ବର୍ଷକ ତଳେ, ୨୦୧୭ ମେ ମାସରେ, ଅନିଚ୍ଛା ସତ୍ତ୍ଵେ ଘର ଛାଡ଼ିଥିଲେ ସାରିକା ଏବଂ ଦୟାନନ୍ଦ ସାତପୁତେ। ୪୪ ବର୍ଷୀୟ ଦୟାନନ୍ଦ କହନ୍ତି, “ଅସୁରକ୍ଷା ଭାବ ଏବଂ ଭୟ ଯୋଗୁଁ ଆମେ ଏହି ନିଷ୍ପତ୍ତି ନେଇଥିଲୁ ।”
ମହାରାଷ୍ଟ୍ରର ଲାଟୁର୍ ଜିଲ୍ଲା ଅନ୍ତର୍ଗତ ସେମାନଙ୍କ ଗାଁ ମୋଗରଗାରେ ୨୦୧୭ ଏପ୍ରିଲ ୩୦ ତାରିଖ ଦିନ ଦଳିତ ସଂପ୍ରଦାୟ ଆମ୍ବେଦକର ଜୟନ୍ତୀ ପାଳନ କରିଥିଲେ । ଦୟାନନ୍ଦ କହନ୍ତି, “ପ୍ରତି ବର୍ଷ ବାବା ସାହେବଙ୍କ ଜନ୍ମବାର୍ଷିକୀ (ଏପ୍ରିଲ୍ ୧୪ରେ) ପାଳନର କିଛି ଦିନ ପରେ ଆମେ ଏହି ଉପଲକ୍ଷେ ଏକ କାର୍ଯ୍ୟକ୍ରମ ଆୟୋଜନ କରୁ ।”
ମୋଗରଗା ଗାଁର ଲୋକସଂଖ୍ୟା ପ୍ରାୟ ୨୬୦୦- ଏଥିରୁ ଅଧିକାଂଶ ମରାଠା, ଏବଂ ପ୍ରାୟ ୪୦୦ ଦଳିତ । ସେମାନଙ୍କ ମଧ୍ୟରୁ ଅଧିକାଂଶ ମାହାର ଏବଂ ମାତଙ୍ଗ ସଂପ୍ରଦାୟର । ମରାଠାମାନେ ଗାଁର କେନ୍ଦ୍ରସ୍ଥଳରେ ରହନ୍ତି, ଦଳିତମାନେ ଗାଁ ଉପକଣ୍ଠରେ । ଅଳ୍ପ କେତେକ ଦଳିତ ପରିବାର ପାଖରେ ଛୋଟ ଛୋଟ ଜମି ପ୍ଲଟ୍ର ମାଲିକାନା ରହିଛି ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ, ଏଠାରେ ଯଅ, ହରଡ଼ ଏବଂ ସୋୟାବିନ୍ ଚାଷ କରୁଥିବା ମରାଠା କୃଷକମାନଙ୍କ ପାଖରେ ଶ୍ରମିକ ରୂପେ କାମ କରନ୍ତି । କିମ୍ବା ସେମାନେ ଏଠାରୁ ୧୦ କିଲୋମିଟର ଦୂର କିଲ୍ଲାରି ସହରରେ ଶ୍ରମିକ, ବଢ଼େଇ ଏବଂ କୁଲି ଭାବେ କାମ କରନ୍ତି ।
ଗତ ବର୍ଷର କାର୍ଯ୍ୟକ୍ରମ ପରେ ପରିସ୍ଥିତି ବିଷମ ରୂପ ନେଲା । ଦୟାନନ୍ଦ କହନ୍ତି, “କାର୍ଯ୍ୟକ୍ରମର ଦିନକ ପରେ ଏକ ଗ୍ରାମସଭା (ଗାଁ ବୈଠକ) ଡକାଗଲା (ପଞ୍ଚାୟତ ଦ୍ଵାରା)''। "କେତେକ ଲୋକ ଆମମାନଙ୍କ ଘର ଭିତରକୁ ଧସେଇ ପଶିଲେ ଏବଂ ଧମକ ଦେଇ ସଭାରେ ଉପସ୍ଥିତ ରହିବାକୁ ଆଦେଶ ଦେଲେ । ପରଦିନ ସକାଳେ ଯେତେବେଳେ ଆମେ (ପ୍ରାୟ ୧୫ ଜଣ) ସଭାରେ ପହଞ୍ଚିଲୁ, ସେମାନେ ଆମକୁ ଉସୁକାଇବା ପାଇଁ ‘ଜୟ ଭବାନୀ’, ‘ଜୟ ଶିବାଜୀ’ ବୋଲି ଚିତ୍କାର କଲେ ।” ଏସବୁ ସ୍ଲୋଗାନ୍ ଦେଇ୧୭ଶ ଶତାବ୍ଦୀର ମରାଠା ଶାସକ ଛତ୍ରପତି ଶିବାଜୀଙ୍କ ଜେଜେକାର କରାଯାଏ।







