‘‘ ସେଠାରେ କୌଣସି ଛୁଟି ବିକଳ୍ପ, ବିରତି କିମ୍ବା କାର୍ଯ୍ୟନିର୍ଘଣ୍ଟ ନିର୍ଦ୍ଧାରିତ ନାହିଁ’’
ଶେକ୍ ସଲାଉଦ୍ଦିନ୍ ହାଇଦ୍ରାବାଦସ୍ଥିତ ଏକ ଏଗ୍ରିଗେଟେଡ୍ କ୍ୟାବ୍ କଂପାନିରେ ଡ୍ରାଇଭର ଅଛନ୍ତି। ୩୭ ବର୍ଷୀୟ ଶେକ୍ ଜଣେ ସ୍ନାତକ କିନ୍ତୁ ସେ କଂପାନି ସହିତ କରିଥିବା ଚୁକ୍ତିନାମାକୁ କେବେ ହେଲେ ପଢ଼ିନଥିବା କଥା କହନ୍ତି ଯେଉଁ କଂପାନିର ନାମ ପ୍ରକାଶ କରିବାକୁ ସେ ଅନିଚ୍ଛୁକ। ‘‘ଏହା ବହୁତ ଅଧିକ ଆଇନଗତ ସର୍ତ୍ତରେ ପରିପୂର୍ଣ୍ଣ।’’ ଚୁକ୍ତିନାମା କେବଳ ସେହି ଆପ୍ରେ ରହିଛି ଯାହାକୁ ସେ ଡାଉନଲୋଡ୍ କରିଛନ୍ତି; କିନ୍ତୁ ତାଙ୍କ ନିକଟରେ ତାର କୌଣସି ପ୍ରିଣ୍ଟ ହୋଇଥିବା କପି ନାହିଁ।
ଡେଲିଭରି ଏଜେଣ୍ଟ ରମେଶ ଦାସ (ନାମ ପରିବର୍ତ୍ତିତ) କହନ୍ତି, ‘‘କୌଣସି ଚୁକ୍ତିନାମା ସ୍ୱାକ୍ଷରିତ ହୋଇନଥିଲା।’’ ପଶ୍ଚିମବଙ୍ଗ ପଶ୍ଚିମ ମେଦିନୀପୁର ଜିଲ୍ଲା ବାହା ରୁନାର ନିଜ ଗାଁରୁ କୋଲକାତାକୁ ପ୍ରବାସୀ ଭାବେ ଆସିଥିବା ରମେଶ ସେଠାରେ ପହଞ୍ଚିବା ପରେ କୌଣସି ଆଇନଗତ ଗ୍ୟାରେଣ୍ଟି ଅପେକ୍ଷା ଯଥାଶୀଘ୍ର ଏକ ଚାକିରି ପାଇବାକୁ ଚାହୁଁଥିଲେ। ସେ ଦର୍ଶାଇଲେ, ‘‘କୌଣସି କାଗଜପତ୍ର କାମ ନ ଥିଲା। ଆମର ଆଇଡି [ପରିଚୟପତ୍ର] ଆପ୍ରେ ଅନ୍ତର୍ଭୁକ୍ତ କରାଯାଇଛି, ଯାହାକି ଏକମାତ୍ର ପରିଚୟ। ଆମେ ବିକ୍ରେତାଙ୍କ ମାଧ୍ୟମରେ [ତୃତୀୟ ପକ୍ଷ ମାଧ୍ୟମରେ ବାହାରୁ ଅଣାଯାଇଥିବା] ନିଯୁକ୍ତି ପାଇଛୁ।’’
ରମେଶ ପାର୍ସଲ ପିଛା କମିଶନ ଭାବେ ପ୍ରାୟ ୧୨ରୁ୧୪ ଟଙ୍କା ଆୟ କରନ୍ତି ଏବଂ ଯଦି ସେ ଦିନକୁ ୪୦ରୁ୪୫ଟି ପାର୍ସଲ ପହଞ୍ଚାନ୍ତି ତେବେ ପ୍ରାୟ ୬୦୦ ଟଙ୍କା ରୋଜଗାର କରିପାରନ୍ତି। ସେ ଆହୁରି କହିଲେ, ‘‘ତେଲ ପାଇଁ ଟଙ୍କା ମିଳେ ନାହିଁ, ବୀମା ନାହିଁ, ସ୍ୱାସ୍ଥ୍ୟ ସୁବିଧା ନାହିଁ, ଅନ୍ୟ କୌଣସି ଭତ୍ତା ନାହିଁ।’’















