କାକଡ଼େ ବ୍ୟାଙ୍କରୁ ୩ ଲକ୍ଷ ଟଙ୍କା ଏବଂ ଘରୋଇ ଭାବେ ୫ ଲକ୍ଷ ଟଙ୍କା ଋଣ କରିଛନ୍ତି । “ମୁଁ ଉଭୟ ଫସଲରୁ (ସେଇ ଏକ ଏକର ଜମିରେ) କେବଳ ମୋର ବୁଣିବା ଓ ରୋଇବା ବାବଦ ଖର୍ଚ୍ଚ ଉଠାଇବି ବୋଲି ଆଶା କରୁଛି । ପ୍ରକୃତିର ଇଚ୍ଛା ନିକଟରେ ଆମେ ସମସ୍ତେ ଦୟାର ପାତ୍ର । ଗତ ୧୦ ବର୍ଷ ହେଲା ପାଣିପାଗ ଅଧିକରୁ ଅଧିକ ଅନିଶ୍ଚିତ ହୋଇଯାଇଛି । ମୁଁ ଆଶା କରୁଛି ଅକ୍ଟୋବରରେ ରବି ଋତୁ ଆସିବା ପୂର୍ବରୁ ମତେ ଟଙ୍କା ପାଇଁ ହାତ ପତେଇବାକୁ ପଡ଼ିବନି ।”
କାକଡ଼େ ତାଙ୍କ କପା ଫସଲରୁ ଅଳ୍ପ କିଛି ରଖିବେ କାରଣ ସେ ତାଙ୍କର ସମସ୍ତ ୧୦ ଏକର ଜମିରେ ଅନ୍ୟ ଫସଲ ଲଗାଇ ପାରିବେ ନାହିଁ । ସେଥିପାଇଁ ଅଧିକ ଅର୍ଥ ଦରକାର, ଯାହା ତାଙ୍କ ପାଖରେ ନାହିଁ । ଏବଂ ଅଗଷ୍ଟ ମାସ ଦ୍ୱିତୀୟାର୍ଦ୍ଧରେ ମରାଠୱାଡ଼ାରେ ବର୍ଷା ହେବା ପରେ ଆଗକୁ ମୌସୁମୀ ବର୍ଷା ପୂରା ଲେଉଟିବ ବୋଲି ସେ ଆଶା କରୁଛନ୍ତି । ଯଦି ବର୍ଷା ଲାଗି ରହେ, ତେବେ ନଭେମ୍ବର ବେଳକୁ କପା ଅମଳ ହୋଇପାରିବ ଏବଂ କିଛିଟା ଫାଇଦା ମିଳିପାରିବ । କିନ୍ତୁ ପ୍ରଥମ ଥର ବୁଣାବୁଣି ହୋଇଥିବା ଖାଦ୍ୟ ଫସଲ ଆଉ ବଞ୍ଚିବ ନାହିଁ ।
ତାଙ୍କ ଜମିର କିଛି ଅଂଶରେ ଦ୍ୱିତୀୟ ପର୍ଯ୍ୟାୟ ବପନ-ଦୋବାର ପର୍ନି- କରିବାକୁ ସ୍ଥିର କରି କାକଡ଼େ ତାଙ୍କ ପାଇଁ ଏକ ବାଜି ଲଗାଇଛନ୍ତି । ପ୍ରାୟ ଜୁନ୍ ମଧ୍ୟଭାଗରେ, ମରାଠୱାଡ଼ାର ଚାଷୀମାନେ ଯେତେବେଳେ ପ୍ରଥମ ପର୍ଯ୍ୟାୟ ଖରିଫ ବୁଣାବୁଣି କରନ୍ତି, ଫସଲ ବଢ଼ିବା ପାଇଁ ଲଗାଣ ବର୍ଷା ଦରକାର ହୁଏ । ଯଦି ଅଳ୍ପ ବର୍ଷା ହୁଏ ବା ଆଦୌ ନ ହୁଏ, ତେବେ ଚାଷୀମାନେ ଜାଣନ୍ତି ଯେ ପ୍ରଥମ ପର୍ଯ୍ୟାୟରୁ ସେମାନଙ୍କୁ ପର୍ଯ୍ୟାପ୍ତ ଲାଭ ମିଳିବନି । ଆଗ୍ରହ ନଥିଲେ ବି, ଅତି କମ୍ରେ ଖର୍ଚ୍ଚ ଉଠିଯିବା ଆଶାରେ ସେମାନେ ପୁଣି ପୁଞ୍ଜି ଓ ସାହସ ଯୋଗାଡ଼ କରି ଅଗଷ୍ଟ ପ୍ରଥମ ସପ୍ତାହ ପାଖାପାଖି ଦ୍ୱିତୀୟ ଥର ବୁଣାବୁଣିରେ ବିନିଯୋଗ କରନ୍ତି । ଦୋବାର ପର୍ନି ପରେ ଯଦି ବର୍ଷା ହୁଏ ତେବେ ସେମାନେ ବାଜି ମାରିନେବେ। ଯଦି ବର୍ଷା ନ ହୁଏ ତେବେ ଦୁଇଗୁଣ କ୍ଷତି ସହିବେ ।
କାକଡ଼େଙ୍କ ବୟସ ୮୦ ବର୍ଷରୁ ଅଧିକ । ଏଇ ବୟସରେ, ନିଜ ଚାଷଜମିରେ ଧୀରେ ଧୀରେ ଚାଲୁ ଚାଲୁ ସେ କହନ୍ତି ଯେ, ଏଇ ଅନିଶ୍ଚିତତା ତାଙ୍କୁ ପ୍ରଭାବିତ କରେ । “ଆମ ପରିବାରରେ ୧୬ ଜଣ ସଦସ୍ୟ । ମୋର ତିନିଟି ଯାକ ପୁଅ ବିବାହିତ । ଅଧିକ ରୋଜଗାର ପାଇଁ ସେମାନେ ମଧ୍ୟ କୃଷି ଶ୍ରମିକ (ଆଖପାଖ ଗାଁରେ) ଭାବେ କାମ କରନ୍ତି । ମୋ ନାତିନାତୁଣୀମାନେ ଚାଷକାମରେ ସହାୟତା କରନ୍ତି ଏବଂ ପାଠ ପଢ଼ନ୍ତି । ସେମାନେ ଏବେ ସାନପିଲା ।''
ପ୍ରାୟ ତିନି କିଲୋମିଟର ଦୂର ଖୁପ୍ସା ଗାଁର ୪୯ ବର୍ଷ ବୟସ୍କ ସାହେବରାଓ ଦାସଲକର ମଧ୍ୟ କାକଡ଼େଙ୍କ ପଦାଙ୍କ ଅନୁସରଣ କରିଛନ୍ତି । ତାଙ୍କର ୧୨ ଏକର କପା ଜମିରୁ ସେ ୧.୫ ଏକର ଖାଲି କରିଦେଇଛନ୍ତି; ତଥାପି, ଅବଶିଷ୍ଟ ଫସଲରୁ କିଛି ଲାଭ ମିଳିବ ବୋଲି ସେ ମଧ୍ୟ ଆଶା ରଖିଛନ୍ତି । ସେ କହନ୍ତି, “ମୁଁ ଏଇ ୧.୫ ଏକରରେ ୨୫,୦୦୦ ଟଙ୍କା କ୍ଷତି ସହିଲି'' । "ଏହା ଉପରେ ମୁଁ ଏବେ ବନ୍ଧାକୋବି ଲଗାଇଛି । ଅଧିକ ଭାଗ କପା ଫସଲ ମୁଁ ବଦଳାଇଲି ନାହିଁ । କାରଣ ପରେ ଯଦି ବର୍ଷା ହୁଏ ତଥାପି ଏକର ପିଛା ୨-୩ କୁଇଣ୍ଟାଲ (ଭଲ ବର୍ଷା ହେଲେ, ଏହା ୬-୮ କୁଇଣ୍ଟାଲ ହୋଇପାରେ) କପା ମିଳିବ ଏବଂ ମୁଁ ଏଥିରୁ ଅତି କମ୍ରେ କିଛି ଟଙ୍କା ତ ପାଇପାରିବି (କୁଇଣ୍ଟାଲକୁ ପାଖାପାଖି ୪,୦୦୦ ଟଙ୍କା ହିସାବରେ) ।”