୁ ଅଧିକ ପରିମାଣରେ ପ୍ରୟୋଗ କରିବାକୁ ହେବ ।
“ ଏଲା ପରେ, ସାରର ପ୍ରୟୋଗ ବଢିଯାଇଛି । ତା’ପରେ ଯାଇ ଆମେ ଆମର ଆବଶ୍ୟକତା ମୁତାବକ ଉତ୍ପାଦନ କରିବାକୁ ସମର୍ଥ ହୋଇପାରିଲୁ,” ବୋଲି ପ୍ରବୀର ମଣ୍ଡଳ, ପ୍ରଫୁଲଙ୍କ ୪୮ବର୍ଷ-ବୟସ୍କ-ପୁଅ କୁହନ୍ତି । “ଏହା ଖାଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ, କିନ୍ତୁ ତଥାପି ଆମେ ଏହାକୁ ଖାଉଛୁ । ମୁଁ ପିଲା ଥିଲା ବେଳେ ଖାଉଥିବା ଚାଉଳ କଥା ମୋର ମନେ ପଡୁଛି । ଆପଣ ଖାଲି ଭାତ ମଧ୍ୟ ଖାଇ ଦେଇପାରିବେ । କିନ୍ତୁ ବର୍ତ୍ତମାନ, ପନିପରିବା ସହିତ ମିଶେଇ ଖାଇଲେ ମଧ୍ୟ କିଛି ଅଭାବ ରହିଗଲା ପରି ମନେହୁଏ ।
ତାଙ୍କ ବାପାଙ୍କ ପାଖରେ ୧୩ ବିଘା (୪.୨୯ ଏକର) ଜମି ଅଛି ଯେଉଁଥିରେ ସେ ବିଘା ପ୍ରତି ୮-୯ ବସ୍ତା ଧାନ ଅମଳ କରିଥାନ୍ତି- ଏକ ବସ୍ତା ୬୦କେଜି ସହିତ ସମାନ । “ରୋଇବା, କାଟିବା ଓ ଧାନ ସ୍ଥାନାନ୍ତରଣ କରିବା ପାଇଁ ହେଉଥିବା ଖର୍ଚ୍ଚ ସହିତ ସାର ବାବଦକୁ ହେଉଥିବା ଖର୍ଚ୍ଚ, ସବୁ ମିଶାଇବା ପରେ, ଏଥିରେ ହେଉଥିବା ବ୍ୟୟ ତୁଳନାରେ ଆମର ଉପାର୍ଜନ ଅତି ନଗଣ୍ୟ ହୋଇଯାଏ’’ ବୋଲି ପ୍ରବୀର କହନ୍ତି। ।
ସମଗ୍ର ସୁନ୍ଦରବନରେ, ଏଲା ପରେ ଧାନ ଉତ୍ପାଦନ ହ୍ରାସ ପାଇ ଅଧା ହୋଇଯାଇଛି ବୋଲି ୨୦୧୮ର ଏକ ଗବେଷଣା ଆଲେଖ୍ୟରୁ ଜଣାପଡିଛି – ୧.୬ହେକ୍ଟର ପ୍ରତି ଏହାର ପରିମାଣ ୬୪-୮୦ କ୍ୱିଣ୍ଟାଲରୁ ହ୍ରାସ ପାଇ ୩୨- ୪୦କ୍ୱିଣ୍ଟାଲରେ ପହଞ୍ଚିଛି। ଯଦିଓ ବର୍ତ୍ତମାନ ଧାନ ଉତ୍ପାଦନ ପରିମାଣ ଏଲା ପୂର୍ବର ଉତ୍ପାଦନ ପରିମାଣ ସହିତ ସମାନ ହୋଇଗଲାଣି, ତଥାପି ତାଙ୍କ ପରିବାର ଓ ଗ୍ରାମର ଅନ୍ୟମାନଙ୍କୁ ଧାନ ଚାଷ ପାଇଁ ଜୁନ୍ ଓ ସେପ୍ଟେମ୍ବରରେ ହେଉଥିବା ବର୍ଷା ଉପରେ ଏବେ ମଧ୍ୟ ନିର୍ଭର କରିବାକୁ ପଡୁଛି ବୋଲି ପ୍ରବୀର କୁହନ୍ତି
ସେହି ବର୍ଷା ଉପରେ କିନ୍ତୁ ବଶ୍ୱାସ କରିହେବନି । “ତ୍ୱରିତ ବେଗରେ ସମୁଦ୍ର ପତ୍ତନ ବୃଦ୍ଧି ହେବା,” “ଓ ବିଳମ୍ବିତ ମୌସୁମୀ ଓ ଅଭାବୀ ବର୍ଷା, ବହୁ ଦୂର ପର୍ଯ୍ୟନ୍ତ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଯୋଗୁଁ ହେଉଥିବା” ପ୍ରଫେସର୍ ହାଜ୍ରା କୁହନ୍ତି ।
ବଙ୍ଗୋପ ସାଗରର ଉତ୍ତରରେ (ଯେଉଁଠାରେ ସୁନ୍ଦରବନ ଅବସ୍ଥିତ) ଗତ ଦୁଇ ଦଶନ୍ଧିରେ ଅନେକ ସମୟରେ ଗୋଟିଏ ଦିନରେ ୧୦୦ ମିମି ଅଧିକ ବୃଷ୍ଟିପାତ ହେଉଥିବା ଦେଖାଯାଉଛି, ବୋଲି କୋଲ୍କାତାସ୍ଥିତ ସ୍କୁଲ୍ ଅଫ୍ ଓସେନୋଗ୍ରାଫିକ୍ ଷ୍ଟଡିଜ୍ରେ ଚାଲିଥିବା ଏକ ଗବେଷଣାରୁ ଜଣାପଡିଛି । ଏହାସହିତ, ବୁଣିବା ଋତୁରେ, ଯେପରି ପ୍ରଫେସର୍ ହଜ୍ରା କୁହନ୍ତି, କମ୍ ପରିମାଣର ବର୍ଷା ହେଉଛି, ଯେପରି ଚଳିତ ବର୍ଷ ହୋଇଛି – ସେପ୍ଟେମ୍ବର ୪ ପର୍ଯ୍ୟନ୍ତ, ଦକ୍ଷିଣ ୨୪ ପ୍ରଗଣାଗୁଡିକରେ ପ୍ରାୟ ୩୦୭ମିମି କମ୍ ବୃଷ୍ଟିପାତ ହୋଇଛି ଓ ଉତ୍ତର ୨୪ ପ୍ରଗଣାଗୁଡିକରେ ୧୫୭ମିମି କମ୍ ବୃଷ୍ଟିପାତ ହୋଇଛି ।
ଏପରି କେବଳ ଚଳିତ ବର୍ଷ ହୋଇନାହିଁ – ଗତ କିଛି ବର୍ଷ ଧରି ବୃଷ୍ଟିପାତ କେତେବେଳେ କମ୍ ହେଉଥିବା ବେଳେ କେତେବେଳେ ଅଧିକ ହେଉଛି । ଜୁନ୍ ଠାରୁ ସେପ୍ଟେମ୍ବର ମଧ୍ୟରେ ସ୍ୱାଭାବିକ ମୌସୁମୀ ଯୋଗୁଁ ଦକ୍ଷିଣ ୨୪ ପ୍ରଗଣାଗୁଡିକରେ ୧୫୫୨.୬ ମିମି ବୃଷ୍ଟିପାତ ହୋଇଥାଏ । ୨୦୧୨-୨୦୧୭ ପାଇଁ ବିଭିନ୍ନ ଜିଲ୍ଲାରେ ସଂଗ୍ରହ ହୋଇଥିବା ମୌସୁମୀ ସମ୍ବନ୍ଧୀୟ ତଥ୍ୟରୁ ଏହି ସୂଚନା ମିଳୁଛି ଯେ ଗତ ଛଅ ବର୍ଷ ମଧ୍ୟରେ ଚାରି ବର୍ଷ ଅଭାବୀ ବର୍ଷା ହୋଇଥିବା ବେଳେ, ୨୦୧୭ରେ ବୃଷ୍ଟିପାତ (୧୧୭୩.୩ ମିମି) ହୋଇଛି ଓ ୨୦୧୨ରେ (୧୧୩୦.୪) ସବୁଠାରୁ କମ୍ ବୃଷ୍ଟିପାତ ହୋଇଛି ।

Urvashi Sarkar
ଉତ୍ତର୨୪ ପ୍ରଗଣାଗୁଡିକରେ, କିନ୍ତୁ ପରିସ୍ଥିତି ବିପରୀତ ଅଟେ : ଅତ୍ୟଧିକ ବୃଷ୍ଟିପାତ । ଜୁନ୍ ଠାରୁ ସେପ୍ଟେମ୍ବର ମଧ୍ୟରେ ସ୍ୱାଭାବିକ ମୌସୁମୀ ଯୋଗୁଁ ଏଠାରେ ୧୧୭୨. ୮ ମିମି ବୃଷ୍ଟିପାତ ହୋଇଥାଏ । ୨୦୧୨-୨୦୧୭ ପାଇଁ ବିଭିନ୍ନ ଜିଲ୍ଲାରେ ସଂଗ୍ରହ ହୋଇଥିବା ମୌସୁମୀ ସମ୍ବନ୍ଧୀୟ ତଥ୍ୟରୁ ଏହି ସୂଚନା ମିଳୁଛି ଯେ ଗତ ଛଅ ବର୍ଷ ମଧ୍ୟରେ ଚାରି ବର୍ଷ ସାମାନ୍ୟ ଠାରୁ ଅଧିକ ବର୍ଷା ହୋଇଥିବା ବେଳେ, ୨୦୧୫ରେ ସର୍ବାଧିକ ୧୪୨୮ ମିମି ବୃଷ୍ଟିପାତ ହୋଇଛି ।
“ ବାସ୍ତବ ଅସୁବିଧା ହେଉଛି ଅସମୟରେ ବର୍ଷା ହେବା,” ବୋଲି କାଜଲ ଲତା କୁହନ୍ତି । “ଚଳିତ ବର୍ଷ ଫେବୃୟାରୀରେ, ପ୍ରଚୁର ବୃଷ୍ଟିପାତ ହୋଇଥିଲା, ପ୍ରାୟ ବର୍ଷା ଋତୁ ପରି । ଏପରିକି ଫେବୃୟାରୀରେ ଏତେ ପରିମାଣରେ ପୂର୍ବରୁ କେବେ ବର୍ଷା ହୋଇଥିବା ବିଷୟ ସେମାନଙ୍କ ମନେପଡୁନି ବୋଲି ବୟସ୍କମାନେ କହିଲେ ।’’ ଉପାର୍ଜନ କରିବା ପାଇଁ ତାଙ୍କ ପରିବାର ଧାନ ଚାଷ ଉପରେ ନିର୍ଭର କରିଥାଏ, ଯାହା ଜୁନ୍—ଜୁଲାଇରେ ବୁଣାଯାଏ ଓ ନଭମ୍ବର-ଡିସେମ୍ବର୍ରେ ଅମଳ କରାଯାଏ । ‘‘ଧାନ ଚାଷ ସମ୍ପୂର୍ଣ୍ଣ ଭାବେ ବୃଷ୍ଟିପାତ ଉପରେ ନିର୍ଭରଶୀଳ । ଯଦି ବର୍ଷା ହେବନି, ତେବେ ଧାନ ଉତ୍ପାଦନ ମଧ୍ୟ ହୋଇ ପାରିବନି ।’'
ଗତ ଚାରି ବା ପାଞ୍ଚ ବର୍ଷ ହେବ, ସେ କୁହନ୍ତି, ତାଙ୍କ ଗ୍ରାମରେ ଲଗାତର ନଭେମ୍ବର –ଡିସେମ୍ବର ମାସରେ ବର୍ଷା ହେଉଛି, ଏହା ସହିତ ବର୍ଷା ଋୁତୁରେ ମଧ୍ୟ । ଯଦିଓ ସାଧାରଣତଃ ଏହି ମାସଗୁଡିକରେ କିଛି ପରିମାଣରେ ବର୍ଷା ହୋଇଥାଏ, ତେବେ ତାହାର ତୀବ୍ରତା ଯୋଗୁଁ ଧାନ ଅମଳରେ କ୍ଷତି ହେବା ସମ୍ଭାବନା ରହିଛି । “ଆବଶ୍ୟକତା ସମୟରେ ବର୍ଷା ହେଉନାହିଁ କିମ୍ବା ଅଦିନରେ ଅତ୍ୟଧିକ ପରିମାଣର ବର୍ଷା ହେଉଛି । ଏହା ଦ୍ୱାରା ଖରାପ ଅମଳ ହେଉଛି । ପ୍ରତି ବର୍ଷ ଆମେ ଭାବୁ ଯେ ଏହି ଥର ଅତ୍ୟଧିକ ବର୍ଷା (ଅଦିନିଆ) ହେବନି । କିନ୍ତୁ ପ୍ରଚୁର ପରିମାଣରେ ବର୍ଷା ହୁଏ ଓ ଚାଷ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଏ । ସେଥିପାଇଁ କଥାରେ କୁହାଯାଏ ‘ଆଶାୟେ ମୋରେ ଚଷା’ [ଆଶା କରି ଚାଷୀ ମରିଯାଏ]।’’
ରଜତ୍ ଜୁବିଲି ଗ୍ରାମରେ, ପ୍ରବୀର ମଣ୍ଡଳ ଚିନ୍ତାମଗ୍ନ ଅଛନ୍ତି । ଜୁନ୍-ଜୁଲାଇରେ ବର୍ଷା ହେଲାନି [ମୋ ଗ୍ରାମରେ]। କିଛି କିଛି ଧାନ ପତ୍ର ଶୁଖିଗଲାଣି । ଭାଗ୍ୟକୁ, ଶେଷରେ ବର୍ଷା ହେଲା [ଅଗଷ୍ଟରେ] । କିନ୍ତୁ ଏହା କ’ଣ ପର୍ଯ୍ୟାପ୍ତ ହେବ? ଯଦି ଅତ୍ୟଧିକ ବର୍ଷା ହୁଏ ଓ ଜମିରେ ପାଣି ଭର୍ତ୍ତି ହୋଇ ଫସଲ ବୁଡିଯାଏ ତେବେ କ’ଣ ହେବ?
ଜଣେ ହେଲ୍ଥକେୟାର ପ୍ରାକ୍ଟିସନର୍ ଭାବେ (ଯିଏ ବୈକଳ୍ପିକ ଔଷଧରେ ସ୍ନାତକ କରିଛନ୍ତି), ପ୍ରବୀର କୁହନ୍ତି ତାଙ୍କର ଅଧିକାଂଶ ରୋଗୀ ମଧ୍ୟ ତାତି ବିଷୟରେ ଅଭିଯୋଗ କରୁଛନ୍ତି । “ଅନେକ ବର୍ତ୍ତମାନ ଅଂଶୁଘାତର ଶିକାର ହେଉଛନ୍ତି । ଏହାଦ୍ୱାରା ଆପଣ ଯେକୌଣସି ସମୟରେ ଆକ୍ରାନ୍ତ ହୋଇପାରିବେ ଓ ଏହା ମରଣାନ୍ତକ ମଧ୍ୟ ହୋଇପାରେ”, ବୋଲି ସେ ବର୍ଣ୍ଣନା କରନ୍ତି ।
ସମୁଦ୍ର ପୃଷ୍ଠର ତାପମାତ୍ରା ବୃଦ୍ଧି ହେବା ସହିତ ସୁନ୍ଦରବନରେ ସ୍ଥଳଭାଗର ତାପମାତ୍ରା ମଧ୍ୟ ବୃଦ୍ଧି ପାଉଛି । ୧୯୬୦ ରେ ବର୍ଷର ୧୮୦ ଦିନ ତାପମାତ୍ରା ୩୨ଡିଗ୍ରୀ ସେଲ୍ସିଅସ୍ ବା ଅଧିକ ରହୁଥିବା ବେଳେ, ୨୦୧୭ ରେ ଏହିପରି ଦିନ ସଂଖ୍ୟା ବୃଦ୍ଧି ପାଇଁ ୧୮୮ରେ ପହଞ୍ଚିଥିବା ଜଳବାୟୁ ଓ ବିଶ୍ୱ ଉତ୍ତାପନ ଉପରେ ଆଧାରିତ ନିୟୁର୍କ ଟାଇମ୍ସର ଇଣ୍ଟର୍ଆକ୍ଟିଭ୍ ପୋର୍ଟାଲରେ ପ୍ରଦର୍ଶିତ ହୋଇଥିବା ଡାଟାରୁ ଜଣାପଡିଛି । ଏହି ଶତାବ୍ଦୀ ସରିବା ବେଳକୁ ଏହିପରି ଦିନର ସଂଖ୍ୟା ୨୧୩ ରୁ ୨୫୮ ପର୍ଯ୍ୟନ୍ତ ହେବା ସମ୍ଭାବନା ରହିଛି।
କ୍ରମବର୍ଦ୍ଧିଷ୍ଣ ତାପମାତ୍ରା, ବାତ୍ୟା, ବିଶୃଙ୍ଖଳିତ ବର୍ଷା, ଲବଣତା, ଅନ୍ତର୍ଦ୍ଧାନ ହେଉଥିବା ହିନ୍ତାଳ ବଣ ଇତ୍ୟାଦି ଦ୍ୱାରା ବାରମ୍ବାର ଆଘାତ ପ୍ରାପ୍ତ ହେଉଥିବା ସୁନ୍ଦରବନ ନିବାସୀ ଏକ ଅନିର୍ଦ୍ଦିଷ୍ଟତା ମଧ୍ୟରେ ବଞ୍ଚୁଛନ୍ତି । ପ୍ରଫୁଲ ମଣ୍ଡଳ, ଅନେକ ବାତ୍ୟା ଓ ଝଡର ସାକ୍ଷୀ, ଚିନ୍ତା କରୁଛନ୍ତି : “କିଏ ଜାଣେ ଆଗକୁ କଣ ଘଟିବ?”
ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧରେ UNDPର ମିଳିତ ସହଯୋଗରେ ଚାଲିଥିବା ପରୀର ଦେଶବ୍ୟାପୀ ରିପୋର୍ଟିଂ ପ୍ରୋଜେକ୍ଟ ହେଉଛି ସାଧାରଣ ଜନତାଙ୍କ ସ୍ୱର ଓ ଅଙ୍ଗେନିଭା କଥା ମାଧ୍ୟମରେ ଏହାର ସତ୍ୟତାକୁ ତୋଳିବା ।
ଏହି ଆଲେଖ୍ୟକୁ ପୁଣି ଥରେ ପ୍ରକାଶ କରିବାକୁ ଚାହୁଁଛନ୍ତି? ଦୟାକରି [email protected]କୁ ଲେଖନ୍ତୁ ଓ [email protected] କୁ ସିସି ରଖନ୍ତୁ ।
ଅନୁବାଦ: ଓଡ଼ିଶାଲାଇଭ୍
Want to republish this article? Please write to [email protected] with a cc to [email protected]
Donate to PARI
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/ସୁନ୍ଦରବନ-କେରାଏ-ଘାସ-ମଧ୍ୟ-ଉଠୁନି

