୨୦୧୮, ନଭେମ୍ବର ୩୦ରେ ମୁଁ ଦିଲ୍ଲୀର ନିଜାମୁଦ୍ଦିନ ରେଲଓ୍ୱେ ଷ୍ଟେସନରେ ଥିଲି। କିସାନ ମୁକ୍ତିମୋର୍ଚ୍ଚାରେ ଭାଗ ନେବା ପାଇଁ ରାଜଧାନୀରେ ଆସି ପହଞ୍ଚୁଥିବା କୃଷକମାନଙ୍କ ସହ କଥାବାର୍ତ୍ତା କରିବା ପାଇଁ। ମୁଁ ଦୂରରୁ ଦଳେ ପୁରୁଷ, ମହିଳା ଏବଂ ପିଲାମାନଙ୍କୁ ଦେଖିଲି। ସେମାନେ ମୁଣ୍ଡରେ ଝୋଟ ଅଖା ଏବଂ କାନ୍ଧରେ ଛୋଟ ଛୋଟ ବ୍ୟାଗ ରଖି ଟର୍ମିନସ୍ରୁ ବାହାରୁଥିଲେ।
ମୁଁ ଭାବିଲି ସେମାନେ କୃଷକ, ରାଲିରେ ଭାଗ ନେବାକୁ ଆସିଛନ୍ତି। ଏହାପରେ ମୁଁ ବୁଝିପାରିଲି, ସେମାନେ ଛତିଶଗଡ଼ରୁ ଆସିଥିବା ଶ୍ରମିକ, ଯେଉଁମାନେ କି ଏଠାକୁ କାମର ସନ୍ଧାନରେ ଆସିଛନ୍ତି। ରାୟଗଡ଼ ଜିଲ୍ଲାର ଖର୍ସିଆ ତହସିଲର ଛୋଟେ ମୁଦପୁର ଗ୍ରାମରୁ ଆସିଥିବା ୨୭ବର୍ଷ ବୟସ୍କ ଇତ୍ଓ୍ୱାରା ଜୋହ୍ଲେ କହିଥିଲେ, ‘‘ଆମେ ହରିୟାଣାର ଜିନ୍ଦଲ ପାଓ୍ୱାର ଭଟ୍ଟା [ପ୍ଲାଣ୍ଟ]ରେ କାମ କରିବାକୁ ଯାଉଛୁ।’’ ତାଙ୍କ ସ୍ୱାମୀ ଶଙ୍କର କହିଲେ, ଏହା ଦିଲ୍ଲୀ ସୀମା ନିକଟରେ କେଉଁଠି କିନ୍ତୁ ତାହାର ପ୍ରକୃତ ସ୍ଥାନ କହିପାରିଲେ ନାହିଁ।
ଇତ୍ଓ୍ୱାରା ଶଙ୍କର ଏବଂ ତାଙ୍କ ସହ ଥିବା ଅନ୍ୟ ଦୁଇଟି ପରିବାର ଆଖପାଖ ଅଞ୍ଚଳରେ ପାଓ୍ୱାର ପ୍ଲାଣ୍ଟ କିମ୍ବା ଇଟାଭାଟିରେ କାମ ଖୋଜନ୍ତି। ଏହି ଦମ୍ପତି କହିଥିଲେ, ସେମାନେ ତିନିବର୍ଷ ହେବ କାମ ପାଇଁ ଦିଲ୍ଲୀ-ହରିୟାଣାକୁ ଆସୁଛନ୍ତି। ଚଳିତ ଥର ନଭେମ୍ବର ୨୦ରେ ଛତିଶଗଡ଼ ବିଧାନସଭା ନିର୍ବାଚନରେ ଭୋଟ ଦେବା ପରେ ସେମାନେ ଆସିଛନ୍ତି।







