ମତେ କୁହ କେମିତି ଚାଷ କରିବି ? ମତେ କୁହ କେମିତି ?
କେମିତି ମୁଁ ମୋ ପେଟ ଭରିବି? ମତେ କୁହ କେମିତି ?


Osmanabad, Maharashtra
|MON, AUG 12, 2019
ମରାଠି ରାପ୍ ଗୀତ: ‘ମତେ କୁହ କେମିତି ଚାଷ କରିବି?’
ଅଜିତ୍ ସେଲ୍କେ ବା ‘ରାପ୍ବସ୍’ ଏହି ମରାଠୀ ରାପ୍ ଗୀତକୁ ଖୁବ୍ ପ୍ରଭାବଶାଳୀ ଭାବରେ ଗାଆନ୍ତି। ଏହି ଗୀତ ମହାରାଷ୍ଟ୍ରର କୃଷକମାନଙ୍କ ଭୀଷଣ ଦୁର୍ଦ୍ଦଶା ବିଷୟରେ: ‘ମୋ ଆଖି ଆଗରେ ଦିଶୁଛି କେବଳ ଗୋଟିଏ ରାସ୍ତା, ଦଉଡି ଦେଇ ମରିବା?’
Author
Translator
ଏଗୁଡ଼ିକ ଭାରତରେ ଦୁର୍ଦ୍ଦଶାଗ୍ରସ୍ତ କୃଷକମାନେ ପ୍ରତିଦିନ ସମ୍ମୁଖୀନ ହେଉଥିବା ପ୍ରଶ୍ନ। କିନ୍ତୁ ପୋଷିନ୍ଦା - ସାରା ବିଶ୍ୱକୁ ଖାଦ୍ୟ ଯୋଗାଉଥିବା କୃଷକମାନଙ୍କ ତରଫରୁ- ଗାୟକ ତଥା ଗୀତିକାର ଅଜିତ୍ ଶେଲ୍କେ ପଚାରନ୍ତି - ସେମାନଙ୍କ କଥା ଶୁଣିବା ପାଇଁ କାହାର ବେଳ ଅଛି।
୨୨ ବର୍ଷ ବୟସ୍କ ଅଜିତ୍ କୁହନ୍ତି, ‘‘ମୁଁ ନିଜେ ଦେଖିଛି କୃଷକମାନଙ୍କୁ ସେମାନଙ୍କ ଫସଲକୁ ଉଚିତ୍ ମୂଲ୍ୟରେ ବିକିବା ପାଇଁ କେତେ ସଂଘର୍ଷ କରିବାକୁ ପଡ଼େ। ଏମ୍ଏସ୍ପି [ସର୍ବନିମ୍ନ ସହାୟକ ମୂଲ୍ୟ] ର ପ୍ରତିଶ୍ରୁତି ଏବଂ ଋଣ ଛାଡ଼ କେବଳ ରାଜନୈତିକ ଉଦ୍ଦେଶ୍ୟ ପାଇଁ ବ୍ୟବହୃତ ହୁଏ।’’ ଅଜିତ୍ ମହାରାଷ୍ଟ୍ରର ସୋଲାପୁର ଜିଲ୍ଲାର ବାର୍ସି ସହରରେ ଏକ ଇଞ୍ଜିନିୟରିଂ କଲେଜର ଛାତ୍ର।

ଅଜିତ୍ଙ୍କ ପରିବାରର ଓସ୍ମାନାବାଦ୍ ଜିଲ୍ଲାର କଲାମ୍ବ ତାଲୁକାରେ ସେଲ୍କା ଧାନୋରା ଗ୍ରାମରେ ୮ଏକର ଜମି ଅଛି। ଏହି ଜମିରେ ସେମାନେ ସୋୟାବିନ୍ ଏବଂ ବୁଟ ଡାଲି ଚାଷ କରନ୍ତି। ଯଦି ବର୍ଷା ହୁଏ ସେମାନେ ଆଖୁ ମଧ୍ୟ ଚାଷ କରନ୍ତି। ସେ କୁହନ୍ତି, ‘‘ମୁଁ ନିଜେ ଦେଖିଛି ମୋ ବାପା ଆମ ପାଠପଢ଼ା ପାଇଁ ନେଇଥିବା ଋଣ ପରିଶୋଧ କରିବା ନିମନ୍ତେ କେତେ ସଂଘର୍ଷ କରିଛନ୍ତି।’’ ‘‘ବର୍ଷ ପରେ ବର୍ଷ ଆମେ ସମାନ କଷ୍ଟକର ସମୟ ଦେଇ ଯାଇଛୁ।’’
ସହରରେ ବାସ କରୁଥିବା ଅନେକ ଲୋକ କୃଷକମାନଙ୍କର ଦୈନନ୍ଦିନ ସଂଘର୍ଷ ପ୍ରତି ସମ୍ବେଦନଶୀଳ ନୁହଁନ୍ତି, ଏଥି ସହ ସେ କୁହନ୍ତି, ‘‘ବଜାରରେ ଲୋକମାନେ ଗରିବ ପୁରୁଷ ଓ ମହିଳା ପରିବା ବିକାଳିଙ୍କ ସହ ପରିବାର ଦାମ୍ ନେଇ ଯୁକ୍ତିତର୍କ କରନ୍ତି। କିନ୍ତୁ ସେହି ଲୋକ ବଡ଼ ସପିଂ ମଲ୍ରେ କୌଣସି ମୂଲଚାଲ ବିନା ମହଙ୍ଗା ଜିନିଷ କିଣିବେ।’’
ଏହି ଭିଡ଼ିଓର ପ୍ରାୟୋଜକ, ଚେତନ ଗରୁଡ଼ ୧୦ ବର୍ଷରୁ ଅଧିକ ସମୟ ଧରି ମରାଠୀ ମନୋରଞ୍ଜନ ଟେଲିଭିଜନ ଚ୍ୟାନେଲଗୁଡ଼ିକରେ କାମ କରିଛନ୍ତି। କେଇବର୍ଷ ତଳେ ସେ ନିଜସ୍ୱ ପ୍ରଡ଼କ୍ସନ ହାଉସ ଆରମ୍ଭ କରିଛନ୍ତି। ସେ ଯୁବ ଗ୍ରାମୀଣ କଳାକାରଙ୍କୁ ସୁଯୋଗ ଦିଅନ୍ତି। ଚେତନଙ୍କ ପିତାମାତା ମଧ୍ୟ କୃଷକ।
ଚାରିଢ଼ୋକ ପାଣି ପିଇ ନେଇ
ସବୁ ଲୋକ ଶୋଇ ପଡ଼ିଛନ୍ତି କି?
ଚାଷୀଙ୍କ ଉପରେ ସେମାନେ ରାଗିଛନ୍ତି କି?
ତା’ର କାରଣ କ’ଣ, ଯାହା ତାକୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଛି
ତା’ର କାରଣ କ’ଣ, ଯାହା ତାକୁ ମୃତ୍ୟୁ ମୁଁହା କରିଛି ?
ଏହା ତୁମେ ଠିକ୍ କଲ କି?
ତା’ କଷ୍ଟ ଉପାର୍ଜିତ ଆହାର ଛଡ଼େଇ ନେଲ
ମାତ୍ର ଦୁଇ ଟଙ୍କାର ପରିବା ପାଇଁ
ଯେତେବେଳେ ତୁମେ ତା’ ସହ ମୂଲ ଚାଲ କଲ
ଚାରିଢ଼ୋକ ପାଣି ପିଇ ନେଇ
ଚପଲରେ ମୁଣ୍ଡ ଦେଇ ଶୋଇଯାଏ
ଦିନଥିଲା ଯିଏ ସାରା ଦୁନିଆକୁ ଖାଇବାକୁ ଦେଉଥିଲା
ସେ ଆଜି ଉପାସରେ ଶୋଇଗଲା।
ମତେ କୁହ କେମିତି ଚାଷ କରିବି ?
ମତେ କୁହ କେମିତି ?
କେମିତି ମୁଁ ମୋ ପେଟ ଭରିବି?
ମତେ କୁହ କେମିତି ?
ପିଆଜର ଦାମ ସବୁବେଳେ ଚଢ଼ା ରହୁନାହିଁ
ଆଖୁ ଦର ବି ସାଥ୍ ଦେଉ ନାହିଁ
ହରଡ଼ ଡାଲିର ଖବର ଆହୁରି ଖରାପ
ମତେ କୁହ କ’ଣ ଖାଇବି ?
ଯେଉଁ ଅଳ୍ପ ଟିକକ ଆୟ ମୁଁ କରିଛି
ସବୁ ତ ଋଣ ଦାତାକୁ ସୁଝିଛି
ସାହୁକାରକୁ ଏବେ ଦେବି କ’ଣ?
ମୋ ପୁଅର ସ୍କୁଲ୍ ଦେୟ
ମୁଁ ଏଯାଏଁ ଦେଇନି,
ତା’ ପାଠପଢ଼ା କ’ଣ ବନ୍ଦ କରିଦେବି
ତାକୁ ଖାଲି ଖାଲି ଘରେ ରହିବାକୁ ଦେବି ?
ମୁଁ ଦେଖୁଛି ଏବେ
ଗୋଟେ ମାତ୍ର ରାସ୍ତା ବାଛିବାକୁ ଅଛି
ମୋ ବେକ ଚାରିପାଖେ
ମୁଁ ରଶି ବାନ୍ଧିବି କି?
ବ୍ୟବସାୟିଙ୍କର ମଉଜ
ସରକାରଙ୍କ ଜରୁରୀ କାଳ
ସେମାନଙ୍କ ଜୀବନଶୈଳୀର ବିଳାସ
ଶ୍ରମିକ ଆଖିରେ ଲୁହ ଅଛି
କେମିତି ଜମିରେ ପାଣି ମଡ଼େଇବି
ରାତିରେ କେବଳ ବିଦ୍ୟୁତ୍ ଅଛି
ରାତିର ଅନ୍ଧକାର
ସାପ ଏବଂ ବିଚ୍ଛାଙ୍କ ଭୟରେ ବଞ୍ଚିବା
ମତେ କୁହ କେମିତି ଚାଷ କରିବି ?
ମତେ କୁହ କେମିତି ?
କେମିତି ମୁଁ ମୋ ପେଟ ଭରିବି?
ମତେ କୁହ କେମିତି ?
କେବଳ କଠିନ ପରିଶ୍ରମରେ ବଡ଼ ହୋଇଥିବା
ଆମ ଫସଲକୁ କମ୍ ମୂଲ୍ୟ ମିଳେ
ସରକାର ବଦଳିଲେବି
ଏମ୍ଏସ୍ପି କେବଳ କାଗଜରେ
ମାଟି ମା’ ଶୁଖି ଫାଟିଯାଉଛି
ମରୁଡ଼ିର, ପରିସ୍ଥିତି
ସର୍ବେକ୍ଷଣ, ଗସ୍ତ ସବୁ କେବଳ ଦେଖାଇବା ପାଇଁ
ତାହା ଖାଲି ନିର୍ବାଚନ ପ୍ରଚାର
ଯେଉଁମାନେ ମୋତେ ଜୀବନଠାରୁ ବଳି ଭଲ ପାଆନ୍ତି
ମୋ ସରଜା-ରାଜା ଏବେ ଭୋକରେ
କୁହ ମୋତେ, ତାଙ୍କୁ ଭୋକରେ ରଖି
କେମିତି ଭକ୍ରି ଖାଇବି
ଏହା ମୋର ପ୍ରଶ୍ନ
ଏବେ ମୋତେ ଉତ୍ତର ଦିଅ
ମତେ କୁହ, କେମିତି ଚାଷ କରିବି ?
ମତେ କୁହ, କେମିତି ଚାଷ କରିବି ?
ମତେ କୁହ କେମିତି ?
କେମିତି ମୁଁ ମୋ ପେଟ ଭରିବି?
ମତେ କୁହ କେମିତି ?
ଏହି ଗୀତପାଇଁ ୟୁଟୁବ୍ ପୃଷ୍ଠାରୁ : या गीताचा (शेतकऱ्यांच्या भावनांचा) वापर कुठल्याही राजकीय पक्षाने स्वतःच्या हितासाठी करु नये. (ଏହି ଗୀତ ଏବଂ କୃଷକମାନଙ୍କର ଏହି ଭାବନା କୌଣସି ରାଜନୈତିକ ଦଳ ଦ୍ୱାରା ସେମାନଙ୍କର ନିଜସ୍ୱ ହିତ ପାଇଁ ବ୍ୟବହୃତ ହେବା ଉଚିତ୍ ନୁହେଁ )
ଏହି ଭିଡ଼ିଓ କଳାକାର ରାବବସ୍ (ଅଜିତ ସେଲ୍କେ) ଏବଂ ପ୍ରଯୋଜକ ଚେତନ ଗରୁଡ଼ ପ୍ରଡ଼କ୍ସନର ଚେତନ ଗରୁଡ଼ଙ୍କ ଅନୁମତି ସହ ପୁନଃ ପ୍ରକାଶିତ କରାଯାଇଛି।
ପ୍ରଚ୍ଛଦ ଫଟୋ: ପୁରୁଷୋତ୍ତମ ଠାକୁର/ ପିପୁଲ୍ସ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆ
ଅନୁବାଦ: ଓଡ଼ିଶାଲାଇଭ୍
Want to republish this article? Please write to [email protected] with a cc to [email protected]
Donate to PARI
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/ମରାଠି-ରାପ୍-ଗୀତ-ମତେ-କୁହ-କେମିତି-ଚାଷ-କରିବି

