ଚଳିତବର୍ଷ ଏପ୍ରିଲ ୧୦ ତାରିଖ ରାତି ୧୦.୩୦ରେ, ହାଇଉଲ୍ ରେହମାନ୍ ଅନ୍ସାରୀ ମୁମ୍ବାଇର ଲୋକମାନ୍ୟ ତିଲକ ଟର୍ମିନସ୍ରେ ଥିଲେ । ଝାଡ଼ଖଣ୍ଡ ରାଞ୍ଚି ଜିଲ୍ଲାର ହାଟିଆ ରେଲୱେ ଷ୍ଟେସନକୁ ଯିବା ପାଇଁ ସେ ରାତି ୧୨ଟା ୩୦ରେ ପହଞ୍ଚିବାକୁ ଥିବା ହାଟିଆ ଏକ୍ସପ୍ରେସ୍କୁ ଅପେକ୍ଷା କରିଥିଲେ । ସେଠାରୁ ରେହମାନ୍ ଗୋଟିଏ ଅଟୋରିକ୍ସାରେ ବସ୍ଷ୍ଟାଣ୍ଡ ଯାଏଁ ଯିବେ ଏବଂ ତା’ପରେ ପଡ଼ୋଶୀ ଛତ୍ରା ଜିଲ୍ଲାରେ ଥିବା ନିଜ ଗାଁ ଆସାରିଆକୁ ବସ୍ରେ ଯିବେ ।
ଏହି ପୁରା ଯାତ୍ରା ତାଙ୍କୁ ଦେଢ଼ ଦିନ ସମୟ ନେବ ।
କିନ୍ତୁ ଟ୍ରେନ୍ ଆସିବା ପୂର୍ବରୁ ଷ୍ଟେସନର ଗୋଟିଏ ଏକାନ୍ତ କୋଣରେ ଛିଡ଼ା ହୋଇଥିବା ୩୩ ବର୍ଷୀୟ ରେହମାନ ଗୋଟିଏ ବର୍ଷ ଭିତରେ ଦ୍ୱିତୀୟ ଥର ସେ କାହିଁକି ମୁମ୍ବାଇ ଛାଡ଼ି ଯାଉଛନ୍ତି ସେ ବାବଦରେ ଆମକୁ କହିଲେ ।
ସେ ଘରକୁ ଯିବା ପାଇଁ ଟ୍ରେନ୍କୁ ଅପେକ୍ଷା କରିବାର କିଛି ଦିନ ପୂର୍ବରୁ ତାଙ୍କର ନୂଆ ନିଯୁକ୍ତିଦାତା କହିଥିଲେ ଯେ କାମ ଧିମେଇ ଯାଇଛି । ସେ କହିଲେ, ‘ରେହମାନ୍, ଦୁଃଖିତ, ଆମେ ଆଉ ତୁମକୁ ରଖିପାରିବୁ ନାହିଁ । ତୁମେ ପରେ ଆଉଥରେ ଚେଷ୍ଟା କରିପାର ।’’ ଏବଂ ଏମିତି ସେ ନିଜର ଏହି ଚାକିରି ହରାଇଲେ - ଯାହା କି ଆରମ୍ଭ ବି ହୋଇ ନ ଥିଲା ।
ଜାମଶେଦପୁରର କରିମ୍ ସିଟି କଲେଜ୍ରୁ ମାସ୍ କମ୍ୟୁନିକେସନ୍ରେ ବିଏ କରିବା ପରେ ୧୦ ବର୍ଷ ପୂର୍ବରୁ ରେହମାନ ମୁମ୍ବାଇ ଆସିଥିଲେ । ସେ ଜଣେ ଭିଡିଓ ଏଡିଟର ଭାବେ ପ୍ରୋଜେକ୍ଟ ଭିତ୍ତିକ କାମ ପାଇଥିଲେ । ଏଥିରୁ ସହରରେ ନିଜର ଚଳିବା ଏବଂ ଘରକୁ କିଛି ଟଙ୍କା ପଠାଇବା ପାଇଁ ଯଥେଷ୍ଟ ଆୟ କରୁଥିଲେ ।
କିନ୍ତୁ ୨୦୨୦ ମାର୍ଚ୍ଚରେ, ଯେତେବେଳେ ସାରା ଦେଶରେ କୋଭିଡ୍ ୧୯ ଲକ୍ଡାଉନ୍ ଘୋଷଣା ହେଲା ସେତେବେଳେ ସେ ନିଜ ଚାକିରି ସହ ମାସିକ ୪୦,୦୦୦ ଟଙ୍କାର ଦରମା ମଧ୍ୟ ହରାଇଥିଲେ । ବାନ୍ଦ୍ରା ୱେଷ୍ଟର ଲାଲ୍ ମିଟ୍ଟି ଅଞ୍ଚଳରେ ରେହମାନ ନିଜ ଗାଁର ଅନ୍ୟ ୪ ଜଣଙ୍କ ସହ ମାସକୁ ୨ ହଜାର ଟଙ୍କା ଲେଖାଏଁ ଦେଇ ଯେଉଁ ଛୋଟ ଘରେ ରହୁଥିଲେ ସେଠାରେ ରହିବା ଜାରି ରଖିଥିଲେ। ସେ ମନେ ପକାନ୍ତି, ଏହା କଷ୍ଟକର ଥିଲା - ଗୋଟିଏ ସମୟରେ ତାଙ୍କ ପାଖରେ ରାସନ ପାଇଁ ଆବଶ୍ୟକ ଟଙ୍କା ନ ଥିଲା ।
ରେହମାନ୍ କହିଲେ, ‘‘ଗତବର୍ଷ ମହାରାଷ୍ଟ୍ର ସରକାରଙ୍କଠାରୁ ମୁଁ କୌଣସି ପ୍ରକାରର କୌଣସି ସାହାଯ୍ୟ ପାଇନଥିଲି ।’’ ଜଣେ ପୂର୍ବତନ ସହକର୍ମୀ ତାଙ୍କୁ ଚାଉଳ, ଡାଲି, ତେଲ ଓ ଅନ୍ୟ କେତେକ ଖାଦ୍ୟ ସାମଗ୍ରୀ ଦେଇଥିଲେ । ସେ କହିଲେ, ‘‘ମୁଁ ସେ ସମୟରେ ଖୁବ୍ ଖରାପ ଅନୁଭବ କରୁଥିଲି ଏବଂ ସେ ବାବଦରେ କାହାକୁ କିଛି କହି ମଧ୍ୟ ପାରୁନଥିଲି ।’’
ତେଣୁ ଗତବର୍ଷ ମେ’ ମଧ୍ୟ ଭାଗରେ, ଆସରିଆକୁ ଯିବା ପାଇଁ ରେହମାନ ୩ ମାସର ଘରଭଡ଼ା ସଞ୍ଚୟ କରିଥିଲେ । ସେ ଓ ତାଙ୍କ ସହବାସୀମାନେ ସେମାନଙ୍କୁ ଘର ଯାଏଁ ପହଞ୍ଚାଇବା ପାଇଁ ସେତେବେଳେ ଗୋଟିଏ ଘରୋଇ ବସ୍ ଭଡ଼ା କରିଥିଲେ, ଯାହାର ଗୋଟିଏ ସିଟ୍ ପାଇଁ ୧୦,୦୦୦ ଟଙ୍କା ଦେବାକୁ ହୋଇଥିଲା । ଘର ଭଡ଼ା ପରେ ଦେବାକୁ ସେ ନିଜ ଘର ମାଲିକଙ୍କୁ ଅନୁରୋଧ କରିଥିଲେ ।
ଥରେ ସେ ଘରେ ପହଞ୍ଚିବା ପରେ, ରେହମାନ୍ ନିଜ ପରିବାରର ୧୦ ଏକର ଚାଷ ଜମିରେ ନିଜର ୫ ଭାଇଙ୍କ ସହ ଧାନ ରୁଆ ଏବଂ ଅମଳ ଆଦି କାମ କଲେ । ତାଙ୍କ ବାପା ମା’, ଭାଇ, ସେମାନଙ୍କର ପରିବାର, ସମସ୍ତେ ସାଙ୍ଗରେ ଗାଁରେ ରହନ୍ତି । ରେହମାନ୍ଙ୍କ ସ୍ତ୍ରୀ ୨୫ ବର୍ଷୀୟା ସଲ୍ମା ଖାତୁନ ଏବଂ ସେମାନଙ୍କର ପିଲା ୫ ବର୍ଷର ମହମ୍ମଦ ଅଖ୍ଲାକ୍ ଏବଂ ୨ ବର୍ଷର ସାଇମା ନାଜ୍ ସେମାନଙ୍କ ସହ ରହନ୍ତି ।
ଘରୋଇ ଖର୍ଚ୍ଚ ଏବଂ ପରିବାର ଦ୍ୱାରା ଚାଷ କାମ ପାଇଁ ଅଣାଯାଇଥିବା ଋଣ ପରିଶୋଧ କରିବାକୁ ମହାମାରୀ ପୂର୍ବରୁ ରେହମାନ୍ ମାସକୁ ୧୦,୦୦୦ରୁ ୧୫,୦୦୦ ଟଙ୍କା ଘରକୁ ପଠାଉଥିଲେ । ଲକ୍ଡାଉନ୍ କଟକଣା କୋହଳ ହେବା ପରେ, ସମ୍ଭାବ୍ୟ ଚାକିରି ସୁଯୋଗ ତାଙ୍କୁ ପୁଣି ଥରେ ମୁମ୍ବାଇକୁ ଟାଣି ଆଣିଥିଲା । ପ୍ରାୟ ୧୦ ମାସ ପରେ ୨୦୨୧ ଫେବ୍ରୁଆରୀ ଶେଷ ଭାଗରେ ସେ ପୁଣି ମୁମ୍ବାଇ ଫେରିଆସିଥିଲେ।
ସେତେବେଳକୁ ତାଙ୍କ ଉପରେ ଘର ମାଲିକର ୧୦ ମାସର ଘର ଭଡ଼ା ହୋଇସାରିଥିଲା । ଜମିରେ କାମ କରିବା ଏବଂ ଲକ୍ଷ୍ନୌରେ ଛୋଟ ଏଡିଟିଂ କାମରୁ ହୋଇଥିବାରୁ ରୋଜଗାରରୁ ସଞ୍ଚିତ ଟଙ୍କା ମଧ୍ୟରୁ ରେହମାନ୍ ମୁମ୍ବାଇରେ ପହଞ୍ଚିବା ପରେ ୯ ମାସର ଘରଭଡ଼ା ୧୮,୦୦୦ ଟଙ୍କା ଦେଲେ ।
କିନ୍ତୁ ସେ ଆଉ ଏକ ନୂଆ ଅଫିସ୍ରେ ନୂଆ କରି କାମ ଆରମ୍ଭ କରିବା ପୂର୍ବରୁ, ମହାରାଷ୍ଟ୍ରରେ ଏପ୍ରିଲ୍ ୫ ତାରିଖରୁ ଆଂଶିକ ଲକ୍ଡାଉନ୍ ଲାଗୁ କରାଗଲା (ଏପ୍ରିଲ୍ ୧୪ ତାରିଖରୁ ସମ୍ପୂର୍ଣ୍ଣ ଲକ୍ଡାଉନ୍ ଲାଗୁ କରାଗଲା ।) କୋଭିଡ୍ ୧୯ର ଦ୍ୱିତୀୟ ଲହର ପ୍ରୋଜେକ୍ଟଗୁଡ଼ିକୁ ଧିମା କରିଦେଲା ଏବଂ ରେହମାନ୍ଙ୍କର ନୂଆ ନିଯୁକ୍ତିଦାତା ତାଙ୍କୁ ସୂଚିତ କଲେ ଯେ ସେ ଆଉ ତାଙ୍କୁ କାମରେ ରଖିପାରିବେ ନାହିଁ ।
ତା’ ପୂର୍ବରୁ କାମ ପାଇବାର ଅନିଶ୍ଚିତତା ରେହମାନଙ୍କୁ ଏତେ ବେଶୀ ପ୍ରଭାବିତ କରିନଥିଲା । ସେ କହିଲେ, ‘‘ମୁଁ ଥରେ ଗୋଟିଏ ପ୍ରୋଜେକ୍ଟରେ କାମ ଆରମ୍ଭ କଲେ ଏହା କେତେବେଳେ ୬ ମାସ ପାଇଁ, କେତେବେଳେ ୨ ବର୍ଷ ପାଇଁ କେତେବେଳେ ୩ ମାସ ପାଇଁ ବି ହୋଇଥାଏ । କିନ୍ତୁ ଅଫିସ୍ ଯେତେବେଳେ ହଠାତ୍ ବନ୍ଦ ହୋଇଯାଏ ତାହା ଖୁବ୍ କଷ୍ଟକର ।’’
ପୂର୍ବରୁ ଯଦି ଗୋଟିଏ ଅଫିସ୍ରେ ଠିକ୍ ଠାକ୍ ନ ହେଲା ତେବେ ସେ ଅନ୍ୟ ସ୍ଥାନରେ କାମ ପାଇଁ ଆବେଦନ କରନ୍ତି । ରେହମାନ୍ କହିଲେ, ‘‘ଏବେ ଅନ୍ୟ କେଉଁଠି ବି କାମ ପାଇବା କଷ୍ଟକର । ମହାମାରୀ ଫଳରେ, ଜଣକୁ କରୋନା ପରୀକ୍ଷା କରାଇବାକୁ ହେବ, ସାନିଟାଇଜ୍ ହେବାକୁ ପଡ଼ିବ ଏବଂ ଲୋକେ ନିଜ ଅଟ୍ଟାଳିକାକୁ ଅଚିହ୍ନା ଲୋକଙ୍କୁ ଛାଡୁନାହାନ୍ତି । ଏହା ଆମ ପାଇଁ ବଡ଼ ସମସ୍ୟା ହୋଇଯାଇଛି ।’’
ଯଦିଓ ଗାଁରେ ରହିବାଠାରୁ ତାଙ୍କୁ ଅଧିକ କିଛି ଭଲ ଲାଗେ ନାହିଁ, ସେ କହିଲେ, ‘‘କିନ୍ତୁ ମୁଁ ସେଠାରେ ଏହି ପ୍ରକାରର କାମ(ଭିଡିଓ ଏଡିଟିଂ) କରିପାରିବି ନାହିଁ । ଟଙ୍କା ଦରକାର ହେଲେ ସହରକୁ ଆସିବାକୁ ହୁଏ । ’’
ଅନୁବାଦ: ଓଡ଼ିଶାଲାଇଭ୍