“ଗଧେ କା ଦୁଧ୍, ବଚ୍ଚା ମଜବୁତ୍ (ଗଧର କ୍ଷୀର, ଶିଶୁ ସବଳ)” କେହି ଜଣେ କହିଲା । ମୁଁ ବୁଲି ଚାହିଁଲି, ଚକିତ ହେଲି ।
ସୁଖଦେବ ଠିଆ ହୋଇଥିଲେ, ସାଥୀରେ ଥିଲା କାଜୋଲ, ନିରବରେ ମୁଣ୍ଡ ଟୁଙ୍ଗାରୁଥିଲା । ଅବିଚଳିତ ଭାବେ ତାଙ୍କ ପାଖରେ ଚାଲିଲା ବେଳେ କାଜୋଲ ପାଟିରୁ କୌଣସି ଶବ୍ଦ ବାହାରୁ ନଥିଲା ।
ମୁଁ ବିସ୍ମିତ ହେଲି, କିନ୍ତୁ ମଲାଡ଼ର ସେହି ରାସ୍ତା ଦେଇ ଯାଉଥିବା ଲୋକଙ୍କ ନଜର ସୁଖଦେବଙ୍କ ଉପରେ କ୍ଵଚିତ୍ ପଡୁଥିଲା । କାଜୋଲ ବେକରେ ବନ୍ଧା ହୋଇଥିବା ରସି ଏବଂ ଗୋଟିଏ ବାଡ଼ି ଧରି ସୁଖଦେବ ତାକୁ ବାଟ କଢ଼ାଇ ନେଉଥିଲେ ଏବଂ ତାକୁ ସିଧା ବାଟରେ ନେବା ପାଇଁ ମଝିରେ ମଝିରେ ବାଡ଼ିକୁ ରାସ୍ତାରେ ବାଡ଼େଇ ଦେଉଥିଲେ ।
ଅନେକ ସମୟରେ ଆଠ ବର୍ଷର କାଜୋଲ ସ୍ଥାନରେ ରହୁଥିଲା ସେଇ ଆଠ ବର୍ଷର ରାନୀ । ଚାଲି ଚାଲି ଘରକୁ ଘର ବୁଲିଲା ବେଳେ ସୁଖଦେବ ଗଧ କ୍ଷୀରର ଗୁଣଗାନ କରୁଥିଲେ । ସେଦିନ ରାନୀ ଘରେ ଥିଲା । ସେଦିନ, ପୂର୍ବ ମଲାଡ଼ର ଆପ୍ପାପଡ଼ା ବସ୍ତିରେ ଘରେ ଥିଲା ରାନୀ । ପଡ଼ାରେ ତା ପାଖରେ ଠିଆ ହୋଇଥିଲା କାଜୋଲର ପାଞ୍ଚ ମାସର ଛୁଆ ଗଧ । ଡାହାଣ ପଟ ପଛ ଗୋଡ଼ ବିକଳାଙ୍ଗ ହୋଇ ଜନ୍ମ ନେଇଥିବା ଦୁଇ ବର୍ଷର ଗଧ ଲାଙ୍ଗଡ଼ି ବି ଘରକୁ ଫେରିଆସିଥିଲା ।
ସେମାନଙ୍କ ସହିତ ସାଧାରଣତଃ ଆଉ ଛଅଟି ମାଈ ଗଧର ମାଲିକ ଥିଲେ ସୁଖଦେବଙ୍କ ବୃହତ୍ ପରିବାର । ତାଙ୍କ ପୁତୁରା ରାମଦାସଙ୍କ ଗଧର ନାଁ ମୁଦା, ତାଙ୍କ ବଡ଼ ଭାଇ ୱାମନଙ୍କ ମାଲିକାନାରେ ଥିଲେ ପାଞ୍ଚଟି ଗଧ, ଯେଉଁମାନଙ୍କର କି ନିର୍ଦ୍ଦିଷ୍ଟ ନାଁ ନ ଥିଲା ।
ସୁଖଦେବ “ସିନେମା ପାଇଁ ପାଗଳ” ବୋଲି କହନ୍ତି ତାଙ୍କ ସ୍ତ୍ରୀ ଜୟଶ୍ରୀ । ତେଣୁ ତାଙ୍କ ଗଧମାନଙ୍କୁ ପ୍ରାୟତଃ ବଲିଉଡ୍ ଫିଲ୍ମ ଷ୍ଟାର୍ମାନଙ୍କର ନାଁ ଦେଇଛନ୍ତି । ଅତୀତରେ ତାଙ୍କ ପାଖରେ ଏକ ମାଧୁରୀ ଦୀକ୍ଷିତ ବି ଥିଲା ।
ଉତ୍ତର ମୁମ୍ବାଇର ସହରତଳି ଅଞ୍ଚଳରେ ଅବସ୍ଥିତ ଆପ୍ପାପଡ଼ାର ଏକ ପାହାଡ଼ ଉପରେ ଏକାଠି ମିଳିମିଶି ରହନ୍ତି ଗଧ ଓ ମଣିଷ । ଲଗାଲଗି ହୋଇ ରହିଥିବା କୁଡ଼ିଆରେ ଲୋକେ ରହନ୍ତି, ପାଖ ଖୁଣ୍ଟିଗୁଡ଼ିକରେ ଗୁଡ଼ାହୋଇଥିବା ରସିରେ ବନ୍ଧା ହୋଇ ଗଧ ରହନ୍ତି । ପଡ଼ୋଶୀମାନଙ୍କର କିଛି ଆପତ୍ତି ଥିବା ଭଳି ମନେ ହୁଏନି । ସେଇ ପଡ଼ାରେ ରହୁଥିବା ସାହିଲ କହନ୍ତି, “ଆମେ ଏଠାକୁ ଆସିବାର ବହୁ ଆଗରୁ ସେମାନେ ଏଠାରେ ରହିଆସୁଛନ୍ତି ।”
ଛୁଆ ଗଧର ବାପା ହେଲା ରାଜା । ଏଣେତେଣେ ଦଉଡ଼ିବା ଏବଂ ଲୋକଙ୍କୁ ମୁଣ୍ଡରେ ମାରି ସେ ବଦନାମ ହୋଇଯାଇଛି ବୋଲି ଲୋକେ କହନ୍ତି । ରାଜାର ମାଲିକ ରାମଦାସ କହନ୍ତି, “ସେ ଖୁବ୍ ମସ୍ତି (ବଦମାସି) କରେ, ମାଈ ଗଧମାନଙ୍କୁ ତା ପଛରେ ଦୌଡ଼ାଏ, ରାସ୍ତାରେ ଯାଉଥିବା ଲୋକଙ୍କୁ ମୁଣ୍ଡରେ ଧକ୍କା ମାରେ- ହେଲେ ସେ କେବେ କାହାରି କ୍ଷତି କରିନି ।” ତେଣୁ ଚାରି ମାସ ତଳେ ସେ ତାକୁ ସେମାନଙ୍କ ଗାଁରେ ବିକି ଦେଲେ ।
ମହାରାଷ୍ଟ୍ର ପୁଣେ ଜିଲ୍ଲାର ଜେଜୁରି ତାଲୁକାରେ ଥିବା ଖାଣ୍ଡୋବା ମନ୍ଦିର ମେଳାରେ ବେଳେବେଳେ ଯାଦବ ପରିବାର ଗଧମାନଙ୍କର ବିକାକିଣା କରନ୍ତି । ଗୃହପାଳିତ ପଶୁ ବ୍ୟବସାୟ କରିବାକୁ ବିଭିନ୍ନ ରାଜ୍ୟର ବହୁ ଲୋକ ଏହି ମେଳାକୁ ଆସନ୍ତି । ଦୁର୍ବଳ ପଶୁର ମୂଲ୍ୟ ୫,୦୦୦ ଟଙ୍କାରୁ ଆରମ୍ଭ ହୁଏ ଏବଂ ଓଜନିଆ ଭାର ବୋହିପାରୁଥିବା କାର୍ଯ୍ୟକ୍ଷମ ଗଧର ମୂଲ୍ୟ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ ।











