“ଆମେ ଆମ ଘୋଡ଼ାକୁ ପରିବାର ସଦସ୍ୟ ଭଳି ବ୍ୟବହାର କରୁ। ଆବଶ୍ୟକ ପଡ଼ିଲେ ମୁଁ ସେମାନଙ୍କର ଡାକ୍ତର ହୋଇ ମୁମ୍ବାଇରୁ ସେମାନଙ୍କ ପାଇଁ ଔଷଧ କିଣିଆଣେ। ସେମାନେ ଅସୁସ୍ଥ ଥିଲେ ମୁଁ ସେହି ଔଷଧକୁ ସେମାନଙ୍କୁ ଇଞ୍ଜେକସନ୍ ମାଧ୍ୟମରେ ଦେଇଥାଏ। ସେମାନଙ୍କୁ ଗାଧୋଇ ଦେବା ସହିତ ପରିଷ୍କାର ରଖେ।” ମନୋଜ କସୁନେ୍ଦ ତାଙ୍କର ଘୋଡ଼ାକୁ ଖୁବ୍ ଭଲ ପାଆନ୍ତି, ସେ ଘୋଡ଼ା ପିଠିରେ ପର୍ଯ୍ୟଟକମାନଙ୍କୁ ବୁଲାଇ ସେହି ଅର୍ଥରେ ଚଳୁଥିବା ଲାଇସେନ୍ସପ୍ରାପ୍ତ ମାଲିକଙ୍କ ମଧ୍ୟରୁ ଅନ୍ୟତମ। ପର୍ଯ୍ୟଟକମାନେ ଘୋଡ଼ା ପିଠିରେ ବସିଥିବାବେଳେ ହ୍ୟାଣ୍ଡଲର ବା ଘୋଡ଼ା ରଖାଳୀମାନେ ଘୋଡ଼ା କଡ଼ରେ ରହି ମାଥେରାନର ଉଠାଣି ଏବଂ ଗଡ଼ାଣି ରାସ୍ତାରେ ଚାଲିଥାନ୍ତି।
କସୁନ୍ଦେମାନେ ହେଉଛନ୍ତି ବିଚିତ୍ର ଲୋକ - ଆମେ ସେମାନଙ୍କ ବିଷୟରେ ଖୁବ୍ କମ୍ ଜାଣିଛୁ। କାରଣ ବୋଧହୁଏ ଆମେ ଏ ନେଇ ପ୍ରଶ୍ନ ପଚାରୁନା। ମୁମ୍ବାଇର ଦକ୍ଷିଣରେ ପ୍ରାୟ ୯୦ କିମି ଦୂରରେ ଥିବା ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାର ଏହି ପ୍ରସିଦ୍ଧ ହିଲଷ୍ଟେସନରେ ପ୍ରାୟ ୪୬୦ଟି ଘୋଡ଼ା କାମ କରୁଛନ୍ତି। ସେମାନଙ୍କ ରଖାଳି (ସମସ୍ତେ ମାଲିକ ନୁହନ୍ତି) ଆମକୁ କହନ୍ତି ଯେ, ‘ସେମାନଙ୍କୁ ପ୍ରତିଦିନ ୨୦-୨୫ କିମି ପାହାଡ଼ିଆ ରାସ୍ତାରେ ଚାଲିବାକୁ ହୁଏ’। ଏଠି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ ଯେ କିଏ ବୋଝ ବୋହୁଥିବା ପଶୁ, ଘୋଡ଼ା ନା ଘୋଡ଼ାରଖାଳୀ ନା ଉଭୟ।






