ଏକ କପଡ଼ା ଉପରେ ଖଣ୍ଡେ ଛୋଟ ଗୋଲାକାର କାଚକୁ ସେଟ୍ କରିବା ସମୟରେ ତାମିଗମାଲ କାସିମିୟା ତାଙ୍କର ଚଷମା ଫାଙ୍କରୁ ଚାହିଁଲେ। ତାମିଲନାଡୁର ଧର୍ମପୁରୀ ଜିଲ୍ଲାର ସିଟ୍ଟିଲିଙ୍ଗି ଭ୍ୟାଲିର ଦୁଇଟି ଲାମବାଡି ବସତି ମଧ୍ୟରୁ ଅନ୍ୟତମ ଆକ୍କାରେ କାଟ୍ଟୁ ଟାଣ୍ଡାସ୍ଥିତ ନିଜ ଘରେ ସେ ମୋତେ କହିଲେ, “ଏହି ସାଙ୍ଗଲି ସିଲାଇ ସବୁଠୁ କଷ୍ଟକର କାରଣ କାଚ ଯେପରି ଖସି ନ ଯିବ ସେଥିଲାଗି ଧ୍ୟାନ ଦେବାକୁ ପଡ଼ିଥାଏ ।’’
୬୦ ବର୍ଷରେ ଉପନୀତ ତାମିଗମାଲ ବା ‘ଗାମି’ ବର୍ତ୍ତମାନ ୧୨ ବର୍ଷ ଧରି ଏକ ଗୁରୁତର ବିପତ୍ତିରୁ ରକ୍ଷା କରି ଆସୁଛନ୍ତି । ବାନ୍ଧବୀ ଆର.ନୀଲାଙ୍କ ସହ ମିଶି ସେ ସେମାନଙ୍କ ସଂପ୍ରଦାୟର ଯୁବତୀମାନଙ୍କୁ ଘଟେର-ଲାମବାଡି ଏମ୍ବ୍ରୋଡୋରୀ ଶିଖାଇ ଆସୁଛନ୍ତି । ଲୋକମାନଙ୍କ ମନରୁ ଯେପରି ଏହି ଏମ୍ବ୍ରୋଡୋରୀ ଲୋପ ନ ପାଇବ ସେଥିପାଇଁ ସେ ପ୍ରୟାସ କରୁଛନ୍ତି । ଏମ୍ବ୍ରୋଡୋରୀ ମାଧ୍ୟମରେ ନିରନ୍ତର ହେଉଥିବା ଅତିରିକ୍ତ ରୋଜଗାର ଯୋଗୁ ମହିଳାମାନଙ୍କ ଅନ୍ୟତ୍ର କାମ କରିବାର ଆବଶ୍ୟକତା ଶେଷ ହୋଇଛି ।
ଲାମବାଡି ମହିଳାମାନେ ସାଧାରଣତଃ ସିଟ୍ଟିଲିଙ୍ଗିର ଦକ୍ଷିଣରେ ୨୦୦ କିଲୋମିଟର ଦୂରରେ ଥିବା ତିରୁପୁରର ବୟନକଳ କିମ୍ବା ନିର୍ମାଣ ପ୍ରକଳ୍ପରେ କାମ କରିବାକୁ ଯାଇଥାନ୍ତି । ସେମାନଙ୍କ ସଂପ୍ରଦାୟର ଅଧିକାଂଶ ପୁରୁଷ କେରଳରେ ନିର୍ମାଣ କାମ ଏବଂ ଗଛ କାଟିବା କାମ କରିଥାନ୍ତି । ହାରାହାରି ଭାବେ ଦେଖିଲେ ଦେଶାନ୍ତରୀ ଶ୍ରମିକ ଉଭୟ ପୁରୁଷ ଓ ମହିଳାମାନଙ୍କର ରୋଜଗାର ମାସିକ ୭ ହଜାରରୁ ୧୫୦୦୦ ଯାଏ ହୋଇଥାଏ ।
ତାମିଲନାଡୁରେ ଲାମବାଡି (ରାଜ୍ୟରେ ପଛୁଆ ଜାତି ଭାବେ ତାଲିକାଭୁକ୍ତ) ସଂପ୍ରଦାୟର ଲୋକମାନେ ମୁଖ୍ୟତଃ ଧର୍ମପୁରୀ ଓ ଥିରୁଭନ୍ନାମଲାଇ ଜିଲ୍ଲାରେ ରହିଥାନ୍ତି। ସିଟ୍ଟିଲିଙ୍ଗିର ଗାଁ ପଞ୍ଚାୟତର ଅଧିକାରୀଙ୍କ ଅନୁସାରେ ସେଠାରେ ପ୍ରାୟ ୯୨୪ ଜଣ ଲାମବାଡି ରହୁଛନ୍ତି (ଅନ୍ୟ ରାଜ୍ୟରେ ବଞ୍ଜାରା ଭାବେ ମଧ୍ୟ ପରିଚିତ) । ସିଟ୍ଟିଲିଙ୍ଗିରେ ରହୁଥିବା ଅଧିକାଂଶ ଲାମବାଡିଙ୍କର ଏକ ବା ୨ ଏକର ଜମି ରହିଛି ଯେଉଁଠାରେ ଜୀବିକାର୍ଜ୍ଜନ ପାଇଁ ସେମାନଙ୍କର ଚାଷ ବର୍ଷା ଉପରେ ନିର୍ଭର କରେ । ଗତ ୩୦ ବର୍ଷ ହେଲା ଅଧିକ ପାଣି ଆବଶ୍ୟକ କରୁଥିବା ଆଖୁ ଓ ଧାନ ପରି ଅର୍ଥକାରୀ ଫସଲ ଚାଷ ପ୍ରତି ଆଗ୍ରହ ବୃଦ୍ଧି ଏବଂ ବର୍ଷାର ଅଭାବ ଯୋଗୁ ସେଠାରେ ଟଙ୍କାର ଆବଶ୍ୟକତା ବୃଦ୍ଧି ପାଇଛି । ତେଣୁ ଦେଶାନ୍ତରର ଅବଧି ୧୫ ଦିନରୁ ଏକ ବର୍ଷକୁ ବୃଦ୍ଧି ପାଇଛି ।
୩୫ ବର୍ଷୀୟ ଥାଇକୁଲାମ କହିଲେ, “ଏଠାରେ ଦେଶାନ୍ତର ଜୀବନର ଏକ ସତ୍ୟ, କିନ୍ତୁ ଅତି କମ୍ରେ ଯେଉଁ ଘରେ ମହିଳାମାନେ ଘଟେରରୁ ରୋଜଗାର କରୁଛନ୍ତି ସେଠାରେ ଦେଶାନ୍ତର ବନ୍ଦ ହୋଇଛି ।’’











