

Kolhapur, Maharashtra
|WED, SEP 05, 2018
ଲକ୍ଷ୍ମୀବାଇଙ୍କ ଦକ୍ଷତା ସୂତାରେ ଝୁଲୁଛି
ପରି ସ୍ୱୟଂସେବୀ ସଂକେତ ଜୈନ ସାରା ଭାରତରେ ୩୦୦ ଗାଁ ବୁଲିବାକୁ ଲକ୍ଷ୍ୟ ରଖିଛନ୍ତି। ଅନ୍ୟ ଲେଖାଗୁଡ଼ିକ ଭିତରୁ ଏଠାରେ ଗୋଟିଏ ଉପସ୍ଥାପନା କରଗଲା : ଗ୍ରାମାଞ୍ଚଳର ଏକ ଦୃଶ୍ୟ ବା ଘଟଣାର ଗୋଟିଏ ଫଟୋ ଏବଂ ଏ ସଂପର୍କୀତ କିଛି କଥା। ପରୀର ଏହି ଶୃଙ୍ଖଳାରେ ଏହା ନବମ। ଫଟୋ ଦେଖିବାକୁ ହେଉ ବା ପୂରା କାହାଣୀ ପାଇଁ , ସ୍ଲାଇଡର ଖୋଲନ୍ତୁ।
Author
Translator
ପରି ସ୍ୱୟଂସେବୀ ସଂକେତ ଜୈନ ସାରା ଭାରତରେ ୩୦୦ ଗାଁ ବୁଲିବାକୁ ଲକ୍ଷ୍ୟ ରଖିଛନ୍ତି। ଅନ୍ୟ ଲେଖାଗୁଡ଼ିକ ଭିତରୁ ଏଠାରେ ଗୋଟିଏ ଉପସ୍ଥାପନା କରଗଲା : ଗ୍ରାମାଞ୍ଚଳର ଏକ ଦୃଶ୍ୟ ବା ଘଟଣାର ଗୋଟିଏ ଫଟୋ ଏବଂ ଏ ସଂପର୍କୀତ କିଛି କଥା। ପରୀର ଏହି ଶୃଙ୍ଖଳାରେ ଏହା ନବମ। ଫଟୋ ଦେଖିବାକୁ ହେଉ ବା ପୂରା କାହାଣୀ ପାଇଁ , ସ୍ଲାଇଡର ଖୋଲନ୍ତୁ।
ନିଜ ଚରଖାକୁ ଚାହିଁ ସ୍ମିତ ହସିଲେ ଲକ୍ଷ୍ମୀବାଇ ଢଙ୍ଗର, କହିଲେ, "ମୁଁ ଆଦୌ ସୂତା କାଟିବା ବନ୍ଦ କରିବିନି।" ଏକ୍ଷ୍ମୀବାଇଙ୍କୁ ଏବେ ୭୦ ବର୍ଷ। ସେ ପ୍ରାୟ ଅର୍ଦ୍ଧ ଶତବ୍ଦୀରୁ ଅଧିକ ସମୟ ଧରି ହାତ ବୁଲା ଚରଖାରେ ମେଣ୍ଢା ଲୋମ ଏବଂ ଉଲ୍ରେ ସୂତା କାଟୁଛନ୍ତି। ତାଙ୍କର ଏଥିରେ ଅସାଧାରଣ ଦକ୍ଷତା। କିନ୍ତୁ ଏଥି ପାଇଁ ବଜାର ନାହିଁ।
ଆଗରୁ ସେ ଦିନକୁ ୧୦ ଘଣ୍ଟା ସୂତା କାଟୁଥିଲେ। ଲକ୍ଷ୍ମୀବାଇ ମନେ ପକାଇ କହିଲେ, "ମୋ ବାହାଘର [୧୫ବର୍ଷର ହୋଇଥିବା ବେଳେ] ପୂର୍ବରୁ ମୋ ଶାଶୁ ୧୨ ବସ୍ତା [ପାଖାପାଖି ୧୨୦ କିଲେଗ୍ରାମ୍] ମେଣ୍ଢା ଲୋମ ରଖିଥିଲେ। ୧୨ ବସ୍ତା ସୂତା କାଟିବାକୁ ମୋତେ ଛଅମାସ ସମୟ ଲାଗିଥିଲା। ଦିନକୁ ୮ ରୁ ୧୦ ଘଣ୍ଟା ପରିଶ୍ରମ କରିବାକୁ ପଡ଼ିଥିଲା।" ବର୍ତ୍ତମାନ ଦିନକୁ ଦୁଇ ଘଣ୍ଟାର କାମ ନାହିଁ ।
ଲକ୍ଷ୍ମୀବାଇ ଜଣେ ଢଙ୍ଗର। ପାରମ୍ପରିକ ଭାବେ ଏମାନେ ଛେଳି ଏବଂ ମେଷ ପାଳକ ସଂପ୍ରଦାୟର। ମହାରାଷ୍ଟ୍ରର ଏକ ଯାଯାବର ଶ୍ରେଣୀର ଜନଜାତି। ମହାରାଷ୍ଟ୍ର କୋହ୍ଲାପୁର ଜିଲ୍ଲା କରବିର ବ୍ଳକର ଅଦୂର ଗାଁରେ ତାଙ୍କ ଘର। ଏଠାରେ ବର୍ଷକୁ ଦୁଇ ଥର ମେଣ୍ଢା ଲୋମ ଏବଂ ଉଲ୍ ବାହାର କରାଯାଏ। ଥରେ ଅକ୍ଟୋବର-ନଭେମ୍ବର ମାସରେ ଦୀପାବଳୀ ପରେ ଏବଂ ଆଉ ଥରେ ଏପ୍ରିଲ-ମେ ମାସରେ ଅକ୍ଷୟ ତୃତୀୟ ପରେ।
ଲକ୍ଷ୍ମୀବାଇ କହିଲେ, "ଏଠି ମହିଳାମାନେ ସୂତା କାଟିବା ଏବଂ ପୁରୁଷ ଲୋକମାନେ ମେଣ୍ଢା ଲୋମ କାଟିବା ଆଉ କ୍ଷୀର ଦୁହିଁବା ଶହଶହ ବର୍ଷର ପରଂପରା।" ଆଗରୁ ପୁରୁଷମାନେ ମେଣ୍ଢା ଚରାଇବାକୁ ବାହାରକୁ ଯାଉଥିଲେ, ଏବେ ମହିଳାମାନେ ବି ଏଥିରେ ସାମିଲ ହେଲେଣି।
ବର୍ତ୍ତମାନ ମେସିନ ସାହାଯ୍ୟରେ ମେଣ୍ଢା ଲୋମକୁ ନରମ ଏବଂ ସମାନ କରିବାକୁ ଢଙ୍ଗରମାନେ କିଲୋ ପିଛା ୮ ଟଙ୍କା ଦେଉଛନ୍ତି। ପାଖ ଗାଁରେ ଥିବା ଲୋକ ଏହି କାମ କରୁଛନ୍ତି। ପୂର୍ବରୁ ମହିଳାମାନେ ଏହି କାମ ହାତରେ କରୁଥିଲେ। ଏକ ଧନୁ ଆକୃତିର କାଠ ଯନ୍ତ୍ର ବ୍ୟବହାର କରି ଏହି କାମ କରୁଥିଲେ।
ଲୋମ ନରମ ହୋଇଯିବା ପରେ ଏଥିରୁ ଚରଖା ସାହାଯ୍ୟରେ ସୂତା କଟାଯାଏ। ସଂଗରମାନଙ୍କୁ ଏହି ସୂତା ଦିଆଯାଏ। (ସଙ୍ଗରମାନେ ହେଉଛନ୍ତି ଢଙ୍ଗର ଉପଜାତିର ଲୋକ। ଏମାନେ ହସ୍ତତନ୍ତ ସାହାଯ୍ୟରେ ଉଲ ବୁଣିବାରେ ପାରଂପରିକ ଭାବେ ଦକ୍ଷ) ଏଥିରୁ ସଙ୍ଗର ପୁରୁଷ ଲୋକମାନେ ଘୋଙ୍ଗଡ୍ୟ(କମ୍ବଳ) ବୁଣନ୍ତି। ୭.୫ ଫୁଟରେ ୨.୫ ଫୁଟ ଆକାରର ଗୋଟିଏ ଘୋଙ୍ଗଡ଼ି ବୁଣିବାକୁ ସଙ୍ଗରମାନେ ୪୦୦ ଟଙ୍କା ନିଅନ୍ତି ଏବଂ ୬କିଲୋ ଓଜନର ମେଣ୍ଡା ଲୋମ ଆବଶ୍ୟକ କରନ୍ତି। ଏଥିରେ ଢଙ୍ଗର ମହିଳାମାନେ ତାଙ୍କ ସୂତା କାଟିବାର ଶ୍ରମକୁ ମିଶାଇ ଗୋଟିଏ ଘୋଙ୍ଗଡ୍ୟାକୁ ୧,୩୦୦ ଟଙ୍କାରେ ବିକ୍ରି କରିବାକୁ ଚେଷ୍ଟା କରନ୍ତି।
ଲକ୍ଷ୍ମୀବାଇ କହିଲେ, "ବର୍ତ୍ତମାନ ୧,୩୦୦ ଟଙ୍କାରେ ବିକ୍ରି କରିବା କଷ୍ଟ ହେଉଛି। ମେସିନ ତିଆରି ବେଡ଼ସିଟ୍ ମାତ୍ର ୫୦୦ ଟଙ୍କାରେ ବିକ୍ରି ହେଉଛି, ଘୋଙ୍ଗଡି ବୁଣିବାକୁ ଯେଉଁ ଶ୍ରମ ଦେବାକୁ ପଡ଼ୁଛି ତାହା ଲୋକ ବୁଝୁ ନାହାନ୍ତି।" ଗୋଟିକୁ ଦେଖାଇ ସେ କହିଲେ ତିନିମାସ ହେଲା ୟାକୁ ବିକ୍ରି କରି ହେଉନି। ଦଶବର୍ଷ ତଳେ ମାସକୁ ଏଥିରୁ ୪ଟି ବିକ୍ରି ହେଉଥିଲା। ଏବେ ଗୋଟିଏ ବିକିବା କଷ୍ଟ ହେଉଛି।
ପୂର୍ବରୁ କଲାମ୍ବିକ ଟର୍ଫ କାଲେ, ଭାମେଟ୍, ଚୁୟେ, କୋପର୍ଡେ (ସବୁ ଗୁଡ଼ିକ କୋହ୍ଲାପୁର ଜିଲ୍ଲା ଅନ୍ତର୍ଗତ)ଆଦି ଗାଁର ଲୋକ ଘୋଙ୍ଗଡ୍ୟା କିଣିବାକୁ ତାଙ୍କ ଘରକୁ ଆସୁଥିଲେ। ଲକ୍ଷ୍ମୀବାଇ କହିଲେ, "ବର୍ତ୍ତମାନ କେବଳ ବୟସ୍କ ଲୋକମାନେ କିଣୁଛନ୍ତି।"
ଲକ୍ଷ୍ମୀବାଇ କହିଲେ, "୩୦ ବର୍ଷ ପୂର୍ବରୁ ଆମ ଗାଁର ପ୍ରାୟ ୩୦ ଜଣ ଢଙ୍ଗର ମହିଳା ସୂତା କାଟୁଥିଲେ। ବର୍ତ୍ତମାନ ଏହି ସଂଖ୍ୟା ଏକ ଡଜନକୁ ଖସି ଆସିଛି।" ଏହାର କାରଣ ଏଥିରୁ କମ୍ ଆୟ, ବାର୍ଦ୍ଧକ୍ୟ ଏବଂ ଘୋଙ୍ଗଡ୍ୟାର ଚାହିଦା କମିବା।
ସୂତା କାଟିବା, କ୍ଷେତରେ କାମ କରିବା ଏବଂ ଘୋଙ୍ଗଡ୍ୟା ବିକ୍ରିରୁ ମୋଟ ଉପରେ ମାସକୁ ୫,୦୦୦ ଟଙ୍କାରୁ କମ୍ ରୋଜଗାର କରନ୍ତି ଲକ୍ଷ୍ମୀବାଇ। ପ୍ରାୟ ଦଶବର୍ଷ ତଳେ, ଲକ୍ଷ୍ମୀବାଇ ଡବଲ କାମ କରୁଥିଲେ। ଚାଷ ସମୟରେ ଅଦୂର ଗାଁର ଅନ୍ୟ ଲୋକଙ୍କ କ୍ଷେତରେ କାମ କରୁଥିଲେ। ଦିନକୁ ଆଠଘଣ୍ଟା କାମ କଲେ ତାଙ୍କୁ ୧୦୦ ଟଙ୍କା ମିଳୁଥିଲା। ସେ କହିଲେ, "ମୋ ବାପା ମାଆ ମଧ୍ୟ କୃଷି ଶ୍ରମିକ ଭାବେ କାକ ମରୁଥିଲେ। ସେମାନେ ମୋତେ ସ୍କୁଲ ପଠାଇବାକୁ ସକ୍ଷମ ନଥିଲେ।"
ତାଙ୍କ ସ୍ୱାମୀ ସମାରୁ ଢଙ୍ଗରଙ୍କ ବୟସ ଏବେ ୭୫। ପ୍ରତି ବର୍ଷ ସେ ୨୦୦ ମେଣ୍ଢା ଏବଂ ଛେଳି ନେଇ ହଜାର କିଲୋମିଟର ଦୂର ମହାରାଷ୍ଟ୍ରର ପୁନେ, ସାଙ୍ଗଲୀ, କୋହ୍ଲାପୁର, ସତାରା, ସୋଲାପୁର ଜିଲ୍ଲା ଏବଂ କର୍ଣ୍ଣାଟକର ବେଲଗାମ୍ ଜିଲ୍ଲାକୁ ପଳାଇଯାଆନ୍ତି। ଢଙ୍ଗରମାନେ ଅତି କମ୍ରେ ତିନି ମାସ ପାଇଁ ବାହାରକୁ ଯାଆନ୍ତି। ପଶ୍ଚିମ ମହାରାଷ୍ଟ୍ରରେ ବର୍ଷା ଋତୁ ଆସିବା ପୂର୍ବରୁ (ଜୁନ୍ ରୁ ସେପଟେମ୍ବର ପର୍ଯ୍ୟନ୍ତ) ସେମାନେ ପଳାଇ ଯଆନ୍ତି।
ସମାରୁ ଏବଂ ଲକ୍ଷ୍ମୀବାଇଙ୍କର ଦୁଇ ପୁଅ, ୩୫ ବର୍ଷୀୟ ବୀରଦେବ ଓ ୪୦ ବର୍ଷୀୟ ସୁରେଶ। ବର୍ତ୍ତମାନ ଦୁଇ ଜଣଙ୍କର ମିଶି ୬୪ଟି ମେଣ୍ଢା ଏବଂ ୬ଟି ଛେଳି ଅଛନ୍ତି। ସଂଖ୍ୟା କମିବାର କାରଣ ପଚାରିବାରୁ ସମାରୁ କହନ୍ତି, "ଆଜିକାଲି ସମସ୍ତେ ଆଖୁ ଚାଷ କରୁଛନ୍ତି, ଏପରିକି ଗୋଚର ଜମିରେ ବାଷ କରୁଛନ୍ତି। ଆମ ଛେଳି ମେଣ୍ଢା ତାଙ୍କ ଜମିରେ ପୁରାଇବାକୁ ଛାଡୁ ନାହାନ୍ତି। ଫଳରେ ଜନ୍ତୁ ଚରାଇବାକୁ କଷ୍ଟ ହେଉଛି।"
ତାଙ୍କର ଦୁଇ ଝଅ ଭାରତୀ ଏବଂ ସଂଗୀତା। ଭାରତୀଙ୍କୁ ୪୦ ବର୍ଷ, ସଂଗୀତାଙ୍କୁ ୩୦। ସେମାନେ ବାହା ହୋଇ ସାରିଛନ୍ତି। ଭାରତୀ ସୂତା କାଟୁଛନ୍ତି। ଲକ୍ଷ୍ମୀବାଇ କହିଲେ, "ମୋ ବୋହୁ ସବୁବେଳେ ଏକଥା କହୁଛି, ଯେ ମୁଁ ଏକାମ କରିପାରିବିନି। ବରଂ ପର ବିଲରେ ମୂଲ ଲାଗିବା ଏହାଠୁ ଭଲ।" ଏବେ ଯୁବପିଢି ଅନ୍ୟ ବାଟ ଖୋଜୁଛନ୍ତି। କାରଖାନା କିମ୍ବା ଅନ୍ୟ ଯେଉଁଠି ସେମାନେ ତିଷ୍ଠି ପାରିବେ, ସେମିତି ଧନ୍ଦା ଦେଖୁଛନ୍ତି।
ବର୍ତ୍ତମାନ ଚରଖାରେ ଲକ୍ଷ୍ମୀବାଇଙ୍କର ପ୍ରତିଦିନର କାମ ଦୁଇ ଘଣ୍ଟାକୁ ଖସି ଆସିଛି। ତାଙ୍କ ପିଠି ଯନ୍ତ୍ରଣା ବଢୁଥିବାବେଳେ ଦକ୍ଷତାର ଚାହିଦା କମୁଛି। ସେ କହିଲେ, "ବର୍ତ୍ତମାନର ଯୁବପିଢି ଆଦୌ ଏହି କାମ କରିବେନି। ମୋର ଏକମାତ୍ର ସ୍ୱପ୍ନ ଘୋଙ୍ଗଡ଼ି ପାଇଁ ଉଚିତ ମୂଲ୍ୟ ମିଳୁ। ଏହା ଆମ କଠିନ ପରିଶ୍ରମର ପ୍ରତୀକ।"
ଅନୁବାଦ: ଓଡ଼ିଶାଲାଇଭ୍
Want to republish this article? Please write to [email protected] with a cc to [email protected]
Donate to PARI
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/ଲକ୍ଷ୍ମୀବାଇଙ୍କ-ଦକ୍ଷତା-ସୂତାରେ-ଝୁଲୁଛି

