ସେମାନେ ପଚାରିଲେ, ‘‘ ତୁମେ କୁକୁରକୁ ବାଡେଇଛ କି?’’ ସୁନନ୍ଦା ସାହୁ କିଛି ଉତ୍ତର ଦେବା ପୂର୍ବରୁ ଗୋଟିଏ କାଠଫାଳିଆ ତାଙ୍କ ମୁଣ୍ଡ ଉପରେ ବାଜିଲା । ତା ପରେ କ’ଣ ହେଲା ସେ କିଛି ଜାଣନ୍ତି ନାହିଁ । ଚେତା ଫେରିବା ପରେ ସେ ନିଜକୁ ଏକ ହସ୍ପିଟାଲରେ ପାଇଲେ ।
କୁକର କେବଳ ଏକ ବାହାନା ଥିଲା । ସେମାନେ କୁକୁରକୁ ପସନ୍ଦ କରୁନଥିଲେ । ଯେଉଁ ଭାଇମାନେ ସୁନନ୍ଦାଙ୍କ କେଶ କୁଣ୍ଡାଇ ଦେଉଥିଲେ ଏବଂ ତାଙ୍କୁ କଣ୍ଢେଇ ବୋଲି ଡାକୁଥିଲେ ସେମାନେ ସୁନନ୍ଦା ଏହି ବୁଲା କୁକୁରକୁ ପୋଷ୍ୟ ଭାବେ ଗ୍ରହଣ କରିବାର ବହୁ ବର୍ଷ ପୂର୍ବରୁ ନିର୍ଦ୍ଦୟ ଅପରିଚିତ ପାଲଟିଯାଇଥିଲେ। ସୁନନ୍ଦା କହନ୍ତି, ‘‘ସେମାନେ ସବୁଦିନ କହୁଥିଲେ, ମରିଯାଆ ନହେଲେ ପଳାଇ ଯା’ । କୁକୁର ରଖିବା ଯୋଗୁ ମୋର ଏକୁଟିଆ ପଣ କିଛି ମାତ୍ରାରେ କମି ଯାଇଥିଲା । ମୁଁ ତାକୁ କାଳୁ ବୋଲି ଡାକୁଥିଲି ।’’
୨୦୧୦ରେ ସୁନନ୍ଦା ଘରକୁ ଫେରିବାର ଛଅବର୍ଷ ପରେ ତାଙ୍କୁ ଏପରି ମାଡ଼ ମରାଯାଇଥିଲା । ତାର ଦୁଇ ମାସ ପୂର୍ବରୁ ତାଙ୍କର ବିଛଣାରେ ପଡ଼ିରହିଥିବା ବାପା କୃଷ୍ଣନନ୍ଦ ସାହୁଙ୍କର ପରଲୋକ ହୋଇଯାଇଥିଲା । ସେ ତାଙ୍କର ଦୁଇ ପୁଅ, ସେମାନଙ୍କର ପତ୍ନୀ ଓ ୩ ପିଲାଙ୍କ ଦ୍ୱାରା ନିଜ ଝିଅକୁ ଦିଆଯାଉଥିବା ନିର୍ଯାତନାକୁ ନିରବରେ ଦେଖିଥିଲେ । ତାଙ୍କର ପତ୍ନୀ କନକଲତା ମଧ୍ୟ ନିରବତା ଅବଲମ୍ବନ କରିଥିଲେ ।
ସୁନନ୍ଦାଙ୍କୁ ଏହା ସ୍ପଷ୍ଟ କରାଗଲା ଯେ ତାଙ୍କୁ ସ୍ୱାଗତ କରାଯାଉନାହିଁ କିମ୍ବା ତାଙ୍କର ଆବଶ୍ୟକତା ନାହିଁ । ସେ କହନ୍ତି, ‘‘ ଏପରିକି ସେମାନେ ମୋତେ ସାବୁନ ଏବଂ ତେଲ ବି ଦେଲେନାହିଁ ।’’ ସମୟ ସମୟରେ ଖାଇବାକୁ ଦେଉଥିଲେ । ଏହାପରେ ତାଙ୍କ ବିଷୟରେ ଚିନ୍ତିତ ଜଣେ ପଡ଼ୋଶୀ ଜଣେ ସାମାଜିକ କର୍ମୀଙ୍କୁ ତାଙ୍କ ସଂପର୍କରେ ସୂଚନା ଦେଲେ । ସିଏ ସୁନନ୍ଦାଙ୍କୁ ଗାଁ ପଞ୍ଚାୟତରୁ ସାହାଯ୍ୟ ମାଗିବାକୁ ପ୍ରେରଣା ଦେଲେ । ଏହାପରେ ତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ମାସିକ ୩୦୦ ଟଙ୍କା ଲେଖାଏଁ ପରିତ୍ୟକ୍ତା ମହିଳା ଭାବେ ପେନସନ୍ ମିଳିଲା । ଏଥିସହିତ ଅନ୍ତ୍ୟୋଦୟ ଯୋଜନା ମାଧ୍ୟମରେ ମାସିକ ୨୫ କିଲୋ ଚାଉଳ ରିହାତି ଦରରେ ମିଳିଲା ।
ନିହାଲ ପ୍ରସାଦ ଗାଁରେ (ଓଡ଼ିଶାର ଢେଙ୍କାନାଳ ଜିଲ୍ଳାର ଗଁଦିଆ ତହସିଲ)ରେ ଅନେକ ଲୋକ ସୁନନ୍ଦାଙ୍କର ଭାଇଙ୍କ ସହ ଆଲୋଚନା କରିବାକୁ ଉଦ୍ୟମ କରିଥିଲେ । ଜଣେ ଚିନ୍ତିତ ଗ୍ରାମବାସୀ ୪୫ ବର୍ଷୀୟ ରମେଶ ମହାନ୍ତି କହନ୍ତି, ‘‘ସେମାନେ କିଛି କରିନାହାନ୍ତି ।’’
ସୁନନ୍ଦାଙ୍କର ଭାଇମାନେ ତାଙ୍କ ପ୍ରତି କୌଣସି ପ୍ରକାର ସହାନୁଭୂତି ପ୍ରଦର୍ଶନ କଲେନାହିଁ । ସେମାନେ ବିଶ୍ୱାସ କରୁଥିଲେ ଯେ ସୁନନ୍ଦା ପରିବାରର ସମ୍ମାନକୁ କ୍ଷୁର୍ଣ୍ଣ କରିଛନ୍ତି । ସୁନନ୍ଦା କହନ୍ତି, ‘‘ଯଦି ସେମାନେ ମୋ ପାଇଁ କିଛି କରନ୍ତି ତା’ ହେଲେ ସେମାନଙ୍କର ପତ୍ନୀମାନେ ସେମାନଙ୍କୁ ଛାଡ଼ି ପଳାଇବା ପାଇଁ ଧମକ ଦେଇଥିଲେ ।’’
ଏହି ଦଣ୍ଡ ସୁନନ୍ଦାଙ୍କର ମୂଳ ଅପରାଧ ପ୍ରେମ ପାଇଁ ଥିଲା । କିନ୍ତୁ ଯେତେବେଳେ ସେ ଦ୍ୱିତୀୟ ଥର ଉଲ୍ଲଂଘନ କଲେ ସେମାନେ ତାଙ୍କ ସହିତ ଆହୁରି ନିର୍ଦ୍ଦୟ ବ୍ୟବହାର ପ୍ରଦର୍ଶନ ପାଇଁ ସିଦ୍ଧାନ୍ତ ନେଲେ ।
୨୦୧୬ ମସିହା ମେ ମାସରେ ସୁନନ୍ଦା ତାଙ୍କ ମୃତ ବାପାଙ୍କର ୯ ଏକର ଚାଷଜମିରୁ ନିଜର ଭାଗ ଦାବି କଲେ । ସେତେବେଳେ ସୁନନ୍ଦାଙ୍କୁ ୩୬ ବର୍ଷ ହୋଇଥିଲା । ତାଙ୍କର ମାମଲା ଖୁବ୍ ସାଧାରଣ ଥିଲା । ‘‘ମୋର ଦୁଇ ଭଉଣୀଙ୍କର ବିବାହ ପାଇଁ ଜମି ବିକ୍ରି ହୋଇଥିଲା । ଯେହେତୁ ମୁଁ ବିବାହ କରିନାହିଁ, ତେଣୁ ବଳକା ଜମିରେ ମୋର ସମାନ ଦାବି ରହିଛି ।’’
ସୁନନ୍ଦାଙ୍କର ଦାବି ଅଗ୍ରହଣୀୟ ଏବଂ ଅକ୍ଷମଣୀୟ ଥିଲା । ଏହା ହେଉଛି ଏକ ଦେଶ ଯେଉଁଠାରେ କୃଷିଭିତ୍ତିକ ଜନଗଣନା ୨୦୧୦-୨୦୧୧ର ସର୍ବ ଭାରତୀୟ ରିପୋର୍ଟରୁ ଜଣାପଡିଛି ଯେ, ମୋଟ ଜମି ମଧ୍ୟରୁ ପୁରୁଷଙ୍କ ମାଲିକାନାରେ ୮୭.୨ ପ୍ରତିଶତ ଜମି ରହିଛି (ବିଭିନ୍ନ ସଂସ୍ଥାର ଜମିକୁ ବାଦ୍ ଦେଲେ) । ମହିଳାଙ୍କ ନିକଟରେ ମାତ୍ର ୧୨.୮ ପ୍ରତିଶତ ଜମି ରହିଛି ।
ଭାଇମାନେ ତାଙ୍କୁ ଦିନେ ଅପରାହ୍ନରେ ପିଟିଲେ । ସେ ରାଗ ରଖି କାଳୁକୁ ବାଡେଇଥିବାର ସେମାନେ ଅଭିଯୋଗ କଲେ । ସୁନନ୍ଦାଙ୍କୁ କାଠଫାଳିଆରେ ଆଘାତ କରିବା ସମୟରେ ସେମାନେ ଜୋର୍ରେ ପାଟିକଲେ, ‘‘ ଭବିଷ୍ୟତରେ ସେ ଆମକୁ ବାଡ଼େଇବା ଆରମ୍ଭ କରିବ।’’





