ୱାର୍ଲିମାନେ ନିଜର କଳାଶୈଳୀ ପାଇଁ ଜଣାଶୁଣା- ଜ୍ୟାମିତିକ ଆକୃତି ବିଶିଷ୍ଟ ଅନନ୍ୟ ଚିତ୍ରକଳା । କିନ୍ତୁ ଉତ୍ତର ମୁମ୍ବାଇର ସଞ୍ଜୟ ଗାନ୍ଧୀ ଜାତୀୟ ଉଦ୍ୟାନ (SGNP / ଏସ୍ଜିଏନ୍ପି) ମଧ୍ୟରେ ଥିବା ସେମାନଙ୍କର ଏହି ଛୋଟ କାଠ, ଇଟା ଓ ଆଜବେଷ୍ଟସ୍ ଘର ଥିବା ବସ୍ତିରେ ସେମାନେ ନିଜ ସମୂହର ପାରମ୍ପରିକ ଚିତ୍ରକଳା ବିନା ହିଁ ରହୁଛନ୍ତି।
ରାୱଲପଡ଼ାର ଜନୈକା ବାସିନ୍ଦା ଆଶା କାଓଲେ କୁହନ୍ତି, “ଏଠାରେ ଜଣେ ମାତ୍ର ୱାର୍ଲି ଚିତ୍ରଶିଳ୍ପୀ’’। “ଆମେ ଅନ୍ୟମାନେ ବଞ୍ଚିବା ପାଇଁ କାମ କରିବାରେ ବ୍ୟସ୍ତ । ଏହା ଯେ ଗୁରୁତ୍ୱପୂର୍ଣ୍ଣ ଆମେ ଏକଥା ଚିନ୍ତା କରିପାରିଲୁନି ।” ୪୩ବର୍ଷ ବୟସ୍କା ଆଶା କିମ୍ବା ତାଙ୍କର ଦୁଇ ସାନଭାଇ କେହି ମଧ୍ୟ ଚିତ୍ର କରିବା ଜାଣିନାହାନ୍ତି ।
ଏକମାତ୍ର କଳାକାର, ୨୫ବର୍ଷ ବୟସ୍କ ଦିନେଶ ବରାପ ଏହାକୁ ସ୍ୱୀକାର କରି କହିଥିଲେ, “ୱାର୍ଲିମାନେ ଆଜିକାଲି ନିଜ କଳା ପ୍ରତି ଆଗ୍ରହୀ ନୁହନ୍ତି ।” ଏସ୍ଜିଏନ୍ପି ମଧ୍ୟରେ ଥିବା ନବପଡ଼ାରେ ରହୁଥିବା ଦିନେଶ କେମିତି ଚିତ୍ର କରିବାକୁ ହେବ ସେକଥା ଜେଜେମା’ଙ୍କ ଠାରୁ ଶିଖିଥିଲେ । ତାଙ୍କ ମା’ ଶାମୁ ଜଣେ ବାଲୱାଡି କର୍ମୀ । ଶାମୁ ନିଜ ମା’ଙ୍କ ଠାରୁ ମଧ୍ୟ ଏହି ଚିତ୍ରକଳା ଶିଖିଥିଲେ । ଦିନେଶ କୁହନ୍ତି, “ସେ ଏଥିପାଇଁ ସମୟ ଦେଇପାରିଲେନି କିମ୍ବା ଅଭ୍ୟାସ କରିପାରିଲେନି କାରଣ ଆମ ପାଖରେ ଅର୍ଥ ନଥିଲା।””
ଏଥିସହ ଆଶା କୁହନ୍ତି ନ୍ୟାସନାଲ୍ ପାର୍କରେ ରହୁଥିବା ୱାର୍ଲିମାନେ, “ବିସ୍ଥାପନର ଭୟ ମଧ୍ୟରେ ରହୁଛନ୍ତି । ସେମାନେ କହୁଛନ୍ତି ଯେକୌଣସି ସମୟରେ ଆମକୁ ଏଠାରୁ ଅପସାରଣ କରିଦେବେ । ଆମେ କ’ଣ କରିବୁ? ଆମକୁ ଏକ ଅଜଣା ସ୍ଥାନରେ ନୂଆ ଘର କରିବାକୁ ପଡ଼ିବ ।” ଆଶାଙ୍କ ପରିବାର ‘ଏହି ସ୍ଥାନରେ ୭ ପିଢ଼ି’ ହେବ ରହୁଛନ୍ତି। ଆଶା କୁହନ୍ତି, “ମତେ ରାଗ ଏଥିପାଇଁ ଲାଗେ ଯେ ସେମାନେ ଆମର ଜମି ନେଇଗଲେ ଏବଂ ଏଥିପାଇଁ ଆମକୁ ଛୋଟ ଛୋଟ କାମ ଦେଲେ, ଯେମିତି କି ସେମାନେ ଆମକୁ ଦୟା କରୁଛନ୍ତି ।”










