ଶାସ୍ତି ଭୂଇଁୟା ଗତ ବର୍ଷ ବିଦ୍ୟାଳୟ ଯିବା ଛାଡ଼ି ଦେଇଥିଲେ। ଏହାପରେ ସେ ସୁନ୍ଦରବନ କ୍ଷେତ୍ରର ନିଜ ଗ୍ରାମ ସୀତାରାମପୁରଠାରୁ ପାଖାପାଖି ୨,୦୦୦ କିମି ଦୂର, ବେଙ୍ଗାଲୁରୁ ଯିବା ଲାଗି ଟ୍ରେନରେ ଚଢ଼ିଥିଲେ। “ଆମେ ଖୁବ ଗରିବ। ମୁଁ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ କରିପାରୁନଥିଲି”, ସେ କୁହନ୍ତି। ଶାସ୍ତିଙ୍କ ବୟସ ୧୬ ଏବଂ ସେ ନବମ ଶ୍ରେଣୀର ଛାତ୍ରୀ ଥିଲେ, ଏବଂ ପଶ୍ଚିମବଙ୍ଗ ଓ ସାରା ଭାରତରେ, କେବଳ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନଭୋଜନ ଦିଆଯିବାର ବ୍ୟବସ୍ଥା ରହିଛି।
ଚଳିତ ବର୍ଷ ମାର୍ଚ୍ଚ ମାସରେ, ଶାସ୍ତି ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର କାକଦ୍ୱୀପ ବ୍ଲକରେ ଥିବା ନିଜ ଗାଁକୁ ଫେରିଆସିଥିଲେ। ବେଙ୍ଗାଲୁରୁରେ ଲକଡାଉନ ଆରମ୍ଭ ହେବା ପରେ ଘରୋଇ ଶ୍ରମିକମାନଙ୍କର ଚାକିରି ଚାଲିଯାଇଥିଲା। ଏଥିସହିତ ତାଙ୍କର ମାସିକ ୭୦୦୦ ଟଙ୍କା ଦରମା ବନ୍ଦ ହୋଇଯାଇଥିଲା, ଯେଉଁଥିରୁ କିଛି ଟଙ୍କା ସେ ସବୁ ମାସ ଘରକୁ ପଠାଉଥିଲେ।
ଶାସ୍ତିଙ୍କ ବାପା, ୪୪ ବର୍ଷୀୟ ଧନଞ୍ଜୟ ଭୂଁଇୟା, ସୀତରାମପୁର ଉପକୂଳଠାରୁ କିଛି ଦୂରରେ ଥିବା ନୟାଚର ଦ୍ୱୀପରେ ମାଛ ଧରିବା କାମ କରିଥାନ୍ତି-ଏଠାକାର ଅଧିକାଂଶ ଗ୍ରାମବାସୀ ଏହି କାମ କରିଥାନ୍ତି। ସେ ଖାଲି ହାତରେ ଏବଂ ବେଳେ ବେଳେ ଛୋଟ ଜାଲରେ ମାଛ ଓ କଙ୍କଡ଼ା ଧରୁଥିଲେ, ସେଗୁଡ଼ିକୁ ଆଖପାଖ ବଜାରରେ ବିକ୍ରି କରୁଥିଲେ ଏବଂ ପ୍ରତି ୧୦-୧୫ ଦିନରେ ଥରେ ଘରକୁ ଫେରୁଥିଲେ।
ସେଠାରେ ମାଟି ଓ ଚାଳ ଛପର ଘରେ ଧନଞ୍ଜୟଙ୍କ ମା’ ମହାରାଣୀ, ତାଙ୍କର ଦୁଇ ଝିଅ ୨୧ ବର୍ଷୀୟା ଜଞ୍ଜଳି, ୧୮ ବର୍ଷୀୟା ଶାସ୍ତି ଓ ୧୪ ବର୍ଷର ପୁଅ ସୁବ୍ରତ ରହୁଥିଲେ। ସୁବ୍ରତ ଜନ୍ମ ନେବାର କିଛି ମାସ ପରେ ହିଁ ତାଙ୍କ ପତ୍ନୀଙ୍କ ଦେହାନ୍ତ ଘଟିଥିଲା। “ଆମକୁ ଏହି ଦ୍ୱୀପରେ ଆଉ ପୂର୍ବ ଭଳି ମାଛ ଓ କଙ୍କଡ଼ା ମିଳୁନାହିଁ, (ବର୍ଷ ପରେ ବର୍ଷ) ଆମର ରୋଜଗାର ଖୁବ କମିଯାଇଛି”, ଧନଞ୍ଜୟ କୁହନ୍ତି, ସେ ବର୍ତ୍ତମାନ ପ୍ରତି ମାସ ୨୦୦୦ରୁ ୩୦୦୦ ଟଙ୍କା ରୋଜଗାର କରିଥାନ୍ତି। “ଆମକୁ ବଞ୍ଚି ରହିବା ଲାଗି ମାଛ ଓ କଙ୍କଡ଼ା ଧରିବାକୁ ପଡ଼ିଥାଏ। ସେମାନଙ୍କୁ ବିଦ୍ୟାଳୟ ପଠାଇ ଆମକୁ କ’ଣ ମିଳିବ?”
ସେଥିପାଇଁ, ଯେପରି ଭାବେ ଶାସ୍ତି ସ୍କୁଲ ଯିବା ଛାଡ଼ି ଦେଲେ ସେହିପରି ସୁନ୍ଦରବନର ଶ୍ରେଣୀଗୃହଗୁଡ଼ିକରୁ ଅନ୍ୟ ଛାତ୍ରଛାତ୍ରୀ ମଧ୍ୟ ଖୁବ ଦ୍ରୁତ ଗତିରେ ଅଦୃଶ୍ୟ ହେବାରେ ଲାଗିଛନ୍ତି। ଜମିରେ ଲୁଣିଚର ମାଡ଼ିଯିବା କାରଣରୁ ଚାଷ ଏବେ ବେଶ କଷ୍ଟକର ହୋଇପଡ଼ିଛି, ନଦୀକୂଳ ଲଙ୍ଘିବା ଏବଂ ବାରମ୍ବାର ଝଡ଼ବାତ୍ୟା, ଏହି ତ୍ରିକୋଣଭୂମିରେ ଥିବା ସେମାନଙ୍କ ଘରକୁ ବାରମ୍ବାର କ୍ଷତି ପହଞ୍ଚାଉଛି। ଫଳତଃ, ଏହି କ୍ଷେତ୍ରର ଗ୍ରାମାଞ୍ଚଳରେ ରହୁଥିବା ଅଧିକାଂଶ ଲୋକ ପେଟପାଟଣା ପାଇଁ ପଳାୟନ କରୁଛନ୍ତି। ଏପରିକି ପିଲାମାନେ-ଯେଉଁମାନେ ମୁଖ୍ୟତଃ ପ୍ରଥମ ପିଢ଼ିର ଛାତ୍ରଛାତ୍ରୀ ଅଟନ୍ତି- ୧୩ କିମ୍ବା ୧୪ ବର୍ଷ ବୟସରେ ମଧ୍ୟ ରୋଜଗାର ପାଇଁ ପଳାୟନ କରିବାକୁ ବାଧ୍ୟ ହୋଇଥାନ୍ତି। ସେମାନେ ପୁଣିଥରେ ଶ୍ରେଣୀଗୃହକୁ ଫେରିପାରିନଥାନ୍ତି।

























