ଗୋଟିଏ ଲିଟର ଗଧ ଦୁଗ୍ଧ ପାଇଁ ସାତ ହଜାର ଟଙ୍କା? ଯେ କୌଣସି ଜିନିଷର ଗୋଟିଏ ଲିଟର ପାଇଁ? ପାଗଳ ପ୍ରାୟ ଶୁଣାଯାଉଛି, କିନ୍ତୁ ସେପ୍ଟେମ୍ବର ୨୦୨୦ରେ ସୌରାଷ୍ଟ୍ର, ଗୁଜୁରାଟର ହଲାରୀ ଗଧମାନଙ୍କର ଦୁଗ୍ଧ ସମ୍ପର୍କରେ ସମ୍ବାଦପତ୍ରର ଶୀର୍ଷକ ତାହାହିଁ କହୁଥିଲା। ଏହା ସତ ବୋଲି ଜଣାଯାଇଥିଲା- ଯଦିଓ କେବଳ ଗୋଟିଏ ପ୍ରମାଣଯୋଗ୍ୟ ଘଟଣାରେ। ଏବଂ ଗୁଜୁରାଟର ହଲାରୀ ପାଳକ ସମୂହଗୁଡ଼ିକ ଆପଣଙ୍କ ଉପରେ ଖୁବ୍ ହସିବେ ଯଦି ଆପଣ ସେମାନଙ୍କୁ କହିବେ ଯେ ସେମାନେ ନିୟମିତ ଭାବରେ ଏହି ଦାମ୍ ପାଉଥିଲେ।
ଏହି ପ୍ରକାରର ଦୁଗ୍ଧ, ଯାହାର ବିରଳ ଔଷଧୀୟ ଗୁଣ ରହିଥିବାର କୁହାଯାଏ, ତାହାର ମୂଲ୍ୟ ଗୁଜୁରାଟରେ ଲିଟର ପିଛା ସର୍ବାଧିକ ଟ. ୧୨୫ରେ ପହଞ୍ଚିଥିବା ଜଣାଯାଏ ଏବଂ ଯଦି ଏହା ଗବେଷଣା ପାଇଁ ଗୋଟିଏ ଅନୁଷ୍ଠାନ ସୀମିତ ପରିମାଣ କିଣିଥାଏ।
ଖବରକାଗଜର ଶୀର୍ଷକଗୁଡ଼ିକୁ ଅନୁସରଣ କରି ମୁଁ ଏଠାରେ ସୌରାଷ୍ଟ୍ରରେ ଥିଲି। ରାଜକୋଟ୍ ଜିଲ୍ଲାର ଶୁଖିଲା କପା କ୍ଷେତରେ ମୁଁ ଖୋଲାଭାଇ ଜୁଜୁଭାଇ ଭରୱାଡ୍ଙ୍କୁ ଭେଟିଥିଲି। ବୟସର ୬୦ ଦଶକରେ ପହଞ୍ଚିଥିବା ସେ ଜଣେ ପଶୁପାଳକ ଥିଲେ ଏବଂ ତାଙ୍କ ପରିବାର ସହ ଦେବଭୂମି ଦ୍ୱାରକା ଜିଲ୍ଲାର ଭାନ୍ବାଦ ବ୍ଲକ୍ର ଜାମପାର ଗ୍ରାମରେ ତାଙ୍କର ବାର୍ଷିକ ପ୍ରବାସ ମାର୍ଗରେ ଥିଲେ। ସେମାନେ ଦଳେ ଛେଳି ଓ ମେଣ୍ଡା ଓ ୫ଟି ହରାରି ଗଧ ପାଳନ କରୁଥିଲେ।
ଖୋଲାଭାଇ କହିଥିଲେ, ‘‘କେବଳ ରେବାରୀ ଏବଂ ଭରୱାଡ୍ ସମୂହଗୁଡ଼ିକ ହଲାରି ଗଧ ରଖନ୍ତି।’’ ଏବଂ ସେମାନଙ୍କ ମଧ୍ୟରୁ ଅଳ୍ପ କେଇଟି ପରିବାର ‘‘ପରମ୍ପରାକୁ ବଜାଇ ରଖିଛନ୍ତି। ଏହି ପଶୁଗୁଡ଼ିକ ସୁନ୍ଦର କିନ୍ତୁ ସେମାନେ ଆମର ଜୀବିକା ପାଇଁ ସ୍ଥାୟୀ ନୁହଁନ୍ତି। ସେମାନେ କୌଣସି ଆୟ ଦିଅନ୍ତି ନାହିଁ।’’ ଖୋଲାଭାଇ ଏବଂ ତାଙ୍କର ପାଞ୍ଚ ଭାଇଙ୍କର ଏକତ୍ର ୪୫ଟି ଗଧ ଅଛି।
ଯାଯାବର ପଶୁପାଳକମାନଙ୍କର ଆୟ ହିସାବ କରିବା ସବୁଠାରୁ ବିଭ୍ରାନ୍ତିକାରକ ହୋଇପାରେ। ସେମାନଙ୍କର ଆୟ ସ୍ଥିର କିମ୍ବା ନିର୍ଦ୍ଦିଷ୍ଟ ନୁହେଁ। ସେମାନଙ୍କର ଅନ୍ୟମାନଙ୍କ ପରି ପ୍ରତି ମାସରେ ଇନ୍ଧନ ଏବଂ ବିଦ୍ୟୁତ୍ ଉପରେ ସମାନ ବ୍ୟୟ ମଧ୍ୟ ହୁଏ ନାହିଁ। ସାଧାରଣକରଣ କରିବା ସମ୍ପର୍କରେ ଆମକୁ ସତର୍କ କରାଇବା ସମୟରେ ଭୁଜ୍ରେ ପଶୁପାଳକମାନଙ୍କ ପାଇଁ ଉଦ୍ଦିଷ୍ଟ ଏନଜିଓ ସହ ଜୀବନ କେନ୍ଦ୍ରର ଗବେଷକମାନେ କୁହନ୍ତି ସେମାନଙ୍କର ହୁଏତ ଗୋଟିଏ ପାଞ୍ଚ ଜଣିଆ ପରିବାରର ମୋଟାମୋଟି ଆୟ ବାର୍ଷିକ ଟ. ୩-୫ ଲକ୍ଷ ହୋଇପାରେ (ପଲର ଆକାର ଉପରେ ନିର୍ଭର କରି) ଏବଂ ବଳକା ଆୟ (ସମସ୍ତ ଖର୍ଚ୍ଚ ପରେ) ବାର୍ଷିକ ଟ. ୧-୩ ଲକ୍ଷ ହୋଇପାରେ। ଏହା ଛେଳି ଓ ମେଣ୍ଢାଙ୍କର ଉଲ୍ ଏବଂ ଦୁଗ୍ଧ ବିକ୍ରୟରୁ ହୋଇଥାଏ।
ଗଧମାନେ ସେମାନଙ୍କ ପାଇଁ ଖୁବ୍ କମ୍ କିମ୍ବା ଆଦୌ ଉପାର୍ଜନ ଦେଉଥିବା ମନେ ହୁଏ। ପଶୁପାଳକମାନେ ବର୍ଷ ପରେ ବର୍ଷ ଆୟରେ ଏକ ହ୍ରାସ ଦେଖିବା ସହ ହଲାରୀ ଗଧମାନଙ୍କର ପଲକୁ ରକ୍ଷଣାବେକ୍ଷଣ କରିବାକୁ ଖୁବ୍ କଷ୍ଟ ଅନୁଭବ କରୁଛନ୍ତି।



















