ଏହି ସପ୍ତାହର ମଙ୍ଗଳବାର ବର୍ଷାରେ ମଧ୍ୟ ମୁମ୍ବାଇର ଶିବାଜୀ ପାର୍କ କାଦୁଅର ସମୁଦ୍ର ପାଲଟିଗଲା। ଖସଡା ବାଟରେ ଚାଲିବା ବିପଦପୂର୍ଣ୍ଣ ହୋଇପଡିଲା। ସଖୁଭାଇ ଖୋରେ ପଡିଗଲେ, ତାଙ୍କ ଗୋଡରେ ଆଘାତ ଲାଗିଲା। ତଥାପି ପାକୁଆ ପାଟିରେ ସେ ହସୁଥିଲେ। କହିଲେ, “ମୁଁ ମୋ ଦେବ(ଭଗବାନ)ଙ୍କ ପାଦ ସ୍ପର୍ଶ କରିବାକୁ ଆସିଛି। ମୁଁ ଆସିପାରିବା ପର୍ଯ୍ୟନ୍ତ ଆସୁଥିବି। ମୋ ଗୋଡହାତ ଚଳୁଥିବା ପର୍ଯ୍ୟନ୍ତ ଆଉ ଆଖିକୁ ଦେଖାଯାଉଥିବା ପର୍ଯ୍ୟନ୍ତ ଆସୁଥିବି।”
ଏଠାରେ ଏକାଠି ହୋଇଥିବା ସମସ୍ତଙ୍କର ସେ ଦେବ। ସେ ହେଉଛନ୍ତି ଡକ୍ଟର ବାବା ସାହେବ ଆମ୍ବେଦକର। ଡିସେମ୍ବର ୬, ବୁଧବାର, ତାଙ୍କ ଶ୍ରାଦ୍ଧବାର୍ଷିକୀ। ଏହି ଦିନ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ୭୦ ବର୍ଷିୟା ନବ ବୌଦ୍ଧ ଦଳିତ ସୁଖୁବାଇ ଜଲଗାଓଁ ଜିଲ୍ଲାର ଭୁଷାୱାଲ୍ରୁ ଆସିଛନ୍ତି।
ପ୍ରତିବର୍ଷ ଏହି ଦିନ ଶିବାଜୀ ପାର୍କ ଏବଂ ଦାଦର ଚୈତ୍ୟଭୂମି ନିକଟସ୍ଥ ଏହି ସ୍ମରଣୀୟ ସ୍ଥାନରେ ହଜାରହଜାର ସଂଖ୍ୟାରେ ଦଳିତ ସଂପ୍ରଦାୟର ଲୋକ ଏକାଠି ହୋଇଥାନ୍ତି। ଏହି ସ୍ମରଣୀୟ ସ୍ଥାନରେ ୧୯୫୬ ମସିହାରେ ଭାରତୀୟ ସମ୍ବିଧାନର ମୁଖ୍ୟ ସ୍ଥପତି ଡକ୍ଟର ଆମ୍ବେଦକରଙ୍କ ଚିତା ଜଳିଥିଲା। ବିଂଶ ଶତାବ୍ଦୀର ଅନ୍ୟତମ ଶ୍ରେଷ୍ଠ ସମାଜ ସଂସ୍କାରକ ତଥା ଜନନାୟକ ଏବଂ ନିଷ୍ପେସିତଙ୍କ ସ୍ୱର ବି. ଆର ଆମ୍ବେଦକରଙ୍କୁ ଶ୍ରଦ୍ଦାଞ୍ଜଳି ଦେବାକୁ ଏଠି ବିଶାଳ ଜନସମାଗମ ହୋଇଥାଏ। ଏହି ଦିନ ଏଠାରେ ସମବେତ ହେବାକୁ ଏମାନେ ବସ୍, ଟ୍ରେନ୍ ଏବଂ ଦୂରଦୂରାନ୍ତରୁ ମଧ୍ୟ ପାଦରେ ଚାଲିଚାଲି ଆସିଥାନ୍ତି। ସମସ୍ତଙ୍କ ଭିତରେ ଥାଏ ଶ୍ରଦ୍ଧା, କୃତଜ୍ଞତା ଆଉ ପ୍ରେମ। କିଏ ମୁମ୍ବାଇ ଭିତରୁ ଆସିଥାନ୍ତି ତ ଆଉ କିଏ ମହାରାଷ୍ଟ୍ରର ଗ୍ରାମାଞ୍ଚଳ ଏବଂ ବିଭିନ୍ନ ସହରରୁ ଆସିଥାନ୍ତି। ଅନ୍ୟାନ୍ୟ ରାଜ୍ୟରୁ ମଧ୍ୟ ଅନେକ ଲୋକ ଆସିଥାନ୍ତି। କେହି କେହି ଦିନଦିନର ଯାତ୍ରା କରି ଏଠି ପହଞ୍ଚିଥାନ୍ତି।












