“ବ୍ୟାଗରେ ରଖିଥିବା କଦଳୀ ଖାଇ ମୁଁ ରହିଛି,” ସୁରେନ୍ଦ୍ର ରାମ ମୋତେ ଫୋନରେ କହିଲେ, ସେ କିପରି ଭାବେ ମାର୍ଚ୍ଚ ୨୨ ‘ଜନତା କର୍ଫ୍ୟୁ’ ଦିନ ସମୟ କାଟିଥିଲେ। ସେଦିନ, ମୁମ୍ବାଇର ଅଧିକାଂଶ ଦୋକାନ ଓ ବ୍ୟବସାୟିକ ସ୍ଥଳୀ ବନ୍ଦ ରହିଥିଲା ଏବଂ ଯେଉଁମାନେ ବାହାରେ ରହିବା କଥା ସେମାନେ ମଧ୍ୟ ଘରେ ରହିଥିଲେ, ସୁରେନ୍ଦ୍ର ପାରେଲସ୍ଥିତ ଟାଟା ମେମୋରିଆଲ ହସ୍ପିଟାଲ ପାଖ ଫୁଟପାଥରେ ବସି ରହିଥିଲେ।
୩୭ ବର୍ଷୀୟ ସୁରେନ୍ଦ୍ର ମୁଖ କର୍କଟରେ ପୀଡ଼ିତ
ଦକ୍ଷିଣ ମୁମ୍ବାଇରେ ଥିବା ସରକାରୀ ସହାୟତାପ୍ରାପ୍ତ ଏବଂ ଦାତବ୍ୟ ଚିକିତ୍ସାଳୟରେ କର୍କଟ ରୋଗୀଙ୍କୁ ରିହାତି ଦରରେ ଚିକିତ୍ସା ଯୋଗାଇ ଦିଆଯାଇଥାଏ। ଗୋଟିଏ ସପ୍ତାହ ଧରି ଏହି ଫୁଟପାଥ ତାଙ୍କର ‘ଘର’ ଥିଲା କର୍ଫ୍ୟୁ ଦିନ ତାଙ୍କୁ ଏବଂ ତାଙ୍କ ଭଳି ଆହୁରି କେତେଜଣ କର୍କଟ ଆକ୍ରାନ୍ତଙ୍କୁ କେହି ଆଶ୍ରୟ ଦେଇନଥିଲେ। ସାରା ଦେଶରୁ ଅଧିକାଂଶ ଗରିବ ପରିବାରର ରୋଗୀ ଏଠାକୁ ଚିକିତ୍ସା ନିମନ୍ତେ ଆସିଥାନ୍ତି ।
“ମୋର ସ୍ଵାସ୍ଥ୍ୟ ପରୀକ୍ଷା ଶେଷ ହୋଇସାରିଛି,” କୁହନ୍ତି ସୁରେନ୍ଦ୍ର। “ଡାକ୍ତର ମୋତେ ୪ ମାସ ପରେ ଆସିବା ଲାଗି କହିଛନ୍ତି”। କିନ୍ତୁ ବିହାରର ସମସ୍ତିପୁର ଜିଲ୍ଲା ଅନ୍ତର୍ଗତ ପୋଟିଲିଆ ଗାଁରେ ଥିବା ନିଜ ଘରକୁ ଯାଇପାରୁନାହାନ୍ତି। କାରଣ କର୍ଫ୍ୟୁ ପରେ ଆରମ୍ଭ ହୋଇଥିବା ଟ୍ରେନ ଚଳାଚଳ ମାର୍ଚ୍ଚ ୨୫ ଠାରୁ ଦେଶବ୍ୟାପୀ ସମ୍ପୂର୍ଣ୍ଣ ଲକଡାଉନ ଜାରି ହେବା କାରଣରୁ ପୁଣିଥରେ ବନ୍ଦ ହୋଇଯାଇଛି। “ବର୍ତ୍ତମାନ ସେମାନେ କହୁଛନ୍ତି ୨୧ ଦିନ ପର୍ଯ୍ୟନ୍ତ ସବୁ ବନ୍ଦ ରହିବ। ଆମେ କିଛି ଖବର ପାଉନାହୁଁ। ମୋତେ ଆଖପାଖର ଲୋକଙ୍କୁ ପଚାରିବାକୁ ହେଉଛି। ସେ ପର୍ଯ୍ୟନ୍ତ ମୋତେ କ’ଣ ଫୁଟପାଥରେ ରହିବାକୁ ପଡ଼ିବ?” ସୁରେନ୍ଦ୍ର ପଚାରିଛନ୍ତି।
ମାର୍ଚ୍ଚ ୨୦ରେ ଯେଉଁଦିନ ମୁଁ ତାଙ୍କୁ ଭେଟିଲି, ସେ ତଳେ ଏକ କମଳା ରଙ୍ଗର ପ୍ଲାଷ୍ଟିକ ଚଟେଇ ଉପରେ ବସି ସୁରେନ୍ଦ୍ର ପାଟିର ଗୋଟିଏ ପାର୍ଶ୍ୱରେ କଦଳୀ ଖାଉଥିଲେ। ତାଙ୍କ ନାକ ପୁଡ଼ାରେ ଏକ ପାଇପ ଲାଗିଥିଲା। “ଖାଦ୍ୟ ମୋ ତଣ୍ଟି ଦେଇ ଭିତରକୁ ଯାଉନାହିଁ। ସେଥିପାଇଁ ପାଇପ ଦରକାର ହେଉଛି,” ସେ କୁହନ୍ତି। ଚଟେଇ ଉପରେ ଏକ କଳା ବ୍ୟାଗ ଅଛି ଯେଉଁଥିରେ ସେ ତାଙ୍କ କପଡ଼ା, ଡାକ୍ତରୀ ରିପୋର୍ଟ, ଔଷଧ ଏବଂ କଦଳୀ ରଖିଛନ୍ତି।
ଦିନ ବେଳା ରାସ୍ତାରେ କିଛି ମୂଷା ଦୌଡ଼ୁଥିଲେ। ରୋଗୀଙ୍କ ନିକଟରେ କିଛି ମୂଷା ମରି ପଡ଼ିଥିଲେ। ରାତିର ଦୃଶ୍ୟ ଆହୁରି ଦୟନୀୟ ଥିଲା, ବଡ଼ ବଡ଼ ମୂଷା ଏଣେତେଣେ ଦୌଡ଼ୁଥିଲେ।










