ବହୁ କିଲୋମିଟର ଯାଏ ଲମ୍ବି ଯାଇଛି ମାଟିକାଦୁଅ ଭରି ରହିଥିବା ଅସଂପୂର୍ଣ୍ଣ ଗଳିକନ୍ଦି। ଏହି ଗଳିବାଟ ଦେଇ ସୌରାରେ ଥିବା ଡାକ୍ତରଖାନା ଯାଏ ଯାତ୍ରା ଏକ ଅସରନ୍ତି ସଂଗ୍ରାମ ସଦୃଶ। ପୁଅ ମୋହସିନ ପାଇଁ ଡାକ୍ତରୀ ପରାମର୍ଶ ଲୋଡ଼ିବା ସକାଶେ ମୁବିନା ଓ ଅର୍ଶିଦ ଅଖୁନଙ୍କୁ ଏହି ଡାକ୍ତରଖାନାକୁ ମାସକୁ ଅନ୍ତତଃ ଥରଟିଏ ଯିବାକୁ ପଡ଼ିଥାଏ। ପ୍ରାୟ ନଅ ବର୍ଷର ପିଲାଟିକୁ ଅର୍ଶିଦ କୋଳରେ ଧରନ୍ତି ଏବଂ ଅନେକ ସମୟରେ ରାଖ-ଏ-ଅର୍ଥ ପୁନର୍ବାସ କଲୋନିର ନର୍ଦ୍ଦମା ପାଣି ଏବଂ ତରଳୁଥିବା ବରଫ ପାଣିରେ ଉଛୁଳି ପଡୁଥିବା ଏହି ଗଳିକନ୍ଦି ବାଟ ଦେଇ ଯାଆନ୍ତି ।
ସାଧାରଣତଃ ୨-୩ କିଲୋମିଟର ଚାଲି ଚାଲି ଯିବା ପରେ ସେମାନେ ଅଟୋ ରିକ୍ସାଟିଏ ଖୋଜି ପାଇବାରେ ସକ୍ଷମ ହୁଅନ୍ତି । ସେଠାରୁ ପ୍ରାୟ ୧୦ କିଲୋମିଟର ଦୂର ଉତ୍ତର ଶ୍ରୀନଗରର ସୌରା ଅଞ୍ଚଳରେ ଥିବା ଶେର-ଇ-କଶ୍ମୀର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍କୁ ଯିବା ପାଇଁ ୫୦୦ ଟଙ୍କା ଭଡ଼ା ଦେବାକୁ ହୁଏ। ବେଳେବେଳେ, ଡାକ୍ତରଖାନାରେ ପହଞ୍ଚିବା ଲାଗି ଏହି ପରିବାରକୁ ପୂରା ରାସ୍ତା ଚାଲି ଚାଲି ଯିବାକୁ ପଡ଼ିଥାଏ- ବିଶେଷତଃ ଗତ ବର୍ଷର ଲକ୍ଡାଉନ୍ ସମୟରେ ସେମାନେ ଏହା କରିଥିଲେ। ମୁବିନା କହନ୍ତି, “ଏଥିରେ ପୂରା ଦିନଟିଏ ଲାଗିଯାଏ।”
ପ୍ରାୟ ନଅ ବର୍ଷ ହେଲା ମୁବିନା ଓ ଅର୍ଶିଦଙ୍କ ସଂସାର ବଦଳିଯାଇଛି । ୨୦୧୨ରେ, ମୋହସିନ ମାତ୍ର କେଇ ମାସର ହୋଇଥିବା ବେଳେ ତାକୁ ଜ୍ଵର ଓ ଜଣ୍ଡିସ୍ ହେଲା ଏବଂ ତା ଶରୀରରେ ବିଲିରୁବିନ୍ ବା ରକ୍ତରେ ଥିବା ଏକ ମୃତ କୋଷର ସ୍ତର ଖୁବ ଅଧିକ ରହିଥିଲା । ଏହା ପରେ ସେମାନେ ଅନେକ ଥର ଡାକ୍ତରଙ୍କ ପାଖକୁ ଗଲେ । ଶ୍ରୀନଗରରେ ଥିବା ସରକାରୀ ଜି.ବି. ପନ୍ତ ଶିଶୁ ଡାକ୍ତରଖାନାରେ ସେ ଦୁଇ ମାସ ରହି ଚିକିତ୍ସିତ ହେଲା । ଏବଂ ଶେଷରେ ସେମାନଙ୍କୁ କହି ଦିଆଗଲା ଯେ ସେମାନଙ୍କ ଶିଶୁର ସ୍ଥିତି ‘ଅସ୍ଵାଭାବିକ’।
ପଛକଥା ମନେ ପକାଇ ୩୦ବର୍ଷରୁ ଅଧିକ ବୟସର ମୁବିନା କହନ୍ତି, “ଯେତେବେଳେ ତା’ର ଅବସ୍ଥା ସୁଧୁରିଲା ନାହିଁ ଆମେ ତାକୁ ଜଣେ ଘରୋଇ ଡାକ୍ତରଙ୍କ ପାଖକୁ ନେଇଗଲୁ ଏବଂ ସେ ଆମକୁ କହିଲେ ଯେ ତା’ର ମସ୍ତିଷ୍କ ପୂରା ନଷ୍ଟ ହୋଇଯାଇଛି ଏବଂ ସେ କେବେହେଲେ ବସିପାରିବନି କି ଚାଲି ପାରିବନି ।”
ପରିଶେଷରେ, ମୋହସିନ ସେରିବ୍ରାଲ ପାଲ୍ସିରେ ପୀଡ଼ିତ ବୋଲି ଡାକ୍ତରୀ ପରୀକ୍ଷାରୁ ଜଣାପଡ଼ିଲା । ଏହି ରୋଗ ଚିହ୍ନଟ ହେବା ପରଠାରୁ ମୁବିନାଙ୍କର ଅଧିକାଂଶ ସମୟ ପୁଅର ଲାଳନପାଳନ ଏବଂ ତା’ର ସ୍ଵାସ୍ଥ୍ୟ ପ୍ରତି ଯତ୍ନବାନ ହେବାରେ ହିଁ ବିତିଛି । ସେ କହନ୍ତି, “ମୋତେ ତା’ର ପରିସ୍ରା ସଫା କରିବା ପଡ଼େ, ବିଛଣା ଧୋଇବାକୁ ଓ ଲୁଗାପଟା ସଫା କରିବାକୁ ପଡ଼େ ଏବଂ ତାକୁ ବସାଇବାକୁ ପଡ଼େ । ଦିନ ସାରା ସେ ମୋ କୋଳରେ ଥାଏ ।”










