“ମୋର ମନେନାହିଁ, ମୁଁ କେମିତି ମୋ ସ୍ୱାମୀଙ୍କ ମୃତଦେହ ସହ ଆନ୍ଧ୍ରପ୍ରଦେଶର ପ୍ରକାଶମ୍ ଜିଲ୍ଲାରେ ଥିବା ଆମ ଗାଁ ପାମରୁକୁ ଗଲି କିମ୍ବା ତାଙ୍କର ଶେଷକୃତ୍ୟ କେମିତି ସମ୍ପନ୍ନ ହେଲା । ମୋ ଶ୍ଵଶୁର ମୋତେ ଡାକ୍ତରଖାନାକୁ ନେଲେ । ସେଠାରେ ମୋତେ ଇଲେକ୍ଟ୍ରିକ୍ ସକ୍ (ଇଲେକ୍ଟ୍ରୋ କନଭୁଲସିଭ୍ ଥେରାପି) ଓ ଅନ୍ୟାନ୍ୟ ଚିକିତ୍ସା କରାଗଲା । ଏହାପରେ ମୁଁ ଚେତନା ଫେରି ପାଇଲି। ମୋ ସ୍ୱାମୀ ଯେ ପ୍ରକୃତରେ ମରିଯାଇଛନ୍ତି, ଏହା ଗ୍ରହଣ କରିବାକୁ ମୋତେ ଦୁଇବର୍ଷରୁ ଅଧିକ ସମୟ ଲାଗିଗଲା ।”
ଏ ମଧ୍ୟରେ ପ୍ରାୟ ଦଶବର୍ଷ ବିତିଗଲାଣି, କିନ୍ତୁ ନାଗମ୍ମା ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ଘଟଣାକୁ ମନେ ପକାଇ ବାରମ୍ବାର କାନ୍ଦୁଥିଲେ। “ଏହାପରେ ମୋ ପରିଜନମାନେ କହିଲେ, ମୋ ଝିଅମାନଙ୍କ ପାଇଁ ମୋତେ ବଞ୍ଚିବାକୁ ହେବ। ଏହା ପରଠାରୁ ହିଁ ମୁଁ ସଂଘର୍ଷ କରିବା ଆରମ୍ଭ କଲି। ମୁଁ ନିକଟସ୍ଥ ଏକ ଫ୍ୟାକ୍ଟ୍ରିରେ ସଫା କରିବା କାମ ନେଲି। କିନ୍ତୁ ମୋତେ ସେ କାମ ଭଲ ଲାଗିଲା ନାହିଁ। ମୋ ବାପା ମା’ ମଧ୍ୟ ସଫେଇ କର୍ମଚାରୀ। ମୋ ବାପା ଜଣେ ସେପ୍ଟିକ୍ ଟାଙ୍କି/ମ୍ୟାନ୍ ହୋଲ୍ ସଫା କରୁଥିବା ମେହେନ୍ତର। ମା’ ଜଣେ ଝାଡ଼ୁଦାର ।”
ତାମିଲନାଡ଼ୁରେ ଥିବା ଅଧିକାଂଶ ସଫେଇ କର୍ମଚାରୀ ଆନ୍ଧ୍ରପ୍ରଦେଶର। ସେମାନେ ତେଲଗୁ କୁହନ୍ତି। ତାମିଲନାଡ଼ୁର ଅନେକ ଭାଗରେ ସଫେଇ କର୍ମଚାରୀ ସମୂହଙ୍କ ପାଇଁ ସ୍ଵତନ୍ତ୍ର ତେଲଗୁ ମାଧ୍ୟମ ସ୍କୁଲ ଅଛି।
ନାଗମ୍ମା ଏବଂ ତାଙ୍କ ସ୍ୱାମୀ ଉଭୟ ପାମୁର୍ ଗ୍ରାମର। ନାଗମ୍ମା କୁହନ୍ତି, “ମୁଁ ୧୯୯୫ ମସିହାରେ ବିବାହ କଲି। ସେତେବେଳେ ମୋ ବୟସ ୧୮। ମୋ ବାପା ମା’ ମୋ ଜନ୍ମ ପୂର୍ବରୁ ଚେନ୍ନାଇ ଚାଲିଆସିଥିଲେ । ଆମେ ମୋ ବିବାହ ପାଇଁ ଗାଁକୁ ଗଲୁ ଏବଂ ସେଠାରେ କିଛିବର୍ଷ ରହିବା ପରେ ଚେନ୍ନାଇ ଫେରି ଆସିଲୁ । ମୋ ସ୍ୱାମୀ ମିସ୍ତ୍ରୀ ଭାବରେ ବିଭିନ୍ନ ନିର୍ମାଣ କାର୍ଯ୍ୟରେ କାମ କରୁଥିଲେ । ଯେତେବେଳେ ସେ ସେପ୍ଟିକ୍ ଟାଙ୍କି ସଫା କରିବାର ଡାକରା ପାଆନ୍ତି, ସେ ଯାଆନ୍ତି । ଯେତେବେଳେ ମୁଁ ଜାଣିଲି, ସେ ସ୍ୱେରେଜ୍ କାମ କରୁଛନ୍ତି, ମୁଁ ଦୃଢ଼ ଭାବରେ ଏହାକୁ ବିରୋଧ କଲି । ଏହା ପରଠାରୁ ସେ ଯେତେବେଳେ ଏପରି କାମ ପାଇଁ ଯାଉଥିଲେ, ମୋତେ କିଛି ଜଣାଉ ନଥିଲେ । ୨୦୦୭ରେ ଯେତେବେଳେ ତାଙ୍କ ସହ ଅନ୍ୟ ଦୁଇଜଣ ଗୋଟିଏ ସେପ୍ଟିକ୍ ଟାଙ୍କି ମଧ୍ୟରେ ପ୍ରାଣ ହରାଇଲେ, ସେତେବେଳେ କାହାକୁ ଗିରଫ କରାଯାଇନଥିଲା । ସେମାନଙ୍କ ହତ୍ୟା ପାଇଁ କାହାକୁ ଦାୟୀ କରାଯାଇନଥିଲା । ଦେଖନ୍ତୁ ଏହି ଦେଶ ଆମକୁ କେମିତି ବ୍ୟବହାର କରୁଛି, ଆମ ଜୀବନର ବି କିଛି ମୂଲ୍ୟ ନାହିଁ । କେହି ଆମକୁ ସାହାଯ୍ୟ କରିବାକୁ ଆସିଲେନି- କୌଣସି ସରକାର ନୁହେଁ, କୌଣସି ଅଧିକାରୀ ନୁହନ୍ତି, ଶେଷରେ ସଫେଇ କର୍ମଚାରୀ ଆନ୍ଦୋଳନ (ଏସ୍ କେ ଏ) ମୋତେ ଶିଖାଇଲା ନିଜ ଅଧିକାର ପାଇଁ କେମିତି ସଂଘର୍ଷ କରିବାକୁ ହୁଏ । ୨୦୧୩ରେ ହିଁ ମୁଁ ଏହି ଆନ୍ଦୋଳନ ବିଷୟରେ ଜାଣିଲି ।”
ଥରେ ନିଜର ଅଧିକାର ସମ୍ପର୍କରେ ସଚେତନ ହେବା ପରେ ନାଗମ୍ମା ପାଟି ଖୋଲିଲେ ଏବଂ ନିଜ ଅଧିକାର ବିଷୟରେ କହିଲେ। ସେ ଅନ୍ୟ ମହିଳାମାନଙ୍କୁ ମଧ୍ୟ ଭେଟିଲେ, ଯେଉଁମାନେ ନିଜ ସ୍ୱାମୀ ବା ପ୍ରିୟଜନଙ୍କୁ ସେପ୍ଟିକ୍ ଟାଙ୍କି ବା ସ୍ୱେରେଜରେ ହରାଇଛନ୍ତି । “ଯେତେବେଳେ ମୁଁ ଜାଣିଲି ଏକମାତ୍ର ମୁଁ ଜୀବନସାଥୀଙ୍କୁ ନର୍ଦ୍ଦମା ଯୋଗୁ ହରାଇନି, ଏମିତି ଶହ ଶହ ମହିଳା ଅଛନ୍ତି, ଯେଉଁମାନଙ୍କର ଦୁଃଖ ସମାନ । ଏହାପରେ ମୁଁ ମୋର ଦୁଃଖକୁ ଦୃଢ଼ତାରେ ବଦଳାଇଦେଲି ।