ଗତ ଦୁଇରାତି ଯେ ସେ ପ୍ରାୟ ଶୋଇ ନାହାନ୍ତି ତାହା ଯମୁନା ଯାଦବଙ୍କୁ ଦେଖିଲେ ଜଣାପଡ଼ୁ ନଥିଲା । ସେ ହସୁଥିଲେ- ହାତ ଉଠାଇ ଦୃଢ଼ ଭାବରେ କହୁଥିଲେ, ‘ଲାଲ୍ ସଲାମ୍’ । ‘‘ଆମେ ଆଗାମୀ ଦୁଇଦିନକୁ ଆଗ୍ରହର ସହ ଅପେକ୍ଷା କରିଛୁ।’’
ସେ ମହାରାଷ୍ଟ୍ରର ନାସିକ୍ ଜିଲ୍ଲାର ଦୁଧଗାଓଁ ଗ୍ରାମରୁ ୬ଘଣ୍ଟା ପୂର୍ବେ ଦିଲ୍ଲୀରେ ପହଞ୍ଚିଛନ୍ତି। ସେ କୁହନ୍ତି, ‘‘ଆମେ ନଭେମ୍ବର ୨୭ ରାତିରେ ନାସିକ୍ରୁ ଟ୍ରେନ୍ ଧରିଲୁ। ଆମର ରିଜର୍ଭେସନ୍ ବର୍ଥ ନଥିଲା। ଆମେ ଦ୍ଵାର ପାଖରେ ବସି ଯାତ୍ରା କଲୁ। ୨୪ଘଣ୍ଟା ସିଧା ହୋଇ ବସିବା ପରେ ଏବେ ମୋର ପିଠି କାଟୁଛି।’’
ନଭେମ୍ବର ୨୯ର ଶୀତୁଆ ସକାଳରେ ଦିଲ୍ଲୀରେ ପହଞ୍ଚିଥିବା ୧୦ ହଜାର ଚାଷୀଙ୍କ ମଧ୍ୟରୁ ଯମୁନା (ଉପରେ ଥିବା ପ୍ରଚ୍ଛଦ ଫଟୋରେ) ଅନ୍ୟତମ। ୧୫୦-୨୦୦ କୃଷକ ଗୋଷ୍ଠୀ ଏବଂ ସଂଘର ସମୂହ ସଂଗଠନ ଅଲ୍ ଇଣ୍ଡିଆ କିଷାନ ସଂଘର୍ଷ କୋର୍ଡିନେସନ କମିଟି ଏହି ଦୁଇଦିନିଆ ପ୍ରତିବାଦ ପାଇଁ ସାରା ଦେଶରୁ କୃଷକମାନଙ୍କୁ ଏକତ୍ର କରିଛି। ନଭେମ୍ବର ୩୦ ତାରିଖରେ ପ୍ରତିବାଦକାରୀମାନେ କୃଷି ସଂକଟ ସମ୍ପର୍କରେ ଆଲୋଚନା ପାଇଁ ଏକ ସ୍ଵତନ୍ତ୍ର ୨୧ ଦିନିଆ ଅଧିବେଶନ ଦାବିକରି ସଂସଦ ଆଡ଼କୁ ପଦଯାତ୍ରା କରିବାର ଯୋଜନା କରିଛନ୍ତି।
କୃଷକମାନେ ଅନେକ ରାଜ୍ୟରୁ ଆସିଛନ୍ତି। ମହାରାଷ୍ଟ୍ରରୁ ପ୍ରାୟ ୩୦୦୦ କୃଷକ ଆସିଛନ୍ତି ବୋଲି ଅଖିଳ ଭାରତୀୟ କିଷାନ ସଭାର କୃଷକ ନେତା ଅଜିତ୍ ନାଭାଲେ କୁହନ୍ତି। ଯମୁନାଙ୍କ ପରି ସେମାନଙ୍କ ମଧ୍ୟରୁ ଅଧକାଂଶ କୃଷି ଶ୍ରମିକ, ଦିନକୁ ୧୫୦ ଟଙ୍କା ମଜୁରୀ ପାଆନ୍ତି।
ଯମୁନା କୁହନ୍ତି, କୃଷି ସଂକଟ ଘନୀଭୂତ ହେବା ସେମାନଙ୍କ ରୋଜଗାରକୁ ପ୍ରତ୍ୟକ୍ଷ ଭାବରେ ପ୍ରଭାବିତ କରୁଛି। ‘‘ଜମିରେ ଯେତେ କାମ ହେବ ଆମକୁ ଅଧିକ ରୋଜଗାର କରିବାର ସେତେ ସୁଯୋଗ ମିଳିବ। ବର୍ତ୍ତମାନ ମହାରାଷ୍ଟ୍ର ଭୀଷଣ ମରୁଡ଼ିର ଶିକାର ହୋଇଛି। କୃଷକମାନେ ରବି ଋତୁ (ମୌସୁମୀ ପରେ) ପାଇଁ ବୁଣାବୁଣି କରୁନାହାନ୍ତି। ଆମେ କେଉଁଠାରୁ କାମ ପାଇବୁ?’’ ସେ କିଷାନ ସଭାର ଲାଲ୍ ରଙ୍ଗର ଟି-ସାର୍ଟ ପିନ୍ଧିଥିଲେ।
ଅନେକ କୃଷକ ଦିଲ୍ଲୀରେ ପହଞ୍ଚିବା ପରେ ହଜରତ ନିଜାମୁଦ୍ଦିନ୍ ଷ୍ଟେସନ ପାଖରେ ଥିବା ଗୁରୁଦ୍ଵାରା ଶ୍ରୀ ବାଲା ସାହେବଜୀରେ ବିଶ୍ରାମ ନେଇଥିଲେ। ଏଠାରେ କୃଷକମାନଙ୍କ ପ୍ରାତଃଭୋଜନ ଭାତ ଓ ଡାଲି ପାଇଁ ବ୍ୟବସ୍ଥା କରାଯାଇଛି। କୃଷକମାନେ ସକାଳ ୧୧ଟା ସୁଦ୍ଧା ଖାଇ ନେଇଛନ୍ତି। ନାସିକ୍ ଜିଲ୍ଲାର ଗଙ୍ଗାବରେ ଗ୍ରାମରୁ ଆସିଥିବା ୩୫ବର୍ଷ ବୟସ୍କା ତୁଲ୍ଜାବାଈ ଭଡ଼ାଙ୍ଗେ କହିଥିଲେ, ସେମାନେ ପ୍ରଥମ ରାତି ପାଇଁ ଭକ୍ରି ଏବଂ ଚଟ୍ନୀ ନେଇ ଆସିଥିଲେ। କିନ୍ତୁ ଦ୍ଵିତୀୟ ଦିନ ଠିକ୍ ଭାବରେ ଖାଇପାରିଲେ ନାହିଁ। ସେ କୁହନ୍ତି, ‘‘ଆମେ ଏହି ଯାତ୍ରା ପାଇଁ ୧୦୦୦ ଟଙ୍କା ଲେଖାଏଁ ରଖିଛୁ। ଗତକାଲି ଖାଦ୍ୟ ପାଇଁ ୨୦୦ ଟଙ୍କା ଖର୍ଚ୍ଚ କରିଛୁ। ନାସିକ୍ ଷ୍ଟେସନରେ ପହଞ୍ଚିବା ପାଇଁ ରିକ୍ସାକୁ ମଧ୍ୟ ଅର୍ଥ ଦେଲୁ। ଆମେ ସ୍ଵୀକାର କରିନେଇଛୁ ଯେ ୫ଦିନ ପାଇଁ କାମ (ଏବଂ ମଜୁରୀ) ଛାଡ଼ିବୁ। ଏହି ଶୋଭାଯାତ୍ରା ଏକ ପ୍ରତିବାଦ। ଆମେ ଏହା ମୁମ୍ବାଇରେ କରିଥିଲୁ। ଆମେ ପୁଣିଥରେ ଏହା କରିବୁ।’’
ଆଦିବାସୀମାନଙ୍କୁ ସେମାନେ ଦୀର୍ଘ ବର୍ଷ ଧରି ଚାଷ କରିଆସୁଥିବା ଜମିର ଅଧିକାର ଦେଉଥିବା ଜଙ୍ଗଲ ଅଧିକାର ଆଇନ, ୨୦୦୬ ଲାଗୁ ନହେବା ନାସିକ୍ର ଆଦିବାସୀ କ୍ଷେତ୍ରର ସବୁଠାରୁ ବଡ଼ ଚିନ୍ତା। ଭଡ଼ାଙ୍ଗେ କୁହନ୍ତି - ଆଦିବାସୀ କୃଷକମାନେ ଏବେ ବି କେଇ ଦଶକ ଧରି ଚାଷ କରିଆସୁଥିବା ଜମିର ମାଲିକ ନୁହନ୍ତି। ସେ କୁହନ୍ତି, ‘‘ଯଦିଓ ମୋର ଅଧିକ ଜମି ନାହିଁ, ମୁଁ ଅନ୍ୟ କୃଷକମାନଙ୍କ ଜମିରେ କାମ କରେ। ଯଦି ସେମାନେ ଚାଷ ଜମି ହରାଇବେ, ତା’ହେଲେ ମୁଁ କେଉଁଠି କାମ କରିବି?’’
ମହାରାଷ୍ଟ୍ରର ଆଦିବାସୀ ଅଞ୍ଚଳ ବାହାରର ଯେଉଁ କୃଷକ ଓ କୃଷି ଶ୍ରମିକମାନେ ଦିଲ୍ଲୀରେ ପହଞ୍ଚିଥିଲେ, ସେମାନେ ଜଳସେଚନ ସୁବିଧାର ଅଭାବ, ଜଳସଙ୍କଟ, ଏକ ଅବାସ୍ତବ ଫସଲ ବୀମା ନୀତି ଏବଂ ଋଣ ଛାଡ଼ର ଆବଶ୍ୟକତା ସମ୍ପର୍କରେ ଅଭିଯୋଗ କରୁଥିଲେ। ମଧ୍ୟାହ୍ନ ୧୨.୩୦ ବେଳକୁ ଦିଲ୍ଲୀ ରାଜରାସ୍ତାରେ ପଦଯାତ୍ରା ଆଗେଇ ଚାଲିଥିବା ବେଳେ ଅହମ୍ମଦନଗର ଜିଲ୍ଲାର ଅମ୍ବେବାଙ୍ଗନ୍ ଗ୍ରାମର ୭୦ବର୍ଷ ବୟସ୍କ ଦେବରାମ୍ ଭାଙ୍ଗ୍ରେ କହିଥିଲେ, ‘‘ବାସ୍ତବିକ୍ ଭାବରେ କୌଣସି ସମସ୍ୟାର ସମାଧାନ ହେଉନାହିଁ। କୃଷକମାନେ ଜୁନ୍ ମାସର ବୁଣାବୁଣି ସମୟ ସୁଦ୍ଧା ଫସଲ ବୀମା ପାଇବା ଖୁବ୍ ବିରଳ। ଏହି ସମୟରେ ହିଁ ସେମାନେ ସବୁଠାରୁ ଅଧିକ ଅର୍ଥ ଆବଶ୍ୟକ କରନ୍ତି। ଯଦି ଜଣେ କୃଷକ ପାଖରେ ଅର୍ଥ ନଥିବ ସେ କୃଷି ଶ୍ରମିକ ନିୟୋଜନ କରିବା ମଧ୍ୟ କମ୍ କରିବ। ଆମ ଗାଁ ଭୀଷଣ ଜଳାଭାବ ଦେଇ ଗତି କରୁଥିଲେ ବି କୌଣସି ସହଯୋଗ ନାହିଁ। ମୋଦି ତାଙ୍କର ପ୍ରତିଶ୍ରୁତି ପୂରଣ କରିନାହାନ୍ତି। ସେ ଜାଣିବା ଦରକାର ଯେ ଆମେମାନେ ରାଗିଛୁ।’’
କୃଷକମାନେ ଦିଲ୍ଲୀ ରାସ୍ତାରେ ଲାଲ୍ ପତାକା ଏବଂ ଟି-ସାର୍ଟ ସହ ଆଗେଇ ଯାଉଥିବା ବେଳେ ‘ମୋଦି ସରକାର ହୋସ୍ ମେ ଆଓ’ ସ୍ଲୋଗାନ ପବନରେ ଗୁଞ୍ଜରିତ ହେଉଥିଲା। କୃଷକମାନେ ଚିତ୍କାର କରି ସ୍ଲୋଗାନ ଦେଉଥିବା ବେଳେ ପାଖରେ ଛିଡ଼ା ହୋଇଥିବା ଏବଂ ଯାଉଥିବା ଲୋକମାନେ ସେମାନଙ୍କୁ ଦେଖୁଥିଲେ।
କୃଷକମାନେ ଖୁବ୍ ଶୃଙ୍ଖଳିତ ଏବଂ ଦ୍ରୁତ ଗତିରେ ରାମଲୀଳା ମୈଦାନ ଆଡ଼କୁ ଆଗଉଥିଲେ- ଦିଲ୍ଲୀର ହୃଦ୍ସ୍ଥଳ ନିକଟରେ ରହିଛି ଏହା। ନିଜାମୁଦ୍ଦିନଠାରୁ ଏହା ୯ କିଲୋମିଟର ଦୂର। କୃଷକମାନେ ଏଠାରେ ରାତି କଟାଇବେ। ୫ କିଲୋମିଟର ଯାତ୍ରା ପରେ ସାମାନ୍ୟ ଅଟକି ଏହି ପଦଯାତ୍ରୀମାନେ ଅପରାହ୍ନ ୪.୩୦ ବେଳକୁ ମୈଦାନରେ ପହଞ୍ଚିଥିଲେ।
ପ୍ରତିବାଦକାରୀମାନେ ସବୁ ଅଞ୍ଚଳ ଏବଂ ସବୁ ବୟସ ଗୋଷ୍ଠୀରୁ ଆସିଛନ୍ତି, ଉଭୟେ ପୁରୁଷ ଓ ମହିଳା ମଧ୍ୟ। ୧୮ବର୍ଷ ବୟସ୍କ କ୍ରିଷ୍ଣା ଖୋଡ଼େ ନାସିକ୍ର ପିମ୍ପଲ୍ଗାଓଁ ଗ୍ରାମରୁ ଅନ୍ୟମାନଙ୍କ ସହ ଆସିଛନ୍ତି। ତାଙ୍କ ବାପା ନିଭୃତ୍ତି ଚଳିତବର୍ଷ ମାର୍ଚ୍ଚ ମାସରେ ଅନୁଷ୍ଠିତ ହୋଇଥବା ଦୀର୍ଘ ପଦଯାତ୍ରାରେ ଅଂଶଗ୍ରହଣ କରିଥିଲେ। ଏଥିରେ ମହାରାଷ୍ଟ୍ରର କୃଷକମାନେ ନାସିକ୍ରୁ ମୁମ୍ବାଇ ପର୍ଯ୍ୟନ୍ତ ପ୍ରାୟ ୧୮୦ କିଲୋମିଟର ପଦଯାତ୍ରା କରିଥିଲେ। ପତାକା ଧରି ଏବଂ କାନ୍ଧରେ ବ୍ୟାଗ ପକାଇ ଚାଲୁଥିବା କ୍ରିଷ୍ଣା କୁହନ୍ତି, ‘‘ସେ ଯେତେବେଳେ ଘରକୁ ଗଲେ ଅସୁସ୍ଥ ହୋଇଗଲେ। ଦୁଇ ତିନି ଦିନ ପରେ ସେ ଛାତିରେ ଯନ୍ତ୍ରଣା ହେଉଥିବା ଅଭିଯୋଗ କଲେ। ଆମେ ତାଙ୍କୁ ଡାକ୍ତରଙ୍କ ପାଖକୁ ନେଇଗଲୁ, ସେ ଆମକୁ ଏକ୍ସ-ରେ କରାଇବାକୁ କହିଲେ। କିନ୍ତୁ ଆମେ ଏହା କରାଇ ପାରିବା ପୂର୍ବରୁ ହିଁ ସେ ମୃତ୍ୟୁ ବରଣ କଲେ।’’
ସେବେଠାରୁ କ୍ରିଷ୍ଣାଙ୍କ ମା’ ଚାଷ କଥା ବୁଝିବା ସହ କୃଷି ଶ୍ରମିକ ଭାବରେ ମଧ୍ୟ କାମ କରୁଛନ୍ତି। କ୍ରିଷ୍ଣା ଜଣେ ପୋଲିସ୍ ଅଫିସର୍ ହେବାକୁ ଚାହାଁନ୍ତି। ସେ କୁହନ୍ତି,‘‘ ମୁଁ ଚାଷୀ ହେବାକୁ ଚାହେଁନି। ମୋ ବାପା ଚାହୁଁଥିଲେ ମୁଁ ଜଣେ ପୋଲିସ ଅଫିସର ହୁଏ। ମୁଁ ସେଥିପାଇଁ ସଂଗ୍ରାମ କରୁଛି।’’
ନିଭୃତ୍ତିଙ୍କର ଯାହା ହେଲା ଏହାପରେ ସୋନାବାଈ ତାଙ୍କ ପୁଅକୁ ପଦଯାତ୍ରାରେ ଭାଗ ନେବାକୁ ବିରୋଧ କଲେ କି? ସେ ହସିଲେ, କହିଲେ ‘‘ସେ ମୋତେ ପଚାରିଲା ମୁଁ କାହିଁକି ଯିବାକୁ ଚାହୁଁଛି। ମୁଁ କହିଲି, ମୁଁ ଏହାର ଅଂଶ ହେବାକୁ ଚାହେଁ। ସେ କେବଳ ଏତିକି କହିଲା : ‘ନିଜର ଯତ୍ନ ନେବୁ’।’’
ଅନୁବାଦ: ଓଡ଼ିଶାଲାଇଭ୍