“ନା, ଆମମାନଙ୍କୁ ଏହି କର୍ଫ୍ୟୁରେ ଅନ୍ତର୍ଭୁକ୍ତ କରାଯାଇ ନାହିଁ । ଆମେ ଗୋଟିଏ ଦିନ ମଧ୍ୟ ଛୁଟିରେ ରହିଲେ ଚଳିବନି । ଯାହାହେଲେ ମଧ୍ୟ ଲୋକମାନେ ସୁରକ୍ଷିତ ରହିବା ଜରୁରୀ ଅଟେ ଓ ସେଥିପାଇଁ ଆମକୁ ସବୁବେଳେ ସହରକୁ ସଫା କରିବାକୁ ହେବ, ବୋଲି ଚେନ୍ନାଇ ସ୍ଥିତ ଥାଉଜେଣ୍ଡ ଲାଇଟ୍ ଅଞ୍ଚଳର ସଫେଇ କର୍ମଚାରୀ ଦୀପିକା କୁହନ୍ତି ।
ମାର୍ଚ୍ଚ ୨୨ରେ, ସମସ୍ତ ଦେଶବାସୀ ‘ଜନତା କର୍ଫ୍ୟୁ’ କାରଣରୁ ଘରେ ରହିଥିଲେ – ନିଶ୍ଚିତ ଭାବେ କେବଳ ସନ୍ଧ୍ୟା ୫ଟାରେ ସ୍ୱାସ୍ଥ୍ୟ କ୍ଷେତ୍ରରେ କାମ କରୁଥିବା ସମସ୍ତ କର୍ମଚାରୀଙ୍କୁ ‘କୃତଜ୍ଞତା’ ଜଣେଇବା ପାଇଁ ବାହାରେ ଜମିଥିବା ଭିଡକୁ ଛାଡି । ଯେଉଁମାନଙ୍କୁ କୃତଜ୍ଞତା ଜଣାଗଲା ସେମାନଙ୍କ ମଧ୍ୟରେ ସମ୍ଭବତଃ ସଫେଇ କର୍ମଚାରୀମାନଙ୍କୁ ମଧ୍ୟ ସାମିଲ୍ କରାଯିବା କଥା, ହେଲେ ସେମାନେ ସେଦିନ ଦିନସାରା କାମ କରିଥିଲେ, ଝାଡୁ କରିଥିଲେ, ମେଟ୍ରୋକୁ ସଫା କରିଥିଲେ । “ପୂର୍ବ ତୁଳନାରେ ବର୍ତ୍ତମାନ ଆମ ସେବାର ଅଧିକ ଆବଶ୍ୟକତା ରହିଛି,” ବୋଲି ଦୀପିକା କୁହନ୍ତୁ । “ଆମକୁ ରାସ୍ତାରୁ ଭୂତାଣୁକୁ ପୋଛି ବାହାର କରିବାକୁ ହେବ” ।
ଅନ୍ୟ ସାଧାରଣ ଦିନ ଭଳି, ଦୀପିକା ଓ ଅନ୍ୟମାନେ କୌଣସି ସୁରକ୍ଷା ପ୍ରଦାନକାରୀ ପୋଷାକ ନପିନ୍ଧି ସଫେଇ କାମ କରୁଥିଲେ । ପୂର୍ବରୁ ଏଠାରେ ଅନେକ ଅସୁବିଧା ରହିଥିଲେ ମଧ୍ୟ ଏବେ ପରିସ୍ଥିତି ଅତି ଶୋଚନୀୟ ହୋଇଯାଇଛି । ଦେଶବ୍ୟାପୀ ଲକ୍ଡାଉନ୍ ଘୋଷଣା କରାଯାଇଥିବା ବେଳେ, ସେମାନଙ୍କ ମଧ୍ୟରୁ ଅନେକଙ୍କୁ କାମରେ ପହଞ୍ଚିବାକୁ ଥିଲା, ଆବର୍ଜନା ପରିବହନ କରିବା ପାଇଁ ଉଦିଷ୍ଟ ଗାଡିରେ ଅତି କଷ୍ଟରେ ଚଢି । ସେମାନଙ୍କ ମଧ୍ୟରୁ ଅନେକଙ୍କୁ କାର୍ଯ୍ୟସ୍ଥଳିରେ ପହଞ୍ଚିବା ପାଇଁ ଅନେକ କିଲୋମିଟର ରାସ୍ତା ଚାଲିଚାଲି ଯିବାକୁ ପଡିଥିଲା । “ମାର୍ଚ୍ଚ ୨୨ରେ, ମୋତେ ସାଧାରଣ ଦିନ ତୁଳନାରେ ଅଧିକ ରାସ୍ତା ପରିଷ୍କାର କରିବାକୁ ପଡିଥିଲା, ଯେହେତୁ ସେହିଦିନ ଦୂରବର୍ତ୍ତୀ ସ୍ଥାନରେ ରହୁଥିବା ମୋର ସହକର୍ମୀମାନେ ଆସିପାରିନଥିଲେ” ବୋଲି ଦୀପିକା କୁହନ୍ତି ।
ଏହି ଫଟୋଗ୍ରାଫ୍ଗୁଡିକରେ ଥିବା ଅଧିକାଂଶ ମହିଳା ହେଉଛନ୍ତି କେନ୍ଦ୍ର ଓ ଦକ୍ଷିଣ ଚେନ୍ନାଇର, ଯେପରିକି ଥାଉଜେଣ୍ଡ ଲାଇଟ୍ସ ଓ ଅଲ୍ୱର୍ପେଟ୍ ଓ ଆନ୍ନା ସଲାଇର କିଛି ସ୍ଥାନ । ମହିଳାମାନଙ୍କୁ ସେମାନଙ୍କ ଘର ଯାହା ମୁଖ୍ୟତଃ ଉତ୍ତର ଚେନ୍ନାଇରେ ଅବସ୍ଥିତ, ସେଠାରୁ ଯାତ୍ରା ଆରମ୍ଭ କରି ଏହି ସ୍ଥାନଗୁଡିକରେ ପହଞ୍ଚିବାକୁ ଥିଲା ।
ଏହା ହେଉଛି ଏକ ଅଦ୍ଭୁତ ପ୍ରକାରର କୃତଜ୍ଞତା ଯାହା ସେମାନେ ଏବେ ପାଉଥିବା ଦେଖାଯାଉଛି । ମାର୍ଚ୍ଚ ୨୪ରେ ତାଲାବନ୍ଦ ଘୋଷଣା ହେବା, କର୍ମଚାରୀମାନଙ୍କ ଅଭିଯୋଗ ଏହା ଯେ ସେମାନେ ଏହି ସମୟରେ ଗୋଟିଏ ଦିନ ପାଇଁ ମଧ୍ୟ ଛୁଟିରେ ରହିବା ବିପଦ ମୁଣ୍ଡେଇ ପାରିବେନି । “ସେମାନଙ୍କୁ ଏହା କୁହାଯାଇଛି ଯେ ଯଦି ସେମାନେ ଏବେ ଛୁଟିରେ ରହିବେ, ତାହାହେଲେ ସେମାନଙ୍କୁ ସେମାନଙ୍କ ବୃତ୍ତି ହରାଇବାକୁ ପଡିବ,” ବୋଲି ବି. ଶ୍ରୀନିବାସଲୁ, ସିଆଇଟିୟୁ ସହିତ ଅନୁବନ୍ଧିତ ଚେନ୍ନାଇ କର୍ପୋରେସନ୍ ରେଡ୍ ଫ୍ଲାଗ୍ ୟୁନିୟନ୍ର ସାଧାରଣ ସମ୍ପାଦକ କହିଛନ୍ତି । ଶ୍ରୀନିବାସଲୁ କୁହନ୍ତି ଯଦିଓ ପରିବହନ ପାଇଁ ବସ୍ର ବ୍ୟବସ୍ଥା କରାଯାଇଛି, ତାହା କିନ୍ତୁ ପର୍ଯ୍ୟାପ୍ତ ନୁହେଁ ଓ ସେଗୁଡିକ ପ୍ରାୟତଃ ବିଳମ୍ବରେ ଆସିଥାନ୍ତି । ଏହି କାରଣରୁ କର୍ମଚାରୀମାନେ ବାଧ୍ୟ ହୋଇ ଆବର୍ଜନା ବୋହିବା ପାଇଁ ଥିବା ଲରିଗୁଡିକ ବ୍ୟବହାର କରୁଛନ୍ତି । ଏଠାରେ ସଫେଇ କର୍ମଚାରୀମାନେ ମାସକୁ ପ୍ରାୟ ୯୦୦୦ଟଙ୍କା ଉପାର୍ଜନ କରନ୍ତି କିନ୍ତୁ ଠିକ୍ ସମୟରେ ସେମାନଙ୍କ କାର୍ଯ୍ୟସ୍ଥଳିରେ ପହଞ୍ଚିବା ପାଇଁ ସେମାନଙ୍କୁ ଦୈନିକ ୬୦ଟଙ୍କା ଖର୍ଚ୍ଚ କରିବାକୁ ପଡେ । କର୍ଫ୍ୟୁ ଓ ତାଲାବନ୍ଦ ସମୟରେ, ଯେଉଁମାନେ ସରକାରୀ ବସ୍ ବା କର୍ପୋରେସନ୍ ଦ୍ୱାରା ଯୋଗାଯାଇଥିବା ଗାଡିରେ ଚଢି ପାରିଲେ ନାହିଁ, ସେମାନଙ୍କୁ ଚାଲିଚାଲି କାର୍ଯ୍ୟସ୍ଥଳିରେ ପହଞ୍ଚିବାକୁ ପଡିଥିଲା ।


















