ରାମ ୱାକ୍ଚୌରେ ସବୁଦିନ ସକାଳେ ତାଙ୍କ ଘରପାଖ ବଜାରରୁ ୨୭୫ ଜଣ ପିଲା ଓ ଅନ୍ୟମାନଙ୍କ ପାଇଁ ପନିପରିବା କିଣନ୍ତି- ତିନି କିଲୋ ଆଳୁ, ଫୁଲକୋବି, ଟମାଟୋ ଏବଂ ଆଉ କିଛି । ବୀରଗାଓଁ ଗାଁରେ ଥିବା ଜିଲ୍ଲା ପରିଷଦ ସ୍କୁଲ୍ର ଏହି ଶିକ୍ଷକ କହନ୍ତି, “ପ୍ରତିଟି ପରିବାର ଦର ମୋର ବେଶ୍ ମନେ ରହିଯାଇଛି । ମୋଟର ସାଇକେଲ୍ରେ ବ୍ୟାଗ୍ ଝୁଲାଇ ମୁଁ ସ୍କୁଲ୍କୁ ଯାଏ ।”
ଅହମଦନଗର ଆକୋଲା ତାଲୁକା ଅନ୍ତର୍ଗତ କଲାସଗାଓଁ ନିବାସୀ ୪୪ ବର୍ଷୀୟ ୱାକ୍ଚୌରେଙ୍କର ବଦଳି ହୋଇଥିଲା ଜୁନ୍ରେ । ଘରଠାରୁ ପ୍ରାୟ ୨୦ କିଲୋମିଟର ଦୂର ବୀରଗାଓଁର ସ୍କୁଲକୁ । ଜଣେ ଶିକ୍ଷକ ଭାବେ ସେ କଲାସଗାଓଁ ପ୍ରାଥମିକ ସ୍କୁଲ୍ରେ ୧୮ ବର୍ଷ ଧରି କାର୍ଯ୍ୟ କରିଥିଲେ । ଏବେ ତାଙ୍କର ମୁଖ୍ୟ କର୍ତ୍ତବ୍ୟ ହେଲା ସ୍କୁଲ୍ରେ ମଧ୍ୟାହ୍ନ ଭୋଜନ ଯୋଜନା (ପ୍ରାଥମିକ ଶିକ୍ଷା ପ୍ରତି ପୁଷ୍ଟିକର ସହାୟତା ନିମନ୍ତେ ଜାତୀୟ କାର୍ଯ୍ୟକ୍ରମ ଅଧୀନସ୍ଥ ) ନିଶ୍ଚିତ ଭାବେ ଲାଗୁ କରିବା ।
ମଧ୍ୟାହ୍ନ ଭୋଜନ ରେଜିଷ୍ଟର ପୂରଣରୁ ସାମାନ୍ୟ ବିରତି ନେଇ ସେ କହନ୍ତି, “ଅଧ୍ୟକ୍ଷ ସବୁ କାମ କରିପାରିବେ ନାହିଁ। ତେଣୁ ସେ ଦାୟିତ୍ୱ ବାଣ୍ଟି ଦେଇଛନ୍ତି । ସରକାରୀ ଚାକିରି ଆପଣଙ୍କୁ ସୁରକ୍ଷା ଦିଏ ସତ, କିନ୍ତୁ ମୁଁ ଅନୁଭବ କରେନି ଯେ ମୁଁ ଜଣେ ଶିକ୍ଷକ ।”
ୱାକ୍ଚୌରେଙ୍କ ପାଠ୍ୟକ୍ରମ ବହିର୍ଭୂତ କର୍ତ୍ତବ୍ୟ କିଛି ନୂଆ କଥା ନୁହେଁ- ମହାରାଷ୍ଟ୍ରର ସବୁ ଜିଲ୍ଲା ପରିଷଦ ସ୍କୁଲ୍ର ଶିକ୍ଷକମାନଙ୍କୁ ଅଧିକାଂଶ ସମୟରେ ଏଭଳି ଅଣ-ଶୈକ୍ଷିକ କାମ ଦିଆଯାଏ । ସେମାନେ କହନ୍ତି ଯେ, ଏହା ଦ୍ୱାରା ସେମାନଙ୍କ ପାଖରେ ପାଠ ପଢ଼ାଇବାକୁ ସମୟ ପ୍ରାୟ ନ ଥାଏ ।
ସପ୍ତମ ପର୍ଯ୍ୟନ୍ତ ଶ୍ରେଣୀ ଥିବା ବୀରଗାଓଁ ସ୍କୁଲ୍ରେ ୱାକ୍ଚୌରେଙ୍କ ସହକର୍ମୀ ୪୨ ବର୍ଷୀୟ ସବାଜୀ ଦାତିର କହନ୍ତି ଯେ, ବର୍ଷକରେ ଏଭଳି କାର୍ଯ୍ୟ ସଂଖ୍ୟା ମୋଟ ୧୦୦ରୁ ଅଧିକ। ଦାତିର ହାରାହାରି ସପ୍ତାହକୁ ୧୫ ଘଣ୍ଟା ଅଣ-ଶୈକ୍ଷିକ କାମରେ ଲଗାନ୍ତି । ସେ କହନ୍ତି, “ଅନେକ ସମୟରେ ଏହି କାମ ସ୍କୁଲ୍ ସମୟରେ (ଦିନକୁ ୪ ଘଣ୍ଟା) କରିବାକୁ ପଡ଼େ । ସ୍କୁଲ୍ ସରିବା ପରେ ଆମେ ଯେତେ ସମ୍ଭବ ସେତେ କାମ କରିବାକୁ ଚେଷ୍ଟା କରୁ ।” ଯେତେବେଳେ ଦୁଇ ପ୍ରକାର କାମ ଏକା ସମୟରେ କରିବାକୁ ପଡ଼େ ଅଣ-ଶୈକ୍ଷିକ କାମକୁ ପ୍ରାଥମିକତା ଦିଆଯାଏ ।









