ଗୋଟିଏ ରବିବାରର ସକାଳ ୧୦:୩୦ରେ କାମ ପାଇଁ ପ୍ରସ୍ତୁତ ହେଉଛନ୍ତି ହନି। ଡ୍ରେସିଂ ଟେବୁଲ ଆଗରେ ଠିଆ ହୋଇ ଓଠରେ ଗାଢ଼ ଲାଲ ରଙ୍ଗର ଲିପ୍‌ଷ୍ଟିକ୍‌ ଲଗାଉଛନ୍ତି। ତାଙ୍କ ସାତ ବର୍ଷର ଝିଅକୁ ଖୁଆଇବା ପାଇଁ ଧାଇଁ ଯାଉ ଯାଉ ସେ କହନ୍ତି, “ଏଇଟା ମୋ ସୁଟ୍‌ ସାଙ୍ଗରେ ପୂରା ମ୍ୟାଚ୍‌ କରିବ।” ଡ୍ରେସିଂ ଟେବୁଲ ଉପରେ କେଇଟା ମାସ୍କ ଓ ହଳେ ଇଅରଫୋନ୍‌ ଝୁଲୁଥିଲା। ଟେବୁଲ ଉପରେ ଅସ୍ତବ୍ୟସ୍ତ ହୋଇ ପଡ଼ି ରହିଥିଲା କେତେକ ପ୍ରସାଧନ ଓ ଅଙ୍ଗସଜ୍ଜା ସାମଗ୍ରୀ ଏବଂ ଦର୍ପଣରେ ପ୍ରତିଫଳିତ ହେଉଥିଲା ଘରର ଗୋଟିଏ କୋଣରେ ଟଙ୍ଗା ହୋଇଥିବା କେତେକ ଠାକୁର ଓ ସଂପର୍କୀୟମାନଙ୍କ ଫଟୋଚିତ୍ର।

ନୂଆଦିଲ୍ଲୀର ମଙ୍ଗୋଲପୁରୀ ଅଞ୍ଚଳର ଏକ ବସ୍ତିରେ ରହିଥିବା ତାଙ୍କ ଗୋଟିଏ ବଖରାର ଘରଠାରୁ ପ୍ରାୟ ୭-୮ କିଲୋମିଟର ଦୂର ଏକ ହୋଟେଲରେ ଜଣେ ଗ୍ରାହକଙ୍କୁ ଭେଟିବା ଲାଗି ହନି (ପରିବର୍ତ୍ତିତ ନାମ) ପ୍ରସ୍ତୁତ ହେଉଛନ୍ତି । ଏବେ ତାଙ୍କ ବୟସ ପ୍ରାୟ ୩୨ ବର୍ଷ ଏବଂ ପେସାରେ ସେ ଜଣେ ଯୌନକର୍ମୀ । ତାଙ୍କ ଘରପାଖ ରାଜଧାନୀର ନାଙ୍ଗଲୋଇ ଜାଟ୍ ଅଞ୍ଚଳରେ କାମ କରନ୍ତି । ସେ ଗ୍ରାମୀଣ ହରିଆଣାର ମୂଳ ବାସିନ୍ଦା । “ମୁଁ ୧୦ ବର୍ଷ ତଳେ ଏଠାକୁ ଆସିଥିଲି ଏବଂ ଏବେ ଏଠାକାର ବାସିନ୍ଦା । କିନ୍ତୁ ଦିଲ୍ଲୀ ଆସିବା ପରଠାରୁ ମୋ ଜୀବନରେ ଗୋଟିଏ ପରେ ଗୋଟିଏ ଦୁର୍ଯୋଗ ଲାଗି ରହିଛି ।”

କେଉଁଭଳି ଦୁର୍ଯୋଗ ?

“ଚାରି ଚାରି ଥର ଗର୍ଭପାତ ତୋ ବହୁତ ବଡ଼ି ବାତ୍‌ ହୈ (ତ ବହୁତ ବଡ଼ କଥା) !ସେ ସବୁ ସେତେବେଳେ ଘଟିଥିଲା, ଯେତେବେଳେ ମତେ ଖାଇବାକୁ ଦେବାକୁ, ମୋର ଦେଖାଶୁଣା କରିବାକୁ ଏବଂ ମତେ ହସ୍‌ପିଟାଲ ନେବାକୁ କେହି ନଥିଲେ,” ଫିକା ହସ ହସି ହନି କହନ୍ତି । ନିଜେ ନିଜେ ସେ ବହୁ ପଥ ଅତିକ୍ରମ କରି ଆସିଛନ୍ତି ବୋଲି ସୂଚାଇ ଦିଏ ତାଙ୍କ ହସ ।

ସେ କହନ୍ତି, “ମୁଁ ଏହି କାମକୁ ଆଦରି ନେବାର ଏହା ହିଁ ଏକମାତ୍ର କାରଣ । ମୋ ପାଖରେ ଖାଇବା ଲାଗି କି ମୋ ପେଟ ଭିତରେ ଥିବା ଛୁଆକୁ ଖୁଆଇବା ଲାଗି ପଇସା ନଥିଲା । ପଞ୍ଚମ ଥର ପାଇଁ ମୁଁ ଗର୍ଭବତୀ ହୋଇଥିଲି । ଦୁଇ ମାସର ଗର୍ଭାବସ୍ଥା ସମୟରେ ମୋ ସ୍ଵାମୀ ମତେ ଛାଡ଼ି ପଳାଇଲେ । ମୋର ଅସୁସ୍ଥତା କାରଣରୁ ଲଗାତାର କେତେକ ଘଟଣା ଘଟିବା ପରେ ମୁଁ ଯେଉଁ ପ୍ଲାଷ୍ଟିକ ଡବା କାରଖାନାରେ କାମ କରୁଥିଲି, ସେଠିକା କର୍ତ୍ତୃପକ୍ଷ ମତେ ଚାକିରିରୁ ବାହାର କରିଦେଲେ । ମୁଁ ସେଠାରେ ମାସକୁ ୧୦,୦୦୦ ଟଙ୍କା ରୋଜଗାର କରୁଥିଲି ।”

ହରିଆଣାରେ ରହୁଥିବା ବେଳେ ମାତ୍ର ୧୬ ବର୍ଷ ବୟସରେ ହନିଙ୍କୁ ତାଙ୍କ ବାପାମାଆ ବାହା କରାଇ ଦେଇଥିଲେ । ସେ ଓ ଡ୍ରାଇଭର ଭାବରେ କାମ କରୁଥିବା ତାଙ୍କ ସ୍ଵାମୀ ସେଠାରେ କେଇ ବର୍ଷ ରହିଲେ । ତାଙ୍କୁ ପ୍ରାୟ ୨୨ ବର୍ଷ ହୋଇଥିବା ବେଳେ ସେମାନେ ଦିଲ୍ଲୀ ପଳାଇ ଆସିଲେ । କିନ୍ତୁ ଥରେ ସେଠାରେ ପହଞ୍ଚିଯିବା ପରେ ତାଙ୍କ ନିଶାଖୋର ସ୍ଵାମୀଙ୍କୁ ଘରେ ଦେଖିବାକୁ ମିଳିଲାନି । ସେ କହନ୍ତି, “ମାସ ମାସ ଧରି ସେ ବାହାରେ ରହନ୍ତି । କୋଉଠି ? ମୁଁ ଜାଣିନି । ଏବେ ବି ସେ ସେଇଆ କରନ୍ତି ଏବଂ କିଛି କହନ୍ତି ନାହିଁ । କୌଣସି ଅନ୍ୟ ମହିଳାଙ୍କ ସହ ଚାଲି ଯାଆନ୍ତି ଏବଂ ପଇସା ସରିଗଲେ ଘରକୁ ଆସନ୍ତି । ସେ ଘରେ ଖାଦ୍ୟ ପହଞ୍ଚାଇବାରେ ନିୟୋଜିତ ଏଜେଣ୍ଟ ଭାବରେ କାମ କରନ୍ତି ଏବଂ ପ୍ରାୟତଃ ନିଜ ରୋଜଗାରକୁ ନିଜ ପାଇଁ ଖର୍ଚ୍ଚ କରନ୍ତି । ମୋର ଚାରି ଚାରି ଥର ଗର୍ଭପାତ ହେବା ପଛରେ ତାହା ହିଁ ମୁଖ୍ୟ କାରଣ । ମୋ ପାଇଁ ଦରକାରୀ କୌଣସି ଔଷଧପତ୍ର କି ସ୍ଵାସ୍ଥ୍ୟକର ଖାଦ୍ୟ ସେ ଆଣି ଦିଅନ୍ତି ନାହିଁ । ମୋତେ ଦୁର୍ବଳ ଲାଗୁଥାଏ ।”

'I was five months pregnant and around 25 when I began this [sex] work', says Honey
PHOTO • Jigyasa Mishra

ହନି କୁହନ୍ତି, 'ମୁଁ ପାଞ୍ଚ ମାସର ଗର୍ଭବତୀ ଥିଲି ଏବଂ ଯେତେବେଳେ ମୁଁ ଏହି [ଯୌନ] କାର୍ଯ୍ୟ ଆରମ୍ଭ କରିଥିଲି ସେତେବେଳେ ପ୍ରାୟ ୨୫ ବର୍ଷ ହୋଇଥିଲା

ହନି ଏବେ ତାଙ୍କ ଝିଅ ସହିତ ମଙ୍ଗୋଲପୁରୀରେ ତାଙ୍କ ଘରେ ରହନ୍ତି ଏବଂ ଘର ପାଇଁ ମାସକୁ ୩,୫୦୦ ଟଙ୍କା ଭଡ଼ା ଦିଅନ୍ତି । ତାଙ୍କ ସ୍ଵାମୀ ସେମାନଙ୍କ ସହିତ ରହନ୍ତି, କିନ୍ତୁ ଏବେ ବି କେଇ କେଇ ମାସ ଧରି ଘରେ ଦେଖା ଦିଅନ୍ତିନି । ହନି କହନ୍ତି, “ଚାକିରି ହରାଇବା ପରେ ତିଷ୍ଠି ରହିବାକୁ ମୁଁ ବହୁ ଚେଷ୍ଟା କଲି, ହେଲେ ପାରିଲିନି । ତା’ପରେ ଗୀତା ଦିଦି ମତେ ଯୌନକାମ କଥା କହିଲେ ଏବଂ ମୋ ପାଇଁ ପ୍ରଥମ ଗ୍ରାହକ ଆଣିଦେଲେ । ଏ କାମ ଆରମ୍ଭ କରିବା ସମୟରେ ମୁଁ ପାଞ୍ଚ ମାସର ଗର୍ଭବତୀ ଥିଲି ଏବଂ ମୋତେ ସେତେବେଳେ ପ୍ରାୟ ୨୫ ବର୍ଷ ବୟସ ହୋଇଥିଲା ।” ଆମେ କଥାବାର୍ତ୍ତା କରୁଥିବା ସମୟରେ ସେ ତାଙ୍କ ଝିଅକୁ ଖୁଆଉଥାଆନ୍ତି । ହନିଙ୍କ ଝିଅ ଗୋଟିଏ ଘରୋଇ ଇଂଲିଶ ମାଧ୍ୟମ ସ୍କୁଲରେ ୨ୟ ଶ୍ରେଣୀରେ ପଢ଼େ ଏବଂ ସ୍କୁଲ ଫି’ ବାବଦରେ ମାସକୁ ୬୦୦ ଟଙ୍କା ଦେବାକୁ ପଡ଼େ । ଲକ୍‌ଡାଉନ ସମୟରେ ପିଲାଟି ହନିଙ୍କ ମୋବାଇଲ ଫୋନ୍‌ରେ ଅନ୍‌ଲାଇନ୍‌ କ୍ଲାସରେ ପଢ଼େ । ସେଇ ମୋବାଇଲ, ଯେଉଁଥିରେ ତାଙ୍କ ଗ୍ରାହକମାନେ ତାଙ୍କ ସହିତ ଯୋଗାଯୋଗ କରନ୍ତି ।

“ଏ କାମରୁ ମତେ ଘରଭଡ଼ା ଦେବା ଏବଂ ଖାଦ୍ୟ ଓ ଔଷଧପତ୍ର କିଣିବା ପାଇଁ ଯଥେଷ୍ଟ ଟଙ୍କା ମିଳିଲା । ଆରମ୍ଭ କରିବା ସମୟରେ ମୁଁ ମାସକୁ ୫୦,୦୦୦ ଟଙ୍କା ରୋଜଗାର କରୁଥିଲି । ସେତେବେଳେ ମୁଁ କମ୍‌ ବୟସର ଏବଂ ସୁନ୍ଦରୀ ଥିଲି । ଏବେ ମୁଁ ଟିକେ ମୋଟା ହୋଇଯାଇଛି,” ହସି ହସି ହନି କହନ୍ତି । “ମୁଁ ଭାବିଥିଲି ପ୍ରସବ ପରେ ମୁଁ ଏ କାମ ଛାଡ଼ି ଦେବି ଏବଂ କାମୱାଲି (ଘରୋଇ ଚାକରାଣୀ) କିମ୍ବା ଝାଡୁ ମାରିବା ଭଳି କାମ ହେଉ ପଛେ, କିଛି ଭଲ କାମ ଖୋଜିବି । କିନ୍ତୁ ମୋ ପାଇଁ ନିୟତିର ଯୋଜନା ଥିଲା କିଛିଟା ଭିନ୍ନ ।

ହନି କହନ୍ତି, “ଗର୍ଭାବସ୍ଥାରେ ବି ମୁଁ ରୋଜଗାର କରିବାକୁ ବେଶ ଆଗ୍ରହୀ ଥିଲି । କାରଣ ପଞ୍ଚମ ଥର ଗର୍ଭପାତ ହେଉ ବୋଲି ମୁଁ ଚାହୁଁ ନଥିଲି । ମୋ ଗର୍ଭର ଛୁଆକୁ ସବୁଠାରୁ ଭଲ ଔଷଧ ଓ ପୁଷ୍ଟିକର ଖାଦ୍ୟ ଦେବାକୁ ମୁଁ ଚାହୁଁଥିଲି । ଏହି କାରଣରୁ ହିଁ ମୁଁ ଗର୍ଭାବସ୍ଥାର ନବମ ମାସରେ ବି ଗ୍ରାହକଙ୍କୁ ଗ୍ରହଣ କରୁଥିଲି । ଏଥିରେ ଖୁବ୍‌ କଷ୍ଟ ହେଉଥିଲା, ହେଲେ ମୋ ପାଖରେ ଅନ୍ୟ କିଛି ବାଟ ନଥିଲା । ଏଥିରୁ ଯେ ନୂଆ କିଛି ଜଟିଳ ଅବସ୍ଥା ସୃଷ୍ଟି ହୋଇପାରେ, ସେ କଥା ମୁଁ ଜାଣିନଥିଲି ।”

ଲକ୍ଷ୍ନୌର ଜଣେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡକ୍ଟର ନୀଲମ ସିଂହ PARIକୁ କହିଲେ, “ଗର୍ଭାବସ୍ଥାର ଶେଷ ତିନି ମାସରେ ଯୌନକ୍ରିୟା ଅନେକ ଦୃଷ୍ଟିରୁ ବିପଜ୍ଜନକ ହୋଇପାରେ । ଗର୍ଭବତୀ ମହିଳାଙ୍କ ଗର୍ଭାଶୟର ଆବରଣ ନଷ୍ଟ ହୋଇଯାଇପାରେ ଏବଂ ସେ ହୁଏତ ଯୌନ ସଂକ୍ରମଣ ଜନିତ ରୋଗରେ ପୀଡ଼ିତ ହୋଇପାରନ୍ତି । ହୁଏତ ସେ ନିର୍ଦ୍ଧାରିତ ସମୟ ପୂର୍ବରୁ ଗର୍ଭଯନ୍ତ୍ରଣା ଅନୁଭବ କରିପାରନ୍ତି ଏବଂ ଗର୍ଭସ୍ଥ ଶିଶୁଟି ମଧ୍ୟ ଯୌନ ସଂକ୍ରମଣ ଜନିତ ରୋଗରେ ପଡ଼ିପାରେ । ଏବଂ ଗର୍ଭାବସ୍ଥାର ପ୍ରାରମ୍ଭିକ ପର୍ଯ୍ୟାୟରେ ବାରମ୍ବାର ଯୌନକ୍ରିୟା ଯୋଗୁଁ ଗର୍ଭପାତ ମଧ୍ୟ ହୋଇପାରେ । ଅଧିକାଂଶ ସମୟରେ ଯୌନକର୍ମୀ ରୂପେ କାର୍ଯ୍ୟରତ ମହିଳାମାନେ ଗର୍ଭଧାରଣ କରିବାରୁ ଦୂରେଇ ରହନ୍ତି । କିନ୍ତୁ, ଯଦି ସେମାନେ ଗର୍ଭବତୀ ହୁଅନ୍ତି ଏବଂ ନିଜ କାମ ଅବ୍ୟାହତ ରଖନ୍ତି, ତାହେଲେ ବେଳେବେଳେ ଏହା ବିଳମ୍ବିତ ଏବଂ ଅସୁରକ୍ଷିତ ଗର୍ଭପାତର କାରଣ ହୋଇପାରେ ଏବଂ ସେମାନଙ୍କ ପ୍ରଜନନ କ୍ଷମତା ନଷ୍ଟ ହେବାର ଆଶଙ୍କା ସୃଷ୍ଟି ହୋଇଥାଏ ।”

ହନି କହନ୍ତି, “ଅସହ୍ୟ ଯନ୍ତ୍ରଣା ଏବଂ ଦେହ କୁଣ୍ଡାଇ ହେବାରୁ ଯେତେବେଳେ ମୁଁ ସୋନୋଗ୍ରାଫି କରାଇଲି, ସେତେବେଳେ ଜାଣିପାରିଲି ଯେ ମୋ ଜଙ୍ଘ ଓ ତଳିପେଟରେ ଅସ୍ଵାଭାବିକ ଆଲର୍ଜି ଦେଖାଦେଇଛି ଏବଂ ଯୌନାଙ୍ଗ ଫୁଲିଯାଇଛି । ସେତେବେଳର ସେହି ଯନ୍ତ୍ରଣା ଏବଂ ଚିକିତ୍ସା ବାବଦ ଖର୍ଚ୍ଚ କଥା ଜାଣି ମତେ ମରିଯିବା ଭଳି ଲାଗୁଥିଲା ।” ଏହା ଯୌନ ସଂକ୍ରମଣ ଜନିତ ରୋଗ ବୋଲି ଡାକ୍ତର ତାଙ୍କୁ କହିଲେ । “କିନ୍ତୁ ମୋର ଜଣେ ଗ୍ରାହକ ମୋତେ ମାନସିକ ଏବଂ ଆର୍ଥିକ ସହଯୋଗ କରିଥିଲେ । ମୁଁ ମୋ ପେସା ସଂପର୍କରେ ଡାକ୍ତରଙ୍କୁ କହି ନଥିଲି । ସେଥିରେ ସମସ୍ୟା ଉପୁଜିବାର ଆଶଙ୍କା ବି ଥିଲା । ଯଦି ସେ ମୋ ସ୍ଵାମୀଙ୍କୁ ଦେଖା କରିବାକୁ ଚାହିଁଥାଆନ୍ତେ, ତେବେ ମୁଁ ହୁଏତ ମୋର ଜଣେ ଗ୍ରାହକଙ୍କୁ ତାଙ୍କ ପାଖକୁ ନେଇଯାଇଥାଆନ୍ତି ।”

ହନି କହନ୍ତି, “ସେହି ବ୍ୟକ୍ତିଙ୍କୁ ଧନ୍ୟବାଦ । ତାଙ୍କରି ଯୋଗୁଁ ମୁଁ ଓ ମୋ ଝିଅ ଆଜି ସୁସ୍ଥ ଅଛୁ । ମୋ ଚିକିତ୍ସା ସମୟର ଅଧା ଖର୍ଚ୍ଚ ସେ ତୁଲାଇଥିଲେ । ସେତେବେଳେ ହିଁ ମୁଁ ଠିକ୍‌ କଲି ଯେ ଆଗକୁ ମୁଁ ଏଇ କାମ ଜାରି ରଖିବି ।”

'I felt like killing myself with all that pain and the expenses I knew would follow,' says Honey, who had contracted an STD during her pregnancy
PHOTO • Jigyasa Mishra
'I felt like killing myself with all that pain and the expenses I knew would follow,' says Honey, who had contracted an STD during her pregnancy
PHOTO • Jigyasa Mishra

ସେତେବେଳର ସେହି ଯନ୍ତ୍ରଣା ଏବଂ ଚିକିତ୍ସା ବାବଦ ଖର୍ଚ୍ଚ କଥା ଜାଣି ମତେ ମରିଯିବା ଭଳି ଲାଗୁଥିଲା’, ଗର୍ଭାବସ୍ଥାରେ ଯୌନ ସଂକ୍ରମଣ ଜନିତ ରୋଗରେ ପୀଡ଼ିତା ହନି କହନ୍ତି

ନ୍ୟାସନାଲ ନେଟ୍‌ୱାର୍କ ଫର ସେକ୍‌ସ ୱାର୍କର୍ସ (NNSW) ସଂଗଠନର ସଂଯୋଜିକା କିରଣ ଦେଶମୁଖ କହନ୍ତି, “ଅନେକ ସଂସ୍ଥା ସେମାନଙ୍କୁ ଗର୍ଭନିରୋଧକ କଣ୍ଡୋମ ବ୍ୟବହାରର ଗୁରୁତ୍ଵ ସଂପର୍କରେ ବୁଝାଇଥାଆନ୍ତି । ହେଲେ, ଯୌନକର୍ମୀ ମହିଳାମାନଙ୍କ କ୍ଷେତ୍ରରେ ଗର୍ଭନଷ୍ଟ ତୁଳନାରେ ଗର୍ଭପାତ କରାଇବା ଅଧିକ ଦେଖାଯାଏ । କିନ୍ତୁ, ସାଧାରଣତଃ ସେମାନେ ସରକାରୀ ଡାକ୍ତରଖାନାକୁ ଯାଆନ୍ତି ଏବଂ ସେଠାରେ ସେମାନଙ୍କ ବୃତ୍ତି ସଂପର୍କରେ ଜାଣିବା ପରେ ଡାକ୍ତରମାନେ ମଧ୍ୟ ସେମାନଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରନ୍ତି ।”

ଡାକ୍ତରମାନେ କେମିତି ଜାଣିପାରନ୍ତି ?

“ସେମାନେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ,” ଦେଶମୁଖ ସୂଚାଇ ଦିଅନ୍ତି । ସେ ମଧ୍ୟ ମହାରାଷ୍ଟ୍ରର ସାଙ୍ଗଲିରେ ଥିବା ବେଶ୍ୟା ଅନ୍ୟାୟ ମୁକ୍ତି ପରିଷଦ (VAMP) ସଂଗଠନର ସଭାପତି । ସେ କହନ୍ତି, “ଯେତେବେଳେ ସେମାନେ ମହିଳାମାନଙ୍କ ଠିକଣା ପଚାରନ୍ତି ଏବଂ ସେମାନେ କେଉଁ ଅଞ୍ଚଳରୁ ଆସିଛନ୍ତି ବୋଲି ଜାଣନ୍ତି, ସେମାନେ ଏ କଥା ବି ଜାଣିପାରନ୍ତି । ତା’ପରେ ମହିଳାମାନଙ୍କୁ (ଗର୍ଭପାତ କରାଇବା ପାଇଁ) ତାରିଖ ଦିଆଯାଏ ଏବଂ ପ୍ରାୟତଃ ତାହା ଆଗକୁ ଘୁଞ୍ଚିଥାଏ । ଏବଂ ଅନେକ କ୍ଷେତ୍ରରେ,‘ତମର (ଗର୍ଭଧାରଣର) ଚାରି ମାସରୁ ଅଧିକ ହେଲାଣି ଏବଂ ଏବେ ଗର୍ଭପାତ କରାଇବା ବେଆଇନ ହେବ’ ବୋଲି କହି ପରିଶେଷରେ ଡାକ୍ତରମାନେ  ଗର୍ଭପାତ କରାଇବା ସମ୍ଭବ ନୁହେଁ ବୋଲି ଜଣାଇ ଦିଅନ୍ତି।

ସେମାନଙ୍କ ମଧ୍ୟରୁ ଅଳ୍ପ କେତେକ ମହିଳା ସରକାରୀ ଡାକ୍ତରଖାନାରୁ କୌଣସି ପ୍ରକାର ଚିକିତ୍ସା ସହାୟତାକୁ ଏଡ଼ାଇ ଯାଆନ୍ତି । ୨୦୦୭ରେ ପ୍ରକାଶିତ ମାନବ ଚାଲାଣ ଏବଂ ଏଚ୍‌ଆଇଭି/ଏଡ୍‌ସ ସଂପର୍କିତ ମିଳିତ ଜାତିସଂଘ ଉନ୍ନୟନ କାର୍ଯ୍ୟକ୍ରମର ଏକ ପ୍ରକଳ୍ପ ରିପୋର୍ଟ ଅନୁସାରେ, “୫୦ପ୍ରତିଶତ ଯୌନକର୍ମୀ (ନଅଟି ରାଜ୍ୟରେ କରାଯାଇଥିବା ସର୍ଭେ) ସରକାରୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ପ୍ରସବ ଓ ପ୍ରସବ ପୂର୍ବବର୍ତ୍ତୀ ସେବାଯତ୍ନ ଲୋଡ଼ିବାକୁ ଚାହାଁନ୍ତି ନାହିଁ ।” ଏହାର କାରଣ ଭିତରେ ରହିଛି ସାମାଜିକ ଅପବାଦ ଓ ଭିନ୍ନ ମନୋଭାବ ଆଶଙ୍କା ଏବଂ ଜରୁରୀକାଳୀନ ପ୍ରସବର ଆବଶ୍ୟକତା ।

ଯୌନ କାରବାର ପାଇଁ ଯୁବତୀ ଚାଲାଣ ବିରୋଧରେ ଗତ ୨୫ ବର୍ଷ ଧରି ସଂଗ୍ରାମ କରିଆସୁଥିବା ବାରାଣସୀର ‘ଗୁଡ଼ିୟା ସଂସ୍ଥା’ର ପ୍ରତିଷ୍ଠାତା ଓ ନିର୍ଦ୍ଦେଶକ ଅଜିତ ସିଂହ କହନ୍ତି, “ପ୍ରଜନନ ସ୍ଵାସ୍ଥ୍ୟ ସହିତ ଏହି ବୃତ୍ତିର ସିଧାସଳଖ ସଂପର୍କ ରହିଛି’’ । ସେ ମଧ୍ୟ ଦିଲ୍ଲୀର ଜିବି ରୋଡ୍‌ ଅଞ୍ଚଳରେ ମହିଳାମାନଙ୍କ ସହାୟତା ପାଇଁ କାର୍ଯ୍ୟରତ ବିଭିନ୍ନ ସଂଗଠନ ସହିତ କାର୍ଯ୍ୟ କରିଛନ୍ତି ଏବଂ ତାଙ୍କ ଅନୁଭୂତି ଆଧାରରେ କହନ୍ତି, “ଯୌନକର୍ମୀ ଭାବେ କାର୍ଯ୍ୟରତ ୭୫-୮୦ ପ୍ରତିଶତ ମହିଳାଙ୍କର ପ୍ରଜନନ ସ୍ଵାସ୍ଥ୍ୟ କ୍ଷେତ୍ରରେ କିଛି ନା କିଛି ସମସ୍ୟା ରହିଛି ।”

ନାଙ୍ଗଲୋଇ ଜାଟ୍‌କୁ ଫେରିବା । ହନି କହନ୍ତି, “ଆମର ସବୁ ପ୍ରକାର ଗ୍ରାହକ ଅଛନ୍ତି । ଏମ୍‌ବିବିଏସ୍‌ ଡାକ୍ତରଙ୍କଠାରୁ ପୋଲିସବାଲା ଯାଏ, ଛାତ୍ରଙ୍କଠାରୁ ରିକ୍‌ସାବାଲା ଯାଏ, ସମସ୍ତେ ଆମ ପାଖକୁ ଆସନ୍ତି । ଯୁବା ବୟସରେ ଆମେ କେବଳ ଅଧିକ ଟଙ୍କା ଦେଉଥିବା ଗ୍ରାହକମାନଙ୍କ ସାଙ୍ଗରେ ଯାଉ । କିନ୍ତୁ ବୟସ ବଢ଼ିବା ସହିତ ଗ୍ରାହକ ବାଛିବା ବନ୍ଦ କରିଦେଉ । ପ୍ରକୃତରେ ଆମକୁ ଏହି ଡାକ୍ତର ଓ ପୋଲିସବାଲାଙ୍କ ସହିତ ଭଲ ସଂପର୍କ ରଖିବାକୁ ପଡ଼େ । କିଏ ଜାଣେ, କେତେବେଳେ ସେମାନେ କାମରେ ଲାଗିବେ ।”

ଏବେ ସେ ମାସକୁ କେତେ ରୋଜଗାର କରନ୍ତି ?

ହନି କହନ୍ତି, “ଯଦି ଆମେ ଲକ୍‌ଡାଉନ୍‌ ସମୟକୁ ବାଦ୍‌ ଦେଉ, ତେବେ ମୁଁ ମାସକୁ ୨୫,୦୦୦ ଟଙ୍କା ରୋଜଗାର କରୁଥିଲି । ଭିନ୍ନ ଭିନ୍ନ ଗ୍ରାହକଙ୍କ ଦେୟ ବି ଭିନ୍ନ ଭିନ୍ନ । ତାହା ସେମାନଙ୍କ ବୃତ୍ତି ଉପରେ ନିର୍ଭର କରେ । ଆମେ (ସେମାନଙ୍କ ସହ) ପୂରା ରାତି କାଟୁ କି ମାତ୍ର କେଇ ଘଣ୍ଟା, ତା ଉପରେ ବି ଏହା ନିର୍ଭର କରେ । ଗ୍ରାହକଙ୍କ ଉପରେ ସନ୍ଦେହ ହେଲେ ଆମେ ସେମାନଙ୍କ ସହିତ ହୋଟେଲକୁ ଯାଉନାହିଁ । ବରଂ ଆମ ନିଜ ଜାଗାକୁ ଡାକିଥାଉ । କିନ୍ତୁ ମୋ କ୍ଷେତ୍ରରେ, ମୁଁ ସେମାନଙ୍କୁ ଏଠାକୁ, ନାଙ୍ଗଲୋଇ ଜାଟ୍‌ର ଗୀତା ଦିଦିଙ୍କ ଘରକୁ ଆଣିଥାଏ । ଏଠାରେ ମୁଁ ପ୍ରତି ମାସରେ କେଇ ରାତି ଆଉ କେଇ ଦିନ ପାଇଁ ରହେ । ଗ୍ରାହକମାନେ ମତେ ଯାହା ଦିଅନ୍ତି ତା’ର ଅଧା ସେ ନିଅନ୍ତି । ସେଇଟା ତାଙ୍କ କମିଶନ ।” ଦେୟ ଅର୍ଥର ପରିମାଣ ବଦଳିଥାଏ, କିନ୍ତୁ ପୂରା ରାତି ପାଇଁ ତାଙ୍କର ପାଉଣା, ସେ କହନ୍ତି, ଅତି କମ୍‌ରେ ୧,୦୦୦ ଟଙ୍କା ।

Geeta (in orange) is the overseer of sex workers in her area; she earns by offering her place for the women to meet clients
PHOTO • Jigyasa Mishra
Geeta (in orange) is the overseer of sex workers in her area; she earns by offering her place for the women to meet clients
PHOTO • Jigyasa Mishra

ଗୀତା (କମଳା ରଙ୍ଗର ପୋଷାକରେ) ତାଙ୍କ ଅଞ୍ଚଳର ଯୌନକର୍ମୀମାନଙ୍କର ଦେଖାଶୁଣା କରନ୍ତି; ଗ୍ରାହକମାନଙ୍କୁ ଭେଟିବାକୁ ତାଙ୍କ ଘର ଦିଅନ୍ତି

୪୦ ବର୍ଷରୁ କିଛି ଅଧିକ ବୟସର ଗୀତା ଏ ଅଞ୍ଚଳରେ ଯୌନକର୍ମୀମାନଙ୍କର ଦେଖାଶୁଣା କରନ୍ତି । ସେ ନିଜେ ମଧ୍ୟ ଦେହ ବ୍ୟାପାର (ଦେହ ବ୍ୟବସାୟ) କରନ୍ତି, କିନ୍ତୁ ମୁଖ୍ୟତଃ, ଅନ୍ୟ ମହିଳାମାନଙ୍କ ବ୍ୟବହାର ପାଇଁ ତାଙ୍କ ଘର ଦେଇ ସେମାନଙ୍କଠାରୁ ମିଳୁଥିବା କମିଶନରୁ ଜୀବିକା ଅର୍ଜନ କରନ୍ତି । ସରଳ ଭାବରେ ଗୀତା କହନ୍ତି, “ଅଭାବରେ ପଡ଼ିଥିବା ମହିଳାମାନଙ୍କୁ ମୁଁ ଏହି କାମକୁ ନେଇ ଆସେ ଏବଂ ସେମାନଙ୍କ ପାଖରେ ଜାଗା ନଥିଲେ ମୁଁ ମୋ ନିଜ ଘର ଦେଇଥାଏ । ମୁଁ ସେମାନଙ୍କ ରୋଜଗାରରୁ ମାତ୍ର ୫୦ ପ୍ରତିଶତ ନେଇଥାଏ ।”

ହନି କହନ୍ତି, “ମୋ ଜୀବନରେ ମୁଁ ବହୁତ କିଛି ଦେଖିଛି । ପ୍ଲାଷ୍ଟିକ୍‌ ଫ୍ୟାକ୍ଟରୀରେ କାମ କରିବା ଏବଂ ମୋ ସ୍ଵାମୀ ମୋତେ ଛାଡ଼ି ଚାଲିଯାଇଥିବା କାରଣରୁ ସେଠାରୁ ବାହାର କରିଦିଆଯିବାରୁ ଆରମ୍ଭ କରି ଏହି ଯୌନ ରୋଗ ସଂକ୍ରମଣ ପର୍ଯ୍ୟନ୍ତ, ଯେଉଁଥିପାଇଁ ମୁଁ ଏବେ ବି ଔଷଧ ଖାଉଛି । ମତେ ଲାଗୁଛି, ସାରା ଜୀବନ ଏଇ ରୋଗ ଭୋଗିବାକୁ ପଡ଼ିବ ।” ଆଜିକାଲି ତାଙ୍କ ସ୍ଵାମୀ ବି ହନି ଓ ସେମାନଙ୍କ ଝିଅ ସହିତ ରହୁଛନ୍ତି ।

ତାଙ୍କ ବୃତ୍ତି ସଂପର୍କରେ ତାଙ୍କ ସ୍ଵାମୀ ଜାଣନ୍ତି କି ?

ହନି କହନ୍ତି, “ଖୁବ୍‌ ଭଲ ଭାବରେ । ସେ ସବୁ କଥା ଜାଣନ୍ତି । ଏବେ ପଇସାପତ୍ର ପାଇଁ ମୋ ଉପରେ ନିର୍ଭର କରିବାକୁ ତାଙ୍କୁ ବାହାନା ମିଳିଯାଇଛି । ପ୍ରକୃତରେ, ଆଜି ସେ ମୋତେ ହୋଟେଲରେ ଛାଡ଼ିବାକୁ ନେଇଯାଉଛନ୍ତି । କିନ୍ତୁ ମୋ ବାପାମାଆ (ସେମାନେ ଚାଷୀ ପରିବାରର) ଏ ସଂପର୍କରେ କିଛି ହେଲେ ଜାଣିନାହାନ୍ତି । ଆଉ ସେମାନେ ଜାଣନ୍ତୁ ବୋଲି ମୁଁ କେବେହେଲେ ଚାହିଁବିନି । ସେମାନଙ୍କ ବୟସ ବହୁତ ଅଧିକ ହେଲାଣି, ହରିଆଣାରେ ରହୁଛନ୍ତି ।”

ଉଭୟ ନ୍ୟାସନାଲ ନେଟ୍‌ୱାର୍କ ଫର ସେକ୍‌ସ ୱାର୍କର୍ସ ଏବଂ ବେଶ୍ୟା ଅନ୍ୟାୟ ମୁକ୍ତି ପରିଷଦ ସଂଗଠନର ଆଇନ ପରାମର୍ଶଦାତା ପୁଣେର ଆରତି ପାଇ କହନ୍ତି, “ଅନୈତିକ ମାନବ ଚାଲାଣ (ପ୍ରତିରୋଧ) ଆଇନ, ୧୯୫୬ ଅନୁସାରେ ୧୮ ବର୍ଷରୁ ଅଧିକ ବୟସର କୌଣସି ବ୍ୟକ୍ତି ଯୌନକର୍ମୀଙ୍କ ରୋଜଗାରରୁ ଚଳିବା ଏକ ଅପରାଧ । ସେଥିରେ ଯୌନକର୍ମୀଙ୍କ ସହ ରହୁଥିବା ଏବଂ ତାଙ୍କ ରୋଜଗାରରେ ଚଳୁଥିବା ପ୍ରାପ୍ତବୟସ୍କ ସନ୍ତାନ, ଯୋଡ଼ିଦାର/ସ୍ଵାମୀ ଏବଂ ବାପାମାଆ ଅନ୍ତର୍ଭୁକ୍ତ ହୋଇପାରନ୍ତି । ଏଭଳି ବ୍ୟକ୍ତିଙ୍କୁ ସାତ ବର୍ଷ ଯାଏ ଜେଲଦଣ୍ଡ ହୋଇପାରେ ।” କିନ୍ତୁ ହନି ତାଙ୍କ ସ୍ଵାମୀଙ୍କ ବିରୋଧରେ କିଛି କରିବାର ସମ୍ଭାବନା ହିଁ ନାହିଁ ।

ସେ କହନ୍ତି, “ଲକ୍‌ଡାଉନ୍‌ ସରିବା ପରେ ଆଜି ପ୍ରଥମ ଥର ପାଇଁ କୌଣସି ଗ୍ରାହକଙ୍କୁ ଭେଟିବାକୁ ଯାଉଛି । ଆଜିକାଲି ଖୁବ୍‌ କମ ଗ୍ରାହକ ଅଛନ୍ତି, ପ୍ରାୟ କେହି ନାହାନ୍ତି କହିଲେ ଚଳେ । ମହାମାରୀ ବ୍ୟାପିଥିବା ସମୟରେ ଯେଉଁମାନେ ଆମ ପାଖକୁ ଆସୁଛନ୍ତି ସେମାନଙ୍କୁ ପ୍ରାୟତଃ ବିଶ୍ଵାସ କରିହେବନି । ଆଗରୁ ଆମକୁ କେବଳ ଏଚ୍‌ଆଇଭି ଏବଂ ଅନ୍ୟ (ଯୌନ ସଂକ୍ରମଣ ଜନିତ) ରୋଗରୁ ଦୂରେଇ ରହିବାକୁ ପଡୁଥିଲା । ଏବେ ଏ କରୋନା ବି ଅଛି । ଆମ ପାଇଁ ପୂରା ଲକ୍‌ଡାଉନ୍‌ ସମୟଟା ଅଭିଶାପ ଭଳି ହୋଇଛି । ଆଦୌ କୌଣସି ରୋଜଗାର ନାହିଁ- ଏବଂ ସବୁ ସଞ୍ଚିତ ଅର୍ଥ ସରିଗଲାଣି । ଦୁଇ ମାସ ହେଲାଣି ମୁଁ ମୋର ଔଷଧ (ସଂକ୍ରମଣ ନିରୋଧୀ କ୍ରୀମ ଓ ଲୋସନ) କିଣିପାରିନାହିଁ । କାରଣ, ଅତି କଷ୍ଟରେ ବଞ୍ଚି ରହିବା ପାଇଁ କେବଳ ଖାଇବା ଜିନିଷ ଯୋଗାଡ଼ କରିପାରୁଛୁ ।” ଏହା କହିଲା ବେଳେ ମୋଟର ସାଇକେଲ ଆଣି ତାଙ୍କୁ ହୋଟେଲରେ ଛାଡ଼ି ଦେବାକୁ ସ୍ଵାମୀଙ୍କୁ ଡାକ ପକାନ୍ତି ।

ମୁଖପୃଷ୍ଠ ଚିତ୍ରଶିଳ୍ପୀ ଅନ୍ତରା ରମନ, ନିକଟରେ ବେଙ୍ଗାଲୁରୁର ସୃଷ୍ଟି ଆର୍ଟ୍‌ସ, ଡିଜାଇନ ଆଣ୍ଡ ଟେକ୍ନୋଲୋଜିରୁ ଭିଜୁଆଲ କମ୍ୟୁନିକେସନରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି । ତାଙ୍କର ଚିତ୍ରସଜ୍ଜା ଏବଂ ଡିଜାଇନ୍‌ ପ୍ରସ୍ତୁତିରେ, ପରିକଳ୍ପନାମୂଳକ କଳା ଏବଂ ଗଳ୍ପକଥନର ସମସ୍ତ ରୂପରେଖର ଗଭୀର ପ୍ରଭାବ ପରିଲକ୍ଷିତ ହୁଏ ।

ପରୀ ଏବଂ କାଉଣ୍ଟର ମିଡିଆ ଟ୍ରଷ୍ଟର ଉଦ୍ୟମକ୍ରମେ ଗ୍ରାମୀଣ ଭାରତର କିଶୋରୀ ଝିଅ ଏବଂ ଯୁବତୀମାନଙ୍କ ସଂପର୍କରେ ସମଗ୍ର ଦେଶରୁ ଖବର ସଂଗ୍ରହ କରିବା ଏବଂ ଏହି ଗୁରୁତ୍ଵପୂର୍ଣ୍ଣ କିନ୍ତୁ ଅବହେଳିତ ଗୋଷ୍ଠୀର ସ୍ଥିତିକୁ ସାଧାରଣ ଲୋକଙ୍କ ସ୍ଵର ଏବଂ ଅଙ୍ଗେନିଭା ଅନୁଭୂତି ଜରିଆରେ ଉପସ୍ଥାପନ କରିବାର ଏହି ପ୍ରକଳ୍ପ, ପପୁଲେସନ ଫାଉଣ୍ଡେସନ୍‌ ଅଫ୍‌ ଇଣ୍ଡିଆ ସହାୟତାରେ ଆରମ୍ଭ ହୋଇଥିବା ଏକ ଅଭିଯାନର ଅଂଶବିଶେଷ ।

ଏହି ଲେଖାର ପୁନଃପ୍ରକାଶନ ଚାହୁଁଛନ୍ତି କି ? ଦୟାକରି [email protected] ମେଲ୍‌ ଆଇଡିରେ ଲେଖନ୍ତୁ ଏବଂ [email protected] କୁ କପି ପଠାନ୍ତୁ ।

ସ୍ଵାଧୀନ ସାମ୍ବାଦିକତା ପାଇଁ ଠାକୁର ଫ୍ୟାମିଲି ଫାଉଣ୍ଡେସନ ତରଫରୁ ପ୍ରଦତ୍ତ ଏକ ଅନୁଦାନ ଜରିଆରେ ଜନସ୍ଵାସ୍ଥ୍ୟ ଏବଂ ନାଗରିକ ସ୍ଵାଧୀନତା ପ୍ରସଙ୍ଗରେ ଜିଜ୍ଞାସା ମିଶ୍ର ରିପୋର୍ଟ କରନ୍ତି । ଏହି ରିପୋର୍ଟର ବିଷୟବସ୍ତୁ ଉପରେ ଠାକୁର ଫ୍ୟାମିଲି ଫାଉଣ୍ଡେସନ କୌଣସି ସଂପାଦକୀୟ କର୍ତ୍ତୃତ୍ଵ ଜାହିର କରନ୍ତି ନାହିଁ ।

ଅନୁବାଦ: ଓଡ଼ିଶାଲାଇଭ୍‍

Jigyasa Mishra

Jigyasa Mishra is an independent journalist based in Chitrakoot, Uttar Pradesh.

यांचे इतर लिखाण Jigyasa Mishra
Illustration : Antara Raman

Antara Raman is an illustrator and website designer with an interest in social processes and mythological imagery. A graduate of the Srishti Institute of Art, Design and Technology, Bengaluru, she believes that the world of storytelling and illustration are symbiotic.

यांचे इतर लिखाण Antara Raman
Editor : P. Sainath

पी. साईनाथ पीपल्स अर्काईव्ह ऑफ रुरल इंडिया - पारीचे संस्थापक संपादक आहेत. गेली अनेक दशकं त्यांनी ग्रामीण वार्ताहर म्हणून काम केलं आहे. 'एव्हरीबडी लव्ज अ गुड ड्राउट' (दुष्काळ आवडे सर्वांना) आणि 'द लास्ट हीरोजः फूट सोल्जर्स ऑफ इंडियन फ्रीडम' (अखेरचे शिलेदार: भारतीय स्वातंत्र्यलढ्याचं पायदळ) ही दोन लोकप्रिय पुस्तकं त्यांनी लिहिली आहेत.

यांचे इतर लिखाण साइनाथ पी.
Series Editor : Sharmila Joshi

शर्मिला जोशी पारीच्या प्रमुख संपादक आहेत, लेखिका आहेत आणि त्या अधून मधून शिक्षिकेची भूमिकाही निभावतात.

यांचे इतर लिखाण शर्मिला जोशी
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

यांचे इतर लिखाण OdishaLIVE