“ମୁଁ ଯେତେବେଳେ ଏସବୁ ବଡ଼ ବଡ଼ ଗଛଗୁଡ଼ିକୁ ଭାଙ୍ଗିଥିବା ଓ ମୂଳରୁ ଉପୁଡ଼ି ଯାଇଥିବା ଦେଖୁଛି, ମୋତେ ଲାଗୁଛି ଯେମିତି ମୁଁ ମୋ ପିଲାମାନଙ୍କୁ ହରାଇ ଦେଇଛି”, ୪୦ ବର୍ଷ ବୟସ୍କ ମାଳୀ ମଦନ ବୈଦ୍ୟ କୁହନ୍ତି। “ମୁଁ ସାରା ଜୀବନ ଏସବୁ ଗଛଲତା ସହ ରହିଛି”, ଏହା କହିବା ସମୟରେ ଆଖପାଖର ଉଜୁଡ଼ା ପରିବେଶ କାରଣରୁ ତାଙ୍କ ମନରେ ଥିବା ଆଘାତ ସ୍ପଷ୍ଟ ଭାବେ ବାରି ହୋଇପଡ଼ୁଥାଏ। “ଏଗୁଡ଼ିକ କେବଳ ଗଛ ନଥିଲେ, ବରଂ ଅନେକଗୁଡ଼ିଏ ପକ୍ଷୀ ଓ ପ୍ରଜାପତିଙ୍କର ଘର ଥିଲା । ଏଗୁଡ଼ିକ ଆମକୁ ଖରାରେ ଛାଇ ଦେଉଥିଲେ ଏବଂ ବର୍ଷା ସମୟରେ ଛତା ପାଲଟିଥିଲେ।” ବୈଦ୍ୟଙ୍କ ନର୍ସରୀ କୋଲକାତାର ପୂର୍ବ ମହାନଗର ବାଇପାସ ନିକଟସ୍ଥ ଶହୀଦ ସ୍ମୃତି କଲୋନୀରେ ଥିବା ତାଙ୍କ ଘର ନିକଟରେ ରହିଛି, ଯାହାକି ବାତ୍ୟାରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି।
କୋଲକାତା ମହାନଗର ନିଗମର ଆକଳନ ଅନୁଯାୟୀ, ୨୦ ମେ’ରେ ସଂଘଟିତ ଅମ୍ଫନ ବାତ୍ୟାରେ ସହରର ପାଖାପାଖି ୫୦୦୦ ବଡ଼ ଗଛ ମୂଳରୁ ଉପୁଡ଼ି ଚାରିଆଡ଼େ ବିଛାଡ଼ି ହୋଇ ପଡ଼ିଥିଲା। “ଅତି ଭୀଷଣ ଘୂର୍ଣ୍ଣିବାତ୍ୟା” ପର୍ଯ୍ୟାୟଭୁକ୍ତ ଅମ୍ଫନ ଘଣ୍ଟା ପ୍ରତି ୧୪୦-୧୫୦ କିମି ବେଗରେ ପବନ ଏବଂ ସ୍ଥଳବିଶେଷରେ ୧୬୫ କିମି ପବନର ବେଗ ସହିତ ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଅଞ୍ଚଳରେ ମାଡ଼ ହୋଇଥିଲା। ଅଲିପୁର ସ୍ଥିତ ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଏହି ବାତ୍ୟା କାରଣରୁ ମାତ୍ର ୨୪ ଘଣ୍ଟା ମଧ୍ୟରେ ୨୩୬ ମିମି ବର୍ଷା ହୋଇଥିଲା।
ଅମ୍ଫନ ବାତ୍ୟା ଗ୍ରାମାଞ୍ଚଳରେ ବିଶେଷ କରି ସୁନ୍ଦରବନ ଭଳି ଅଞ୍ଚଳରେ ଯେଭଳି ତାଣ୍ଡବ ରଚିଥିଲା, ସେ ସମୟରେ ଏହାର ଅନୁମାନ କରିବା କଷ୍ଟକର ଥିଲା। କୋଲକାତା ସମେତ ଉତ୍ତର ଏବଂ ଦକ୍ଷିଣ ୨୪ ପ୍ରଗଣାରେ ମଧ୍ୟ ଭୀଷଣ କ୍ଷୟକ୍ଷତି ହୋଇଥିଲା। ସାରା ରାଜ୍ୟରେ ମୃତ୍ୟୁସଂଖ୍ୟା ପାଖାପାଖି ୮୦ରୁ ଅଧିକ ହୋଇଥିବା ବେଳେ କୋଲକାତାରେ ୧୯ ଜଣ ପ୍ରାଣ ହରାଇଥିଲେ।
ବର୍ତ୍ତମାନ ସୁଦ୍ଧା ଅନେକ ଅଞ୍ଚଳ ଅପହଞ୍ଚ ହୋଇ ରହିଛି, ଏବଂ ପରିବହନ ନେଟୱର୍କ ଓ ସଡ଼କ ସଂଯୋଗ ଯେପରି ଭାବେ କ୍ଷତିଗ୍ରସ୍ତ ହୋଇଛି, ତାହା କୋଭିଡ-୧୯ କାରଣରୁ ଜାରି ଲକଡାଉନ ପ୍ରତିବନ୍ଧକ ସହ ମିଶି ଆହୁରି ଘାତକ ସାବ୍ୟସ୍ତ ହୋଇଛି- ଯାହାଫଳରେ କ୍ଷତିଗ୍ରସ୍ତ ଅଞ୍ଚଳରେ ପହଞ୍ଚିବା ଏକପ୍ରକାର ଅସମ୍ଭବ ହୋଇପଡ଼ିଛି । କିନ୍ତୁ ଲକଡାଉନ କାରଣରୁ ଉତ୍ପନ୍ନ ହୋଇଥିବା ଜଟିଳତା ଏହାଠାରୁ ଆହୁରି ଅଧିକ ହୋଇଛି । ମରାମତି କାମ କରିବା ଅତ୍ୟଧିକ କଷ୍ଟଦାୟକ ହୋଇଛି, କାରଣ ଯେଉଁ ଶ୍ରମିକମାନେ ଏହି କାମ କରିଥାନ୍ତେ, ସେମାନେ ଲକଡାଉନ କାରଣରୁ ସହର ଛାଡ଼ି ପଶ୍ଚିମବଙ୍ଗ କିମ୍ବା ଅନ୍ୟ ରାଜ୍ୟରେ ଥିବା ନିଜ ଗ୍ରାମକୁ ଫେରିଯାଇଛନ୍ତି।













