ଗନନଗୁରୁ ଗାଁର ଜଣେ ଚାଷୀ ସ୍ୱାମୀ କହନ୍ତି, ‘ରାଜନେତାମାନେ ସେମାନଙ୍କର ପ୍ରତିଶ୍ରୁତି କେବଳ ଟିଭିରେ ଦିଅନ୍ତି।’ ଗନନଗୁରୁ ମାଣ୍ଡ୍ୟା ଜିଲ୍ଲାର ଶ୍ରୀରଙ୍ଗାପାଟନା ତାଲୁକରେ ଅବସ୍ଥିତ। ସେଠାକାର ଲୋକସଂଖ୍ୟା ପ୍ରାୟ ୧,୫୦୦।
ମେ ୧୨ ତାରିଖରେ ହେବାକୁ ଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଦୌଡ଼ରେ ଇସ୍ତାହାର, ପ୍ରଚାର ଏବଂ ଟିଭି ଚ୍ୟାନେଲଗୁଡ଼ିକରେ ତୀବ୍ର ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା ଚାଲିଛି। ଜନତା ଦଳ (ଜେଡିଏସ୍)ର ନିର୍ବାଚନୀ ଇସ୍ତାହାରରେ କୁହାଯାଇଛି ଯେ, ସେମାନେ ବର୍ଷକ ମଧ୍ୟରେ ସବୁ ଚାଷୀଙ୍କ ଋଣ ଛାଡ଼ କରିବେ, ଆତ୍ମହତ୍ୟା କରିଥିବା ଚାଷୀଙ୍କ ପରିବାରର ଋଣ ବି ଛାଡ଼ ହେବ। ଜାତୀୟ ଓ ସମବାୟ ବ୍ୟାଙ୍କଗୁଡ଼ିକରୁ ଚାଷୀମାନେ ନେଇଥିବା ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ଛାଡ଼ କରିବାକୁ ଭାରତୀୟ ଜନତା ପାର୍ଟି (ବିଜେପି)ପ୍ରତିଶ୍ରୁତି ଦେଇଛି। କଂଗ୍ରେସ ଋଣ ଛାଡ଼ କରିବା ନେଇ କିଛି ଘୋଷଣା କରିନାହିଁ, କିନ୍ତୁ ଚାଷୀଙ୍କ ରୋଜଗାର ଦୁଇଗୁଣ ହେବ ଏବଂ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ (୨୦୧୮ରୁ ୨୦୨୩ ) ଜଳସେଚନ ବାବଦରେ ୧.୨୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଏକ ଯୋଜନା ପ୍ରସ୍ତୁତ କରିବ ବୋଲି କହିଛି। ଯେତେବେଳେ କି ବିଜେପି ଓ ଜେଡିଏସ କହିଛନ୍ତି ଯେ ସେମାନେ ରାଜ୍ୟରେ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଜଳସେଚନ ପ୍ରକଳ୍ପ ବାବଦରେ ୧.୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ।
କିନ୍ତୁ ଗନନଗୁରୁ ଗାଁର ଚାଷୀମାନେ ମିଥ୍ୟା ପ୍ରତିଶ୍ରୁତି ଶୁଣି ଶୁଣି ଥକି ପଡ଼ିଛନ୍ତି। ସ୍ୱାମୀ କହନ୍ତି, ‘ଟିଭିରେ ପ୍ରତିଶ୍ରୁତି ଦେବା ଅପେକ୍ଷା ରାଜନେତାମାନେ କାବେରୀ ପ୍ରସଙ୍ଗର ସମାଧାନ କରିବା ଆବଶ୍ୟକ ଯେପରିକି ଆମେ ଆମର ଜମିରେ ଚାଷ କରିପାରିବୁ, ଲୋକମାନେ ଖାଦ୍ୟ ଖାଇପାରିବେ ଓ ବଞ୍ଚିପାରିବେ। (ଏହି ଗାଁର ଚାଷୀମାନେ ସେମାନଙ୍କ ନାଁର ପ୍ରଥମ ଶଦ୍ଧକୁ କେବଳ ବ୍ୟବହାର କରାଯିବାକୁ ଚାହିଁଥିଲେ)






