ଲୀଲାବାଈ ମେମନ ତାଙ୍କ ଦୁଇ ବଖରିଆ ମାଟି ଇଟା ଘରର ଚଟାଣରେ ବସିଛନ୍ତି। ତାଙ୍କର ଦୁଇଜଣ ଝିଅ ତାଙ୍କ ପାଖରେ ବସି ସ୍କୁଲ ହୋମ୍ୱାର୍କ କରୁଛନ୍ତି। ଏହା ହିଁ ତାଙ୍କ ୧୯ ଘଣ୍ଟିଆ କର୍ମଦିବସର କିଛି ନିରବ ମୁହୂର୍ତ୍ତ।
ସପ୍ତାହକ ୬ଦିନ ସକାଳ ୧୦ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଲୀଲାବାଈ ଗାଁରେ ଥିବା ସରକାରୀ ଅଙ୍ଗନବାଡ଼ିରେ ୩୦ଜଣ ଶିଶୁ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ରୋଷେଇ କରନ୍ତି। ସେ ଅଙ୍ଗନବାଡ଼ିରେ ପହଞ୍ଚିବା ବେଳକୁ ସକାଳୁ ପ୍ରାୟ ୭ଘଣ୍ଟାର କାମ କରିସାରିଥାନ୍ତି। ରାତି ପ୍ରାୟ ୧୦ଟା ବେଳକୁ ତାଙ୍କର କାମ ସରେ। ସକାଳେ ଲୀଳାବାଈ ୩ଟା ବେଳକୁ ଉଠନ୍ତି… ତାଙ୍କର ପ୍ରଥମ କାମ ମଧ୍ୟରୁ ଗୋଟିଏ ହେଉଛି ଦୁଇ କିଲୋମିଟର ଦୂରରେ ଥିବା ଗୋଟିଏ କୂଅରୁ ପାଣି ଆଣିବା। ସେ କୁହନ୍ତି, ‘‘ପ୍ରାୟ ୨୦ ହାଣ୍ଡି ପାଣି ଦରକାର ହୁଏ, ମୋ ଝିଅମାନେ ସାହାଯ୍ୟ କରନ୍ତି।’’ ଲୀଲାବାଈଙ୍କ ସ୍ୱାମୀ ମଧ୍ୟ ତାଙ୍କୁ ସାହାଯ୍ୟ କରନ୍ତି। ଏ ମଧ୍ୟରେ ତାଙ୍କ ପରିବାରର ସଦସ୍ୟମାନେ ୪ଘଣ୍ଟାରେ ଅତି କମରେ ୪ଥର କୂଅ ପାଖକୁ ଯିବା ଆସିବା କରିଥାନ୍ତି।
ସେମାନଙ୍କ ଗାଁ ଫାଲୋଦ, ପୁନେ ଜିଲ୍ଲାର ଆମ୍ବେଗାଓଁ ତାଲୁକାରେ ଅଛି। ଯାହାକି ସାଧାରଣତଃ ମାର୍ଚ୍ଚରୁ ଜୁନ୍ ପର୍ଯ୍ୟନ୍ତ ଶୁଖିଲା ହୋଇଯାଏ। ଗାଁର ଜନସଂଖ୍ୟା ୪୬୪ (୨୦୧୧ ଜନଗଣନା), ସେମାନଙ୍କ ମଧ୍ୟରେ ଅଧିକାଂଶ କୋଲି ମହାଦେବ ସଂପ୍ରଦାୟର। ସେମାନେ ପାଣି ପାଇଁ ଗୋଟିଏ କୂଅ ଉପରେ ନିର୍ଭର କରନ୍ତି। ଯେତେବେଳେ କୂଅ ଶୁଖିଯାଏ, ସେମାନେ ଘରୋଇ ଟ୍ୟାଙ୍କର୍ର ପାଣି ଉପରେ ନିର୍ଭର କରନ୍ତି।







