ଝିଅର ଦୁଃଖଦ ମୃତ୍ୟୁ ପରେ ବିଗତ ପାଞ୍ଚ ବର୍ଷରେ କାନ୍ତା ଭିସେଙ୍କ ଭିତରେ କୁହୁଳୁଥିବା କ୍ରୋଧ ତାଙ୍କୁ ନିଜ କଥା କହିବା କ୍ଷେତ୍ରରେ ସାମାନ୍ୟ ଦୃଢ଼ନିଶ୍ଚୟୀ କରି ଦେଇଥିଲା। କାନ୍ତାଙ୍କ ଝିଅ ମୋହିନୀ ୨୦ ଜାନୁଆରୀ ୨୦୧୬ରେ ଆତ୍ମହତ୍ୟା କରି ଦେଇଥିଲେ। କାନ୍ତା କୁହନ୍ତି, “ଆମର ଦାରିଦ୍ର୍ୟ ମୋ ପିଲାର ଜୀବନ ନେଇଗଲା।”

ଯେତେବେଳେ ମୋହିନୀଙ୍କ ମୃତ୍ୟୁ ଘଟିଲା, ସେତେବେଳେ ତାଙ୍କ ବୟସ ମାତ୍ର ୧୮ ବର୍ଷ ଥିଲା, ସେ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିଲେ। ମହାରାଷ୍ଟ୍ରର ଲାତୁର ଜିଲ୍ଲାର ଭିସେ ବାଘୋଲୀ ଗ୍ରାମରେ ରହୁଥିବା ୪୨ ବର୍ଷୀୟା କାନ୍ତା କୁହନ୍ତି, “ତା’କୁ ଦ୍ୱାଦଶଠାରୁ ଆଗକୁ ପଢ଼ାଇବା ଲାଗି ଆମର ସାମର୍ଥ୍ୟ ନଥିଲା, ସେଥିପାଇଁ ଆମେ ତା’ର ବାହାଘର କରିବା ଲାଗି ପୁଅ ଦେଖିବା ଆରମ୍ଭ କଲୁ।”

ଗୋଟିଏ ବାହାଘରରେ ବିଭିନ୍ନ ପ୍ରକାରର ଖର୍ଚ୍ଚ ରହିଥାଏ। କାନ୍ତା ଓ ତାଙ୍କର ୪୫ ବର୍ଷୀୟ ସ୍ୱାମୀ ପାଣ୍ଡୁରଙ୍ଗ ଏହାକୁ ନେଇ ଚିନ୍ତାରେ ଥିଲେ। କାନ୍ତା କୁହନ୍ତି, “ମୁଁ ଓ ମୋର ସ୍ୱାମୀ, ଆମେ ଦୁହେଁ କୃଷି ଶ୍ରମିକ ଭାବେ କାମ କରିଥାଉ। ଆମକୁ ଲାଗୁଥିଲା ଯେ ମୋହିନୀଙ୍କ ବାହାଘର ପାଇଁ ଆମେ ଆବଶ୍ୟକ ଟଙ୍କା ଯୋଗାଡ଼ କରିପାରିବୁ ନାହିଁ। ସେତେବେଳେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯୌତୁକ ଦାବି କରାଯାଉଥିଲା।

ଭିସେ ଦମ୍ପତି ପୂର୍ବରୁ ରହିଥିବା ୨.୫ ଲକ୍ଷ ଟଙ୍କାର ଋଣ ସୁଝୁଥିଲେ, ଯାହାକୁ ସେମାନେ ଜଣେ ଘରୋଇ ସାହୁକାରଠାରୁ ମାସିକ ୫% ସୁଧ ଦରରେ ଉଧାର ଆଣିଥିଲେ। ସେହି ଋଣ ସେମାନେ ୨୦୧୩ରେ ବଡ଼ ଝିଅ ଅଶ୍ୱିନୀଙ୍କ ବାହାଘର ସମୟରେ ଆଣିଥିଲେ। ମୋହିନୀଙ୍କ ବାହାଘର ପାଇଁ ସେମାନଙ୍କ ପାଖରେ ନିଜର ଜମି ବିକିବା ଛଡ଼ା ଅନ୍ୟ କୌଣସି ବିକଳ୍ପ ନଥିଲା, ଯେଉଁଥିରୁ ସେମାନଙ୍କୁ ୨ ଲକ୍ଷ ଟଙ୍କା ମିଳିଥାନ୍ତା।

ଭିସେ ବାଘୋଲିଠାରେ ଥିବା ତାଙ୍କର ଗୋଟିଏ ଏକର ଜମିରେ ଚାଷ କାମ ହୋଇପାରୁନଥିଲା। କାନ୍ତା ବିସ୍ତୃତ ଭାବେ କହିଥାନ୍ତି, “ଏଠାରେ ପାଣିର କୌଣସି ସ୍ରୋତ ନାହିଁ ଏବଂ ଆମ ଅଞ୍ଚଳରେ ସବୁବେଳେ ମରୁଡ଼ି ପଡ଼ିଥାଏ।” ୨୦୧୬ରେ ଅନ୍ୟମାନଙ୍କ ଚାଷ ଜମିରେ କାମ କରି କାନ୍ତା ୧୫୦ ଟଙ୍କା, ଅନ୍ୟପଟେ ପାଣ୍ଡୁରଙ୍ଗ ୩୦୦ ଟଙ୍କାର ଦୈନିକ ମଜୁରି ପାଉଥିଲେ। ଏହିପରି ଗୋଟିଏ ମାସ ଭିତରେ ଦୁହେଁ ମିଶି ୨୦୦୦-୪୦୦୦ ଟଙ୍କା ରୋଜଗାର କରୁଥିଲେ।

ଭିଡିଓ ଦେଖନ୍ତୁ : ‘ଦାରିଦ୍ର୍ୟ କାରଣରୁ ମୋ ଝିଅର ଜୀବନ ଚାଲିଗଲା’

ଦିନେ ରାତିରେ କାନ୍ତା ଓ ପାଣ୍ଡୁରଙ୍ଗ ଜମି ବିକିବା ବିଷୟରେ ଆଲୋଚନା କରୁଥିବା ମୋହିନୀ ଶୁଣି ଦେଇଥିଲେ। ଏହାର କିଛିଦିନ ପରେ ସେ ନିଜର ଜୀବନ ହାରି ଦେଇଥିଲା। କାନ୍ତା କୁହନ୍ତି, “ଯେତେବେଳେ ଆମେ ଜମିରେ କାମ କରୁଥିଲୁ, ମୋହିନୀ ନିଜକୁ ରଶିରେ ଝୁଲାଇ ଦେଇଥିଲା।”

ଆତ୍ମହତ୍ୟା ପୂର୍ବରୁ ମୋହିନୀ ନିଜ ଶେଷ ଚିଠିରେ ଲେଖିଥିଲେ ଯେ ସେ ଋଣ ବୋଝ ତଳେ ଚାପି ହୋଇ ରହିଥିବା ନିଜର ପିତାଙ୍କୁ ବାହାଘର ଖର୍ଚ୍ଚରୁ ମୁକ୍ତି ଦେବା ଓ ତାଙ୍କର ସମସ୍ୟା କମ୍ କରିବାକୁ ଚାହୁଁଛନ୍ତି। ସେ ଯୌତୁକ ପ୍ରଥାର ମଧ୍ୟ ନିନ୍ଦା କରି ଏହାକୁ ଶେଷ କରିବା ପାଇଁ ତର୍କ ଦର୍ଶାଇଥିଲେ। ତାଙ୍କ ଅନ୍ତିମ ସତ୍କାରରେ ଟଙ୍କା ଖର୍ଚ୍ଚ କରିବା ପରିବର୍ତ୍ତେ, ସେହି ଟଙ୍କାକୁ ତାଙ୍କ ଭାଇ-ଭଉଣୀଙ୍କ ପାଠପଢ଼ାରେ ବିନିଯୋଗ କରିବା ଲାଗି ମୋହିନୀ ନିଜ ମା’-ବାପାଙ୍କୁ ନିବେଦନ କରିଥିଲେ। ନିକିତା ଓ ଅନିକେତ ସେତେବେଳେ ସପ୍ତମ ଓ ନବମ ଶ୍ରେଣୀରେ ପଢ଼ୁଥିଲେ।

ତାଙ୍କର ମୃତ୍ୟୁ ପରେ ବହୁ ରାଜନେତା, ସରକାରୀ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ଏବଂ ସେଲିବ୍ରିଟି ସେମାନଙ୍କୁ ସାକ୍ଷାତ କରିବାକୁ ଆସିଥିଲେ, ଏକଥା କାନ୍ତା କୁହନ୍ତି। ସେ ଆହୁରି କୁହନ୍ତି, “ଆମ ପିଲାମାନଙ୍କ ପାଠପଢ଼ା କଥା ବୁଝିବେ ବୋଲି ସେମାନେ ସମସ୍ତେ ଆଶ୍ୱାସନା ଦେଇଥିଲେ। ସରକାରୀ ଅଧିକାରୀମାନେ ଏହା ମଧ୍ୟ କହିଥିଲେ ଯେ ଆମକୁ ଖୁବଶୀଘ୍ର ସରକାରୀ ଯୋଜନା (ପ୍ରଧାନମନ୍ତ୍ରୀ ଆବାସ ଯୋଜନା) ଅନ୍ତର୍ଗତ ଆବାସ ମଧ୍ୟ ଆବଣ୍ଟିତ କରାଯିବ”। ପାଣ୍ଡୁରଙ୍ଗ କୁହନ୍ତି, “କେବଳ ପକ୍କା ଘର ନୁହେଁ, ବରଂ ଆମକୁ ସରକାରୀ ଯୋଜନା ଅନ୍ତର୍ଗତ ବିଦ୍ୟୁତ ସଂଯୋଗ ଏବଂ ଏଲପିଜି ସଂଯୋଗ ମଧ୍ୟ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ଆମକୁ ଏଥିମଧ୍ୟରୁ କିଛି ବର୍ତ୍ତମାନ ସୁଦ୍ଧା ମିଳିନାହିଁ।”

ଭିସେ ବାଘୋଲି ସୀମାରେ ଥିବା ତାଙ୍କର କଚ୍ଚା ଘର ଇଟାକୁ ଯୋଡ଼ି ତିଆରି ହୋଇଛି। କାନ୍ତା କୁହନ୍ତି, “ଘରର ଛାତ ଠିକ୍ ନାହିଁ, ଏବଂ ଅଧିକାଂଶ ସମୟରେ ସାପ ଓ ଏଣ୍ଡୁଅ ଘର ଭିତରକୁ ପଶି ଆସୁଛନ୍ତି। ଆମକୁ ରାତିରେ ଶୋଇ ମଧ୍ୟ ଦେଉନାହାନ୍ତି। ଆମ ପିଲାମାନେ ଯେମିତି ଠିକରେ ଶୋଇପାରିବେ ସେଥିପାଇଁ ଆମେ ଅନେକ ରାତି ଅନିଦ୍ରା ମଧ୍ୟ ହେଉଛୁ। ଆମକୁ ଭେଟିବାକୁ ଆସିଥିବା ଲୋକମାନଙ୍କ ସହିତ ପରେ ଯେତେବେଳେ ଆମେ ଯୋଗାଯୋଗ କରିଥିଲୁ ସେମାନେ ଆମ ସହିତ ପୁଣିଥରେ କଥା ମଧ୍ୟ ହୋଇନଥିଲେ।”

Mohini Bhise was only 18 when she died by suicide
PHOTO • Ira Deulgaonkar

ଆତ୍ମହତ୍ୟା କରିବା ସମୟରେ ମୋହିନୀ ଭିସେଙ୍କୁ ମାତ୍ର ୧୮ ବର୍ଷ ହୋଇଥିଲା

ଆତ୍ମହତ୍ୟା ପୂର୍ବରୁ ମୋହିନୀ ନିଜ ଶେଷ ଚିଠିରେ ଲେଖିଥିଲେ ଯେ ସେ ଋଣ ବୋଝ ତଳେ ଚାପି ହୋଇ ରହିଥିବା ନିଜର ପିତାଙ୍କୁ ବାହାଘର ଖର୍ଚ୍ଚରୁ ମୁକ୍ତି ଦେବା ଓ ତାଙ୍କର ସମସ୍ୟା କମ୍ କରିବାକୁ ଚାହୁଁଛନ୍ତି। ସେ ଯୌତୁକ ପ୍ରଥାର ମଧ୍ୟ ନିନ୍ଦା କରି ଏହାକୁ ଶେଷ କରିବା ପାଇଁ ତର୍କ ଦର୍ଶାଇଥିଲେ

ସେମାନଙ୍କ ଜୀବନ ପ୍ରତିଦିନ ସଂଘର୍ଷମୟ ରହିଥାଏ। କାନ୍ତା କୁହନ୍ତି, “ମୁଁ ମୋର ଦୈନନ୍ଦିନର ସମସ୍ୟା ବିଷୟରେ କହିପାରିବି ନାହିଁ। ଆମେ ଚାରି ଆଡ଼ୁ ବିପଦରେ ଘେରି ରହିଛୁ।” ୨୦୧୬ ପରେ ମରୁଡ଼ି କାରଣରୁ ଗାଁରେ ଅତି କଷ୍ଟରେ କାମ ମିଳୁଛି। ନିଜର ଦୁରବସ୍ଥା ଆଡ଼କୁ ଇସାରା କରି କାନ୍ତା କୁହନ୍ତି, “ଦିନ ମଜୁରି ୨୦୧୪ ପରଠାରୁ ବଢ଼ିନାହିଁ, କିନ୍ତୁ ଅତ୍ୟାବଶ୍ୟକ ସାମଗ୍ରୀର ଦର କ’ଣ ପୂର୍ବ ଭଳି ସମାନ ରହିଛି?

ସେମାନେ ଯାହାକିଛି ଅଳ୍ପବହୁତ ରୋଜଗାର କରିଥାନ୍ତି, ସେଥିମଧ୍ୟରୁ ୬୦୦ ଟଙ୍କା ମାସକର ଡାଇବେଟିସ ଔଷଧ ପାଇଁ କାନ୍ତାଙ୍କୁ ରଖିବାକୁ ହୋଇଥାଏ। କାନ୍ତା ଓ ପାଣ୍ଡୁରଙ୍ଗ, ଉଭୟଙ୍କୁ ୨୦୧୭ରୁ ଉଚ୍ଚ ରକ୍ତଚାପର ସମସ୍ୟା ରହିଆସିଛି। କାନ୍ତା ସାମାନ୍ୟ କ୍ରୋଧ ଏବଂ ପ୍ରଶ୍ନିଳ ଭାବ ନେଇ କହିଥାନ୍ତି, “ସରକାର କ’ଣ ଆମ ସ୍ୱାସ୍ଥ୍ୟର ଯତ୍ନ ନେଇପାରିବେ ନାହିଁ? କେବଳ ସାମାନ୍ୟ ଥଣ୍ଡା ଜ୍ୱର ଔଷଧ ଦାମ ୯୦ ଟଙ୍କାରୁ କମ୍ ରେ ମିଳୁନାହିଁ। ଆମ ଭଳି ଲୋକମାନଙ୍କୁ ଏଥିରେ କିଛି ରିହାତି ମିଳିବା ଉଚିତ୍ ନୁହେଁ କି?”

ଏପରିକି ସାଧାରଣ ବଣ୍ଟନ ବ୍ୟବସ୍ଥା ଅନ୍ତର୍ଗତ ଯେଉଁ ରାସନ ସେମାନଙ୍କୁ ମିଳିଥାଏ, ତାହା ମଧ୍ୟ ଅତ୍ୟନ୍ତ ନିମ୍ନମାନର ହୋଇଥାଏ। କାନ୍ତା କୁହନ୍ତି, “ଯେଉଁ ଚାଉଳ ଓ ଗହମ ଆମକୁ (ରାସନ କାର୍ଡଧାରୀମାନଙ୍କୁ) ମିଳିଥାଏ, ତାହା ଏତେ ନିମ୍ନମାନର ହୋଇଥାଏ ଯେ ଅଧିକାଂଶ ଲୋକ ପୁଣିଥରେ ବଜାରକୁ ଯାଇ ଚାଉଳ କିଣିଥାନ୍ତି।” କାନ୍ତା ନିଜ କଥା ଶେଷ କରି କହିଥାନ୍ତି ଯେ ସରକାରଙ୍କ ସମସ୍ତ କଲ୍ୟାଣକାରୀ ଯୋଜନା ଲୋକମାନଙ୍କ ପାଖରେ ଠିକ ଭାବେ ପହଞ୍ଚି ସୁଦ୍ଧା ପାରୁନାହିଁ, ଯଦି କୌଣସି ସ୍ଥାନରେ ପହଞ୍ଚୁଛି ସେଥିରେ ଲୋକମାନଙ୍କର ଦୁର୍ଦ୍ଦଶା ଦୂର ହୋଇପାରୁନାହିଁ।

ମରୁଡ଼ି ପ୍ରବଣ କ୍ଷେତ୍ର ମରାଠୱାଡ଼ାର ଲାତୁର ଇଲାକାରେ ଲୋକମାନଙ୍କୁ ସମସ୍ତ ପ୍ରକାରର ସହାୟତାର ଆବଶ୍ୟକତା ରହିଛି। ବହୁ ବର୍ଷ ଧରି କୃଷି ସଙ୍କଟ ଏହି କ୍ଷେତ୍ରର ଲୋକମାନଙ୍କୁ ଦାରିଦ୍ର୍ୟ ଏବଂ ଋଣ ବୋଝରେ ଫସାଇ ଦେଇଛି। କୌଣସି ପ୍ରକାରର ସହାୟତା କାର୍ଯ୍ୟରେ ସେମାନଙ୍କର ସମସ୍ୟା ଦୂର ହୋଇନାହିଁ, ଯାହାଫଳରେ ଦାରିଦ୍ର୍ୟ ଓ ଋଣର ଦୁଇ ଧାରୁଆ ଖଣ୍ଡା ଉପରେ ଚାଲି ଅଧିକାଂଶ କୃଷକ ପ୍ରାଣ ହାରି ଦେଇଛନ୍ତି। ୨୦୧୫ରେ, ମୋହିନୀଙ୍କ ଆତ୍ମହତ୍ୟାର ପାଖାପାଖି ଗୋଟିଏ ବର୍ଷ ପୂର୍ବରୁ ୧୧୩୩ ଜଣ କୃଷକ ଆତ୍ମହତ୍ୟା କରିଥିଲେ ଏବଂ ୨୦୨୦ରେ ମୃତ୍ୟୁର ଏହି ତଥ୍ୟ ୬୯୩ ଥିଲା।

କାନ୍ତା ନିଜ ଭବିଷ୍ୟତକୁ ନେଇ ଆଶାବାଦୀ ନୁହନ୍ତି। “ଆମ ଝିଅ ଏହା ଭାବି ଆତ୍ମହତ୍ୟା କଲା ଯେ ସେ ଯିବା ପରେ ଆମ ଜୀବନ ସହଜ ହୋଇଯିବ। ହେଲେ ମୁଁ ଏବେ ତା’କୁ କେମିତି କହିବି ଯେ ଆମେ ମରାଠାୱାଡ଼ାର ଚାଷୀ, ଆମ ଜୀବନରେ କେବେ କିଛି ଠିକ୍ ହେବ ନାହିଁ।”

ଅନୁବାଦ: ଓଡ଼ିଶାଲାଇଭ୍‍

Ira Deulgaonkar

Ira Deulgaonkar is a 2020 PARI intern. She is a Bachelor of Economics student at Symbiosis School of Economics, Pune.

यांचे इतर लिखाण Ira Deulgaonkar
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

यांचे इतर लिखाण OdishaLIVE