‘ରାଜା ସୁପାଡ଼କନ୍ନୋ’ - ଗୁଜରାଟୀ ଭାଷାରେ ଯାହାର ଅର୍ଥ ହେଉଛି ହାତୀକାନ ଭଳି ବଡ଼ ବଡ଼ କାନ ଥିବା ରାଜା- ମୋ ପିଲାବେଳର ମନପସନ୍ଦ କାହାଣୀ ଭିତରୁ ଅନ୍ୟତମ । ପିଲାବେଳେ ପ୍ରଥମେ ଏହାକୁ ମୁଁ ମୋ ମାଆଙ୍କ ପାଖରୁ ଶୁଣିଥିଲି । ପରେ ଏହି କାହାଣୀକୁ ଅନେକ ନୂଆ ନୂଆ ରୂପରେ ବି ଶୁଣିଲି । ଏମିତି କି ଶିଶୁମାନଙ୍କ ପାଇଁ ଗିଜୁଭାଇ ବଧେକାଙ୍କ ଦ୍ଵାରା ଲିଖିତ ଏକ କ୍ଷୁଦ୍ରଗଳ୍ପ ସମାହାର ପୁସ୍ତକରେ ମଧ୍ୟ ମୁଁ ଏହାକୁ ପଢ଼ିଲି । ବଧେକାଙ୍କ ଏହି ବହିରେ ସାରା ବିଶ୍ଵର ବିଭିନ୍ନ ସ୍ଥାନର ଅନେକ ଲୋକକଥା ଅନୁଦିତ ହୋଇ ସ୍ଥାନ ପାଇଥିଲା । ଯେମିତି କି ଗଧ କାନ ଭଳି କାନ ଥିବା ରାଜା ମିଡାସ୍ଙ୍କ କାହାଣୀ । ବୋଧହୁଏ ଏହି କାହାଣୀରୁ ଅନୁପ୍ରେରିତ ହୋଇଥିଲା ରାଜା ସୁପାଡ଼କନ୍ନୋ ।
ଏ କାହାଣୀରେ ଥରେ ଜଣେ ରାଜା ଜଙ୍ଗଲରେ ବାଟ ଭୁଲି ଭୋକଶୋଷରେ ବୁଲୁଥିବା ବେଳେ ଗୋଟିଏ ଘରଚଟିଆର ବେକ ମୋଡ଼ି ତାକୁ ଖାଇଦେଲେ। ଏହା ପରେ ତାଙ୍କୁ ଅଭିଶାପ ମିଳିଲା ଏବଂ ତାଙ୍କ କାନ ହାତୀକାନ ଭଳି ବଡ଼ ବଡ଼ ହୋଇଗଲା । ରାଜପ୍ରାସାଦକୁ ଫେରିବା ପରେ ଅବଶିଷ୍ଟ ଦିନଗୁଡ଼ିକରେ ସେ ବିଭିନ୍ନ ପ୍ରକାର ମୁକୁଟ ପିନ୍ଧି ଓ ଉତ୍ତରୀୟ ଘୋଡ଼େଇ ପ୍ରଜାମାନଙ୍କର ନଜରରୁ ତାଙ୍କ କାନକୁ ଲୁଚାଇ ରଖିଲେ । କିନ୍ତୁ ଶେଷରେ ଏମିତି ଏକ ସମୟ ଆସିଲା, ଯେତେବେଳେ କି ସେ ନିଜର ଅନିୟନ୍ତ୍ରିତ କେଶ ଓ ଅଯତ୍ନ ଦାଢ଼ି କାଟିବା ଲାଗି ଜଣେ ବାରିକକୁ ଡାକିଲେ ।
ରାଜାଙ୍କ କାନ ଦେଖି ବାରିକ ଚମକି ପଡ଼ିଲା । ଏବଂ ଏହା ଫଳରେ ଏତେ ଦିନ ଧରି ରାଜା ଲୁଚାଇ ରଖିଥିବା ତାଙ୍କର ବଡ଼ ବଡ଼ କାନ ସଂପର୍କିତ ଲାଜକଥାଟି ପ୍ରଘଟ ହୋଇଯିବାର ଆଶଙ୍କା ଉପୁଜିଲା ।ମହାପ୍ରତାପୀ ରାଜା ଏକଥା କାହାରିକୁ ନ କହିବାପାଇଁ ବିଚରା ବାରିକକୁ ଧମକ ଦେଲେ । ହେଲେ, ବୃତ୍ତିଗତ ଦୃଷ୍ଟିରୁ କଥାକୁହାଳିଆ ବାରିକମାନେ କୌଣସି ଗୋପନ କଥାକୁ ସହଜରେ ଲୁଚାଇ ରଖି ପାରନ୍ତି ନାହିଁ । ତେଣୁ, ରାଜାଙ୍କ ଗୁପ୍ତ କାନ ସଂପର୍କରେ ଜାଣିସାରିଥିବା ବାରିକ ପାଇଁ ଏକଥାକୁ ଲୁଚାଇ ରଖିବା କଷ୍ଟକର ହୋଇପଡ଼ିଲା ଏବଂ ସେ ଜଙ୍ଗଲକୁ ଯାଇ ଗୋଟିଏ ଗଛକୁ ଫୁସ୍ଫୁସ୍ କରି ଏହା କହିଦେଲା ।
ସେହିଗଛଟି କାଠ କାଟିବାକୁ ଆସିଥିବା ଜଣେ କାଠୁରିଆକୁ ରାଜାଙ୍କ ହାତୀକାନ ସଂପର୍କରେ ଗୀତ ଗାଇ ଶୁଣାଇଲା । ଗୀତ ଗାଉଥିବା ଏହି କୁହୁକ କାଠକୁ କାଠୁରିଆ ଜଣକ ଢୋଲ ଗଢୁଥିବା ଜଣେ ବ୍ୟକ୍ତିକୁ ବିକି ଦେଲା । ସେ ଏଥିରେ ତିଆରି କରିଥିବା ଢୋଲକୁ ବଜେଇଲେ ସେଥିରୁ କେବଳ ସେହି ଗୀତ ହିଁ ବାଜିଲା । ଥରେ ରାସ୍ତାରେ ଏହି ଢୋଲ ବଜାଉଥିବା ଜଣେ ବ୍ୟକ୍ତିଙ୍କୁ ସୈନ୍ୟମାନେ ଧରି ନେଇ ସିଧା ରାଜାଙ୍କ ପାଖରେ ହାଜର କରାଇଲେ । ମୋର ଯେତେଦୂର ଯାଏ ମନେ ଅଛି, ଏ କାହାଣୀର ଶେଷରେ ରାଜା ନିଜ ପାପର ପ୍ରାୟଶ୍ଚିତ କରିବାକୁ ଉପାୟ ଖୋଜି ଖୋଜି ନିଜ ରାଜ୍ୟରେ ପକ୍ଷୀମାନଙ୍କ ପାଇଁ ଏକ ଅଭୟାରଣ୍ୟ ସ୍ଥାପନ କରିବାକୁ ସ୍ଥିର କରନ୍ତି ।



