ଉମେଶ କେଦାର ନିଜର ଦା’ ଉଠାଇ ଆଗକୁ ଝୁଙ୍କିଲେ ଓ ଆଖୁ ଗଛର ମୁଳରେ ଶକ୍ତ ଚୋଟଟିଏ ଦେଲେ , କଟା ଗଛଟିକୁ ବାହାରକୁ ପକାଇଦେଲେ। ଏହା ପରେ ପରବର୍ତ୍ତୀ ଆଖୁଗଛଟିକୁ କାଟିଲେ। ଗୋଟାକ ପରେ ଗୋଟାଏ ଗଛ ସେ କାଟି ଚାଲିଲେ। ଆଖୁକାଟିବା ପାଇଁ ବଳ ସହ ସାମର୍ଥ୍ୟ ବି ଦରକାର। ସେ ଟାଣ ଖରାରେ ଚାରି ଏକର ପରିମିତ ଆଖୁ କ୍ଷେତରେ କାମ କରୁଥିଲେ। କାମରୁ ଆକ୍ଷି ନ ହଟାଇ ସେ କହିଲେ , “ସକାଳ ୫ଟା ୩୦ ବେଳୁ ଆମେ କାମ ଆରମ୍ଭ କରିଛୁ , ସଂଧ୍ୟା ୭ଟା ପୂର୍ବରୁ ଏହା ସରିବନି। ଗତ ଅଢ଼େଇ ମାସ [ଅର୍ଥାତ୍ ନଭେମ୍ବର ମାସ]ରୁ ଏହା ମୋର ଦୈନିକ ରୁଟିନ୍ ଓ ଆସନ୍ତା ଅଢ଼େଇ ମାସ ପର୍ଯ୍ୟନ୍ତ ଏହା ରହିବ।”
ଉମେଶ କାଟି ଗଦା କରିଥିବା ଆଖୁଖଣ୍ଡଗୁଡ଼ିକୁ ତାଙ୍କ ପତ୍ନୀ ମୁକ୍ତା ଉଠାଇ ନେଇ ଗୋଟିକ ଉପରେ ଗୋଟିଏ ସଜାଇ ରଖିଲେ। ୧୦ଟି ଲେଖାଁଏ ଆଖୁଖଣ୍ଡକୁ ଏକାଠି କରି ଆଖୁପତ୍ରରେ ବିଡ଼ା ବାନ୍ଧିଲେ। ବିଡ଼ାଟିକୁ ମୁଣ୍ଡକୁ ଉଠାଇ ସେ ଆଖୁକ୍ଷେତ ପାଖରେ ଛିଡ଼ାହୋଇଥିବା ଟ୍ରକ ଆଡକୁ ଅଗେଇଲେ। କଟାଆଖୁ ଗଦା ହୋଇ ସେ ସ୍ଥାନ ଖସଡ଼ା ହୋଇଯାଇଥାଏ। ମୁକ୍ତା କହିଲେ, “ କିଛି ସମୟ ପରେ ମୁଁ କାଟିବି ଓ ସେ ବୋହିବେ।” ଏହି ଆଖୁକଟା ଋତୁରେ ଆମ କାନ୍ଧ ଆଉ ହାତ ଖୁବ୍ ବିନ୍ଧେ। କାମ ଚଳେଇବା ପାଇଁ ପାଇଁ ଆମେ ବେଳେ ବେଳେ ପେନ୍ କିଲର୍ ବି ଖାଇନେଉ।
ଦାଆରେ ଆଖୁ କାଟିବା ଶବ୍ଦ ସମଗ୍ର ଆଖୁକ୍ଷେତ ଅଞ୍ଚଳରେ ଶୁଣା ଯାଉଥାଏ। ମହାରାଷ୍ଟ୍ରର ବିଡ୍ ଜିଲ୍ଲାର ୱାଡୱାନି ତାଲୁକାର ସୋନାଖୋଟା ଗ୍ରାମର ଏହି କ୍ଷେତରେ ୧୦ ଜଣ ଦମ୍ପତି ଆଖୁ କଟା ଓ ବୋହିବାରେ ଲାଗିଥିଲେ। ଉମେଶ ଓ ମୁକ୍ତାଙ୍କ ପରି ଏମାନଙ୍କ ମଧ୍ୟରୁ କେତେଜଣ ନିଜେ ଚାଷୀ , ଅନ୍ୟମାନେ ଭୂମିହୀନ। ଉମେଶ ତିନି ଏକର ଜମିରେ କପାଚାଷ କରିଛନ୍ତି। କିନ୍ତୁ ଏଥିରୁ ଉପଯୁକ୍ତ ଲାଭ ମିଳୁର ନଥିବାରୁ ସେମାନେ ଗତ କେଇ ଦଶକ ହେବ ଆଖୁକଟାଳି ଭାବରେ କାମ କରୁଛନ୍ତି। ଉମେଶ କୁହନ୍ତି, “ଆଖୁ କଟା ସମୟ ସରିବା ପରେ ଯେତିକି ଅର୍ଥ ମିଳେ ତାହା ଅଧିକ ନୁହେଁ, ତଥାପି ଯାହା ହେଲେ ବି କିଛି ଆୟ ହୁଏ।”







