ଏହା ସେହି ସୂର୍ଯ୍ୟାସ୍ତ ନୁହେଁ ଯାହାକୁ ଦେଖିବା ଲାଗି ସେ ଅପେକ୍ଷା କରି ରହିଛନ୍ତି। ନିଜର ଏକ ବଖୁରିକିଆ କୋଠରୀର ରୋଷେଇ ଘର ବାହାରେ ବସିଥିବା ରନ୍ଦାୱନୀ ସୁରୱସେ, ଷ୍ଟ୍ରିଟ୍ ଲାଇଟ ଜଳିବା ପୂର୍ବରୁ ଅନେକ ସମୟ ପର୍ଯ୍ୟନ୍ତ ଅନ୍ଧାରରେ ଚାହିଁ ବସିଥିଲେ। ନିଜ ମୁଖମଣ୍ଡଳରେ ଏକ ଉଦାସପୂର୍ଣ୍ଣ ସ୍ମିତହାସ୍ୟ ସହିତ, ସେ କୁହନ୍ତି, “ଏହା ହେଉଛି ସେହି ସ୍ଥାନ ଯେଉଁଠି ମୋ ସ୍ୱାମୀ ବସି ନିଜ ମନପସନ୍ଦର ଅଭଙ୍ଗ ଗାଉଥିଲେ।”
ହିନ୍ଦୁ ଦେବତା ବିଠଲଙ୍କ ସ୍ତୁତି କରି ଭକ୍ତି ଗୀତ ଗାଇବା ତାଙ୍କ ସ୍ୱାମୀ ପ୍ରଭାକର ସୁରୱସେଙ୍କ ମନପସନ୍ଦର ଅଭ୍ୟାସ ଥିଲା। ଦୁଇ ବର୍ଷ ପୂର୍ବରୁ ୬୦ ବର୍ଷ ବୟସରେ ଉପନୀତ ହେବା ପରେ, ସେ ମହାରାଷ୍ଟ୍ର ରାଜ୍ୟ ସଡ଼କ ପରିବହନ ନିଗମରୁ ଜଣେ କିରାଣି ଭାବେ ଅବସର ଗ୍ରହଣ କରିଥିଲେ। ସେବେଠାରୁ, ପ୍ରଭାକର ମହାରାଷ୍ଟ୍ରର ବିଡ଼ ଜିଲ୍ଲାର ପରଲୀ ସହରରେ ଥିବା ନିଜ ଘରେ ପ୍ରତିଦିନ ସନ୍ଧ୍ୟାରେ ଭଜନ ଗାଉଥିଲେ ଏବଂ ନିଜ ପଡ଼ୋଶୀମାନଙ୍କୁ ଖୁସି କରିଦେଉଥିଲେ।
୯ ଏପ୍ରିଲ, ୨୦୨୧ ରେ ତାଙ୍କଠାରେ କୋଭିଡ-19ର ଲକ୍ଷଣ ଦେଖାଦେବା ପର୍ଯ୍ୟନ୍ତ ଏପରି ଚାଲିଥିଲା।
ଦୁଇ ଦିନ ପରେ, ପ୍ରଭାକରଙ୍କୁ ପରଲୀଠାରୁ ୨୫ କିଲୋମିଟର ଦୂରରେ ଥିବା ସ୍ୱାମୀ ରାମାନନ୍ଦ ତୀର୍ଥ ଗ୍ରାମୀଣ ସରକାରୀ ମେଡ଼ିକାଲ କଲେଜ, ଅମ୍ବେଜୋଗାଇ (ଏସଆରଟିଆରଏମସିଏ)ରେ ଭର୍ତ୍ତି କରାଗଲା। ଏହାର ଦଶ ଦିନ ପରେ, ନିଃଶ୍ୱାସ ନେବାରେ କଷ୍ଟ ହେବା କାରଣରୁ ତାଙ୍କର ମୃତ୍ୟୁ ଘଟିଲା।
ଅଚାନକ ତାଙ୍କର ମୃତ୍ୟୁ ଘଟିଥିଲା। “ସକାଳ ୧୧:୩୦ରେ, ମୁଁ ତାଙ୍କୁ ବିସ୍କିଟ୍ ଖାଇବାକୁ ଦେଇଥିଲି”, ତାଙ୍କର ୩୬ ବର୍ଷୀୟ ପୁତୁରା ବୈଦ୍ୟନାଥ ସୁରୱସେ କୁହନ୍ତି, ଯିଏକି ପରଲୀରେ ଚୀନା ଫାଷ୍ଟଫୁଡ୍ ଦୋକାନ ଚଳାଇଥାନ୍ତି। “ଏପରିକି ସେ ଜୁସ୍ ମଧ୍ୟ ମାଗିଥିଲେ। ଆମେ ପରସ୍ପର ସହ କଥା ହେଲୁ। ସେ ଠିକ୍ ଲାଗୁଥିଲେ। ଅପରାହ୍ଣ ୧:୩୦ରେ ତାଙ୍କୁ ମୃତ ଘୋଷଣା କରି ଦିଆଯାଇଥିଲା।”
ମଝିରେ କିଛି ଘଣ୍ଟା, ବୈଦ୍ୟନାଥ ଡାକ୍ତରଖାନା ୱାର୍ଡରେ ଉପସ୍ଥିତ ଥିଲେ। ସେ କୁହନ୍ତି ଯେ ଅପରାହ୍ଣରେ ଅକ୍ସିଜେନ ଯୋଗାଣର ଚାପ ଅଚାନକ କମିଗଲା। ସେପର୍ଯ୍ୟନ୍ତ କଥାବାର୍ତ୍ତା କରୁଥିବା ଓ ଉତ୍ସାହିତ ଥିବା ପ୍ରଭାକର ଅଚାନକ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କଲେ। “ମୁଁ ଚିନ୍ତିତ ହୋଇ ଲଗାତାର ଡାକ୍ତରମାନଙ୍କୁ ଡାକିଲି, କିନ୍ତୁ କେହି ସେଥିପ୍ରତି ଧ୍ୟାନ ଦେଲେ ନାହିଁ”, ବୈଦ୍ୟନାଥ କୁହନ୍ତି। “କିଛି ସମୟ ପର୍ଯ୍ୟନ୍ତ ସେ ନିଃଶ୍ୱାସ ନେବା ଲାଗି ସଂଘର୍ଷ କରିଚାଲିଥିଲେ ଏବଂ ଏହାର ତୁରନ୍ତ ପରେ ତାଙ୍କର ମୃତ୍ୟୁ ଘଟିଲା। ମୁଁ ତାଙ୍କ ଛାତିକୁ ପମ୍ପ୍ କଲି, ତାଙ୍କ ପାଦକୁ ଘସିଲି, କିନ୍ତୁ କିଛି ଲାଭ ହେଲା ନାହିଁ।”









