ଗୋଟିଏ ବି ଭୁଲ ସମ୍ଭାଳିବାକୁ ଅସମର୍ଥ ସିରାଜ ମୋମିନ୍ । ଥରେ ହାତ ଖସିଗଲେ ହୁଏତ ସେ ଗୋଟିଏ ମିଟର କପଡ଼ାରୁ ମିଳୁଥିବା ୨୮ ଟଙ୍କା ହରାଇ ପାରନ୍ତି । ଯଥାର୍ଥରେ ଆଡ଼ସୂତା ଓ ଲମ୍ବସୂତାର ହିସାବ ତାଙ୍କୁ ରଖିବାକୁ ହେବ । ତେଣୁ ଆଜିକାଲି ସେ ଏକ ଯବକାଚ ଦେଇ ବୁଣାକାମ ପରଖୁଛନ୍ତି । ଏବଂ ଛ’ ଘଣ୍ଟା ଭିତରେ ହସ୍ତତନ୍ତର ଦୁଇଟି ଯାକ ପେଡାଲକୁ ସେ ମିନିଟ୍ରେ ୯୦ ଥର, କିମ୍ବା ଦିନକୁ ୩୨,୪୦୦ ଥର ଦବାଇ ଥାଆନ୍ତି । ତାଙ୍କ ପାଦ ଚାଳନାରେ ୩,୫୦୦ଟି (ଭିନ୍ନ ଭିନ୍ନ ମେସିନ୍ରେ ଏହି ସଂଖ୍ୟା କମ୍ ବା ବେଶୀ ହୋଇପାରେ) ତାର ବା ଡୋର ଲାଗିଥିବା ଆୟତାକାର ଢାଞ୍ଚାର ଏକ ସାଜ ବନ୍ଦ ହୁଏ ଏବଂ ଖୋଲେ । ତାଙ୍କର ସ୍ଥିର ପାଦଚାଳନା ଯୋଗୁଁ ଏହି ତାରଗୁଡ଼ିକ ଭିତର ଦେଇ ଯାଇଥିବା ଏକ ଧାତବ ଦଣ୍ଡରେ ଆଡ଼ସୂତା ଗୁଡ଼ାଇ ହୁଏ । ଏହି କାର୍ଯ୍ୟ ସଂପନ୍ନ କଲେ ପ୍ରତି ଇଞ୍ଚରେ ୮୦ଟି ଆଡ଼ସୂତା ଓ ୮୦ଟି ଲମ୍ବସୂତା ଥିବା କପଡ଼ା, ଘଣ୍ଟାକୁ ଗୋଟିଏ ମିଟର ହିସାବରେ ବାହାରି ଥାଏ ।
ସିରାଜଙ୍କୁ ଏବେ ୭୨ ବର୍ଷ, ଏବଂ ୧୫ ବର୍ଷ ବୟସରୁ ଅର୍ଥାତ୍ ଅର୍ଦ୍ଧଶତାବ୍ଦୀରୁ ଅଧିକ କାଳ ହେଲା ସେ ଏହି କାମ କରିଆସୁଛନ୍ତି। ତାଙ୍କ ହସ୍ତତନ୍ତର ବୟସ କିନ୍ତୁ ତାଙ୍କଠାରୁ ଦୁଇଗୁଣ। ଶାଗୁଆନ୍ କାଠରେ ନିର୍ମିତ ଶହେ ବର୍ଷରୁ ଅଧିକ ପୁରୁଣା ଏହି ତନ୍ତକୁ ସେ ପାରିବାରିକ ଉତ୍ତରାଧିକାରରେ ପାଇଛନ୍ତି । କପଡ଼ା ପ୍ରସ୍ତୁତି ପାଇଁ ୫୭ ବର୍ଷ ଧରି ସେ ଏହା ଉପରେ ଅଙ୍ଗଚାଳନା କରିଆସିଛନ୍ତି। ସୂତା ପରଖିବାକୁ, ହାତ ଓ ଗୋଡ଼ ଚଳାଇବାରେ ସମନ୍ୱୟ ରଖିବାକୁ ଏବଂ କପଡ଼ା ଉପରେ ଆବଶ୍ୟକ ସଂଖ୍ୟକ ଲମ୍ବସୂତା (ଦୈର୍ଘ୍ୟରେ ଥିବା ସୂତା) ଏବଂ ଭରଣି (ପ୍ରସ୍ଥରେ ଥିବା ସୂତା) ରହିଛି ବୋଲି ନିଶ୍ଚିତ କରିବା ସକାଶେ ହସ୍ତତନ୍ତ ପାଇଁ ତାଙ୍କ ଭଳି ଜଣେ କୁଶଳୀ ବୁଣାକାର ଆବଶ୍ୟକ।
ସିରାଜଙ୍କ ଘରେ ଏବେ ସାତ ଫୁଟ୍ ଉଚ୍ଚତାର ଦୁଇଟି ହସ୍ତତନ୍ତ ରହିଛି। ଦିନ ଥିଲା, ସେ ସାତଟି ତନ୍ତର ମାଲିକ ଥିଲେ ଏବଂ ସେଥିରୁ କେତେକ ଚଳାଇବା ପାଇଁ ମଜୁରିଆଙ୍କୁ କାମରେ ଲଗାଉଥିଲେ । ସେ କହନ୍ତି, “୧୯୮୦ ଦଶକର ଶେଷ ଭାଗ ପର୍ଯ୍ୟନ୍ତ ବହୁତ କାମ ରହୁଥିଲା ।” ତିନି ଦଶନ୍ଧି ତଳେ ସେ ଗୋଟିକୁ ୧,୦୦୦ ଟଙ୍କା ହିସାବରେ ତାଙ୍କର ତିନିଟି ତନ୍ତ ଅନ୍ୟ ଗାଁର କ୍ରେତାଙ୍କୁ ବିକ୍ରି କରିଦେଲେ ଏବଂ କିଛି ଦିନ ପରେ କୋଲ୍ହାପୁର ସହରର ଏକ ବେସରକାରୀ ସଂଗଠନକୁ ଦୁଇଟି ତନ୍ତ ଦାନ କରିଦେଲେ ।
ତିନି ପିଢ଼ି ଧରି କୋଲ୍ହାପୁର ଜିଲ୍ଲା ହାତକଣଙ୍ଗଲେ ତାଲୁକାର ୧୯,୬୭୪ (୨୦୧୧ ଜନଗଣନା) ଲୋକ ବସବାସ କରୁଥିବା ତାଙ୍କ ଗାଁ ରେନ୍ଦାଲରେ ସିରାଜଙ୍କ ପରିବାର ହସ୍ତତନ୍ତରେ ବସି କପଡ଼ା ବୁଣିଆସୁଛନ୍ତି । ପାଖାପାଖି ୧୯୬୨ ମସିହାରେ ୮ମ ଶ୍ରେଣୀ ପାସ୍ କରିବା ପରେ, ସିରାଜ ମଧ୍ୟ ତାଙ୍କ ବାପାଙ୍କ ଭଉଣୀ ହାଲିମାଙ୍କ ପାଖରୁ ଏହି କାରିଗରୀ ଶିଖିଲେ । ହାଲିମା ଥିଲେ ରେନ୍ଦାଲର ଅଳ୍ପ କେତେକ ମହିଳା ବୁଣାକାରଙ୍କ ମଧ୍ୟରୁ ଜଣେ । ଗାଁର ଅଧିକାଂଶ ମହିଳା ହାତରେ ସୂତା କାଟୁଥିଲେ, ଯାହାକି ଭରଣି ଭାବେ ବ୍ୟବହୃତ ହେଉଥିଲା । ବହୁ ବର୍ଷ ପରେ ସିରାଜଙ୍କ ସ୍ତ୍ରୀ ମଇମୁନା ମଧ୍ୟ ତାହା କଲେ ।















