ନାନ୍ଦେଡର ମାହୁର ତାଲୁକାର ସାୱରଖେଡ଼ ଗ୍ରାମର ଖୁବ୍ କମ୍ ଲୋକ ମନଖୋଲି ହସିପାରନ୍ତି କିମ୍ବା ବିନା ଚିନ୍ତାରେ ହସିପାରନ୍ତି। ଯେତେବେଳେ କୌଣସି ଅପରିଚିତ ଲୋକଙ୍କ ସହ ସେମାନେ କଥା ହୁଅନ୍ତି, ନିଜ ମୁଖ ବିଷୟରେ ଖୁବ୍ ସଚେତନ ଥାଆନ୍ତି। ରାମେଶ୍ୱର ଯାଦବ କୁହନ୍ତି, ‘‘ଏହା ଲଜ୍ଜାଜନକ।’’ ସେ ଯେତେବେଳେ କଥା କୁହନ୍ତି, ସେତେବେଳେ ଆପଣ ଦେଖିପାରିବେ ତାଙ୍କ ଦାନ୍ତ ଖରାପ ହୋଇ ଭାଙ୍ଗିଯାଇଛି। ସେଗୁଡ଼ିକର ରଙ୍ଗ ଲାଲ୍ ହଳଦିଆରୁ ଗାଢ଼ ମାଟିଆ ପର୍ଯ୍ୟନ୍ତ ହୋଇଯାଇଛି।
22 ବର୍ଷ ବୟସ୍କ ରାମେଶ୍ୱର ଜଣେ କୃଷି ଶ୍ରମିକ। ପ୍ରାୟ 500 ଜନସଂଖ୍ୟା ବିଶିଷ୍ଟ ସାୱରଖେଡ଼ରେ ଏହି ସମସ୍ୟା ଥିବା ସେ ଏକମାତ୍ର ବ୍ୟକ୍ତି ନୁହନ୍ତି। ଗାଁର ପ୍ରାୟ ସମସ୍ତ ବୟସ୍କ ପ୍ରାପ୍ତ ଲୋକଙ୍କ ଦାନ୍ତ କିଛି ନା କିଛି ପରିମାଣରେ ଖରାପ ହୋଇଯାଇଛି। ଅନେକଙ୍କର ହାଡ଼ ବଙ୍କା ହୋଇଯାଇଛି ଏବଂ ଆଉ କେତେଜଣ ସ୍ଥାୟୀ ଭାବରେ ଆଗକୁ ନଇଁ ଯାଇଛନ୍ତି । ଗାଁର ସବୁଜ ଜମିଗୁଡ଼ିକରେ ଥିବା ଅଣଓସାରିଆ ରାସ୍ତା ଉପରେ ଯିବା ସମୟରେ ସେମାନେ ଆଗକୁ ନଇଁ ଚାଲୁଥାନ୍ତି। ଯେଉଁମାନେ ଚାଲିପାରନ୍ତି, ସେମାନେ ବାରମ୍ବାର ଅଟକି ରହିବା ଆବଶ୍ୟକ ହେଉଛି। ସମୁଦାୟ ଗ୍ରାମ ଏକ ଭିନ୍ନ ଯୁଗରେ ମନ୍ଥର ଗତିରେ ଆଗଉଥିବା ପରି ମନେ ହେଉଛି।
ଏହି ପରିସ୍ଥିତି ସୃଷ୍ଟି ହୋଇଛି, ଯାହା ମାଟି ତଳେ ଅଛି ତାହା ଦ୍ୱାରା। ଏଠାରେ ଭୂତଳ ଜଳରେ ଫ୍ଲୋରାଇଡ୍ ଅଛି। ଏହା ଏକ ରାସାୟନିକ ଦ୍ରବ୍ୟ ଯାହା ପ୍ରାକୃତିକ ଭାବେ ମାଟି, ପାହାଡ଼ ଏବଂ ଭୂତଳ ଜଳରେ ଥାଏ। କିନ୍ତୁ ଏହାର ସାନ୍ଧ୍ରତା ଅଧିକ ହେଲେ ଏହା ଭୀଷଣ କ୍ଷତିକାରକ ହୋଇପାରେ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ଲିଟର ପିଛା 1.5 ମିଲିଗ୍ରାମ୍ରୁ ଅଧିକ ଫ୍ଲୋରାଇଡ୍ ବ୍ୟବହାର ପାଇଁ ଖୁବ୍ ବିପଜ୍ଜନକ। ସାୱାରଖେଡ଼ରେ 2012-2013ରେ ଭୂତଳ ଜଳ ସର୍ବେକ୍ଷଣ ଏବଂ ବିକାଶ ସଂସ୍ଥାନ (GSDA) ଦ୍ୱାରା କରାଯାଇଥିବା ସର୍ବେକ୍ଷଣରୁ ଭୂତଳ ଜଳରେ 9.5 ମିଲିଗ୍ରାମ୍ରୁ ଅଧିକ ଫ୍ଲୋରାଇଡ୍ ଥିବା ଜଣାପଡ଼ିଥିଲା।
ନାନ୍ଦେଡ୍ ସହରର ଜଣେ ଚିକିତ୍ସକ ଡ. ଆଶୀଷ ଅର୍ଦ୍ଧପୁରକର୍ କୁହନ୍ତି, ‘‘ଫ୍ଲୋରୋସିସ୍ ହେବା ଜଳରେ ଫ୍ଲୋରାଇଡ୍ର ପରିମାଣ ଉପରେ ନିର୍ଭର କରେ। ତେଣୁ ଏହା କେତେ ବୃଦ୍ଧି ପାଏ, ସେଥିରେ ମଧ୍ୟ ଫରକ୍ ଆସେ। କିନ୍ତୁ ଥରେ ଫ୍ଲୋରୋସିସ୍ ଆରମ୍ଭ ହେଲେ ଏହାକୁ ରୋକାଯାଇପାରିବ ନାହିଁ। କିନ୍ତୁ ପିଲାମାନେ ଏଥିରୁ ସୁରକ୍ଷିତ। ସେମାନଙ୍କର ଜ୍ଞାନ ଦାନ୍ତ ବିକଶିତ ହେବା ପରେ ହିଁ ସେମାନେ ଦନ୍ତ ଫ୍ଲୋରୋସିସ୍ରେ ଆକ୍ରାନ୍ତ ହୋଇପାରନ୍ତି। ସେହିପରି ସେମାନଙ୍କ ଅସ୍ଥି ବିକଶିତ ହେବା ପରେ ହିଁ ସ୍କେଲେଟାଲ୍ ଫ୍ଲୋରୋସିସ୍ରେ ଆକ୍ରାନ୍ତ ହେବାର ଆଶଙ୍କା ରହିଛି। ଏହା ସାଧାରଣତଃ 6 ବର୍ଷ ବୟସ ପରେ ହିଁ ହୋଇଥାଏ।






