ଏହା ହେଉଛି ଶ୍ରମ ଦିବସ, ମଇ ୧, କିନ୍ତୁ ବେଙ୍ଗାଲୁରୁ ମେଟ୍ରୋ ପ୍ରକଳ୍ପ- ଯାହାକୁ ନାମ୍ମା ମେଟ୍ରୋ (ଆମ ମେଟ୍ରୋ) କୁହାଯାଏ, ତାହାର ଏହି ଶ୍ରମିକମାନେ - ମାର୍ଚ୍ଚ ଠାରୁ ସେମାନଙ୍କର ମଜୁରୀ ପାଇ ନାହାଁନ୍ତି ଏବଂ ଭୟଭୀତ ଅବସ୍ଥାରେ ରହୁଛନ୍ତି ।ସବୁତ୍ / ପ୍ରମାଣ, ଏକ ୧୩ ମିନିଟ୍ର ବୃତ୍ତଚିତ୍ର (ଆଜି ମୁକ୍ତିଲାଭ କରୁଛି), ଯାହା ଲକଡାଉନ୍ ସମୟରେ ସହରର ମେଟ୍ରୋ ଶ୍ରମିକଙ୍କ ଯାତ୍ରାକୁ ଅନୁସରଣ କରୁଛି। ଅଧିକ ବିସ୍ତୃତ ଭାବରେ, ଏହା ପ୍ରବାସୀ ଶ୍ରମିକମାନଙ୍କ ଜୀବନଶୈଳୀ ଏବଂ କାର୍ଯ୍ୟ ସ୍ଥିତି ଉପରେ ଆଲୋକପାତ କରିବାକୁ ଚେଷ୍ଟା କରେ ।
ଜଣେ ଶ୍ରମିକ କୁହନ୍ତି, "ମୁଁ ଭୟଭିତ। ଯଦି ଆମେ ଘରେ ମରିବା, ତେବେ କୌଣସି ସମସ୍ୟା ନାହିଁ । ଯଦି ଆମେ ଏଠାରେ ମରିବା, ତେବେ କେହି ଆମ କଥା ବୁଝିବେନି । ’’ ସେ ନିଜ ଗାଁ ଛାଡିବା ସାତ ମାସ ବିତିଗଲା । ତାଲାବନ୍ଦ ନିଜ ପରିବାରକୁ ଦେଖିବା ପାଇଁ ତାଙ୍କର ଇଚ୍ଛାକୁ ଆହୁରି ବିଳମ୍ବିତ କରୁଛି । ତାଙ୍କର ଅନେକ ସହ-ଶ୍ରମିକ ମଧ୍ୟ ଏହା ଅନୁଭବ କରନ୍ତି ।ସମସ୍ତେ ଟିଣ ଚାଦରରେ ତିଆରି ଘରେ ରୁହନ୍ତି – ପ୍ରତି ଘରେ ସେମାନେ ଅନ୍ୟ ୧୦-୧୫ ଜଣଙ୍କ ସହ ରୁହନ୍ତି, ତଥାପି ସେମାନେ ସାମାଜିକ ଦୂରତ୍ୱ ପାଳନ କରିବାକୁ ଚେଷ୍ଟା କରନ୍ତି ।


