ସେ ତାଙ୍କ ରାତ୍ରୀଭୋଜନ ଶେଷ କଲେ, କିନ୍ତୁ ଟେଲିଭିଜନ ପାଖକୁ ନ ଯିବାକୁ ସ୍ଥିର କଲେ, ଯାହାକି ସେ ସବୁଦିନ କରୁଥିଲେ । ଆଜି ରାତିରେ ପିଲାମାନେ ଭାତ ସାଙ୍ଗରେ ସେଜ୍ୱାନ୍ ସସ୍ରେ ପରିବା ପାଇଁ ଅଡ଼ି ବସିଥିଲେ । ସେଦିନ ସକାଳେ ପରିବାବାଲା ପାଖରେ ଲାଲ କି ହଳଦିଆ କ୍ୟାପ୍ସିକମ୍ ନଥିଲା । “ମଣ୍ଡି ବନ୍ଦ୍ କର ଦିୟା, ମ୍ୟାଡାମ୍ । ଲକ୍ଡାଉନ୍ ତୋ ହୈ ହି, ଉପର ସେ କର୍ଫ୍ୟୁ । ସବ୍ଜି କହାଁସେ ଲାୟେଁ ? ୟେ ସବ୍ ଭି ଅଭି ଖେତ୍ ସେ ଲେ କେ ଆତେ ହୈ (ମାର୍କେଟ ବନ୍ଦ ଅଛି ମ୍ୟାଡାମ୍ । ଏ ଲକ୍ଡାଉନ୍ ସମୟରେ ପରିବା କେଉଁଠୁ ପାଇବୁ, ଆଉ ଏବେ କର୍ଫ୍ୟୁ ? ଏ ସବୁ ମୁଁ କ୍ଷେତରୁ ଆଣିଛି)’’, ସବୁଦିନ ଠେଲାଗାଡ଼ିରେ ସେଇ ଏକା ପ୍ରକାର ପୁରୁଣା ସବ୍ଜି ଆଣୁଥିବା କଥା ନେଇ ସେ ଅଭିଯୋଗ କରିବାରୁ ପରିବାବାଲା କ୍ଷୋଭର ସହ କହିଥିଲେ ।
ପରିବାବାଲା ଜଣକ କିଛି ସମୟ ପାଇଁ ଜୀବନ ସଂଘର୍ଷ କଥା କହି ଚାଲିଥିଲେ, କିନ୍ତୁ ସେ ଶୁଣିବା ବନ୍ଦ କରିଦେଇଥିଲେ । ପିଲାଙ୍କ ଚାହିଦା ଅନୁସାରେ ରାତ୍ରୀଭୋଜନ ପାଇଁ କିଛି ସୃଜନାତ୍ମକ ରୋଷେଇ କରିବାର ଆବଶ୍ୟକତା କଥା ସେ ଚିନ୍ତା କରୁଥିଲେ । ପରିଶେଷରେ ସେ ଖୁସି ହୋଇଥିଲେ ଯେ, ସେ ଯାହା ଚିନ୍ତା କରିଥିଲେ ତାହା ହିଁ ହେଲା ଏବଂ କୋକ୍ ସହିତ ଚାଇନିଜ୍-ଥାଇ ଗ୍ରେଭି ପରଷା ପିଲାମାନଙ୍କୁ ଶାନ୍ତ କରିଦେଇଥିଲା । କିନ୍ତୁ ଆଜିକାଲି ସେ ଟେଲିଭିଜନ୍ ଦେଖି ଖୁସି ହେଉ ନଥିଲେ ।
ନ୍ୟୁଜ୍ ଚ୍ୟାନେଲ୍ଗୁଡ଼ିକ ତାଙ୍କୁ ସବୁଠୁ ଅଧିକ ଅରୁଚିକର ମନେ ହେଉଥିଲା । ସ୍କ୍ରିନ୍ ଉପରେ ସେଇ ସମାନ ଚିତ୍ରକୁ ବାରମ୍ବାର ଦେଖାଇ ଦିଆଯାଉଥିଲା । ବିନା ପାଣିରେ ବସ୍ତିରେ ରହୁଥିବା ଦରିଦ୍ର ଲୋକେ, ସୁରକ୍ଷା ଉପକରଣ ନଥିବା ସଫେଇ କର୍ମଚାରୀ, ଆଉ ସବୁଠୁ ଖରାପ କଥା ହେଲା- ଘର ବାହୁଡ଼ା ବେଳେ ଅଧାବାଟରେ ଅଟକି ରହିଥିବା ଲକ୍ଷ ଲକ୍ଷ ଭୋକିଲା ପ୍ରବାସୀ ଶ୍ରମିକ, କିମ୍ବା ସେମାନେ ବଡ଼ ବଡ଼ ନଗରୀରେ ଫସି ଯାଇଥିଲେ, ଖାଦ୍ୟ ଓ ସ୍ୱାସ୍ଥ୍ୟସେବା ବିନା, କେତେ ଜଣ ତ ଆତ୍ମହତ୍ୟା କରିଥିଲେ, ଏବଂ ଅନେକ ପ୍ରତିବାଦ କରୁଥିଲେ, ଦାବି କରୁଥିଲେ, ରାସ୍ତାରେ ଦଙ୍ଗା କରୁଥିଲେ ।
ପାଗଳଙ୍କ ଭଳି ଇତସ୍ତତଃ ଘୂରି ବୁଲୁଥିବା ଉଇମାନଙ୍କର ଦୃଶ୍ୟକୁ ଆଉ କେତେ ସମୟ ଧରି ଜଣେ ଦେଖିପାରିବ ? ଏଥର ସେ ହ୍ୱାଟ୍ସଆପ୍କୁ ଫେରିଗଲେ, ଯେଉଁଠି ଗୋଟିଏ ଗ୍ରୁପ୍ରେ ବନ୍ଧୁମାନେ ସେମାନଙ୍କର ନବ ଆବିଷ୍କୃତ ବ୍ୟଞ୍ଜନ କଳା ପ୍ରଦର୍ଶନ କରୁଥିଲେ । ସେ ନିଜ ଡିନର୍ ଟେବୁଲରୁ ତାଙ୍କ ନିଜର ଚିତ୍ରଟିଏ ଉଠାଇ ପଠାଇ ଦେଲେ । ଅନ୍ୟ ଏକ ଗ୍ରୁପ୍ର ସଦସ୍ୟମାନେ ମୁମ୍ବାଇର ବ୍ରିଚ୍ କାଣ୍ଡି କ୍ଲବ୍ ନିକଟ ସମୁଦ୍ରରେ କ୍ରୀଡ଼ାକୌତୁକରେ ମାତିଥିବା ଡଲ୍ଫିନ୍, ନବୀ ମୁମ୍ବାଇରେ ରାଜହଂସ, କୋଝିକୋଡ଼ ରାସ୍ତାରେ ବୁଲୁଥିବା ମାଲାବାର ଅଞ୍ଚଳର ବଣୁଆ ବିଲେଇ, ଚଣ୍ଡୀଗଡ଼ରେ ସମ୍ବର ହରିଣର ଭିଡିଓ ପଠାଉଥିଲେ । ହଠାତ୍ ତାଙ୍କ ଆଖିରେ ପଡ଼ିଲା, ଧୀରେ ଧୀରେ ତାଙ୍କ ମୋବାଇଲ ଫୋନ୍ ଉପରକୁ ମାଡ଼ି ଯାଉଥିବା ନାଲି ପିମ୍ପୁଡ଼ିମାନଙ୍କର ଏକ ଲମ୍ବା ଧାର ...



