‘‘ମୋ ଜୀବନରେ ବର୍ଷକୁ ଥରେ ଅଧେ ଏମିତି ଗୋଟିଏ ଦିନ ଆସିଥାଏ।’’
ସ୍ୱପ୍ନାଲୀ ଦତ୍ତାତ୍ରେୟ ଯାଧବ ୩୧ ଡିସେମ୍ବର ୨୦୨୨ର ସନ୍ଧ୍ୟା ସମୟ ବିଷୟରେ କହୁଛନ୍ତି । ମରାଠୀ ଚଳଚ୍ଚିତ୍ର ବେଦ ନିକଟରେ ମୁକ୍ତିଲାଭ କରିଥିଲା । ଏହି ପ୍ରେମ କାହାଣୀ ଆଧାରିତ ଚଳଚ୍ଚିତ୍ରରେ କେତେ ଜଣ ପରିଚିତ ଚେହେରା ଥିଲେ, ଏହା ଜାତୀୟ ସ୍ତରରେ ଧ୍ୟାନ ଆକର୍ଷଣ କରିନଥିଲା । କିନ୍ତୁ ଘରୋଇ କର୍ମଜୀବୀ ଭାବେ କାମ କରୁଥିବା ସ୍ୱପ୍ନାଲୀଙ୍କୁ ଛୁଟି ଦିନରେ ଏହି ଚଳଚ୍ଚିତ୍ର ଦେଖିବାକୁ ସୁଯୋଗ ମିଳିଥିଲା । ବର୍ଷସାରା ଅତିକଷ୍ଟରେ ଏମିତି ଗୋଟିଏ କିମ୍ବା ଦୁଇ ଦିନ ତାଙ୍କୁ ମିଳିଥାଏ ।
୨୩ ବର୍ଷ ବୟସ୍କା ସ୍ୱପ୍ନାଲୀ, ସେଦିନର କଥା ଖୁସିର ସହିତ ମନେ ପକେଇ କୁହନ୍ତି, ‘‘ନୂଆ ବର୍ଷ ଆସିଥିଲା ନା, ସେଥିପାଇଁ । ଆମେ ଗୋରେଗାଓଁ ପାଖରେ କୌଣସି ଏକ ସ୍ଥାନରେ ବାହାରେ ଖାଇଥିଲୁ।’’
ବର୍ଷର ଅନ୍ୟ ଦିନଗୁଡ଼ିକରେ, ସ୍ୱପ୍ନାଲୀ ହାଡ଼ଭଙ୍ଗା କଠିନ ପରିଶ୍ରମ କରିଥାନ୍ତି । ସେ ମୁମ୍ବାଇର ୬ଟି ଘରେ ରୋଷେଇ, ବାସନକୁସନ ମାଜିବା, କପଡ଼ା ଧୋଇବା ଭଳି କାମ କରିଥାନ୍ତି । ଏଥିରେ ତାଙ୍କର ଅଧିକାଂଶ ସମୟ ବିତିଯାଇଥାଏ। ତେବେ, ଗୋଟିଏ ଘରୁ ଆଉ ଗୋଟିଏ ଘରକୁ ଯିବା ସମୟରେ ତାଙ୍କୁ ୧୦-୧୫ ମିନିଟର ଫୁରସତ୍ ମିଳିଯାଏ, ଏହି ସମୟରେ ସେ ନିଜ ଫୋନରେ ମରାଠୀ ଗୀତ ଶୁଣନ୍ତି । ସେ ସ୍ମିତ ହସି କୁହନ୍ତି, ‘‘ଗୀତ ଶୁଣି ମୁଁ ଟିକିଏ ଟାଇମପାସ୍ କରିନିଏ।’’























