

Kolhapur, Maharashtra
|SUN, JUL 18, 2021
‘ଯଦି ସେ ଅଟକି ଯିବ, ମୋର ଜୀବନ ଗାଡ଼ି ମଧ୍ୟ ଅଟକି ଯିବ’
ପରୀର ସ୍ୱେଚ୍ଛାସେବୀ ସଙ୍କେତ ଜୈନ ଭାରତର ୩୦୦ ଟି ଗାଁ ଭ୍ରମଣ କରିବାକୁ ଲକ୍ଷ୍ୟ ରଖିଛନ୍ତି ଏବଂ ଅନ୍ୟାନ୍ୟ କାହାଣୀ ମଧ୍ୟରେ ଏହି କାହାଣୀଟି ପ୍ରସ୍ତୁତ କରିଛନ୍ତି: ଏକ ଗ୍ରାମୀଣ ଦୃଶ୍ୟ କିମ୍ବା ଘଟଣାର ଫଟୋଗ୍ରାଫ୍ ଏବଂ ସେହି ଫଟୋଗ୍ରାଫର ଏକ ସ୍କେଚ୍। ପରୀର ଏହା ଷଷ୍ଠ ସିରିଜ। ଫଟୋ କିମ୍ବା ସ୍କେଚ୍ ପୁରା ଦେଖିବା ପାଇଁ ସ୍ଲାଇଡରକୁ ଯେକୌଣସି ଉପାୟରେ ଟାଣନ୍ତୁ
Author
Translator
ପରୀର ସ୍ୱେଚ୍ଛାସେବୀ ସଙ୍କେତ ଜୈନ ଭାରତର ୩୦୦ ଟି ଗାଁ ଭ୍ରମଣ କରିବାକୁ ଲକ୍ଷ୍ୟ ରଖିଛନ୍ତି ଏବଂ ଅନ୍ୟାନ୍ୟ କାହାଣୀ ମଧ୍ୟରେ ଏହି କାହାଣୀଟି ପ୍ରସ୍ତୁତ କରିଛନ୍ତି: ଏକ ଗ୍ରାମୀଣ ଦୃଶ୍ୟ କିମ୍ବା ଘଟଣାର ଫଟୋଗ୍ରାଫ୍ ଏବଂ ସେହି ଫଟୋଗ୍ରାଫର ଏକ ସ୍କେଚ୍। ପରୀର ଏହା ଷଷ୍ଠ ସିରିଜ। ଫଟୋ କିମ୍ବା ସ୍କେଚ୍ ପୁରା ଦେଖିବା ପାଇଁ ସ୍ଲାଇଡରକୁ ଯେକୌଣସି ଉପାୟରେ ଟାଣନ୍ତୁ।
୧୫ ବର୍ଷ ବୟସରୁ ଜଣେ କୃଷକ ଭାବରେ କାର୍ଯ୍ୟ କରୁଥିବା, ମହାଦେବ ଖୋଟ କୁହନ୍ତି, "ଏହି ବଳଦ ହେଉଛି ମୋର ଜୀବନ"। ମହାରାଷ୍ଟ୍ରର କୋହ୍ଲାପୁର ଜିଲ୍ଲାର ଲକ୍ଷ୍ମୀୱାଡି ଗାଁର ମହାଦେବ, ଯାହାଙ୍କର ବାମ ଗୋଡ଼ କଠିନ ହୋଇ ବାହାରକୁ ବାହାରିଥିବାର ଫଟୋରେ ତୁମେ ଦେଖୁଛ। ନଅ ବର୍ଷ ପୂର୍ବେ କ୍ଷେତରେ ଏକ ବିଷାକ୍ତ କଣ୍ଟା ଦ୍ୱାରା ସଂକ୍ରମିତ ହେବା ପରେ ସେହି ଗୋଡକୁ କାଟି ଦିଆଯାଇଥିଲା। ଆଜି, ସେ କୃତ୍ରିମ ଗୋଡ଼ ସାହାଯ୍ୟରେ ଏବଂ ହାତରେ ବାଡ଼ି ଧରି କୃଷି କାର୍ଯ୍ୟ ତଦାରଖ କରୁଛନ୍ତି।
ସେ ତାଙ୍କ ଭାଇଙ୍କର ଦୁଇ ଏକର ଜମିରେ ବାଦାମ ଓ ଯଅ ଚାଷ କରନ୍ତି। ଗୋଟିଏ ଜମି ହାଟକନଙ୍ଗଲ ତାଲୁକାଠାରୁ ୧.୫ କିଲୋମିଟର ଦୂର ଓ ଅନ୍ୟଟି ୩ କିଲୋମିଟର ଦୂରରେ ଅବସ୍ଥିତ।
"ଗତ ଦଶନ୍ଧିରେ ଜଳାଭାବ ଏବଂ ମୋର ଆଘାତପ୍ରାପ୍ତ ଗୋଡ କାରଣରୁ ଆମର ଉତ୍ପାଦ ହ୍ରାସ ପାଇଛି। ଏଥିସହ ଏହି କୃଷିକ୍ଷେତ୍ରଟି ଅନୁର୍ବର ପାହାଡ଼ିଆ ଅଞ୍ଚଳରେ ଅବସ୍ଥିତ ବୋଲି ସେ ଦର୍ଶାଇଛନ୍ତି।" ମହାଦେବ (ବର୍ତ୍ତମାନ ତାଙ୍କର ୬୦ ଦଶକର ପ୍ରାରମ୍ଭରେ) ପ୍ରତ୍ୟେକ ଦିନ ତାଙ୍କର ବଳଦ ଗାଡିରେ ୬ କିଲୋମିଟର ଯାତ୍ରାକରି କୃଷିକ୍ଷେତ୍ର ପରିଦର୍ଶନ କରନ୍ତି ଓ ତାଙ୍କର ଗୃହପାଳିତ ପଶୁମାନଙ୍କ ପାଇଁ ଖାଦ୍ୟ ଆଣିଥାନ୍ତି। ସେ ହିଁ ମୋତେ ବିଭିନ୍ନ ସ୍ଥାନକୁ ନେବା ଆଣିବା କରୁଛି, ଏବଂ ସେ ଯଦି ଅଟକି ଯାଏ, ମୋର ଜୀବନର ଗାଡି ମଧ୍ୟ ଅଟକି ଯିବ।"
ସେ ମନେପକାଇ କୁହନ୍ତି, "୧୯୮୦ ମସିହାରେ, ମୁଁ ଦୈନିକ ୧୨ ଘଣ୍ଟା ପରିଶ୍ରମ କରି ୧୦ ଟଙ୍କା ରୋଜଗାର କରୁଥିଲି - ଅନ୍ୟମାନଙ୍କ କୃଷି କ୍ଷେତ୍ରରେ ଏକ ଟନ ଆଖୁ କାଟି"। ଏବେ ଏହା ତାଙ୍କୁ ୨୦୦ ଟଙ୍କାରୁ ଅଧିକ ରୋଜଗାର ଦେଇଥାନ୍ତା। କିନ୍ତୁ କ୍ଷତ ସହ ସବୁକିଛି ତାଙ୍କର ଶେଷ ହୋଇଗଲା। ଗତବର୍ଷ ତାଙ୍କ ଭାଇଙ୍କର କ୍ଷେତରୁ ସେ ଅଧିକ କିଛି ଆୟ କରିପାରିଲେ ନାହିଁ। ପଶୁମାନେ ଅଧିକାଂଶ ଫସଲ ନଷ୍ଟକରିଦେଲେ। "ଶେଷରେ ମୋର ପାଖରେ ୩୫ କିଲୋଗ୍ରାମ ଓଜନର ଦୁଇ ବସ୍ତା ବାଦାମ ରହିଛି। ମୁଁ ତାହାକୁ ବିକିଲି ନାହିଁ ଯେହେତୁ ମୋତେ ଏହାକୁ ଆଗାମୀ ଋତୁ ନିମନ୍ତେ ରଖିବାର ଅଛି ଓ ମୋର ବନ୍ଧୁବାନ୍ଧବମାନଙ୍କୁ ମଧ୍ୟ କିଛି ଦେବାର ଅଛି।"
ମହାଦେବ କୁହନ୍ତି, "ମୋ ସ୍ତ୍ରୀ ଶାଳାବାଇ ଏହି କ୍ଷେତରେ କାମ କରନ୍ତି, ଏବଂ ଅନ୍ୟମାନଙ୍କ କ୍ଷେତରେ କୃଷି ଶ୍ରମିକ ଭାବରେ କାମ କରିଥାନ୍ତି ଓ ଫଳ ମଧ୍ୟ ବିକ୍ରି କରିଥାନ୍ତି"। ଶାଳାବାଇଙ୍କ ବ୍ୟସ୍ତତାପୂର୍ଣ୍ଣ ଦିନଟି ସକାଳ ୫ ଘଟିକାରୁ ଆରମ୍ଭ ହୋଇଥାଏ, ଏବଂ ଏଥିରେ ପାହାଡ ପାଦଦେଶରେ ଫଳ ଖୋଜି ସଂଗ୍ରହ କରିବାକୁ ମଧ୍ୟ ପଡେ। ମହାଦେବ କ୍ଷେତରେ କାମ କରିଥାନ୍ତି - ଲକ୍ଷ୍ମୀୱାଡି ପାଖରେ ଥିବା ଆଲାମା ପ୍ରଭୁ ଡୋଙ୍ଗର (ପାହାଡ) - ପାଖାପାଖି ସକାଳ ୧୦ ଘଟିକାରେ କାର୍ଯ୍ୟ ଆରମ୍ଭ କରନ୍ତି। ଶାଳାବାଇଙ୍କ ପାରିଶ୍ରମିକ ଓ ତାଙ୍କର ୬୦୦ ଟଙ୍କାର ଦିବ୍ୟାଙ୍ଗ ଭତ୍ତା ସେମାନଙ୍କୁ ବଞ୍ଚାଇ ରଖିଛି।
ଶାଳାବାଇ ଖୋଟ, ଯିଏକି ନିଜେ ୫୦ ଦଶକର ଶେଷଭାଗରେ ଥିବାର ବିଶ୍ୱାସ କରନ୍ତି, କୁହନ୍ତି, "ତାଙ୍କର ଅସ୍ତ୍ରୋପଚାର ପୂର୍ବରୁ ମୁଁ ଦିନକୁ ୪ ଘଣ୍ଟା କାମ କରୁଥିଲି। ବର୍ତ୍ତମାନ ଗୁଜୁରାଣ ମେଣ୍ଟାଇବା ପାଇଁ ମୁଁ ଦିନକୁ ୧୦ ଘଣ୍ଟାରୁ ଅଧିକ ପରିଶ୍ରମ କରୁଛି "। ସେ ବର୍ଷର (ଅକ୍ଟୋବର ଆରମ୍ଭରୁ) ୪୫ ଦିନ ଫଳ ବିକ୍ରି କରିଥାନ୍ତି। "ଏହା କରିବା ପାଇଁ, ମୋତେ ନରନ୍ଦେ ଗାଁ [୩ କିଲୋମିଟର] ଯାଏଁ ପୁରା ରାସ୍ତା ଚାଲିକରି ଯିବାକୁ ପଡ଼େ ଏବଂ ସକାଳ ୬ଟାରେ କାମ ପାଇଁ ବାହାରିବାକୁ ପଡ଼େ।" ସାଭର୍ଡେ, ଅଲତେ ଏବଂ ନରନ୍ଦେ ଭଳି ପାଖ ଗାଁଗୁଡିକରେ ସେ କୃଷିଶ୍ରମିକ ଭାବରେ କଠିନ ପରିଶ୍ରମ କରିଥାନ୍ତି। ସେ କୁହନ୍ତି, "ସାତ ଘଣ୍ଟା ପରିଶ୍ରମ ପାଇଁ ମୁଁ ୧୦୦ ଟଙ୍କାରୁ ୧୫୦ ଟଙ୍କା ମଧ୍ୟରେ ମଜୁରି ପାଉଥିବା ବେଳେ ପୁରୁଷମାନେ ୨୦୦ଟଙ୍କା ପଇଥାନ୍ତି। ମହିଳାମାନେ କ୍ଷେତରେ ଅଧିକ କାର୍ଯ୍ୟ କରିଥାନ୍ତି, କିନ୍ତୁ ପୁରୁଷମାନେ ସର୍ବଦା ଅଧିକ ମଜୁରି ପାଇଥାନ୍ତି"।
ତାଙ୍କର ଉଭୟ ପୁଅ ଲକ୍ଷ୍ମୀୱାଡି ଛାଡି ଚାଲି ଯାଇଛନ୍ତି। ଜଣେ ସାମୟିକ ଶ୍ରମିକ। ଅନ୍ୟ ଜଣକ, ଅନ୍ୟ ଏକ ଗାଁରେ ଭାଗ ଚାଷୀ ଅଟନ୍ତି। ମହାଦେବ କୁହନ୍ତି, "ମୋର ଅସ୍ତ୍ରୋପଚାର ନିମନ୍ତେ ମୁଁ ୧୨,୦୦୦ ଟଙ୍କା ଋଣ କରିଥିଲି ଯାହାପାଇଁ ୨୭,୦୦୦ଟଙ୍କା ଦେବାକୁ ପଡିଲା। ମୋର ପୁଅମାନେ ସେହି ଋଣ କିଛି ବର୍ଷ ମଧ୍ୟରେ ପରିଶୋଧ କରିଦେଲେ। ସେମାନେ ତଥାପି ଆମକୁ ବେଳେବେଳେ ଆର୍ଥିକ ସାହାଯ୍ୟ କରନ୍ତି"।
ଅନୁବାଦ: ଓଡ଼ିଶାଲାଇଭ୍
Want to republish this article? Please write to [email protected] with a cc to [email protected]
Donate to PARI
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/ଯଦି-ସେ-ଅଟକି-ଯିବ-ମୋର-ଜୀବନ-ଗାଡ଼ି-ମଧ୍ୟ-ଅଟକି-ଯିବ

