ଏତେ ବେଳକୁ ଗଣେଶ ଓ ଅରୁଣ ମୁକନେ ଯଥାକ୍ରମେ ନବମ ଓ ସପ୍ତମ ଶ୍ରେଣୀରେ ପଢ଼ୁଥାନ୍ତେ’, କିନ୍ତୁ ସେମାନେ କୋଲୋଶୀରେ ଥିବା ନିଜ ଘରେ ଅଯଥା କାମରେ ସମୟ ନଷ୍ଟ କରୁଛନ୍ତି । କୋଲୋଶୀ ମୁମ୍ବାଇର ବାହ୍ୟ ଇଲାକାରେ ଥିବା ଠାଣେ ଜିଲ୍ଲାର ଏକ ଛୋଟିଆ ବସ୍ତି। ସେମାନେ ନିଜ ଆଖପାଖରେ ଥିବା କବାଡ଼ି ସାମଗ୍ରୀକୁ ଏକାଠି କରି କାର୍‌ ଏବଂ ଅନ୍ୟାନ୍ୟ ସାମଗ୍ରୀ ତିଆରି କରୁଛନ୍ତି । ନଚେତ୍‌ ସେମାନଙ୍କର ମାତା-ପିତା ଇଟା ଭାଟିରେ କାମ କରିବାକୁ ଯାଇଥିବା ସମୟରେ ଏଣେତେଣେ ବସି ସମୟ ବିତାଉଛନ୍ତି।

‘‘ଏବେ ସେମାନେ ଆଉ ବହି ପଢ଼ୁନାହାନ୍ତି। ଏ ପିଲା (ଅରୁଣ) ପରିତ୍ୟକ୍ତ ସାମଗ୍ରୀ ଓ କାଠ ଖଣ୍ଡ ସହାୟତାରେ ଖେଳନା ତିଆରି କରିବାରେ ସମୟ ବିତାଉଛି। ତା’ର ସାରା ଦିନ ଖେଳିବାରେ ବିତିଯାଉଛି।’’ ସେମାନଙ୍କ ମା’ ନୀରା ମୁକାନେ କହିଥିଲେ। କିନ୍ତୁ ଅରୁଣ ତାଙ୍କ କଥାକୁ ମଝିରୁ କାଟି କହିଲା, ‘‘ମୁଁ ଆପଣଙ୍କୁ କେତେ ଥର କହିବି ଯେ ସ୍କୁଲରେ ମୋତେ ଭଲ ଲାଗୁ ନାହିଁ?’’ ଦୁଇ ଜଣଙ୍କ ଭିତରେ ଲମ୍ବା ଯୁକ୍ତିତର୍କ ଆରମ୍ଭ ହୋଇଗଲା, ତେବେ ମଝିରେ ଅରୁଣ ଉଠିଯାଇ ଯୋଡ଼ାଯୋଡ଼ି କରି ତିଆରି କରିଥିବା କାର୍‌ରେ ଖେଳିବାକୁ ଲାଗିଥିଲା। ନିକଟରେ ସେ ଏହି ଗାଡ଼ିକୁ ଘର ଓ ଆଖପାଖର ଅଦରକାରୀ ଜିନିଷ ସହାୟତାରେ ତିଆରି କରିଛି ।

ନୀରା (୨୬) ସପ୍ତମ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି, କିନ୍ତୁ ତାଙ୍କ ୩୫ ବର୍ଷ ବୟସ୍କ ସ୍ୱାମୀ ବିଷ୍ଣୁ ଦ୍ୱିତୀୟ ଶ୍ରେଣୀରୁ ପାଠପଢ଼ା ଛାଡ଼ି ଦେଇଥିଲେ। ମୁକନେ ପରିବାର କୌଣସି ପରିସ୍ଥିତିରେ ନିଜ ପିଲାଙ୍କୁ ଔପଚାରିକ ଶିକ୍ଷା ଦେବାକୁ ଚାହୁଁଛନ୍ତି, ଯାହାଫଳରେ ଦୁହେଁ ସେମାନଙ୍କ ମାତାପିତାଙ୍କ ଭଳି ସ୍ଥାନୀୟ ନଦୀରୁ ମାଛ ମାରିବା ଏବଂ ଇଟା ଭାଟିରେ କାମ କରିବା ବ୍ୟତୀତ ଅନ୍ୟ କୌଣସି କାମ କରିପାରିବେ। ଅନେକ ଆଦିବାସୀ ପରିବାର ଇଟା ଭାଟିରେ କାମ କରିବା ଲାଗି ପଳାୟନ କରିଥାନ୍ତି । ସେମାନେ ଶାହାପୁର-କଲ୍ୟାଣ କ୍ଷେତ୍ରରେ ଇଟାଭାଟିରେ କାମ କରନ୍ତି ।

କାତକାରୀ ସମ୍ପ୍ରଦାୟର ବାସିନ୍ଦା ବିଷ୍ଣୁ କୁହନ୍ତି, ‘‘ମୁଁ ନିଜେ ଅଧିକ ପାଠ ପଢ଼ିପାରିନାହିଁ । କିନ୍ତୁ ମୁଁ ମୋ ପିଲାମାନଙ୍କୁ ଭଲ ଭାବେ ପାଠ ପଢ଼ାଇବାକୁ ଚାହୁଁଛି।’’ କାତକାରୀ ଆଦିବାସୀ ସମୁଦାୟ ମହରାଷ୍ଟ୍ରରେ ତିନୋଟି ନିର୍ଦ୍ଦିଷ୍ଟ ଦୁର୍ବଳ ଜନଜାତି ସମୁଦାୟ (ପିଭିଡିଜି) ମଧ୍ୟରୁ ଅନ୍ୟତମ। ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ୨୦୧୩ରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ ରାଜ୍ୟରେ କାତକରୀ ସମ୍ପ୍ରଦାୟର ସାକ୍ଷରତା ହାର ମାତ୍ର ୪୧ ପ୍ରତିଶତ।

ସେଥିପାଇଁ, ଯଥେଷ୍ଟ ଛାତ୍ରଛାତ୍ରୀଙ୍କ ଅନୁପସ୍ଥିତି କାରଣରୁ ଚାରି ବର୍ଷ ପୂର୍ବରୁ ଯେତେବେଳେ ସ୍ଥାନୀୟ ସରକାରୀ ବିଦ୍ୟାଳୟକୁ ବନ୍ଦ କରିଦେବା ଲାଗି ଘୋଷଣା କରାଗଲା, ବିଷ୍ଣୁ ଓ ତାଙ୍କର ପତ୍ନୀ ନିଜର ଦୁଇ ପୁଅଙ୍କୁ ମଢ଼ଗାଓଁରେ ଥିବା ଶାସକୀୟ ଉଚ୍ଚ ମାଧ୍ୟମିକ ଆଶ୍ରମ ବିଦ୍ୟାଳୟରେ ନାମ ଲେଖାଇଥିଲେ। ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ମଢ଼ ଆଶ୍ରମଶାଳା ନାମରେ ପ୍ରସିଦ୍ଧ ଏହି ରାଜ୍ୟ ସରକାରଙ୍କ ପରିଚାଳିତ ଆବାସିକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ଠାରୁ ଦ୍ୱାଦଶ ପର୍ଯ୍ୟନ୍ତ ପାଠ ପଢ଼ାର ବ୍ୟବସ୍ଥା ରହିଛି, ଏବଂ ଏହା ଠାଣେ ଜିଲ୍ଲାର ମୁରୱାଡ଼ଠାରୁ ୩୦ କିଲୋମିଟର ଦୂରରେ ଏହି ବିଦ୍ୟାଳୟ ରହିଛି । ମୋଟ୍‌ ୩୭୯ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ସେମାନଙ୍କ ଦୁଇ ପୁଅଙ୍କ ସହିତ ୧୨୫ ଜଣ ଆବାସିକ ଛାତ୍ରଛାତ୍ରୀ ଥିଲେ । ବିଷ୍ଣୁ କୁହନ୍ତି, ‘‘ମୁଁ ବେଶ ଖୁସି ଥିଲି, କାରଣ ସ୍କୁଲରେ ସେମାନଙ୍କ ପାଠପଢ଼ା ଓ ଭୋଜନ ଉଭୟର ବ୍ୟବସ୍ଥା ଥିଲା। କିନ୍ତୁ ସେମାନଙ୍କ କଥା ବେଶୀ ମନେ ପଡ଼ୁଥିଲା।’’

PHOTO • Mamta Pared
PHOTO • Mamta Pared

ବାମ: ଅରୁଣ ମୁକନେ ନିଜ ହାତରେ ତିଆରି କରିଥିବା ଏକ କାଠ ସାଇକେଲରେ ଖେଳୁଛନ୍ତି । ଡାହାଣ ଘର ବାହାରେ ବସିଥିବା ମୁକନେ ପରିବାର : ବିଷ୍ଣୁ, ଗଣେଶ, ନୀରା ଓ ଅରୁଣ ମୁକନେ

ଯେତେବେଳେ ଲକଡାଉନ ଘୋଷଣା କରାଗଲା ଏବଂ ସବୁ ସ୍କୁଲ ବନ୍ଦ କରି ଦିଆଗଲା, ସେତେବେଳେ କୋଲୋଶୀର ଅଧିକାଂଶ ପିଲା ଯେଉଁମାନେ ମଢ଼ ଆଶ୍ରମ ଶାଳାରେ ପାଠ ପଢ଼ୁଥିଲେ, ସେମାନେ ନିଜ ମାତା-ପିତାଙ୍କ ପାଖକୁ ଫେରି ଆସିଲେ।

ଏମିତି ସ୍ଥିତିରେ ବିଷ୍ଣୁଙ୍କ ଦୁଇ ପୁଅ ମଧ୍ୟ ଘରକୁ ଫେରି ଆସିଲେ। ସେ କୁହନ୍ତି, ‘‘ଆରମ୍ଭରୁ ସେମାନେ ଫେରିବାକୁ ନେଇ ଆମେ ଖୁସିଥିଲୁ। ଯାହା ହେଉ ସେମାନେ ଘରକୁ ଆମ ପାଖକୁ ଫେରି ଆସିଥିଲେ।’’ କିନ୍ତୁ ଏହାର ସିଧାସଳଖ ଅର୍ଥ ଥିଲା ତାଙ୍କୁ ଆହୁରି ଅଧିକ କଠିନ ପରିଶ୍ରମ କରିବାକୁ ପଡ଼ିବ। ବିଷ୍ଣୁ, ପରିବାର ପ୍ରତିପୋଷଣ ପାଇଁ ନିକଟରେ ଥିବା ଏକ ଜଳଭଣ୍ଡାର (ଚେକଡ୍ୟାମ)ରେ ମାଛ ଧରୁଥିଲେ ଏବଂ ତା’କୁ ନେଇ ମୁରୱାଡ଼ରେ ବିକ୍ରି କରୁଥିଲେ। ଦିନକୁ ସେ ଦୁଇରୁ ତିନି କିଲୋଗ୍ରାମ ମାଛ ଧରୁଥିଲେ, ତେଣୁ ଦୁଇ ପୁଅ ଘରକୁ ଫେରି ଆସିବା ପରେ ମାଛ ଧରାରୁ ହେଉଥିବା ଆୟରେ ପରିବାର ପ୍ରତିପୋଷଣ କରିବା ଯଥେଷ୍ଟ ନଥିଲା। ସେଥିପାଇଁ ନିଜର ରୋଜଗାର ବଢ଼ାଇବାକୁ ସେ ନିକଟସ୍ଥ ଏକ ଇଟାଭାଟିରେ କାମ କରିବା ଆରମ୍ଭ କରି ଦେଇଥିଲା। ପ୍ରତି ୧ ହଜାର ଇଟା ପାଇଁ ତାଙ୍କୁ ୬୦୦ ଟଙ୍କା ମିଳୁଥିଲା, କିନ୍ତୁ ଏହି ଅର୍ଥ ବାସ୍ତବରେ ସେତେ ଅଧିକ ନଥିଲା। କାରଣ ସାରା ଦିନ କାମ କରିବା ପରେ ସେ ଅତି କଷ୍ଟରେ ୭୦୦-୭୫୦ ଇଟା ତିଆରି କରିପାରୁଥିଲେ।

ଦୁଇ ବର୍ଷ ପରେ ପୁଣିଥରେ ସ୍କୁଲ ଖୋଲିଛି ଏବଂ ମଢ଼ ଆଶ୍ରମ ଶାଳାରେ ଶ୍ରେଣୀଗୃହ ପାଠପଢ଼ା ଆରମ୍ଭ ହୋଇଯାଇଛି, କିନ୍ତୁ ନିଜ ମା’-ବାପା ବୁଝାଇବା ପରେ ମଧ୍ୟ ଗଣେଶ ଓ ଅରୁଣ ମୁକନେ ନିଜ ସ୍କୁଲକୁ ଫେରିବା ଲାଗି ରାଜି ହେଉନାହାନ୍ତି । ଅରୁଣ କୁହନ୍ତି ଯେ ଦୁଇ ବର୍ଷ ବ୍ୟବଧାନ କମ୍‌ ନୁହେଁ ଏବଂ ପୂର୍ବ ଥର ସେ ସ୍କୁଲରେ କ’ଣ ପଢ଼ିଥିଲେ ତାହା ତାଙ୍କର ଏବେ ମନେ ନାହିଁ । କିନ୍ତୁ ମାତା-ପିତା ଏବେ ବି ଆଶା ହରାଇନାହାନ୍ତି । ଏପରିକି ବଡ଼ ପୁଅ ଗଣେଶ ପୁଣିଥରେ ପାଠ ପଢ଼ା ଆରମ୍ଭ କରିବା ଲାଗି ଯେଉଁ ବହି ଆବଶ୍ୟକ ତାହା ଯୋଗାଇ ଦେବାକୁ ସେମାନେ ଚେଷ୍ଟା କରୁଛନ୍ତି ।

ଚତୁର୍ଥ ଶ୍ରେଣୀରେ ପଢ଼ୁଥିବା କୃଷ୍ଣ ଭଗବାନ ଯାଦବ (୯ବର୍ଷ) ଏବଂ ତୃତୀୟ ଶ୍ରେଣୀରେ ପଢ଼ୁଥିବା ତାର ସାଙ୍ଗ କାଳୁରାମ ଚନ୍ଦ୍ରକାନ୍ତ ପୱାରଙ୍କ ମଧ୍ୟରେ ପୁଣିଥରେ ଆଶ୍ରମ ଶାଳାକୁ ଫେରିଯିବା ଲାଗି ଇଚ୍ଛା ରହିଛି : ‘‘ଆମକୁ ପାଠ ପଢ଼ିବାକୁ ଭଲ ଲାଗେ,’’ କୃଷ୍ଣା ଓ କାଳୁରାମ ଏକ ସଙ୍ଗେ କହିଥିଲେ। କିନ୍ତୁ, ପାଠପଢ଼ାରେ ଦୁଇ ବର୍ଷର ବ୍ୟବଧାନ ପୂର୍ବରୁ ସେମାନେ ଔପଚାରିକ ଭାବେ ମାତ୍ର କିଛି ବର୍ଷ ସ୍କୁଲ ପାଠ ପଢ଼ିଥିଲେ। ସେଥିପାଇଁ ଏବେ ସେମାନେ ପୁଣିଥରେ ସବୁ କଥା ଭୁଲି ଯାଇଛନ୍ତି ଏବଂ ଏବେ ସେମାନଙ୍କୁ ନୂଆ କରି ଆଉ ଥରେ ସବୁ ଆରମ୍ଭ କରିବାକୁ ହେବ ।

ଏହି ଦୁଇ ପିଲା ସ୍କୁଲ ବନ୍ଦ ହୋଇଯିବା ପରେ ନିଜ ପରିବାର ଲୋକଙ୍କ ସହିତ ମିଶି ନଦୀ ଓ ଝରଣା କୂଳରେ ବୁଲି ବୁଲି ବାଲି ଉତ୍ତୋଳନ କରିବା କାମ କରି ଆସୁଛନ୍ତି । ପିଲାମାନେ ଫେରିବା ପରେ ସେମାନଙ୍କ ପରିବାର ଉପରେ ଅଧିକ ରୋଜଗାରର ବୋଝ ବଢ଼ି ଯାଇଥିଲା, କାହିଁକି ନା ସେମାନଙ୍କୁ ଏବେ ଅଧିକ ଲୋକଙ୍କ ପେଟ ପୋଷିବାକୁ ପଡ଼ୁଥିଲା।

PHOTO • Mamta Pared
PHOTO • Mamta Pared

ବାମ : ଠାଣେ ଜିଲ୍ଲାର ମଢ଼ ଗାଓଁ ସ୍ଥିତ ଶାସକୀୟ ଉଚ୍ଚତର ମାଧ୍ୟମିକ ଆଶ୍ରମ ସ୍କୁଲ। ଡାହାଣ କୃଷ୍ଣ ଯାଦବ (ବାମ) ଏବଂ କାଳୁରାମ ପୱାର ଏକ ସଙ୍ଗେ ଏକ ସ୍ଥାନୀୟ ଝରଣାରେ ଖେଳୁଛନ୍ତି

*****

ସାରା ଦେଶରେ ପଞ୍ଚମ ଶ୍ରେଣୀ ପରେ ପାଠପଢ଼ା ଛାଡ଼ୁଥିବା ଅନୁସୂଚିତ ଜନଜାତିର ପିଲାମାନଙ୍କର ହାରାହାରୀ ସଂଖ୍ୟା ୩୫ ପ୍ରତିଶତ ହୋଇଥିବା ବେଳେ ଅଷ୍ଟମ ଶ୍ରେଣୀ ପରେ ହାରାହାରୀ ୫୫ ପ୍ରତିଶତ ଜନଜାତୀୟ ଛାତ୍ରଛାତ୍ରୀ ପାଠପଢ଼ା ଛାଡ଼ିଥାନ୍ତି । କୋଲୋଶୀର ଜନସଂଖ୍ୟା ମୁଳତଃ ଆଦିବାସୀ ବହୁଳ ଏବଂ ଏହି ପଡ଼ା ବା ୱାଡ଼ି ରେ ପାଖାପାଖି ୧୬ଟି କାତକରୀ ଆଦିବାସୀ ପରିବାର ରହିଥାନ୍ତି । ମୁରବାଡ଼ ତହସିଲରେ ମଧ୍ୟ ଯଥେଷ୍ଟ ସଂଖ୍ୟାରେ ମା’ ଠାକୁର ଆଦିବାସୀ ଲୋକମାନେ ରହିଥାନ୍ତି । ଏହି ଦୁଇ ସମୁଦାୟର ପିଲାମାନେ ଆଶ୍ରମଶାଳାରେ ପାଠ ପଢ଼ିଥାନ୍ତି ।

ମାର୍ଚ୍ଚ ୨୦୧୯ରେ ଲକଡାଉନ ଆରମ୍ଭ ହେବା ପରେ ଅନ୍ୟ ବିଦ୍ୟାଳୟଗୁଡ଼ିକ ଅନଲାଇନ ପାଠପଢ଼ାର ବିକଳ୍ପ ଚୟନ କରିଥିଲେ । କିନ୍ତୁ ଅଧିକାଂଶ ଆଦିବାସୀ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ମଢ଼ ଆଶ୍ରମ ଶାଳା ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଥିଲା।

ନିଜ ନାମ ଗୋପନ ରଖି ଜଣେ ଶିକ୍ଷକ କହିଥିଲେ ଯେ, ‘‘ଅନଲାଇନ ପାଠପଢ଼ା ଯୋଜନାକୁ କାର୍ଯ୍ୟକାରୀ କରିବା ଏଥିପାଇଁ ଅସମ୍ଭବ ଥିଲା, କାରଣ ସବୁ ଛାତ୍ରଛାତ୍ରୀ କିମ୍ବା ସେମାନଙ୍କ ପରିବାର ପାଖରେ ସ୍ମାର୍ଟଫୋନ ନଥିଲା। ଆଉ ଯେଉଁମାନଙ୍କ ପାଖରେ ଫୋନ୍‌ ଥିଲା ଆମେ ସେମାନଙ୍କୁ ଫୋନ୍‌ କରିବା ସମୟରେ ତାହା ଶ୍ରମଜୀବୀ ମା’ କିମ୍ବା ବାପାଙ୍କ ପାଖରେ ରହୁଥିଲା।’’ ଆଉ କିଛି ଶିକ୍ଷକ ଅଭିଯୋଗ କରିଥିଲେ ଯେ ମୋବାଇଲ ନେଟୱର୍କ ନଥିବା କାରଣରୁ ଛାତ୍ରଛାତ୍ରୀଙ୍କ ସହିତ ଯୋଗାଯୋଗ କରିବା ସେମାନଙ୍କ ପକ୍ଷେ ଅସମ୍ଭବ ଥିଲା।

ଏମିତି ନୁହେଁ ଯେ ସେମାନେ ଚେଷ୍ଟା କରିନଥିଲେ । ୨୦୨୧ ଶେଷ ଏବଂ ୨୦୨୨ର ପ୍ରାରମ୍ଭିକ ମାସଗୁଡ଼ିକରେ କେତେକ ବିଦ୍ୟାଳୟରେ ନିୟମିତ ଶ୍ରେଣୀ ଗୃହ ପାଠପଢ଼ା ଆରମ୍ଭ କରାଗଲା। କିନ୍ତୁ ବିଷ୍ଣୁଙ୍କ ପୁଅ ଗଣେଶ ଓ ଅରୁଣଙ୍କ ବ୍ୟତୀତ କୃଷ୍ଣ ଓ କାଳୁରାମଙ୍କ ଭଳି ବହୁ ସଂଖ୍ୟାରେ ପିଲାମାନେ ଶ୍ରେଣୀ ଗୃହ ପାଠପଢ଼ା ପ୍ରତି ଆଗ୍ରହ ପ୍ରକାଶ କରିନଥିଲେ ଏବଂ ସେମାନେ ଆଉ ସ୍କୁଲକୁ ଫେରିଯିବା ଲାଗି ଚାହୁଁନଥିଲେ ।

ପରୀକୁ ସୂଚନା ଦେଇ ଜଣେ ଶିକ୍ଷକ କହିଥିଲେ, ‘‘ଏମିତି କିଛି ପିଲା ଅଛନ୍ତି ଯେଉଁମାନଙ୍କୁ ଆମେ ବୁଝାଇସୁଝାଇ ସ୍କୁଲକୁ ଆସିବା ପାଇଁ ରାଜି କରାଇ ନେଲୁ, କିନ୍ତୁ ସେମାନେ ପାଠପଢ଼ା ଭୁଲି ଯାଇଥିଲେ।’’ ଏଭଳି ଛାତ୍ରଛାତ୍ରୀଙ୍କୁ ନେଇ ଏକ ସ୍ୱତନ୍ତ୍ର ସମୂହ ଗଠନ କରାଗଲା ଏବଂ ସେମାନଙ୍କ ପାଇଁ ଶିକ୍ଷକମାନେ ଏକ ଅଲଗା ପାଠ ଆଧାରିତ ଶ୍ରେଣୀ ଆରମ୍ଭ କଲେ। ପିଲାମାନଙ୍କ ମଧ୍ୟରେ ଯଥେଷ୍ଟ ସୁଧାର ମଧ୍ୟ ଦେଖିବାକୁ ମିଳିଲା, କିନ୍ତୁ ମହାରାଷ୍ଟ୍ରରେ ଫେବୃଆରୀ ୨୦୨୧ରେ ଦ୍ୱିତୀୟ ଲହର ଆସିବା ପରେ ଅଳ୍ପ ପାଠ ପଢ଼ିଥିବା ଏହି ପିଲାମାନେ ପୁଣିଥରେ ଘରେ ବସିବାକୁ ବାଧ୍ୟ ହୋଇଥିଲେ ।

*****

PHOTO • Mamta Pared

କାଳୁରାମ ଏବଂ କୃଷ୍ଣଙ୍କ ସହିତ ଲୀଳା ଯାଦବ। ଏବେ ପିଲାମାନେ ମଧ୍ୟାହ୍ନ ଭୋଜନରେ ଗଳା ହୋଇଥିବା ଭାତ ଖାଇଛନ୍ତି

କୃଷ୍ଣଙ୍କ ମା’ ଲୀଳା କୁହନ୍ତି, ‘‘ଏତିକି ଟଙ୍କା ରୋଜଗାରରେ ପିଲାମାନଙ୍କ ପେଟ ପୋଷିବି ନା ସେମାନଙ୍କ ପାଇଁ ମୋବାଇଲ କିଣିବି? ମୋ ସ୍ୱାମୀ ଏକ ବର୍ଷରୁ ଅଧିକ ସମୟ ଧରି ଅସୁସ୍ଥ ହୋଇ ଶଯ୍ୟାଶାୟୀ’’ ଥିଲେ ବୋଲି କୃଷ୍ଣଙ୍କ ମା ଲୀଲା ଯାଦବ କହିଛନ୍ତି। ସେ ଆହୁରି କୁହନ୍ତି, ‘‘ମୋର ବଡ଼ ପୁଅ ରୋଜଗାର କରିବା ଲାଗି କଲ୍ୟାଣର ଏକ ଇଟା ଭାଟିକୁ ଯାଇଛି ।’’ କେବଳ ନିଜ ସାନ ପୁଅର ସ୍କୁଲ ପାଠପଢ଼ା ପାଇଁ ମୋବାଇଲ କିଣିବା ତାଙ୍କ କ୍ଷମତାଠାରୁ ବାହାରେ ।

କୃଷ୍ଣ ଓ କାଳୁରାମ ମଧ୍ୟାହ୍ନ ଭୋଜନ ଖାଉଛନ୍ତି – ସେମାନଙ୍କ ଥାଳିରେ ଭାତ ଛଡ଼ା ଆଉ କିଛି ନାହିଁ, କୌଣସି ତରକାରୀ କିମ୍ବା ଅନ୍ୟ କିଛି ଖାଦ୍ୟ ସାମଗ୍ରୀ ନାହିଁ । ଲୀଳା ସେହି ହାଣ୍ଡିରୁ ଢାଙ୍କୁଣି ଖୋଲି ନିଜର ଓ ନିଜ ପରିବାର ପାଇଁ ରନ୍ଧା ହୋଇଥିବା ଭାତ ଆମକୁ ଦେଖାଇ ଥିଲେ।

ଦେଓଘରର ଅନ୍ୟ ଲୋକମାନଙ୍କ ଭଳି ଲୀଳା ମଧ୍ୟ ଜୀବିକା ଉପାର୍ଜନ ଲାଗି ସ୍ଥାନୀୟ ନଦୀ କୂଳରେ ବାଲି ଉତ୍ତୋଳନ କରିଥାନ୍ତି । ଏକ ଟ୍ରକ ବାଲିର ମୂଲ୍ୟ ୩,୦୦୦ ଟଙ୍କା ଏବଂ ସମ୍ପୂର୍ଣ୍ଣ ଗୋଟିଏ ଟ୍ରକ ବାଲି ଉତ୍ତୋଳନ କରିବା ପାଇଁ ତିନି-ଚାରି ଜଣ ଲୋକଙ୍କୁ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ କାମ କରିବାକୁ ପଡ଼ିଥାଏ। ପରେ ସବୁ ଶ୍ରମିକମାନଙ୍କ ମଧ୍ୟରେ ରୋଜଗାର ହୋଇଥିବା ଟଙ୍କା ବାଣ୍ଟି ଦିଆଯାଏ।

ଇତିମଧ୍ୟରେ ଖାଦ୍ୟ ଖାଉଥିବା କାଳୁରାମ ପଚାରୁଛନ୍ତି, ‘‘ପୁଣିଥରେ ଆମେ କେତେବେଳେ ପାଠପଢ଼ା ଆରମ୍ଭ କରିବୁ?’’ ତାଙ୍କର ଏହି ପ୍ରଶ୍ନ କୌଣସି ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ପ୍ରତି ନଥିଲା। ଏହା ଏମିତି ଏକ ପ୍ରଶ୍ନ ଥିଲା ଯାହାର ଉତ୍ତର ପାଇବାକୁ ଲୀଳା ମଧ୍ୟ ଏବେ ଅପେକ୍ଷା କରି ରହିଛନ୍ତି କାରଣ ଏହି ପ୍ରଶ୍ନ କେବଳ ପିଲାମାନଙ୍କ ଶିକ୍ଷାକୁ ନେଇ ଜଡ଼ିତ ନୁହେଁ, ବରଂ ସେମାନଙ୍କ ପେଟ ପୋଷିବା ପାଇଁ ଏକ ଆଶ୍ୱାସନା ମଧ୍ୟ।

*****

ମଢ଼ ଆଶ୍ରମ ଶାଳା ଶେଷରେ ଫେବୃଆରୀ ୨୦୨୨ରେ ଖୋଲିଥିଲା। କିଛି ପିଲା ପାଠ ପଢ଼ିବାକୁ ଫେରି ଆସିଲେ କିନ୍ତୁ ପ୍ରାଥମିକ ଓ ମାଧ୍ୟମିକ ସ୍ତର (ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ)ର ପାଖାପାଖି ୧୫ ଜଣ ପିଲା ଫେରିଲେ ନାହିଁ । ଜଣେ ଶିକ୍ଷକ ନିଜର ନାମ ଗୋପନ ରଖିବା ସର୍ତ୍ତରେ କହିଥିଲେ, ‘‘ସେମାନଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିବା ପାଇଁ ଆମେ ଯଥାସମ୍ଭବ ପ୍ରୟାସ କରିଛୁ । କିନ୍ତୁ ଏହି ପିଲାମାନେ ଠାଣେ, କଲ୍ୟାଣ ଏବଂ ଶାହାପୁରରେ କାମ କରୁଥିବା ନିଜ ପରିବାର ସହିତ ଅଛନ୍ତି । ସେମାନଙ୍କୁ ଖୋଜି ଆଣିବା ଏକ ପ୍ରକାର ଅସମ୍ଭବ କାର୍ଯ୍ୟ।’’

ଅନୁବାଦ : ଓଡ଼ିଶାଲାଇଭ୍‍

Mamta Pared

पत्रकार ममता परेड (१९९८-२०२२) हिने २०१८ साली पारीसोबत इंटर्नशिप केली होती. पुण्याच्या आबासाहेब गरवारे महाविद्यालयातून तिने पत्रकारिता आणि जनसंवाद विषयात पदव्युत्तर पदवी घेतली होती. आदिवासींच्या, खास करून आपल्या वारली समुदायाचे प्रश्न, उपजीविका आणि संघर्ष हा तिच्या कामाचा गाभा होता.

यांचे इतर लिखाण Mamta Pared
Editor : Smruti Koppikar

Smruti Koppikar is an independent journalist and columnist, and a media educator.

यांचे इतर लिखाण Smruti Koppikar
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

यांचे इतर लिखाण OdishaLIVE