ଲାଟୁରରେ ତାଙ୍କ ସ୍କୁଲ ବନ୍ଦ ହୋଇଯିବା କଥାରେ ପରସ ମଡ଼ିକର ଠିକ୍ ସେମିତି ପ୍ରତିକ୍ରିୟା ବ୍ୟକ୍ତ କରିଥିଲା, ଯେମିତି କି ଆଉ କେତେକ୧୧ ବର୍ଷର ପିଲା କରିଥାଆନ୍ତେ । ତା’ର ୪ର୍ଥ ଶ୍ରେଣୀ ପରୀକ୍ଷା ବାତିଲ ହୋଇଯାଇଥିଲା ବୋଲି ସେ ଖୁସି ହୋଇଥିଲା ଏବଂ ଆଗକୁ ଛୁଟି ଆହୁରି ବଢ଼ିବ ବୋଲି ଆଶା କରୁଥିଲା ।
କିନ୍ତୁ ତାହା ହେଲା ନାହିଁ । ତା’ର ବାପା,୪୫ ବର୍ଷ ବୟସ୍କ ଶ୍ରୀକାନ୍ତ, ତାଙ୍କ ଡ୍ରାଇଭର ଚାକିରି ହରାଇଲେ ଏବଂ ଯେଉଁ ଏକମାତ୍ର କାମ ମିଳିଲା, ତାହା କରିବାକୁ ବାଧ୍ୟ ହେଲେ- ତାହା ବି ତାଙ୍କ ପିଛିଲା ରୋଜଗାରର ଦୁଇ ତୃତୀୟାଂଶ କମ୍ ମଜୁରିରେ । ମାର୍ଚ୍ଚ ୨୫ରେ ଲକ୍ଡାଉନ୍ ଜାରି ହେବା ଦିନରୁ ହିଁ ତା’ର ମାଆ ୩୫ ବର୍ଷୀୟା ସରିତା ବି ତାଙ୍କ ରାନ୍ଧୁଣୀ କାମ ହରାଇଲେ ।
ଦିନର ପ୍ରାରମ୍ଭିକ ଭାଗରେ ପରସ ବିଭିନ୍ନ ଶାଗ ପରିବା ବୋଝ ମୁଣ୍ଡାଇ ବିକିବାକୁ ଯାଏ । ବିଡ଼ମ୍ବନା ଯେ, ଗରିବ ଛାତ୍ରଟି ଯେଉଁ ଦୁଇଟି ଅଞ୍ଚଳରେ ପରିବା ବିକିବାକୁ ଯାଏ, ସେ ଦୁଇଟିର ନାଁ ସରସ୍ଵତୀ ଏବଂ ଲକ୍ଷ୍ମୀ କଲୋନି (ଜ୍ଞାନର ଦେବୀ ଏବଂ ଧନର ଦେବୀଙ୍କ ନାମରେ ନାମିତ) । ତା’ର ଭଉଣୀ, ୧୨ ବର୍ଷୀୟା ସୃଷ୍ଟି, ରାମ ନଗର ଏବଂ ସୀତାରାମ ନଗର କଲୋନିରେ ପରିବା ବିକିବାକୁ ଯାଏ ।
“ଆପଣଙ୍କୁ ମୁଁ କହିପାରିବିନି ଯେ ସବୁଦିନ ସନ୍ଧ୍ୟାରେ ମୋ ବେକରେ କେତେ ଭୟଙ୍କର ଯନ୍ତ୍ରଣା ହୁଏ! ଘରକୁ ଫେରିଲେ ମୋ ମାଆ ଗରମ କପଡ଼ାରେ ତେଲ ମାଲିସ କରିଦିଅନ୍ତି । ଯାହା ଫଳରେ କି ପରଦିନ ସକାଳେ ମୁଁ ପୁଣି ଶାଗ ଓ ପରିବା ବୋଝ ମୁଣ୍ଡାଇ ଯାଇପାରିବି,” ବିଳିବିଳେଇଲା ଭଳିକହେ ବାଳୁତ ପରସ । ସୃଷ୍ଟିର ଅଲଗା ସମସ୍ୟା: “ଦିପହର ପାଖାପାଖି ମୋ ପେଟରେ ଖୁବ୍ ବ୍ୟଥା ହୁଏ,” ସେ କହେ । “ଦିନରେ ଖାଇବା ପୂର୍ବରୁ ମୁଁ ଲେମ୍ବୁ ପାଣି ପିଏ-ସେଥିରୁ ମୋତେ କିଛିଟା ଆରାମ ଲାଗେ ।” ଦୁହିଁଙ୍କ ମଧ୍ୟରୁ କେହି ହେଲେ ଲକ୍ଡାଉନ୍ ପୂର୍ବରୁ କୌଣସି ଶାରୀରିକ ପରିଶ୍ରମ କରି ନଥିଲେ । ଏବେ, ସବୁଠୁଁ ଖରାପ ପରିସ୍ଥିତିରେ, ସେମାନେ ବାହାରକୁ ବାହାରିଛନ୍ତି, ମୁଠାଏ ଭାତ ରୋଜଗାର କରିବା ପାଇଁ, ଡାଲି ତରକାରି କଥା ଭୁଲିଯାଆନ୍ତୁ ।



