ମୀନା ମେହରଙ୍କ ପାଇଁ ସାରା ଦିନ ଖୁବ ବ୍ୟସ୍ତବହୁଳ ରହିଥାଏ। ଭୋର ୪ଟାରୁ, ଡଙ୍ଗା ମାଲିକଙ୍କ ପାଇଁ ମାଛ ନିଲାମ କରିବା ଲାଗି ସେ ନିଜ ଗାଁ ସତପତିର ପାଇକାରୀ ମାର୍କେଟରେ ପହଞ୍ଚିଥାନ୍ତି। ସକାଳ ପାଖାପାଖି ୯ଟା ବେଳେ ଫେରି ଆସି ସେ ମାଛଗୁଡ଼ିକୁ ଲୁଣ ଦେଇ ସଂରକ୍ଷିତ କରିଥାନ୍ତି। ଏହାପରେ ସେଗୁଡ଼ିକୁ ଥର୍ମୋକୋଲ ବାକ୍ସରେ ବନ୍ଦ କରି ନିଜ ଘର ପଛପଟେ ରଖିଦେଇଥାନ୍ତି, ଯାହାଫଳରେ ଗୋଟିଏ କିମ୍ବା ଦୁଇ ସପ୍ତାହ ମଧ୍ୟରେ ଶୁଖିଯାଇଥିବା ମାଛଗୁଡ଼ିକୁ ସେ ବିକ୍ରି କରିପାରିବେ। ସନ୍ଧ୍ୟା ସମୟରେ, ସେ ମାଛ ବିକ୍ରି କରିବା ଲାଗି ବସ୍ କିମ୍ବା ଅଟୋରିକ୍ସାରେ ପାଲଘର ଖୁଚୁରା ବଜାରରେ ପହଞ୍ଚିଥାନ୍ତି। ଏହି ବଜାର ତାଙ୍କ ଘରଠାରୁ ୧୨ କିମି ଦୂରରେ ଅବସ୍ଥିତ। ତାଙ୍କ ପାଖରେ ମାଛ ବଳିଗଲେ, ସେ ସେଗୁଡ଼ିକୁ ସତପତି ଖୁଚୁରା ବଜାରରେ ବିକ୍ରି କରିଦେଇଥାନ୍ତି।
କିନ୍ତୁ ସେ ଯେଉଁ ଡଙ୍ଗା ପାଇଁ ନିଲାମୀ କରିଥାନ୍ତି, ସେଗୁଡ଼ିକ ଧିରେ ଧିରେ କମିବାରେ ଲାଗିଛି। ଏଥିସହିତ ସେ ଶୁଖାଉଥିବା ମାଛ ସଂଖ୍ୟା ମଧ୍ୟ କମିଯାଉଛି। ୫୮ ବର୍ଷୀୟା ମୀନା ପ୍ରଶ୍ନ କରିଥାନ୍ତି, “ଆଦୌ ମାଛ ନାହିଁ। ମୁଁ ଏବେ ବିକ୍ରି କରିବି କ’ଣ?” ମୀନା (ଓବିସି ଭାବେ ତାଲିକାଭୁକ୍ତ) କୋଲି ସମ୍ପ୍ରଦାୟରୁ ପ୍ରତିନିଧିତ୍ୱ କରିଥାନ୍ତି। ସେ ନିଜ କାମର ପଦ୍ଧତିରେ ପରିବର୍ତ୍ତନ ଆଣିଛନ୍ତି। ମୌସୁମୀ ପରେ, ସେ ସତପତି ପାଇକାରୀ ବଜାରରୁ ଡଙ୍ଗା ମାଲିକ କିମ୍ବା ବ୍ୟବସାୟୀଙ୍କଠାରୁ ସତେଜ ମାଛ କିଣି ସେଗୁଡ଼ିକୁ ବିକ୍ରି କରିଥାନ୍ତି। ଏହି ମାଛ ବିକି ସେ ଯଥେଷ୍ଟ ରୋଜଗାର କରିବା ଲାଗି ଚେଷ୍ଟା କରିଥାନ୍ତି। (ତେବେ, ସେ ଆମକୁ ତାଙ୍କର ରୋଜଗାର ବିଷୟରେ କୌଣସି ସୂଚନା ଦେଇନଥିଲେ)
ପରିବାରର ରୋଜଗାର କମିଯାଇଥିବାରୁ ତାଙ୍କ ପତି ଉଲ୍ହାସ ମେହର (୬୩) ମଧ୍ୟ ପୂର୍ବାପେକ୍ଷା ଅଧିକ କାମ କରୁଛନ୍ତି। ସେ ଏବେ ମଧ୍ୟ ବେଳେ ବେଳେ ଓଏନଜିସିର ସର୍ବେକ୍ଷଣ ନୌକାରେ ନମୁନା ସଂଗ୍ରାହକ ଏବଂ ମଜୁରିଆ ଭାବେ କାମ କରିଥାନ୍ତି, କିନ୍ତୁ ଏଥିସହିତ ସେ ମୁମ୍ବାଇରେ ମାଛ ଧରୁଥିବା ବଡ଼ ଡଙ୍ଗାରେ ନିଜ କାମକୁ ବଢ଼ାଇ ଦେଇଛନ୍ତି। ପୂର୍ବରୁ ବର୍ଷକୁ ୨ ମାସ ଏହି କାମ କରୁଥିବା ବେଳେ ଏବେ ୪ରୁ ୬ ମାସ ପର୍ଯ୍ୟନ୍ତ କରୁଛନ୍ତି।
ମହାରାଷ୍ଟ୍ରର ପାଲଘର ଜିଲ୍ଲାସ୍ଥିତ ତାଙ୍କର ତଟବର୍ତ୍ତୀ ଗ୍ରାମ ସତପତିକୁ ‘ଗୋଲ୍ଡନ ବେଲ୍ଟ’ କୁହାଯାଏ। ଏଠାକାର ସମୁଦ୍ର ଉପକୂଳ ମତ୍ସ୍ୟ ଉତ୍ପାଦନ ଏବଂ ପ୍ରସିଦ୍ଧ ବୋମ୍ବିଲ (ବମ୍ବେ ଡକ) ମାଛ ପାଇଁ ପ୍ରସିଦ୍ଧ। କିନ୍ତୁ ବୋମ୍ବିଲ ମାଛ ଉତ୍ପାଦନ ଏବେ କମିବାରେ ଲାଗିଛି। ୧୯୭୯ ମସିହାରେ ସତପତି-ଦହାନୁ କ୍ଷେତ୍ରରେ ୪୦,୦୬୫ ଟନ୍ ମାଛର ରେକର୍ଡ ଉତ୍ପାଦନ ହୋଇଥିଲା। ଏହା ହ୍ରାସ ପାଇ ୨୦୧୮ରେ ମାତ୍ର ୧୬,୫୭୬ ଟନ୍ ମାଛ ଉତ୍ପାଦନ କରାଯାଇପାରିଛି।










