ଆମେ ଗ୍ରାଇଣ୍ଡମିଲ ସଙ୍ଗସ୍ ପ୍ରୋକେଜ୍ଟର ଗାୟିକାଙ୍କ ମଧ୍ୟରୁ ଜଣେ ତଥା ପ୍ରଦୀପଙ୍କ ମା’, କମଲା ସାଲଭେଙ୍କୁ ଭେଟିବା ଲାଗି ଆଶା କରୁଥିଲୁ । ସେ ଅନ୍ୟ କେଉଁ ଗାଁକୁ ନିଜ ସମ୍ପର୍କୀୟଙ୍କୁ ଭେଟିବା ଲାଗି ଯାଇଥିଲେ, କିନ୍ତୁ ଆମେ ତାଙ୍କ ପରିବାର ଲୋକଙ୍କୁ ଭେଟିଲୁ । କବି ଆତ୍ମାରାମ ସାଲଭେ, କମଲାତାଈଙ୍କ ସ୍ୱାମୀ ଥିଲେ ।
ଆତ୍ମାରାମ ସାଲଭେଙ୍କ ଜନ୍ମ ୧୪ ଅକ୍ଟୋବର, ୧୯୫୬ରେ ହୋଇଥିଲା ଏବଂ ସେ ଔରଙ୍ଗାବାଦର ମିଲିନ୍ଦ ମହାବିଦ୍ୟାଳୟରୁ ଶିକ୍ଷା ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ପାଖରେ ୨୫ ଏକର ଜମି ଓ ଦୁଇଟି କୂଅ ଥିଲା, କିନ୍ତୁ ଆତ୍ମାରାମଙ୍କ ଚାଷ କାମରେ କୌଣସି ଆଗ୍ରହ ନଥିଲା । ସେ କବି ହେବାକୁ ଚାହୁଁଥିଲେ । ପ୍ରଦୀପ କୁହନ୍ତି, ‘‘ଯେକୌଣସି ମୁହୂର୍ତ୍ତରେ ସେ କବିତା ଗାଉଥିଲେ ଓ ଶୁଣାଉଥିଲେ ।’’ ତାଙ୍କର ଅଧିକାଂଶ ଗୀତ ଦମନ ବିରୋଧରେ ସାମାଜିକ ବିପ୍ଳବର ଉଦଘୋଷ କରୁଥିଲା ।
ଆତ୍ମାରାମଙ୍କ ରଚନାକୁ ହୁଏତ ତାଙ୍କ ଜୀବନ କାଳରେ ସଠିକ୍ ପରିଚୟ ମିଳିନଥିଲା, କିନ୍ତୁ ତାଙ୍କ କବିତା ଓ ସଙ୍ଗୀତ, ସାରା ମହାରାଷ୍ଟ୍ରର ଗାଁ ଓ ସହରରେ ବୋଲା ଯାଉଥିଲା, ପ୍ରଦର୍ଶିତ କରାଯାଉଥିଲା, ସେ ବିଷୟରେ ଲୋକମାନେ ଅପରିଚିତ ନଥିଲେ। ରାଜନୈତିକ ଆନ୍ଦୋଳନରେ ଅଂଶଗ୍ରହଣ କରିବା ଏବଂ ରାଜନୈତିକ ବ୍ୟଙ୍ଗ ଉପରେ ଆଧାରିତ ଗୀତ ଗାଇବା କାରଣରୁ ତାଙ୍କ ବିରୋଧରେ ଶତାଧିକ ପୁଲିସ ମାମଲା ଦାୟର ହୋଇଥିଲା ।
ପ୍ରଦୀପ କୁହନ୍ତି, ‘‘ଯେତେଥର ତାଙ୍କୁ ଗିରଫ କରାଯାଉଥିଲା, ମୋ ଜେଜେବାପା ଆଇନଗତ ଖର୍ଚ୍ଚ ପାଇଁ ଅର୍ଥ ଏକତ୍ରିତ କରିବା ଲାଗି ଖଣ୍ଡେ ଜମି ବିକି ଦେଉଥିଲେ ।’’ ସେ ଆହୁରି କୁହନ୍ତି ଯେ, ପୁଲିସ ତାଙ୍କ ପିତାଙ୍କୁ ଚାରି ଥର ମାଜଲଗାଓଁ ତାଲୁକା ରୁ ଏବଂ ଦୁଇ ଥର ବୀଡ଼ ଜିଲ୍ଲାରୁ ନିଷ୍କାସିତ କରି ଦେଇଥିଲା । ପରିବାର ମାଲିକାନାରେ ଥିବା ଜମି ଧୀରେ ଧୀରେ ଶେଷ ହୋଇଗଲା ।
କବିଙ୍କ ବନ୍ଧୁ, ମାଜଲଗାଓଁର ପାଣ୍ଡୁରଙ୍ଗ ଯାଦବ, ପୂର୍ବରୁ ରାଜ୍ୟ ସରକାରଙ୍କ ଜଳସେଚନ ବିଭାଗରେ କ୍ଲର୍କ ଭାବେ କାର୍ଯ୍ୟରତ ଥିଲେ, ସେ ବିଭିନ୍ନ ମୋର୍ଚ୍ଚାରେ ଆତ୍ମାରାମଙ୍କ ସହ ଛିଡ଼ା ହେଉଥିଲେ, ଯାହାର ନେତୃତ୍ୱ ସାଲଭେ ଯୁବାବସ୍ଥାରେ ନେଇଥିଲେ। ଯାଦବ କୁହନ୍ତି, ‘‘ମରାଠୱାଡ଼ା କ୍ଷେତ୍ର ନିକଟବର୍ତ୍ତୀ କୌଣସି ଗାଁରେ ଯେତେବେଳେ ଦଳିତଙ୍କ ଶୋଷଣ କରାଯାଉଥିଲା, ଆତ୍ମାରାମ ମୋର୍ଚ୍ଚାର ନେତୃତ୍ୱ ନେବା ଲାଗି ସେଠାରେ ପହଞ୍ଚି ଯାଉଥିଲେ ଏବଂ ବିରୋଧ କରି ଗୀତ ଗାଉଥିଲେ । ସେ ଜଣେ ଲୋକଶାହିର (ଗଣକବି) ଥିଲେ ।’’
ସାଲଭେ, ଦଳିତ ପାନ୍ଥର୍ସ ନାମକ ସେହି ବିଦ୍ରୋହୀ ସାମାଜିକ ତଥା ରାଜନୈତିକ ସଂଗଠନର ସଦସ୍ୟ ଥିଲେ ଯାହାକୁ ନାମଦେବ ଧସାଲ ଏବଂ ଜେଭି ପୱାରଙ୍କ ଭଳି କବିମାନେ ୧୯୭୨ରେ ଆରମ୍ଭ କରିଥିଲେ । ଏହି ଗୋଷ୍ଠୀର ଜଣେ ପ୍ରାଥମିକ ସଦସ୍ୟ ଏବଂ ଏବେ ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆର ଗୋଟିଏ ଗୋଷ୍ଠୀ ସଦସ୍ୟ, ଲେଖକ ତଥା କବି ରାଜା ଢାଲେ (୭୦) ମଧ୍ୟ ଆତ୍ମାରାମ ସାଲଭେଙ୍କୁ ଜାଣିଥିଲେ । ମୁମ୍ବାଇରେ ରହୁଥିବା ଢାଲେ କୁହନ୍ତି, ‘‘ସେ ଜଣେ ଭଲ କବି ଥିଲେ ଏବଂ ଦଳିତ ପାନ୍ଥର୍ସ ସହିତ ଅନେକ ବର୍ଷ ଧରି ସମ୍ପୃକ୍ତ ରହିଥିଲେ । ସେ ଆମ ସହିତ ମରାଠୱାଡ଼ାର ସଂଖ୍ୟାଧିକ ବୈଠକରେ ସାମିଲ ହେଉଥିଲେ ଏବଂ ଆମ କାର୍ଯ୍ୟକ୍ରମରେ ନିଜ କବିତା ଶୁଣାଉଥିଲେ ।’’
ଶାହିର ଆତ୍ମାରାମଙ୍କ ମୃତ୍ୟୁ ୧୯ ଜାନୁଆରୀ, ୧୯୯୧ରେ ମାତ୍ର ୩୫ ବର୍ଷ ବୟସରେ ହୋଇଥିଲା । ସେତେବେଳେ ପ୍ରଦୀପଙ୍କୁ ମାତ୍ର ୧୨ ବର୍ଷ ବୟସ ହୋଇଥିଲା । ଦୁଇ ଦଶନ୍ଧି ପର୍ଯ୍ୟନ୍ତ, ସାଲଭେଙ୍କ ପରିବାର ପ୍ରତିବର୍ଷ ୧୯ ଜାନୁଆରୀ ଦିନ ତାଙ୍କୁ ମନେ ପକାଇ ସ୍ମୃତି ଦିବସ ପାଳନ କରିଥାଏ । ଏଥିରେ ସେମାନେ ତାଙ୍କ କବିତା ଗାଉଥିଲେ ।