ଗତ ସେପ୍ଟେମ୍ବରରେ କେନ୍ଦ୍ର ସରକାରଙ୍କ ଦ୍ୱାରା (କୃଷି ଏକ ରାଜ୍ୟ ସରକାରଙ୍କ ପରିସରଭୁକ୍ତ ବିଷୟ ହୋଇଥିବା ସତ୍ତ୍ୱେ)ସଂସଦ ମାଧ୍ୟମରେ ଚାଷୀଙ୍କ ଉପରେ ଲଦି ଦିଆଯାଇଥିବା ଆଇନ ବିରୋଧରେ ଚାଷୀମାନଙ୍କ ରୋଷଭରା ପ୍ରତିବାଦର ସ୍ୱର ସାରା ଦେଶର କବି ଓ କଳାକାରମାନଙ୍କୁ ବ୍ୟଥିତ କରିଛି । ପଞ୍ଜାବର ଏହି ସୁନ୍ଦର କବିତାଟିରେ, ଜଣେ କ୍ଷୁଦ୍ର ଚାଷୀଙ୍କ ନିତିଦିନିଆ ଜୀବନ ସଂଘର୍ଷ ସଂପର୍କିତ କବିଙ୍କ ବେଦନା ପ୍ରତିଫଳିତ ହୋଇଛି । କବିତା ଦ୍ୱାରା ଅନୁପ୍ରାଣିତ ହୋଇ ଏଠାରେ ସ୍ଥାନିତ ସୁନ୍ଦର ଚିତ୍ରଗୁଡ଼ିକ ଅଙ୍କନ କରିଛନ୍ତି ବେଙ୍ଗାଲୁରୁର ଜଣେ ଯୁବ ଚିତ୍ରକର ।


Amritsar, Punjab
|MON, NOV 09, 2020
‘ମୋ ଋଣ ଶୁଝିବା ପାଇଁ ରହିଛି କେଇ ଏକର ଜମି’
ବିଶ୍ୱ ମହାମାରୀ ପ୍ରାଦୁର୍ଭାବ ଓ ଲକ୍ଡାଉନ୍ ସତ୍ତ୍ୱେ ତିନିଟି ନୂତନ କୃଷି ଆଇନ ପ୍ରଚଳନ ବିରୋଧରେ ପ୍ରତିବାଦ କରିବା ଲାଗି ସାରା ଦେଶର ଲକ୍ଷ ଲକ୍ଷ କୃଷକ ସେପ୍ଟେମ୍ବର ୨୫ରୁ ରାସ୍ତାକୁ ବାହାରିଛନ୍ତି । ସେମାନଙ୍କ ସଂଘର୍ଷ ସଂପର୍କିତ ଏକ ବ୍ୟଥାଭରା କବିତା
Author
Translator

ଜଣେ ଚାଷୀଙ୍କ କାହାଣୀ
ହଳ ଚଲାଅ, ବିହନ ବୁଣ, ଚାଷବାସ କର ଏବଂ ଫସଲ କାଟ
ମୋ ପାଦ ତଳର ସୁଫଳା ଧରଣୀକୁ ମୁଁ ଦେଇଥିବା
ଏଇ ସବୁ ପ୍ରତିଶ୍ରୁତି ପୂରଣ କରୁଛି଼
ଏମିତି ଏ ଜୀବନ ....
ଏଇ ଶରୀରରୁ ଶେଷ ନିଶ୍ୱାସ ବାହାରିଲାଯାଏ
ସେହି ମାଟିକୁ ମୁଁ ନିଜ ସ୍ୱେଦରେ ସିକ୍ତ କରିଛି
କେତେ ଝଡ଼କୁ ନିଜ ଛାତି ପତେଇ ଅଟକାଇଛି
ହାଡ଼ଥରା ଶୀତ ହେଉ କିମ୍ବା ଗ୍ରୀଷ୍ମର ତାତି
ମୋ ଭାବନାକୁ କେହି କେବେ ଲେଉଟାଇ ପାରିନାହିଁ
ଏମିତି ଏ ଜୀବନ ....
ଏଇ ଶରୀରରୁ ଶେଷ ନିଶ୍ୱାସ ବାହାରିଲା ଯାଏ
ପ୍ରକୃତି ଯାହା କରିପାରିଲାନି, ତାହା ଏଇ ସରକାର କଲା
ମୋ ଆତ୍ମାର ପୁତ୍ତଳିକାକୁ
ପ୍ରାଚୁର୍ଯ୍ୟର କ୍ଷେତରେ ପାଳଭୂତ କରି ଠିଆ କରାଇଲା
କେବଳ ତା’ର ଆନନ୍ଦ ଏବଂ ଉପହାସ ପାଇଁ
ଏମିତି ଏ ଜୀବନ ....
ଏଇ ଶରୀରରୁ ଶେଷ ନିଶ୍ୱାସ ବାହାରିଲା ଯାଏ
ଅପସରିତ ଦିନମାନଙ୍କରେ, ମୋର ସବୁ କ୍ଷେତ ପ୍ରସାରିତ
ଆକାଶ ଓ ପୃଥିବୀର ମିଳନସ୍ଥଳ ଯାଏ
ହେଲେ ହାୟ ! ଏବେ ମୁଁ କେବଳ ପରିତ୍ୟକ୍ତ
ମୋ ଋଣ ଶୁଝିବା ପାଇଁ କେଇ ଏକର ଜମି ସହିତ
ଏମିତି ଏ ଜୀବନ ....
ମୁଁ ଶେଷ ନିଶ୍ୱାସ ଛାଡ଼ିଲା ଯାଏ
ମୋର ସେଇ ସୁନାର ଅମଳ, ଶ୍ୱେତ, ଓ ସବୁଜ
ବଜାରକୁ ମୁଁ ଆଣେ ଅନେକ ଆଶାର ସମ୍ଭାର
ଚୂର୍ଣ୍ଣବିଚୂର୍ଣ୍ଣ ଆଶା ଏବଂ ରିକ୍ତ ହସ୍ତ
ଏହା ହିଁ ମୋ କ୍ଷେତର ଉପହାର
ଏମିତି ଏ ଜୀବନ ....ମତେ ଦୁଃଖକଷ୍ଟରୁ
ନିସ୍ତାରିବା ପାଇଁ ମୃତ୍ୟୁର ସମ୍ମତି ଯାଏ
ଶିଶୁମାନଙ୍କର ଆର୍ତ୍ତଚିତ୍କାର, ଭୋକିଲା, ନିରକ୍ଷର
ଏବେ ସେମାନଙ୍କ ସବୁ ସ୍ୱପ୍ନ ବିଚ୍ଛୁରିତ
ସେଇ ଛାତ ତଳେ, ଖାଲି ଯାହା ଧ୍ୱଂସାବଶେଷ
ଭଗ୍ନ ଶରୀର, ଛିନ୍ନଭିନ୍ନ ଆତ୍ମା
ଏମିତି ଏ ଜୀବନ ....
ଏଇ ଶରୀରରୁ ଶେଷ ନିଶ୍ୱାସ ବାହାରିଲା ଯାଏ
ଆଉ ନାହିଁ ରତ୍ନ, ନାହିଁ ଅଳଙ୍କାର
କେବଳ ଶୂନ୍ୟ ଉଦର, ପରିତ୍ୟକ୍ତ ଆତ୍ମା
ତଥାପି ମୋତେ କଥା ରଖିବାକୁ ହେବ
କ୍ଷୁଧା ଆଉ ଲାଳସାକୁ ପ୍ରଶମିତ କରିବାକୁ ହେବ
ଏମିତି ଏ ଜୀବନ ....
ଏଇ ଶରୀରରୁ ଶେଷ ନିଶ୍ୱାସ ବାହାରିଲା ଯାଏ
ମୁଁ ଯେଉଁ ସୁନାର ଫସଲ ଅମଳ କରିଛି
ତାକୁ ରଖିବାକୁ ଚାହୁଁନାହିଁ କୌଣସି ବେପାରୀ
ଋଣ ବୋଝ ତଳେ, ଏତେ ଗଭୀର ସଂକଟରେ
ଧିମେଇ ଯାଇଛି ମୋ ଭାରାକ୍ରାନ୍ତ ହୃତ୍ପିଣ୍ଡର ସ୍ପନ୍ଦନ
ଏମିତି ଏ ଜୀବନ ....
ଏଇ ଶରୀରରୁ ଶେଷ ନିଶ୍ୱାସ ବାହାରିଲା ଯାଏ
ରହିଛି କି ଆଉ କିଛି ସମାଧାନର ଉପାୟ ?
ନା ଏହା ଫାଶୀରଜ୍ଜୁ ନା ବିଦ୍ରୋହ
ଦାଆ ଓ ଖଣତି ଆଉ ଉପକରଣ ନୁହେଁ
ବରଂ ଏବେ ପ୍ରକୃତରେ ଅସ୍ତ୍ରଶସ୍ତ୍ର
ଏମିତି ଏ ଜୀବନ ....
ଏଇ ଶରୀରରୁ ଶେଷ ନିଶ୍ୱାସ ବାହାରିଲା ଯାଏ
ଅମୃତସରର ଜଣେ ସ୍ଥପତି ଜୀନା ସିଂହଙ୍କ ଦ୍ୱାରା ମୂଳ ପଞ୍ଜାବୀ ରଚନାରୁ ଅନୁବାଦିତ।
ଚିତ୍ରଶିଳ୍ପୀ ଅନ୍ତରା ରମନ, ନିକଟରେ ବେଙ୍ଗାଲୁରୁର ସୃଷ୍ଟି ଆର୍ଟ୍ସ, ଡିଜାଇନ ଆଣ୍ଡ ଟେକ୍ନୋଲୋଜିରୁ ଭିଜୁଆଲ କମ୍ୟୁନିକେସନରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି । ତାଙ୍କର ଚିତ୍ରସଜ୍ଜା ଏବଂ ଡିଜାଇନ୍ ପ୍ରସ୍ତୁତିରେ, ପରିକଳ୍ପନାମୂଳକ କଳା ଏବଂ ଗଳ୍ପକଥନର ସମସ୍ତ ରୂପରେଖର ଗଭୀର ପ୍ରଭାବ ପରିଲକ୍ଷିତ ହୁଏ ।
କଣ୍ଠ: ସୁଧନ୍ୱା ଦେଶପାଣ୍ଡେ, ଜନ ନାଟ୍ୟ ମଞ୍ଚ ସହ କାର୍ଯ୍ୟରତ ଜଣେ ଅଭିନେତ୍ରୀ ଏବଂ ନିର୍ଦ୍ଦେଶିକା ଏବଂ ଲେଫ୍ଟୱାର୍ଡ ବୁକ୍ସର ଜଣେ ସଂପାଦକ ।
ଅନୁବାଦ: ଓଡ଼ିଶାଲାଇଭ୍
Want to republish this article? Please write to [email protected] with a cc to [email protected]
Donate to PARI
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/ମୋ-ଋଣ-ଶୁଝିବା-ପାଇଁ-ରହିଛି-କେଇ-ଏକର-ଜମି

