ଯେତେବେଳେ ଶାନ୍ତି ଗୁରୁମା ଗୁଦାଲୁରର ବିଦ୍ୟୋଦୟ ସ୍କୁଲରେ ନିଜ ଶ୍ରେଣୀରେ ଗଣିତ ପଢ଼ାଇବାକୁ ଆସନ୍ତି, ସେତେବେଳେ ଜଙ୍ଗଲ ଶ୍ରେଣୀଗୃହ ଭିତରକୁ ପଶିଆସେ। ଏହି ଶ୍ରେଣୀର ଆଦିବାସୀ ପିଲାମାନେ ପ୍ରାୟ ୯ବର୍ଷ ବୟସର। ସେମାନେ ବାହାରକୁ ଦୌଡ଼ନ୍ତି, ଗଛରେ ଚଢ଼ନ୍ତି ଓ ଲମ୍ବା ବାଡ଼ି ପାଇଁ ଜଙ୍ଗଲ ଭୂମି ଦରାଣ୍ଡନ୍ତି। ଏହାପରେ ସେମାନେ ସେହି ବାଡ଼ିର ଲମ୍ବକୁ ମିଟର ମାପ ଦ୍ୱାରା ଚିହ୍ନଟ କରି ନିଜ ନିଜ ଘରର କାନ୍ଥ ମାପନ୍ତି। ସାଧାରଣ ମାପର ଶିକ୍ଷା ଏମିତି ଭାବରେ ହିଁ ଆରମ୍ଭ ହୁଏ।
ତାମିଲନାଡ଼ୁର ନୀଳଗିରି ଜିଲ୍ଲାର ଗୁଦାଲୁର ତାଲୁକରେ ଥିବା ଏହି ସ୍କୁଲର ଅଧିକାଂଶ ପାଠ୍ୟକ୍ରମ ଜଙ୍ଗଲ ଓ ଆଦିବାସୀ ଜୀବନଶୈଳୀ ଉପରେ ଆଧାରିତ। ସକାଳ ପ୍ରାର୍ଥନା ସଭାରେ ଆଦିବାସୀ ଗୀତ ଓ ନୃତ୍ୟ ସାମିଲ। ଅପରାହ୍ନରେ ଆଦିବାସୀ ହସ୍ତଶିଳ୍ପ ଶିଖାଯାଏ। ପ୍ରକୃତି ସହ ଘନିଷ୍ଠ ହେବା ପାଇଁ ଜଙ୍ଗଲ ଭିତରକୁ ଭ୍ରମଣ ପାଇଁ ନିଆଯାଏ। ବେଳେବେଳେ ଛାତ୍ରଛାତ୍ରୀଙ୍କ ସହ ସେମାନଙ୍କ ପିତାମାତା ମଧ୍ୟ ଯାଆନ୍ତି। ପିଲାମାନଙ୍କୁ ଗଛ, ରାସ୍ତା, ନିରୀକ୍ଷଣ କରିବା ଅଭ୍ୟାସ ଓ ନିରବତାର ଗୁରୁତ୍ୱ ବିଷୟରେ ଶିକ୍ଷା ଦିଆଯାଏ।
ବିଦ୍ୟୋଦୟର ଏକ ପାଠ୍ୟପୁସ୍ତକ ‘ଦି ଫୁଡ୍ ବୁକ୍’ରେ ଥିବା ପାଠ୍ୟ ବିଷୟବସ୍ତୁରେ ସ୍ଥାନୀୟ ଆଦିବାସୀ ଗୋଷ୍ଠୀଗୁଡ଼ିକର ଶିକାର, ମାଛଧରା ଓ କୃଷି ପରମ୍ପରା ଆଦି ସାମିଲ ରହିଛି। ଲାଇବ୍ରେରୀ ଶ୍ରେଣୀରେ ଛାତ୍ରଛାତ୍ରୀମାନେ ପାନିଆନ୍ ଆଦିବାସୀ ଗୋଷ୍ଠୀର କ୍ଷୁଦ୍ର ଗଳ୍ପ ପୁସ୍ତକ କିଲିନା ପେଙ୍ଗା (ଶୁଆମାନଙ୍କର ଭଉଣୀ) ବହିଟିଏ ନେଇ ପଢ଼ିପାରନ୍ତି। ଏ ବହି ସ୍କୁଲ ଦ୍ୱାରା ପ୍ରସ୍ତୁତ କରାଯାଇଛି। ପିତାମାତା ଓ ଅଭିଭାବକମାନେ ନିୟମିତ ଭାବେ ସ୍କୁଲ ପରିଦର୍ଶନରେ ଆସନ୍ତି। କେହି କେହି ଅତିଥି ଶିକ୍ଷକ ଭାବରେ ଯୋଗଦେଇ ଆଦିବାସୀ ପରମ୍ପରା ସମ୍ପର୍କରେ ଶିକ୍ଷା ଦିଅନ୍ତି। ସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ତଥା ପୂର୍ଣ୍ଣାଙ୍ଗ ପାଠ୍ୟ ଖସଡ଼ାର ମୁଖ୍ୟ ବିନ୍ଧାଣୀ ରମା ଶାସ୍ତ୍ରୀ କୁହନ୍ତି, “ଆମେ ଏହା ସୁନିଶ୍ଚିତ କରିବାକୁ ଉଦ୍ୟମ କରିଛୁ, ଯେପରି ସ୍କୁଲ ପିଲାମାନଙ୍କଠାରେ ଆଦିବାସୀ ସଂସ୍କୃତିର ପରିପୋଷଣ କରିବ ଏବଂ ସେମାନଙ୍କୁ ପିତାମାତାଙ୍କ ଠାରୁ ଦୂରେଇ ନ ନେବ। ଏଥିରେ ଆଦିବାସୀ ଶିକ୍ଷକଙ୍କୁ ସାମିଲ କରିବା ଦ୍ୱାରା ଏହି ଲକ୍ଷ୍ୟ ପ୍ରତି ସେମାନଙ୍କର ନିଷ୍ଠା ଓ ସହୃଦୟତା ରହୁଛି। ସ୍କୁଲର ଜନୈକ ବରିଷ୍ଠ ଶିକ୍ଷୟିତ୍ରୀ ଜାନକୀ କାରପଗମ୍ ନିଜେ ଜଣେ ପାନିଆନ୍ ଆଦିବାସୀ। ସେ କୁହନ୍ତି, ‘ଯଦି ଆମ ସଂସ୍କୃତି ବିଷୟରେ ସ୍କୁଲରେ ଶିକ୍ଷା ଦିଆଯିବ, ତେବେ ପିଲାମାନେ ବଡ଼ ହେଲା ପରେ ବି ଏହାକୁ ଭୁଲିବେ ନାହିଁ କିମ୍ବା ଜୀବନର ପରବର୍ତ୍ତୀ ସମୟରେ ହୀନମନ୍ୟତାର ଶିକାର ହେବେନାହିଁ।”










