ନୋସୁମୁଦ୍ଦିନ କାନ୍ଦୁଥିଲେ। ପ୍ରଥମ ଥର ପାଇଁ ସେ ତାଙ୍କ ବାପା ଓ ମା’ଙ୍କୁ ଛାଡ଼ି ନିଜ ଘର ଠାରୁ ୧୦-୧୨ କିଲୋମିଟର ଦୂରକୁ ଯାଉଥିଲେ । ମାତ୍ର ସାତ ବର୍ଷ ବୟସରେ ଏହା ତାଙ୍କ ପାଇଁ ଅତି କଷ୍ଟଦାୟକ ଥିଲା। ‘‘ମୁଁ ଖୁବ ଦୁଃଖିତ ଥିଲି ଏବଂ କାନ୍ଦିଥିଲି। ଘର ଓ ପରିବାରକୁ ଛାଡ଼ିଯିବା ବେଳେ ମୋତେ କାନ୍ଦ ଲାଗିଥିଲା”, ସେ ପୂର୍ବ କଥା ମନେ ପକାଇ କୁହନ୍ତି।
ରାଖଲ (ଗାଈ ଜଗୁଆଳ) ଭାବେ କାମ କରିବା ଲାଗି ତାଙ୍କୁ ପଠାଯାଉଥିଲା। “ମୋ ପରିବାର ଅତି ଗରିବ ଥିଲେ, ମୋ ବାପାମା’ଙ୍କ ପାଖରେ ଆଉ କିଛି ବିକଳ୍ପ ନଥିଲା”, ନୋସୁମୁଦ୍ଦିନ ଶେଖ କୁହନ୍ତି। ତାଙ୍କୁ ଏବେ ୪୧ ବର୍ଷ ବୟସ ହେଲାଣି। “ଆମକୁ ଖାଇବାକୁ ଦେବା ଲାଗି ଯଥେଷ୍ଟ ଖାଦ୍ୟ ନଥିଲା। ଅଧିକାଂଶ ଦିନ ଆମେ କେବଳ ଗୋଟିଏ ଥର ଖାଉଥିଲୁ। କ୍ଷେତରେ ଫଳୁଥିବା ଯାହା ମାଗଣାରେ ମିଳୁଥିଲା ତାହା ହିଁ ଆମର ଖାଦ୍ୟ ଥିଲା। ସେ ଦିନଗୁଡ଼ିକରେ ଆମ ଗାଁର ଖୁବ କମ୍ ଲୋକ ଦୁଇ ଓଳା ଖାଦ୍ୟ ଖାଇବାକୁ ସକ୍ଷମ ହେଉଥିଲେ।” ପାଠପଢ଼ା ତ’ କଳ୍ପନା ବାହାରେ ଥିଲା : “ସେତେବେଳେ ମୁଁ ସ୍କୁଲକୁ ଯିବା ବିଷୟରେ ଚିନ୍ତା ମଧ୍ୟ କରିପାରୁନଥିଲି। ମୋ ପରିବାରର ସ୍ଥିତି ଅତି ଖରାପ ଥିଲା, ଆମେ ପାଠ କିପରି ପଢ଼ିପାରିଥାନ୍ତୁ?”
ତେଣୁ ସେ ଆସାମ (ତତ୍କାଳୀନ) ଢୁବ୍ରି ଜିଲ୍ଲାର ଉରାରଭୁଇ ଗ୍ରାମରେ ଥିବା ନିଜର ଛୋଟିଆ ମାଟି ଘରୁ ଯାତ୍ରା ଆରମ୍ଭ କରିଥିଲେ ଏବଂ ବସ୍ ଯୋଗେ ମନୁଲ୍ଲାପଡ଼ା ଗ୍ରାମକୁ ଯାଇଥିଲେ। ଏହି ଯାତ୍ରା ପାଇଁ ତାଙ୍କର ମାଲିକ ୩ ଟଙ୍କାରେ ଟିକଟ ଦେଇଥିଲେ। ମାଲିକଙ୍କର ୭ଟି ଗାଈ ଏବଂ ୧୨ ବିଘା (ପ୍ରାୟ ୪ ଏକର) ଜମି ଥିଲା। “ରାଖଲ ଭାବେ ଜୀବନ ଅତି କଷ୍ଟଦାୟକ ଥିଲା। ସେ ବୟସରେ ମୋତେ ଘଣ୍ଟା ଘଣ୍ଟା ଧରି କାମ କରିବାକୁ ପଡ଼ୁଥିଲା। ପ୍ରାୟତଃ ମୋତେ ଯଥେଷ୍ଟ ଖାଦ୍ୟ ଦିଆଯାଉନଥିଲା କିମ୍ବା ବାସି ଖାଦ୍ୟ ମିଳୁଥିଲା। ଭୋକରେ ମୁଁ କାନ୍ଦୁଥିଲି”, ନୋସୁମୁଦ୍ଦିନ କୁହନ୍ତି। “ପ୍ରଥମେ ପ୍ରଥମେ ମୋତେ କିଛି ପାରିଶ୍ରମିକ ମିଳୁନଥିଲା, କେବଳ ଖାଇବାକୁ ଏବଂ ଶୋଇବାକୁ ଟିକିଏ ଜାଗା ମିଳୁଥିଲା। ମୋ ମାଲିକ ପ୍ରତି ବର୍ଷ ପାଖାପାଖି ୧୦୦-୧୨୦ ମୋନ ଚାଉଳ ପାଉଥିଲେ। ଚାରି ବର୍ଷ ପରେ ସେମାନେ ମୋତେ ମାର୍ଚ୍ଚରୁ ନଭେମ୍ବର ମଧ୍ୟରେ ପଡ଼ୁଥିବା ପ୍ରତି କୃଷି ଋତୁ ଶେଷରେ ଦୁଇ ମୋନ ଚାଉଳ ଦେଲେ”-ଗୋଟିଏ ମୋନ ପାଖପାଖି ୮୦ କିଲୋ ସହିତ ସମାନ।
ଆସାମ ଓ ମେଘାଳୟର ସୀମାନ୍ତରେ ଥିବା ଗ୍ରାମୀଣ ଇଲାକାରେ କିଛି ଦଶନ୍ଧି ପୂର୍ବ ପର୍ଯ୍ୟନ୍ତ ଘରର ଛୋଟ ପିଲାମାନଙ୍କୁ ‘ରାଖଲ’ ଭାବେ କାମ କରିବାକୁ ପଠାଇବାର ପ୍ରଚଳନ ରହିଥିଲା। ଗରିବ ପରିବାରର ପିଲାମାନଙ୍କୁ ସାଧାରଣତଃ ସେମାନଙ୍କର ମାତାପିତା ଧନୀ କୃଷକଙ୍କ ପାଖକୁ ବିନା ନଗଦ ମଜୁରିରେ ‘ପଶୁପାଳକ’ ଭାବେ କାମ କରବା ଲାଗି ପଠାଇ ଦେଉଥିଲେ। ସ୍ଥାନୀୟ ଅଞ୍ଚଳରେ ଏପରି ବ୍ୟବସ୍ଥାକୁ ‘ପେଟଭର୍ତ୍ତି’ କୁହାଯାଉଥିଲା (ଯାହାର ଆକ୍ଷରିକ ଅର୍ଥ ‘ଭାତ ଖାଇ ପେଟ ଭରିବା’)











