ଯେଉଁ ପାଣି ନିଜର ତାହାକୁ ସଂଗ୍ରହ କରିବାକୁ ଭରତ ରାଉତ ମାସକୁ ପ୍ରାୟ ୮୦୦ ଟଙ୍କା ପେଟ୍ରୋଲ୍ ବାବଦରେ ଖର୍ଚ୍ଚ କରନ୍ତି। ମରାଠାୱାଡାର ଓସମାନାବାଦ ଜିଲ୍ଳାର ତକୱିକି ଗ୍ରାମରେ ଅନେକେ ଏଭଳି କରନ୍ତି। ତକୱିକି (ଓ ଅନ୍ୟ ଗାଁ ମାନଙ୍କରେ) ପ୍ରତି ପରିବାରର ଯେ କୌଣସି ଜଣେ ସଦସ୍ୟଙ୍କର ମାତ୍ର ଗୋଟିଏ କାମ ପାଣି ଆଣିବା, ତାହା ଯେ କୌଣସି ସ୍ଥାନରୁ ବି ମିଳୁ ନା କାହିଁକି ? ଓସମାନାବାଦର ସଡ଼କରେ ଚାଲୁଥିବା ସବୁ ଗାଡ଼ି ପାଣି ନେଇ ଯାଉଥିବା ଦେଖିବାକୁ ମିଳିବ। ଏଥିରେ ସାଇକେଲ, ବଳଦଗାଡ଼ି, ମୋଟର ସାଇକେଲ, ଜିପ୍, ଟ୍ରକ୍, କାର ଓ ଟ୍ୟାଙ୍କର ଆଦି ସବୁ କିଛି ସାମିଲ। ଏଥିସହ ମହିଳାମାନେ ନିଜ ମୁଣ୍ଡ, ଅଣ୍ଟା, କାନ୍ଧରେ ପାଣି ମାଠିଆ ଓ ଗରା ନେଇ ଯାଉଥିବା ମଧ୍ୟ ଦେଖବବାକୁ ମିଳିବ। ମରୁଡ଼ି ସମସ୍ତଙ୍କୁ ଜୀବିତ ରଖିବା ପାଇଁ ଏହି କାମରେ ଲଗାଇ ଦେଇଛି। ତେବେ କିଛି ଲୋକ ଭଲ ଲାଭ ପାଇଁ ଏହି କାମ କରୁଛନ୍ତି।


Osmanabad, Maharashtra
|THU, AUG 23, 2018
ଯେତେବେଳେ ପାଣି ପଇସା ପରି ବୋହିଯାଏ
ମରୁଡ଼ି ଯୋଗୁ ଓସମାନାବାଦର ଲୋକମାନଙ୍କୁ ବଞ୍ଚିବା ପାଇଁ ସଂଘର୍ଷ କରିବାକୁ ପଡ଼ୁଛି। ଅପରପକ୍ଷେ ଅନେକ ଲୋକ ଏମିତି ଅଛନ୍ତି ଯେଉଁମାନଙ୍କର ଜଳର ଅଭାବକୁ ନେଇ ଏହି ୨୪ ଘଣ୍ଟିଆ ବ୍ୟବସାୟ ଓ ଏହି ବ୍ୟବସାୟ କ୍ରମ ବର୍ଦ୍ଧନଶୀଳ।
Author
Translator

P. Sainath
ସାଢ଼େ ପାଞ୍ଚ ଏକର ଜମିର ମାଲିକ ତଥା କ୍ଷୁଦ୍ର ଚାଷୀ ଭରତ କୁହନ୍ତି, “ ହଁ ପ୍ରତି ଘରର ଜଣେ ସଦସ୍ୟ ପାଣି ପାଇଁ ପୂର୍ଣ୍ଣକାଳୀନ ପାଣି ଦାୟିତ୍ୱରେ ଲାଗି ରହିଛନ୍ତି। ” ସେ କୁହନ୍ତି ତାଙ୍କ ପରିବାରରେ ସେ ଏହି ଦାୟିତ୍ୱରେ। “ଆମ ଜମିରେ ଥିବା କୂଅରୁ କେତେବେଳେ କେମିତି ଝରୁଥିବା ପାଣି ଆଣିବା ଦାୟିତ୍ୱ ମୋର। ମାତ୍ର ଏହା ଆମ ଘରଠାରୁ ତିନି କିଲୋମିଟର ଦୂରରେ ଅଛି। ” ତେଣୁ ଭରତ ନିଜ ହିରୋହୋଣ୍ଡା ମଟର ସାଇକେଲ୍ରେ ଚାରୋଟି ପ୍ଲାଷ୍ଟିକ୍ ମାଠିଆ ବାନ୍ଧନ୍ତି ଓ ଦିନରେ ତିନିଥର ନିଜ ଜମିକୁ ଯାଆନ୍ତି ଓ ପ୍ରତି ଥର ପ୍ରାୟ ୬୦ ଲିଟର ପାଣି ଆଣନ୍ତି। ସେ କୁହନ୍ତି, “ମୁଁ ସେଠାକୁ କୂଅରେ ଝରିଥିବା ଅଳ୍ପ ପାଣି ଆଣିବାକୁ ଯାଏ। ଫସଲ ବି ଶୁଖିଯାଉଛି। ” ଏହି ଗାଁରେ ପ୍ରାୟ ୨୫ଟି ମୋଟରସାଇକେଲ ଅଛି। ଯେଉଁଗୁଡ଼ିକ ସବୁବେଳେ ଏହି କାମରେ ବୁଲୁଥାଏ।

P. Sainath
ଯେହେତୁ ଥରେ ପାଣି ନେଇ ଆସିବାକୁ ହେଲେ ଛଅ କିଲୋମିଟର ଯିବା ଆସିବା କରିବାକୁ ହୁଏ, ତେଣୁ ପ୍ରତି ଦିନ ଭରତଙ୍କୁ ପ୍ରାୟ ୨୦ କିଲୋମିଟର ଯିବା ଆସିବା କରିବାକୁ ହୁଏ, ଅର୍ଥାତ୍ ପ୍ରତି ମାସରେ ୬୦୦ କିଲୋମିଟର। କେବଳ ଏହି କାମ ପାଇଁ ତାଙ୍କୁ ପ୍ରତି ମାସରେ ୧୧ ଲିଟର ପର୍ଯ୍ୟନ୍ତ ପେଟ୍ରୋଲ ଖର୍ଚ୍ଚ କରିବାକୁ ହୋଇଥାଏ। ଯାହାର ମୂଲ୍ୟ ପ୍ରାୟ ୮୦୦ ଟଙ୍କା। ଅଜୟ ନେତୁରେ ଯିଏ ସରକାର ନିୟନ୍ତ୍ରଣାଧୀନ ଏକ ଜଳସ୍ରୋତରୁ ଯାଆନ୍ତି, ସେ କୁହନ୍ତି, “ ପ୍ରତି ସପ୍ତାହରେ ପାଣିର ସମୟ ବଦଳିଯାଏ। ଚଳିତ ସପ୍ତାହରେ ସକାଳ ୧୦ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ବିଦୁ୍ୟତ ସରବରାହ ରହିବ। ତେଣୁ ପାଣି ଆମକୁ ଏହି ସମୟରେ ହିଁ ମିଳିବ। ଆଗାମୀ ସପ୍ତାହରେ ଏହି ସମୟ ବଦଳି ଅର୍ଦ୍ଧ ରାତ୍ରୀରୁ ସକାଳ ୧୦ଟା ପର୍ଯ୍ୟନ୍ତ ହୋଇଯିବ। ” ସେ ନିଜ ବାଇକ୍ରେ ସାତଟି ପ୍ଲାଷ୍ଟିକ୍ ମାଟିଆ ରଖି ଦୁଇ-ତିନି କିଲୋମିଟର ଯିବା ଆସିବା କରନ୍ତି। ଏହି କାରଣରୁ ତାଙ୍କୁ ଦୁଇଥର ସ୍ଥାନୀୟ ଡାକ୍ତରଖାନା ମଧ୍ୟ ଯିବାକୁ ହୋଇଛି। ଏଥିରେ କାନ୍ଧ ଦରଜ ହୋଇଯାଏ।
ଭୂମିହୀନ ଶ୍ରମିକମାନଙ୍କର ଏଥିପାଇଁ ନିଜ ମାଲିକମାନଙ୍କ ସହ ଝଗଡ଼ା ବି ହୋଇଯାଏ। ଝାମଭର ଯାଦବ କୁହନ୍ତି,” କେଉଁଦିନ ଆପଣ ଡ଼େରିରେ ଯିବେ, କେଉଁଦିନ ଆଦୌ ଯାଇ ପାରିବେନି। ଏହି କାରଣରୁ ଗୃହପାଳିତ ପଶୁମାନଙ୍କୁ ଖାଇବାକୁ ଦେବାରେ ବିଳମ୍ବ ହୋଇଯାଏ, ଯାହାକି ଠିକ୍ ବି ନୁହେଁ। ଆଉ ଏସବୁ ଗତ ପାଞ୍ଚମାସ ହେବ ଚାଲିଛି।” ଝାମଭର ସକାଳୁ ଛଅଟି ଲେଖାଏଁ ମାଠିଆ ନିଜ ସାଇକେଲ୍ରେ ନେଇ ଦୁଇଥର ଯିବା ଆସିବା କରିସାରିଲେଣି।
କିନ୍ତୁ ତାଙ୍କର ଏ ପରିଶ୍ରମ ତକଓ୍ବିକିର ମହିଳାଙ୍କ ଆଗରେ ଫିକା ପଡ଼ିଯାଏ। ସେମାନେ ପ୍ରତିଦିନ କେତେଥର ଚାଲିକରି ଯିବା ଆସିବା କରନ୍ତି ଓ ନିଜ ସହ ଦୁଇ ତିନୋଟି ମାଠିଆ ପାଣି ନେଇ ଆସନ୍ତି। ପାଣି ସଂଗ୍ରହ ପାଇଁ ଏକାଠି ହୋଇଥିବା ଏକ ଜଳସ୍ରୋତ ନିକଟରେ ସେମାନେ କହିଥିଲେ, “ଏହି କାମରେ ପ୍ରତିଦିନ ୮-୧୦ ଘଣ୍ଟା ସମୟ ଲାଗିଯାଏ।” ପାଣିକୁ କେମିତି ଏକାଧିକବାର ବ୍ୟବହାର କରନ୍ତି ତାହା ମଧ୍ୟ ସେମାନେ ଆମକୁ କହିଥିଲେ। “ପ୍ରଥମେ ଆମେ ଏଥିରେ ଗାଧୁଆ ପାଧୁଆ କରୁ, ପୁଣି ସେହି ପାଣିରେ ଲୁଗାପଟା ଧୋଉ। ଏହାପରେ ଶେଷରେ ବାସନ ଧୋଉ।” ମହିଳାମାନେ ଯେତିକି ରାସ୍ତା ପାଦରେ ଚାଲିଚାଲି ଯାଆନ୍ତି, ତାହା ଅଧିକାଂଶ ସମୟରେ ପୁରୁଷ ଲୋକ ମୋଟର ସାଇକେଲରେ ଯାଉଥିବା ଦୂରତା ଠାରୁ ଅଧିକ ହୋଇଯାଏ। ସେମାନେ ଗୋଟିଏ ଦିନରେ ବାରମ୍ବାର ଯିବା ଆସିବା କରନ୍ତି। ପ୍ରତି ଦିନ ୧୫-୨୦ କିଲୋମିଟର ଦୂରତା ସେମାନେ ଯିବା ଆସିବା କରନ୍ତି। ଏହି ଚାପ ଯୋଗୁ ସେମାନଙ୍କ ମଧ୍ୟରୁ ଅନେକେ ରୋଗଗ୍ରସ୍ତ ମଧ୍ୟ ହୋଇଯାଆନ୍ତି।

P. Sainath
ଫୁଲୱନ୍ତୀବାଇ ଢେପେଙ୍କ ପରି ମହିଳାମାନଙ୍କ ଅବସ୍ଥା ତ ଆହୁରି ଖରାପ। ସେ ଜଣେ ଦଳିତ। ସେଥିପାଇଁ ଅନେକ ଜଳାଶୟ ପାଖକୁ ଯିବାକୁ ତାଙ୍କ ଉପରେ କଟକଣା ଅଛି। ଏପରିକି ଯେଉଁ ସରକାରୀ ନିୟନ୍ତ୍ରିତ କୂଅରୁ ସେ ପାଣି ଆଣନ୍ତି। “ସେଠାରେ ମତେ ସବୁବେଳେ ଧାଡ଼ିର ଶେଷରେ ସ୍ଥାନ ମିଳେ।”
ଜଳର ଅଭାବ ଏଠାରେ ଜୀବଜନ୍ତୁଙ୍କୁ ମଧ୍ୟ ପ୍ରଭାବିତ କରୁଛି। ପାଣି ଓ ପଶୁ ଖାଦ୍ୟ ଉଭୟର ଅଭାବ ସହ ଯୁଝୁଥିବା ସୁରେଶ ବେଦ ପାଠକ କୁହନ୍ତି, “ଯେଉଁମାନେ ମୋ ପରି ଦୁଗ୍ଧ ବିକନ୍ତି ସେମାନଙ୍କ ଅବସ୍ଥା ଖୁବ୍ ଖରାପ। ମୋ ଗାଈମାନେ କଷ୍ଟ ପାଉଛନ୍ତି, ମୁଁ ବି ଦୁଗ୍ଧ ବିକି ମୁଁ ଦିନକୁ ୩୦୦ ଟଙ୍କା ଲେଖାଏଁ ରୋଜଗାର କରୁଥିଲି। କିନ୍ତୁ ଏବେ ଦୁଗ୍ଧ କମ୍ ହୋଇଯିବାରୁ ମୋର ରୋଜଗାର ତିନି ଭାଗରୁ ଭାଗେ ହୋଇଗଲାଣି।”
ତକୱିକି ଓସମାନାବାଦରେ ସୃଷ୍ଟି କରାଯାଇଥିବା ସମସ୍ୟାର ଏକ ଛୋଟ ଉଦାହରଣ। ଗାଁରେ ୪,୦୦୦ରୁ କମ୍ ଲୋକ ରୁହନ୍ତି, ମାତ୍ର ଜଳସେଚନ ପାଇଁ ଏଠାରେ ପାଖାପାଖି ୧,୫୦୦ଟି ବୋରେୱଲ ଅଛି। ଭରତ ରାଉତଙ୍କ ଅନୁଯାୟୀ, “ଏବେ ଯେଉଁ ବୋରେୱଲ ଖୋଳା ଯାଉଛି। ତାହା ୫୫୦ ଫୁଟ କିମ୍ବା ଏହାଠାରୁ ଅଧିକ ଗଭୀର ଖୋଳାଯାଉଛି।” ଏବଂ ଏହି ମରୁଡ଼ି ପ୍ରବଣ ଜିଲ୍ଲାର ମୁଖ୍ୟ ଫସଲ ଆଖୁ। ଓସାମାନାବାଦର ଜିଲ୍ଲାପାଳ କେ.ଏମ୍. ନାଗରଗୋଜେ କୁହନ୍ତି, “ଗତ ଋତୁରେ ଏଠାରେ ମାତ୍ର ୩୯୭ ମିଲିମିଟର ବୃଷ୍ଟି ହୋଇଥିଲା, ଯଦିଓ ଏଠାରେ ହାରାହାରି ୭୬୭ ମିଲିମିଟର ବର୍ଷା ହେଉଥିଲା। ମୋଟାମୋଟି କହିବାକୁ ଗଲେ ୮୦୦ ମିଲିମିଟର ବର୍ଷା କମ୍ ନୁହେଁ। ଅନ୍ୟ କେତେକ ଅଞ୍ଚଳରେ ତ ୪୦୦ ମିମି ବର୍ଷା ହୋଇଥାଏ। ”
କିନ୍ତୁ ଆପଣ ୮୦୦ ମିମି ବର୍ଷା ଉପରେ ବି ନିର୍ଭର କରିପାରିବେ ନାହିଁ ଯଦି ଆପଣଙ୍କ ଆଖୁ ଉତ୍ପାଦନ ୨.୬ ମିଲିଅନ ମେଟ୍ରିକ୍ ଟନ୍। ଏହା ଏପରି ଏକ ଫସଲ, ଯାହାକୁ ଏକର ପିଛା ୧୮ ମିଲିଅନ ଲିଟର ପାଣି ଆବଶ୍ୟକ ( ଏତିକି ପାଣି ସାଢ଼େ ସାତୋଟି ଅଲମ୍ପିକ୍ ସ୍ୱିମିଙ୍ଗ ପୁଲ୍ ଭରିବା ପାଇଁ ଯଥେଷ୍ଟ ହେବ)। ଏମିତି ଚାଷୀଙ୍କ ସଂଖ୍ୟା ବହୁତ କମ୍ ଯେଉଁମାନେ ବୁନ୍ଦା ଜଳସେଚନ ଦ୍ୱାରା ପାଣି ସଞ୍ଚୟ କରନ୍ତି। ତକଓ୍ବିକିରେ ତ ଏମିତି ଚାଷୀ ମାତ୍ର ଦୁଇ ଚାରିଜଣ।
ଜିଲ୍ଲାପାଳ ନାଗରଗୋଜେ ଅନେକ ଉଦ୍ବେଗଜନକ ସମସ୍ୟାକୁ ସାମ୍ନା କରୁଛନ୍ତି। ଭୂତଳ ଜଳ ବିଭାଗରେ ପୂର୍ବରୁ କାମ କରିଥିବାରୁ ଏ ସମସ୍ୟାକୁ ଖୁବ୍ ଭଲଭାବରେ ବୁଝନ୍ତି ସେ। ଜିଲ୍ଲାର ସମସ୍ତ ଛୋଟ, ବଡ଼, ମଧ୍ୟମ ଜଳ ପରିଯୋଜନାରୁ ପାଣି ପ୍ରାୟ ଶେଷ ହୋଇଗଲାଣି। ଜଳସ୍ତର ତ ପମ୍ପ ଦ୍ୱାରା ଉତ୍ତୋଳନ କରିବା ସ୍ତର ଠାରୁ ଆହୁରି ନିମ୍ନରେ। ଏହାକୁ ନିୟନ୍ତ୍ରଣ କରାଯିବା ତ ଦୂରର କଥା। ଏମିତିରେ ସାମାନ୍ୟ ଜଳ ସଞ୍ଚୟ କରିପାରିବା ବି ବଡ଼ କଥା। ସେ ଜିଲ୍ଲାର ଏକ କ୍ଷୁଦ୍ର ପରିଯୋଜନାରେ ପ୍ରାୟ ୩.୪୫ ଅୟୁତ ମେଟ୍ରିକ୍ ଟନ୍ ପାଣି ସଞ୍ଚୟ କରି ରଖିଛନ୍ତି। ୧.୭ ମିଲିଅନ ଜନସଂଖ୍ୟା ବିଶିଷ୍ଟ ଏହି ଜିଲ୍ଲାରେ ଏତିକି ପାଣି ଅଧିକ ଦିନ ଚଳିବ ନାହିଁ। ଦୁଇଟି ସହର ଓ ୭୮ଟି ଗାଁକୁ ଜଳ ଯୋଗାଇବା ପାଇଁ ତାଙ୍କ ପାଖରେ ୧୬୯ ପାଣି ଟ୍ୟାଙ୍କର୍ ଅଛି। କିନ୍ତୁ ଏହା ଏମିତି ଏକ ଜିଲ୍ଲା ଯେଉଁଠାରେ ଜଳସେଚନ ପାଇଁ ବହୁ ସଂଖ୍ୟାରେ ବ୍ୟକ୍ତିଗତ ବୋରେୱଲ ଖୋଳାଯାଉଛି।
ସେ କହିଥିଲେ , “ଚଳିତ ବର୍ଷ ଜାନୁଆରୀରେ ଭୂତଳ ଜଳସ୍ତର ପ୍ରାୟ ୧୦.୭୫ ମିଟର ଥିଲା। ଅର୍ଥାତ୍ ଏହି ଅଞ୍ଚଳରେ ପାଞ୍ଚ ବର୍ଷରେ ହାରାହାରି ସ୍ତରଠାରୁ ପାଞ୍ଚ ମିଟର ତଳେ। କେତେକ ବ୍ଲକ୍ରେ ତ ଜଳସ୍ତର ଏହାଠାରୁ ଅନେକ ତଳେ ଅଛି। ”ତାଙ୍କର ଅଶା ଜିଲ୍ଲାରେ ଯେତିକି ପାଣି ଅଛି ସେଥିରେ ଚଳିତ ବର୍ଷର ଆବଶ୍ୟକତା ପୂରଣ ହୋଇଯିବ। ମାତ୍ର ସେ ଏକଥା ବି ଜାଣନ୍ତି ଏଠି ଫସଲର ଯେଉଁ ଧାରା ଏଠି ପ୍ରଚଳିତ ସେଥିରେ ଆଗାମୀ ବର୍ଷ ପାଇଁ ତାଙ୍କ ଯୋଜନା ପୂରଣ ହେବ ନାହିଁ।
ତକୱିକିରେ ଲୋକମାନଙ୍କ ଆୟ ଯେତେ ଯେତେ କମ୍ ହେଉଚି, ସେମାନଙ୍କର ଋଣ ସେତେ ସେତେ ବଢ଼ୁଛି। ସନ୍ତୋଷ ଯାଦବ କୁହନ୍ତି, “ ଏଠାରେ ସାହୁକାରଙ୍କ ସୁଧହାର ମାସିକ ୧୦୦ ଟଙ୍କା ଉପରେ ୫ଟଙ୍କାରୁ ୧୦ଟଙ୍କା ପର୍ଯ୍ୟନ୍ତ (ଅର୍ଥାତ୍ ବାର୍ଷିକ ୬୦ରୁ ୧୨୦ ପ୍ରତିଶତ )। ” ଯାଦବ ପରିବାର ନିଜ ଜମିରେ ପାଇପ୍ ଲାଇନ୍ ବିଛାଇବା ପାଇଁ ପ୍ରାୟ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ସେ ମଧ୍ୟରୁ ବର୍ତ୍ତମାନ ସବୁ ଶୁଖି ଗଲାଣି। ଗ୍ରୀଷ୍ମ ଋତୁ ଏବେ ଦୂରରେ ବି ନାହିଁ। ଯାଦବ ପଚାରନ୍ତି: ଏ ବିଷୟରେ କିଏ ଚିନ୍ତା କରିପାରିବ ? ଆମର ସବୁ ଗୁରୁତ୍ୱ ବର୍ତ୍ତମାନ ଉପରେ। ଆମେ ଥରକେ ଗୋଟିଏ ଦିନର ବ୍ୟବସ୍ଥା କରିପାରିବୁ।

P. Sainath
କିନ୍ତୁ ମରୁଡ଼ି କାରଣରୁ ଯେଉଁଠି ଗୋଟିଏ ପଟେ ଅନେକ ଲୋକ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି, ସେମିତି କେତେ ଜଣ ଅଛନ୍ତି ଯେଉଁମାନଙ୍କ ବ୍ୟବସାୟ ଜଳାଭାବ ଯୋଗୁ ପରିପୃଷ୍ଟ ହେଉଛି। ଏହା ସବୁ ସ୍ଥାନରେ ଦେଖାଯାଉଛି। ଭାରତୀ ଚାୱଲେ ନାମକ ସମାଜସେବୀ କୁହନ୍ତି, “ ଆମେ ସାରା ଦିନ ବଡ଼ ଚିନ୍ତାର ସହ ସେଲ୍ଫୋନ୍ରେ ଏକଥା ବୁଝିବାକୁ ଚେଷ୍ଟା କରୁ ଯେ ଯେଉଁମାନଙ୍କର ନିଜସ୍ୱ ବୋରେୱଲ୍ ବା ଅନ୍ୟ ଜଳ ଉତ୍ସ ଅଛି ସେମାନଙ୍କ ଠାରୁ କେମିତି ପାଣି କିଣିବୁ। ” ସେ କୁହନ୍ତି, “ ମୁଁ ଏହି ପାଣି ବିକ୍ରୟକାରୀଙ୍କ ମଧ୍ୟରୁ ଜଣଙ୍କ ସହ କଥାବାର୍ତ୍ତା କରି ଦର ତୁଟାଇଥିଲି। ସେ ମତେ ୧୨୦ ଟଙ୍କାରେ ୫୦୦ ଲିଟର ପାଣି ଦେବାକୁ କଥା ଛିଡାଇଥିଲା। ମାତ୍ର ସେତେବେଳେ ଆଉ କେହି ଜଣେ ୨୦୦ ଟଙ୍କା ଯାଚିଲା ଓ ସେ ତାକୁ ପାଣି ଦେଇଦେଲା। ପରେ ଅନେକ ଥର ଫୋନ୍ କରିବା ପରେ ଶେଷରେ ସେ ପରଦିନ ରାତି ୯ଟାରେ ମତେ ଯେତେ ପାଣି ଦରକାର ଥିଲା ତାହା ଦେଲା। ” ସେବେଠାରୁ ସେ ନିଜ ପଡ଼ୋଶୀ ଠାରୁ ପାଣି କିଣୁଛନ୍ତି।
ପାଣିର ଏ ବ୍ୟବସାୟ ସାରା ଜିଲ୍ଲାରେ ଚବିଶ ଘଣ୍ଟା ଖୁବ୍ ଜୋରସୋରରେ ଚାଲିଛି। ପାଣିର ଅଭାବ ଯୋଗୁଁ ଦାମ୍ ମଧ୍ୟ ବଢ଼ୁଛି। ସରକାର ପାଣି ପାଇଁ ୭୨୦ଟି କୂଅ ଅଧିଗ୍ରହଣ କରିଚନ୍ତି। ସରକାର ସେ ସବୁ କୂଅର ମାଲିକ ମାନଙ୍କୁ ମାସିକ ୧୨,୦୦୦ ଟଙ୍କା ପୈଠ କରୁଛନ୍ତି। ଏହି କୂଅର ପାଣି ଲୋକମାନଙ୍କୁ ମାଗଣାରେ ଦିଆଯାଉଛି। କିନ୍ତୁ ଏଥିପାଇଁ ଦୂରଦୂରାନ୍ତ ଯିବାକୁ ପଡ଼ୁଛି ଓ ଏଠାରେ ଲମ୍ବା ଧାଡ଼ି ପ୍ରକୃତରେ ଖୁବ୍ ହତୋତ୍ସାହଜନକ। ଏହାର ଅର୍ଥ ଘରୋଇ ଜଳବିକ୍ରୟକାରୀମାନଙ୍କର ରାଜୁତି। ସେମାନଙ୍କ ସହ ଲିଟର ପିଛା ଦର ମୂଲଚାଲ କରିବାକୁ ହୁଏ। ଏହି ଦର ୫୦୦ ଲିଟର ପାଇଁ ୨୦୦ ଟଙ୍କା ଉପରକୁ ମଧ୍ୟ ଯାଇପାରେ। ଯଦି ଆପଣ କମ୍ ପାଣି କିଣିବେ ତା’ ହେଲେ ଦର ଆହୁରି ଅଧିକ ହୋଇପାରେ। ଆଗାମୀ ଦିନମାନଙ୍କରେ ଏ ସ୍ଥିତି ଆହୁରି କଦର୍ଯ୍ୟ ହୋଇପାରେ। ବର୍ତ୍ତମାନ ସବୁ ଗାଁ ସବୁ ଜନପଦରେ ବୋରେୱଲ୍ କିମ୍ବା ଅନ୍ୟ ଜଳଉତ୍ସ ଥିବା କିଏ ନା କିଏ ଜଳାଭାବକୁ ଅର୍ଥ ଉପାର୍ଜନର ପନ୍ଥା କରି ଦେଇଛନ୍ତି। ଏଠାରେ ପାଣି ପଇସା ପରି ବୋହୁଛି।
ଏହି ପ୍ରବନ୍ଧ ପ୍ରଥମେ ମାର୍ଚ୍ଚ ୬, ୨୦୧୩ ତାରିଖରେ ‘ ଦି ହିନ୍ଦୁ ’ରେ ପ୍ରକାଶିତ ହୋଇଥିଲା।
ଏହା ମଧ୍ୟ ପଢ଼ନ୍ତୁ : ଟ୍ୟାଙ୍କର ଆଣ୍ଡ ଦି ଇକୋନୋମୀ ଅଫ ଥ୍ରାଷ୍ଟ
ଏହି ପ୍ରବନ୍ଧ ଉକ୍ତ ସିରିଜର ଅଂଶ ଯେଉଁଥିପାଇଁ ପି. ସାଇନାଥଙ୍କୁ ୱାର୍ଲଡ ମିଡ଼ିଆ ସମିଟ୍ ଗ୍ଲୋବାଲ ଆୱାର୍ଡ ଫର ଏକ୍ସେଲେନ୍ସ ୨୦୧୪ ମିଳିଥିଲା।
ଅନୁବାଦ: ଓଡ଼ିଶାଲାଇଭ୍
Want to republish this article? Please write to [email protected] with a cc to [email protected]
Donate to PARI
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/ଯେତେବେଳେ-ପାଣି-ପଇସା-ପରି-ବୋହିଯାଏ

