ହୁଏତ ଏହି ସମୟରେ, ଶାମସୁଦ୍ଦିନ ମୁଲ୍ଲା କ୍ଷେତରେ ଥାଆନ୍ତେ - ଇଞ୍ଜିନ୍ ଓ ପମ୍ପ ମରାମତି କରୁଥାଆନ୍ତେ ।
ମାର୍ଚ୍ଚ ୨୬ ତାରିଖ ଦିନ, ଲକ୍ଡାଉନ୍ର ଦ୍ୱିତୀୟ ଦିନରେ, ସେତେବେଳେ ସେ ଘରୁ ବାହାରିଥିଲେ, ଯେତେବେଳେ ସୁଲକୁଦ୍ ଗାଁର (କୋହ୍ଲାପୁର ଜିଲ୍ଲାର କାଗଲ ତାଲୁକାରେ ଅବସ୍ଥିତ) ଜଣେ ନିରାଶ ଚାଷୀ ବାଇକ୍ରେ ତାଙ୍କ ଘରକୁ ଆସିଥିଲେ । “ସେ ମୋତେ ତାଙ୍କ କ୍ଷେତକୁ ନେଇଗଲେ ଏବଂ ସେଠାରେ ମୁଁ ତାଙ୍କ ଡିଜେଲ ଇଞ୍ଜିନ୍ ଲାଗିଥିବା ପାଣି ପମ୍ପ୍ ସେଟ୍ ମରାମତି କଲି ।” ଶାମସୁଦ୍ଦିନ ଏହା କରି ନଥିଲେ, ସେହି ଚାଷୀଙ୍କ ପକ୍ଷରେ ତାଙ୍କ ଆଖୁ କିଆରିକୁ ପାଣି ମଡ଼ାଇବା କଷ୍ଟକର ହୋଇ ପଡ଼ିଥାଆନ୍ତା ।
ମାତ୍ର ୧୦ ବର୍ଷ ବୟସରୁ କାମ ଆରମ୍ଭ କରି ୭୪ ବର୍ଷ ଧରି ଇଞ୍ଜିନ ମରାମତି କରିଆସୁଥିବା ଏହି ୮୪ ବର୍ଷୀୟ ପ୍ରବୀଣ ମେକାନିକ୍ଙ୍କ ପାଇଁ କାମରୁ ବିରତି ନେବାରେ ଏହା ଥିଲା କେବଳ ଦ୍ୱିତୀୟ ଥର । ପ୍ରଥମ ଥର ଥିଲା ୨୦୧୯ ଜାନୁଆରୀ ମାସ ପାଖାପାଖି ସମୟରେ, ତାଙ୍କର ଆଞ୍ଜିଓପ୍ଲାଷ୍ଟି ଅସ୍ତ୍ରୋପଚାର ହେବା ପରେ ।
ସାତଟି ଦଶନ୍ଧି ମଧ୍ୟରେ ଶାମସୁଦ୍ଦିନ ୫,୦୦୦ରୁ ଅଧିକ ଇଞ୍ଜିନ ମରାମତି କରିଛନ୍ତି - ବୋର୍ୱେଲ ପମ୍ପ୍, ମିନି ଏକ୍ସକାଭେଟର (କ୍ଷୁଦ୍ର ମାଟିଖୋଳା ଯନ୍ତ୍ର), ପାଣି ପମ୍ପ୍, ଡିଜେଲ ଇଞ୍ଜିନ ଏବଂ ଆହୁରି ଅନେକ - ଏବଂ ତାଙ୍କର ଏହି କର୍ମକୁଶଳତାକୁ ଏକ କଳା ସ୍ତରରେ ପହଞ୍ଚାଇ ପାରିଛନ୍ତି । ବିଗିଡ଼ି ଯାଇଥିବା ଯନ୍ତ୍ରପାତି ସହ ଯୁଝୁଥିବା ଚାଷୀମାନଙ୍କ ପାଇଁ ଦୀର୍ଘ କାଳ ହେଲା ଏକ ବିପତ୍ତିକାଳୀନ ଉଦ୍ଧାର କେନ୍ଦ୍ର ସଦୃଶ ହୋଇଛି କର୍ଣ୍ଣାଟକର ବେଲଗାଭି ଜିଲ୍ଲା ଅନ୍ତର୍ଗତ ଚିକୋଡ଼ି ତାଲୁକାର ବାରୱାଡ଼ ଗାଁରେ ଥିବା ତାଙ୍କ ଘର । ତାଙ୍କ ଆକଳନ ଅନୁସାରେ, ସାଧାରଣତଃ ଗୋଟିଏ ବର୍ଷର ଭଲ ରୋଜଗାର ସମୟରେ- ମାର୍ଚ୍ଚ, ଏପ୍ରିଲ ଏବଂ ମେ ମାସରେ- ହୁଏତ ସେ ବିଭିନ୍ନ ପ୍ରକାରର ୩୦ଟି ଇଞ୍ଜିନ ମରାମତି କରିଥାଆନ୍ତେ ଏବଂ ପ୍ରତି ମେସିନ୍ ପିଛା ଅତି କମ୍ରେ ୫୦୦ ଟଙ୍କା ହିସାବରେ ରୋଜଗାର କରିଥାଆନ୍ତେ । ରୋଜଗାରର ସେହି ସମୟକୁ ବରବାଦ କରିଦେଇଛି ଲକ୍ଡାଉନ୍ ।
ଫେବ୍ରୁଆରୀରେ ଏବଂ ମାର୍ଚ୍ଚ ପ୍ରଥମ ଭାଗରେ ଆଠଟି ଇଞ୍ଜିନ ମରାମତି କରି ସେ ପାଇଥିବା ପ୍ରାୟ ୫,୦୦୦ ଟଙ୍କା ଏବଂ ମାଗଣା ଖାଉଟି ସାମଗ୍ରୀ ମିଳିବା ସଂପର୍କିତ ସରକାରଙ୍କ ଘୋଷଣା ଅନୁସାରେ ଜଣ ପିଛା ପାଞ୍ଚ କିଲୋଗ୍ରାମ ଖାଦ୍ୟଶସ୍ୟ ଉପରେ ନିର୍ଭର କରି ଏବେ ତାଙ୍କ ପରିବାର ଚଳୁଛି ।












