ନିଜ ବ୍ୟାଗ୍ ଭିତରେ ବଳକା କାଗଜଗୁଡ଼ିକ ଭର୍ତ୍ତି କରିବା ସମୟରେ କାଳୁଦାସ କହିଥିଲେ, ‘‘ମୁଁ ଆଜି ସଂଗ୍ରହ କରିଥିବା ସମସ୍ତ ଜିନିଷ ବାଛି ଅଲଗା କରିଦେଇଛି । ସେମାନେ [ରଦ୍ଦି ଜିନିଷ ବ୍ୟବସାୟୀ] ଏସବୁ ଜିନିଷ ନେବେ, ଓଜନ କରିବେ ଏବଂ ମୋତେ ଅର୍ଥ ଦେବେ । ଏହା ପରେ ଯଦି ମୁଁ କିଛି ଗାଡ଼ି [ପରିବହନ] ଠିକ୍ ସମୟରେ ପାଇଯାଏ ତେବେ ଦୁଇଘଣ୍ଟା ମଧ୍ୟରେ ଘରେ ପହଞ୍ଚିଯିବି ।’’
ସେପ୍ଟେମ୍ବର ମାସର ଆରମ୍ଭରେ କେଇମାସ ପରେ ଦ୍ୱିତୀୟ ସପ୍ତାହନ୍ତ ନିମନ୍ତେ ୬୦ ବର୍ଷ ବୟସ୍କ ଶ୍ରୀ ଦାସ ଦକ୍ଷିଣଚବିଶ ପ୍ରଗଣା ଜିଲ୍ଲାରେ ପ୍ରାୟ ୨୮ କିଲୋମିଟର ଦୂରରେ ଥିବା ତାଙ୍କ ଗାଁ’ ହସନପୁରରୁ କୋଲକାତାକୁ ଯାଇଥିଲେ । ଏଥିପାଇଁ ସେ ଭଡ଼ା ଟୋଟୋ [ଅଟୋ ରିକ୍ସା] ଏବଂ ଗୋଟିଏ ବସ୍ ବ୍ୟବହାର କରିଥିଲେ, ଏକ ଢ଼ିଲା ଧଳା ବ୍ୟାଗ ତାଙ୍କ କାନ୍ଧରେ ଝୁଲୁଥିଲା ।
୨୫ ବର୍ଷ ହେବ ଶ୍ରୀ ଦାସ କୋଲକାତାର ଦକ୍ଷିଣ ଏବଂ ପୂର୍ବର ବିଭିନ୍ନ ଆଖପାଖ ଅଞ୍ଚଳରୁ ରଦ୍ଦି ଜିନିଷ ସଂଗ୍ରହ କରୁଛନ୍ତି । ଜଣେ କବାଡ଼ିବାଲା ହେବା ପୂର୍ବରୁ ସେ ଏକ ଚଳଚ୍ଚିତ୍ର ବିତରଣ କମ୍ପାନୀ ପାଇଁ କାର୍ଯ୍ୟ କରୁଥିଲେ। ସେ କୁହନ୍ତି, ‘‘ମୁଁ ନେପଚୁନ ପିକ୍ଚର୍ସ ପ୍ରାଇଭେଟ୍ ଲିମିଟେଡ୍ ପାଇଁ ଫିଲ୍ମ ରିଲ୍ ପରିବହନ କରୁଥିଲି। ଅର୍ଡରଗୁଡ଼ିକ [୩୫ ଏମ୍ଏମ୍ ରିଲଗୁଡ଼ିକ ପାଇଁ] ବମ୍ବେ, ଦିଲ୍ଲୀ ମାଡ୍ରାସରୁ ଆସୁଥିଲା । ବଡ଼ ବଡ଼ ଟ୍ରକରେ ଆସୁଥିବା ଏହି ରିଲ୍ଗୁଡ଼ିକୁ ମୁଁ ହାଓ୍ୱଡାକୁ ନେଉଥିଲି, ସେଗୁଡ଼ିକର ଓଜନ ମାପୁଥିଲି ଏବଂ ବିତରଣ ପାଇଁ ପଠାଉଥିଲି ।’’
ଯେତେବେଳେ କମ୍ପାନୀ ବନ୍ଦ ହୋଇଗଲା, ଶ୍ରୀ ଦାସ କର୍ମସଂସ୍ଥାନ ହରାଇଲେ । ସେହି ସମୟରେ ସେ ଦକ୍ଷିଣକୋଲକାତାର ବୋଷପୁକୁର ଅଞ୍ଚଳରେ ଏକ ଭଡ଼ାଘରେ ରହୁଥିଲେ । ତାଙ୍କର ପଡ଼ୋଶୀ ତାଙ୍କୁ ଏହି ପୁନଃଚକ୍ରଣ ବ୍ୟବସାୟ ସହ ପରିଚିତ କରାଇଲେ। ସେ କୁହନ୍ତି, ‘‘ଯେତେବେଳେ ମୁଁ ମୋ ଚାକିରି ହରାଇଲି ସେତେବେଳେ ସେ ମୋତେ ତାଙ୍କ କାମରେ ଯୋଗ ଦେବାକୁ କହିଲେ। ସେ କହିଲେ, ମୁଁ ତୁମକୁ ଦୈନିକ ଟ. ୨୫ ଦେବି। ତୁମେ ସକାଳ ୮ଟାରେ ବାହାରିବ ଏବଂ ମଧ୍ୟାହ୍ନ ସୁଦ୍ଧା ଫେରିଆସିବ। ତୁମକୁ ଜିନିଷ ବୋହିବାକୁ ଏବଂ ମୋ ଆଖପାଖରେ ବୁଲିବାକୁ ହେବ। ଆମେ ଏକାଠି ଚା’ ପିଇବା। ମୁଁ ରାଜିହେଲି । ମୁଁ ତାଙ୍କଠୁ ଶିଖିଲି । ଯେମିତି ଜଣେ ଶିକ୍ଷକ ତାଙ୍କ ଛାତ୍ରମାନଙ୍କୁ ଶିଖାନ୍ତି । ସେ ମୋର ଗୁରୁ ଥିଲେ। ’







