କିଛି ମାସ ତଳେ ଯେତେବେଳେ ମୋହନ ଚନ୍ଦ୍ର ଯୋଶୀଙ୍କ ସାନଭାଇ ଭାରତୀୟ ସେନା ପାଇଁ ମନୋନୀତ ହେଲେ, ସେ ତୁରନ୍ତ ଆଲମୋଡ଼ା ଡାକଘରେ ଥିବା ଜଣେ ପରିଚିତ ବ୍ୟକ୍ତିଙ୍କୁ ନିଯୁକ୍ତି ପତ୍ର ସେହିଠାରେ ହିଁ ରଖିବାକୁ କହିଲେ । ସେ କହିଲେ, “ଏହାକୁ ଆମ ଘରକୁ ପଠାନ୍ତୁ ନାହିଁ ।” ତାଙ୍କ ଭାଇଙ୍କ ସେନାରେ ଯୋଗଦାନକୁ ମୋହନ ଚନ୍ଦ୍ର ଅଟକାଉ ନଥିଲେ । ସେ କେବଳ ଏଥିପାଇଁ ଚିନ୍ତିତ ଥିଲେ ଯେ ଚିଠିଟି ହୁଏତ ଡେରିରେ ପହଞ୍ଚିବ କିମ୍ବା ଆଦୌ ପହଞ୍ଚିବ ନାହିଁ । ଉତ୍ତରାଖଣ୍ଡ ପିଥୋରାଗଡ଼ର ଭାନୋଲି ଗୁନ୍ଥ ଗାଁ ଲୋକଙ୍କ କ୍ଷେତ୍ରରେ ପ୍ରାୟ ଏହା ହିଁ ଘଟେ । ସେମାନଙ୍କର ନିକଟତମ ଡାକଘର ରହିଛି ଅନ୍ୟ ଏକ ଜିଲ୍ଲାରେ ।
“ସାକ୍ଷାତ୍କାର ପାଇଁ ଚିଠି ବହୁ ବିଳମ୍ବରେ ପହଞ୍ଚୁଥିବାରୁ ଏଠାକାର ବହୁ ଲୋକ ଚାକିରି ହରାଇଛନ୍ତି । ଅନେକ ସମୟରେ ସାକ୍ଷାତ୍କାର ତାରିଖ ଅତିବାହିତ ହେବା ପରେ ପୋଷ୍ଟ୍ମ୍ୟାନ୍ ଚିଠି ପହଞ୍ଚାଇ ଥାଆନ୍ତି । ଏମିତି ଏକ ଦୁର୍ଗମ ସ୍ଥାନରେ, ଯେଉଁଠି କୌଣସି ଚାକିରି ମିଳେନି, ଏଭଳି ଚିଠିଟିଏ ହରାଇବାକୁ କିଏ ବା ସହଜରେ ଗ୍ରହଣ କରିପାରିବ, ତା ବି ସରକାରୀ ନିଯୁକ୍ତି ସଂପର୍କିତ ଚିଠି ?” ପଚାରନ୍ତି ମୋହନ ଚନ୍ଦ୍ର, ଆଉ ତାଙ୍କ ଆଖି ହିଁ ଅଧିକାଂଶ କଥା କହୁଥାଏ ।
ନିଜ ହାତରେ ଏହି ଚିଠିଟି ଆଣିବାକୁ ମୋହନ ୭୦ କିଲୋମିଟର ଦୂର ଆଲମୋଡ଼ାର ପ୍ରଧାନ ଡାକଘରକୁ ଯାଇଥିଲେ । ସେ କହନ୍ତି, “ହଁ, ମୁଁ ଜାଣିଛି ଯେ ଆମେ ନିଜେ ନିଜେ ଡାକଘରୁ ଚିଠି ଆଣିବା କଥା ନୁହେଁ । ପୋଷ୍ଟମ୍ୟାନ୍ ଆମ ଘରେ ଚିଠି ଦେଇଯିବା କଥା । କିନ୍ତୁ ଆମେ ଏତେ ଆରାମରେ ବସି ରହିପାରିବୁ ନାହିଁ । ଯଦି ଆମେ ନିଜେ ନିଜେ ଚିଠି ଆଣିବୁ ନାହିଁ, ତାହେଲେ ତାକୁ ପାଇବାକୁ ଗୋଟିଏ ମାସ ଲାଗିଯାଇପାରେ (ତାହା ବି ଯଦି କେବେ ମିଳେ) । ସେତେବେଳକୁ ମୋ ଭାଇର ସେନାରେ ଯୋଗ ଦେବା ତାରିଖ ଚାଲି ଯାଇଥିବ ।’’
ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲ୍ଲାର ଭାନୋଲିଗୁନ୍ଥ (ଭାନୋଲି ସେରା ବି କହନ୍ତି) ଗାଁର ଗୋଟିଏ ଚା’ଦୋକାନରେ ମୋହନ ଚନ୍ଦ୍ର ଓ ଅନ୍ୟ କେତେ ଜଣ ଆମ ସହ କଥାବାର୍ତ୍ତା କରୁଥିଲେ । ଡାକସେବା କ୍ଷେତ୍ରରେ ଆଉ ପାଞ୍ଚ ଖଣ୍ଡ ଗାଁ ବି ଦୁର୍ଦ୍ଦଶା ଭୋଗନ୍ତି- ଚିଠି ବିଳମ୍ବରେ ଆସେ କିମ୍ବା ଆଦୌ ଆସେନାହିଁ । ଏଇ ଗାଁଗୁଡ଼ିକ ହେଲେ ସେରା ଉର୍ଫ ବାଡ଼ୋଲି, ସାର୍ତୋଲା, ଚୌନାପାତାଲ, ନାଇଲି ଏବଂ ଏକାଭଳି ଶୁଭୁଥିବା କିନ୍ତୁ ଭିନ୍ନ ଏକ ଗାଁ ବାଡ଼ୋଲି ସେରା ଗୁନ୍ଥ








