“ଏହା କିପରି ସମ୍ଭବ ଯେ ଜଣେ ପୂର୍ଣ୍ଣ ସମୟ ଚାଷୀ ହେବ ଏବଂ ଆବଶ୍ୟକ ଅର୍ଥ ରୋଜଗାର କରିପାରିବ? ” ସି.ଜେୟାବଲ ପ୍ରଶ୍ନ କରନ୍ତି। “ସେହି ଲୋକମାନଙ୍କୁ ଦେଖନ୍ତୁ ?” ଆମେ ତାମିଲନାଡୁରେ ଥିବା ତାଙ୍କ ଧାନ ଜମି କଡ଼େ କଡ଼େ ଯାଉଥିବା ବେଳେ ସେ ବରଗଛ ତଳେ ଜମା ହୋଇଥିବା ଦଳେ ଲୋକଙ୍କ ଆଡ଼କୁ ଦେଖାଇ କହିଲେ।“ ଏମାନଙ୍କ ମଧ୍ୟରୁ କେହି ବି ଚାଷ ଦ୍ୱାରା ଜୀବିକା ନିର୍ବାହ କରନ୍ତି ନାହିଁ। ଜଣେ ଟ୍ରାକ୍ଟର ଚଳାନ୍ତି, ଆଉ ଜଣେ ଟ୍ରକରେ ନିର୍ମାଣ ସାମଗ୍ରୀ ପରିବହନ କରନ୍ତି, ତୃତୀୟ ଜଣକ ଗୋଟିଏ ବକେରୀ ଚଳାନ୍ତି। ଆଉ ମୁଁ, ଏଠାରୁ ୨୫ କିଲୋମିଟର ଦୂର ମଦୁରାଇର ଗୋଟିଏ ହୋଟେଲରେ ପହଁରିବା ଶିଖାଇଥାଏ।”
ମଦୁରାଇ ଜିଲ୍ଲାର ନଦୁମୁଦାଲାଇକୁଲମ ଗାଁରେ ଥିବା ଜେୟାବଲଙ୍କ ଚାଷ ଜମି ସାଧାରଣ। ତାଙ୍କର ୧.୫ ଏକର ଚାଷ ଜମି ରହିଛି, ଯାହାକି ସେ ତାଙ୍କ ବାପା ୭୫ ବର୍ଷୀୟ ଚିନ୍ନାଥେଭରଙ୍କଠାରୁ, ଉତ୍ତରାଧିକାର ସୂତ୍ରରେ ପାଇଥିଲେ। ଅନ୍ୟ ଦୁଇ ଏକର ସେ ଭାଗ ବଖରା ସୂତ୍ରରେ ଆଣିଛନ୍ତି । ବର୍ଷକୁ ତିନିଥର ସେ ଧାନ ଅମଳ କରନ୍ତି। ଏହା ଏମିତି ଏକ ଚାଷ ଯାହାର ଚାହିଦା ରହିଛି, କିନ୍ତୁ ବେଳେ ବେଳେ ଲାଭ ମିଳିଥାଏ। ହଳ କରିବା ଲାଗି ସେ ବାର୍ଷିକ ୨୦,୦୦୦ ଟଙ୍କା ଖର୍ଚ୍ଚ କରନ୍ତି। କିନ୍ତୁ ଅମଳ ବେଳେ ମାତ୍ର ଅଳ୍ପ କିଛି ଲାଭ କରନ୍ତି। ଆଉ ଏଥିଲାଗି ଜେୟାବଲ ଓ ତାଙ୍କ ସ୍ତ୍ରୀଙ୍କୁ ଦୈନିକ ୧୨ ଘଣ୍ଟା ଜମିରେ ପରିଶ୍ରମ କରିବାକୁ ପଡ଼େ। ଏଥିରୁ ମାତ୍ର ମିଳିଥାଏ ଏକର ପିଛା ଘଣ୍ଟା ପ୍ରତି ଜଣ ପିଛା ୯.୨୫ ଟଙ୍କା । “ମୋ ପୁଅମାନେ କାହିଁକି ଏହି କାମ କରିବାକୁ ଯିବେ?” ସେ ପଚାରିଲେ।








