ଅଗରତାଲାରେ ଢାକର ଶବ୍ଦ ଶୁଣାଯିବା ଆରମ୍ଭ ହେଲାଣି । ଅକ୍ଟୋବର ୧୧ରେ ଦୁର୍ଗାପୂଜା ଏବଂ ପ୍ରତିବର୍ଷ ଗୋଟିଏ ସପ୍ତାହ ପୂର୍ବରୁ ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଏ - ପେଣ୍ଡାଲଗୁଡ଼ିକର ଚୂଡ଼ା ବନ୍ଧା ହୁଏ, ମୂର୍ତ୍ତିକାରମାନେ ଦେବଦେବୀଙ୍କ ମୂର୍ତ୍ତିକୁ ଶେଷ ସ୍ପର୍ଶ ଦିଅନ୍ତି, ପରିବାର ସବୁ ନୂଆ ପୋଷାକ କିଣନ୍ତି ।
ଢାକ, ଏକ ବ୍ୟାରେଲ୍ ଆକୃତିର ଡ୍ରମ୍ ଯାହାକୁ ବେକରେ ଝୁଲାଯାଏ ବା ଏକ ମଞ୍ଚ ଉପରେ ରଖାଯାଏ ଏବଂ ଲାଠି ଦ୍ଵାରା ବଜାଯାଏ। ଏହା ଏହିଭଳି ସମାରୋହର ଏକ ଅଭିନ୍ନ ଅଂଶ ।
ଢାକ ବଜାଇବା ଏକ ଋତୁକାଳୀନ କାମ । ପ୍ରତିବର୍ଷ ପୂଜାରେ ପାଞ୍ଚ ଦିନ, ଏବଂ ଶେଷ ବାଦ୍ୟ ଲକ୍ଷ୍ମୀପୂଜା ଦିନ ବଜାଯାଏ-ଚଳିତବର୍ଷ ଏହା ଅକ୍ବୋଟର ୨୦ ତାରିଖରେ ପଡୁଛି । ଦିପାବଳୀ ସମୟରେ ମଧ୍ୟ ବାଦ୍ୟ ବଜାଇବାକୁ କେତେକ ଢାକିଙ୍କୁ ଡକାଯାଏ । କିନ୍ତୁ ଦୁର୍ଗାପୂଜା ସମୟରେ ହିଁ ଅଗରତାଲା ଓ ରାଜ୍ୟର ଅନ୍ୟ ସ୍ଥାନମାନଙ୍କରେ ଢାକର ଚାହିଦା ଅଧିକ ଥାଏ ।
ଢାକିମାନଙ୍କୁ ପେଣ୍ଡାଲ କମିଟି ଏବଂ ପରିବାର ଦ୍ୱାରା ବଜାଇବାକୁ ନିମନ୍ତ୍ରଣ କରାଯାଇଛି । ବେଳେବେଳେ, ସେମାନଙ୍କୁ ଡକାଯିବା ପୂର୍ବରୁ, ସେମାନଙ୍କୁ ଏକ ପରୀକ୍ଷା ଭାବରେ ପ୍ରଦର୍ଶନ କରିବାକୁ କୁହାଯାଏ - ସେମାନଙ୍କ ମଧ୍ୟରୁ ଅଧିକାଂଶ ପାରଦର୍ଶୀ, ପରିବାର ବରିଷ୍ଠ ସଦସ୍ୟଙ୍କଠାରୁ ଶିଖିଥାଆନ୍ତି । ୪୫ବର୍ଷୀୟ ଇନ୍ଦ୍ରଜିତ୍ ରିଷିଦାସ କୁହନ୍ତି, “ମୁଁ ମୋର ବଡ଼ ସମ୍ପର୍କୀୟ ଭାଇମାନଙ୍କ ସହିତ ବଜାଉଥିଲି । “ମୁଁ କାଶୀ (ଏକ ଛୋଟ ବାଡ଼ିରେ ବଜାଯାଉଥିବା ଏକ ଧାତବ ପ୍ଲେଟ ପରି ଯନ୍ତ୍ର)ବଜାଇବାରୁ ଆରମ୍ଭ କରିଥିଲି, ତା’ପରେ ଢୋଲ, ଏବଂ ପରେ ଢାକ୍ ବଜାଇଲି ।” (ସେ ଏବଂ ଅନ୍ୟମାନେ ଯେମିତି ରିଷିଦାସ, ରୋହିଦାସ ଏବଂ ରବିଦାସଙ୍କ ପରିବାର ମୋଚି ସମ୍ପ୍ରଦାୟର ଅଟନ୍ତି, ତ୍ରିପୁରାରେ ଏହା ଅନୁସୂଚିତ ଜାତି ଭାବରେ ତାଲିକାଭୁକ୍ତ ।)
ଅଗରତାଲାର ଅନେକ ଢାକିଙ୍କ ପରି ଇନ୍ଦ୍ରଜିତ୍ ବର୍ଷସାରା ଜଣେ ସାଇକେଲ ରିକ୍ସା ଚଲାଳି ଭାବରେ କାର୍ଯ୍ୟ କରନ୍ତି। ବେଳେବେଳେ, ଅନ୍ୟମାନଙ୍କ ପରି, ସେ ମଧ୍ୟ ବ୍ୟାଣ୍ଡରେ ବଜାନ୍ତି - ସ୍ଥାନୀୟ ଭାବରେ ଯାହା ବିବାହ ଏବଂ ଅନ୍ୟାନ୍ୟ ଉତ୍ସବ ସମୟରେ ପରିବେଷଣ କରୁଥିବା ‘ବ୍ୟାଣ୍ଡ-ପାର୍ଟି’ ଭାବରେ ଜଣାଶୁଣା। ଏହି ସାମୟିକ କାମ ବ୍ୟତୀତ, ଢାକିମାନେ ମଧ୍ୟ ଦିନ ମଜୁରୀ ହିସାବରେ ଇଲେକ୍ଟ୍ରିସିଆନ୍ କିମ୍ବା ପାଣି ପାଇପ୍ ମିସ୍ତ୍ରୀ ଭାବରେ କାମ କରନ୍ତି । କେତେକ ପନିପରିବା ବିକ୍ରେତା ଏବଂ କେତେକ ନିକଟସ୍ଥ ଗାଁର କୃଷକ ଯେଉଁମାନେ ପରିବେଷଣ ପାଇଁ ଅଗରତାଲାକୁ ଆସନ୍ତି।




















