“କରୋନା ମାତିବା ଦିନଠାରୁ କୋଚିଆ (ମଧ୍ୟସ୍ଥ) ଆମ ଗାଁକୁ ଆସିବା ବନ୍ଦ କରିଦେଇଛି,” ଯମୁନା ବାଇ ମାଣ୍ଡବୀ କହନ୍ତି । “ଗଲା ଥର, ତିନି ସପ୍ତାହ ତଳେ ସେ ଟୋକେଇ କିଣିବାକୁ ଆସିଥିଲା । ତେଣୁ ଆମେ ଆଉ କିଛି ବିକିପାରୁନାହୁଁ ଏବଂ କିଛି କିଣିବାକୁ ଆମ ପାଖରେ ପଇସା ନାହିଁ ।”
ଧମତରି ଜିଲ୍ଲା ଅନ୍ତର୍ଗତ ନାଗରି ବ୍ଲକ୍ର କୌହାବହରା ଗାଁ ବାସିନ୍ଦା ଯମୁନା ବାଇ ଜଣେ ବିଧବା ଏବଂ ଚାରିଟି ସନ୍ତାନର ମାଆ । ପ୍ରାୟ ୪୦ ବର୍ଷ ବୟସ୍କା ଯମୁନା ବାଇ, କମାର ସଂପ୍ରଦାୟର ଜଣେ ଆଦିବାସୀ । ଛତିଶଗଡ଼ର ଏହି ସଂପ୍ରଦାୟକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଦ୍ଵାରା ବିଶେଷ ରୂପେ ଦୁର୍ବଳ ଜନଜାତି ଗୋଷ୍ଠୀ (PVTG) ରୂପେ ତାଲିକାଭୁକ୍ତ କରାଯାଇଛି । ଗାଁର ସେହି ଭାଗରେ ତାଙ୍କ ଭଳି ଆଉ ୩୬ଟି କମାର ପରିବାର ରହନ୍ତି । ତାଙ୍କ ଭଳି, ସେମାନେ ସମସ୍ତେ ଆଖପାଖକୁ ଘେରି ରହିଥିବା ଜଙ୍ଗଲରୁ ବାଉଁଶ ସଂଗ୍ରହ କରି, ଟୋକେଇ ବୁଣି ଗୁଜୁରାଣ ମେଣ୍ଟାନ୍ତି ।
ଯେଉଁ କୋଚିଆ କଥା ସେ କହୁଛନ୍ତି, ଯମୁନା ବାଇ ଏବଂ ଅନ୍ୟ ଟୋକେଇ ବୁଣାଳିଙ୍କ ପାଇଁ ସେ ଖୁବ୍ ଗୁରୁତ୍ଵପୂର୍ଣ୍ଣ । ସେମାନେ ହେଲେ ମଧ୍ୟସ୍ଥ, କିମ୍ବା ବେପାରୀ, ଯେଉଁମାନେକି ଟୋକେଇ କିଣିବାକୁ ପ୍ରତି ସପ୍ତାହରେ ଗାଁକୁ ଆସନ୍ତି ଏବଂ ସେଗୁଡ଼ିକୁ ନେଇ ବିଭିନ୍ନ ସହରର ବଜାରରେ ଏବଂ ଗାଁ ହାଟରେ ଖୁଚୁରା ଦରରେ ବିକ୍ରି କରନ୍ତି ।
ଖୁବ୍ ଶୀଘ୍ର, କୌହାବହରାକୁ ସେମାନଙ୍କ ଶେଷ ଗସ୍ତକୁ ମାସେ ପୂରିଯିବ– କୋଭିଡ୍-୧୯ ଲକ୍ଡାଉନ୍ ଆରମ୍ଭ ହେବା ପରଠାରୁ ସେମାନେ ଆସିନାହାନ୍ତି ।
ଯମୁନାଙ୍କର ଚାରିଟି ସନ୍ତାନ- ୧୨ ବର୍ଷର ଲାଲେଶ୍ଵରୀ, ଯିଏ କି ୫ମ ଶ୍ରେଣୀ ପରେ ସ୍କୁଲ ଛାଡ଼ି ଦେଇଛି, ୮ ବର୍ଷର ତୁଲେଶ୍ଵରୀ, ୬ ବର୍ଷର ଲୀଲା ଏବଂ ୪ ବର୍ଷର ଲକ୍ଷ୍ମୀ । ଚାରି ବର୍ଷ ତଳେ ତାଙ୍କ ସ୍ଵାମୀ ଶିୟାରାମଙ୍କର, ୪୦ ବର୍ଷରୁ ଅଧିକ ବୟସରେ, ଡାଇରିଆରେ ମୃତ୍ୟୁ ହୋଇଥିଲା । ବଞ୍ଚିବା ପାଇଁ ଅହରହ ସଂଘର୍ଷରତ ଯମୁନା ଓ ତାଙ୍କ ଚାରି ପିଲାଙ୍କୁ ଛାଡ଼ି ସେ ଚାଲିଯାଇଥିଲେ । କେବଳ ଟୋକେଇ ବିକ୍ରିରୁ ତାଙ୍କ ଆୟ ଉପରେ ନୁହେଁ, ଅନ୍ୟ ରୋଜଗାର ପନ୍ଥାକୁ ମଧ୍ୟ ଲକ୍ଡାଉନ୍ ପ୍ରଭାବିତ କରିଛି ।
ଜଙ୍ଗଲରେ ଏବେ ମହୁଲ ଫୁଲର (ଯେଉଁଥିରୁ ଦେଶୀ ମଦ ତିଆରି ହୁଏ) ଋତୁ–ଏଠାକାର ଆଦିବାସୀମାନଙ୍କର ଏକ ଉପାର୍ଜନ ପନ୍ଥା ଏବେ ଦୁଃସମୟ ଦେଇ ଗତି କରୁଛି।
ଯମୁନା ବାଇ କହନ୍ତି, “କରୋନା ଯୋଗୁଁ ବଜାର ଓ ସାପ୍ତାହିକ ହାଟ ବନ୍ଦ ରହିଛି । ତେଣୁ ଆମେ ସଂଗ୍ରହ କରୁଥିବା ମହୁଲ ଫୁଲକୁ (ଭଲ ଦାମରେ)ବିକି ପାରୁନାହୁଁ । ଏହାର ଅର୍ଥ, ଆମ ପାଖରେ ପଇସା ଅଭାବରୁ ଆମେ ନିଜ ପାଇଁ କୌଣସି ଜିନିଷ କିଣିପାରୁନାହୁଁ ।”
ଯମୁନା ବାଇ ବିଧବା ଭତ୍ତା ପାଇବାକୁ ଯୋଗ୍ୟ-ଯାହାକି ଛତିଶଗଡ଼ରେ ମାସକୁ ୩୫୦ ଟଙ୍କା-କିନ୍ତୁ ସେ ଏହି ଯୋଜନାରେ ତାଲିକାଭୁକ୍ତ ହୋଇନାହାନ୍ତି ଏବଂ ତେଣୁ ଏହି ଭତ୍ତା ପାଉନାହାନ୍ତି ।
ପ୍ରତିଶ୍ରୁତି ମୁତାବକ,ସାରା ରାଜ୍ୟରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା (ବିପିଏଲ୍) ପରିବାର ନିକଟରେ ସଂପୂର୍ଣ୍ଣ ମାଗଣାରେ ଦୁଇ ମାସ ପାଇଁ ଚାଉଳ ଏବଂ ନିର୍ଦ୍ଧାରିତ ପରିମାଣରେ ଅନ୍ୟ ଖାଦ୍ୟ ସାମଗ୍ରୀ ପହଞ୍ଚାଇବା ପାଇଁ ଛତିଶଗଡ଼ ସରକାର ନିଷ୍ଠାପର ଉଦ୍ୟମ କରିଥିଲେ । ସେମାନେ ମାଗଣାରେ ଏବଂ ଆଗୁଆ ୭୦ କିଲୋ (ପ୍ରତି ମାସ ପାଇଁ ୩୫ କିଲୋ) ଚାଉଳ ପାଇଛନ୍ତି । ସେହି ସମୟ ପାଇଁ ସେମାନଙ୍କୁ ଚାରି ପ୍ୟାକେଟ୍ ଲୁଣ (ପ୍ରତି ମାସ ପାଇଁ ଦୁଇଟି) ମଧ୍ୟ ମିଳିଛି । ବିପିଏଲ୍ ପରିବାରଙ୍କୁ ରିହାତି ଦରରେ (କିଲୋ ପିଛା ୧୭ ଟଙ୍କା) ଚିନି ମଧ୍ୟ ମିଳିଥାଏ, କିନ୍ତୁ ଏଥିପାଇଁ ସେମାନଙ୍କୁ ପଇସା ଦେବାକୁ ପଡ଼େ । ବର୍ତ୍ତମାନ, ସେଇଥିରେ ହିଁ ଯମୁନା ବାଇଙ୍କ ପରିବାର ଚଳୁଛି ।
କିନ୍ତୁ ଏବେ ରୋଜଗାର ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି ଏବଂ ଅନ୍ୟ କୌଣସି ଅତ୍ୟାବଶ୍ୟକ ଜିନିଷ କିଣିବାକୁ ପାଖରେ ପଇସା ନାହିଁ । ଏଠାରେ ସରକାର ଯେଉଁ ଜିନିଷ ଦେଉଛନ୍ତି, ସେଥିରେ ପନିପରିବା ସାମିଲ ହୋଇନାହିଁ । ଏବଂ ପ୍ରକାଶ୍ୟ ଭାବରେ ଦରିଦ୍ର ବୋଲି ଜଣାପଡୁଥିବା କେତେକ ପରିବାର ପାଖରେ ଖାଉଟି କାର୍ଡ ନାହିଁ । ଲକ୍ଡାଉନ୍ ଅବଧି ସଂପ୍ରସାରିତ ହେବା ସହିତ ଏହି ନିଛାଟିଆ ଗାଁରେ ରହୁଥିବା କମାର ପରିବାରମାନଙ୍କର ଜୀବନ ନିର୍ବାହ ଆହୁରି କଷ୍ଟକର ହୋଇପଡ଼ିବ ।
କାଠ, ମାଟି ଓ ଖପରରେ ତିଆରି ଘରେ ଯମୁନା ବାଇ ଓ ତାଙ୍କ ପରିବାର ରହନ୍ତି ଏବଂ ତାଙ୍କ ସହ ଏକାଠି ରହୁଥିବା ଶାଶୁଘର ଲୋକେ ପଛପଟ ଘରେ ଅଲଗା ରହନ୍ତି (ସେମାନଙ୍କର ନିଜର ଖାଉଟି କାର୍ଡ ଅଛି) ।
ତାଙ୍କ ଶାଶୁ ସମାରି ବାଇ କହନ୍ତି, “ଆମେ ମଧ୍ୟ ଟୋକେଇ ତିଆରି କରି ଏବଂ ଜଙ୍ଗଲରୁ ମିଳୁଥିବା ଜିନିଷ ସଂଗ୍ରହ କରି ଜୀବିକା ଅର୍ଜନ କରୁ’’ । “କିନ୍ତୁ କରୋନା କାରଣରୁ ଜଙ୍ଗଲକୁ ନ ଯିବା ପାଇଁ ଅଧିକାରୀମାନେ ଆମକୁ କହିଥିଲେ । ତେଣୁ ମୁଁ ସେଠାକୁ ଯାଉନାହିଁ । କିନ୍ତୁ ଗତ କିଛି ଦିନ ହେଲା ମୋ ସ୍ଵାମୀ ଯାଇ ମହୁଲ ଫୁଲ ସଂଗ୍ରହ କରୁଛନ୍ତି ଏବଂ ବେଳେବେଳେ କିଛି ଜାଳେଣି କାଠ ବି ଆଣୁଛନ୍ତି ।”
ସମାରି ବାଇ କହନ୍ତି, “ଯଦି ଠିକ୍ ସମୟରେ ସବୁଦିନ ମହୁଲ ସଂଗ୍ରହ କରା ନଯାଏ, ତେବେ ଏହାକୁ ଜୀବଜନ୍ତୁ ଖାଇଦେବେ କିମ୍ବା ପଡ଼ି ରହି ପଚିଯିବ ଏବଂ ନଷ୍ଟ ହୋଇଯିବ।” ମହୁଲ ଆଦିବାସୀମାନଙ୍କ ପାଇଁ ଏକ ଅର୍ଥକରୀ ଫସଲ ରୂପେ ପରିଗଣିତ ହୁଏ ଏବଂ ଏହାକୁ ସେମାନେ ବିଭିନ୍ନ ସାପ୍ତାହିକ ହାଟରେ ବିକ୍ରି କରନ୍ତି । ସଂପ୍ରଦାୟର ଲୋକେ ନିଜ ପାଇଁ ଆବଶ୍ୟକ ଜିନିଷପତ୍ର କିଣିବାରେ ଯାହା ଖର୍ଚ୍ଚ କରନ୍ତି, ତାହାର ଏକ ବଡ଼ ଭାଗ ମହୁଲ ଏବଂ ଟୋକେଇ ବିକ୍ରିରୁ ହେଉଥିବା ରୋଜଗାରରୁ ମିଳେ ।
ସମାରି ବାଇ କହନ୍ତି, “ଗତ ଥର କୋଚିଆ ଆମ ପାଖକୁ ଆସିଥିବା ବେଳେ ମୁଁ ତାଙ୍କୁ ଟୋକେଇ ବିକି ୩୦୦ ଟଙ୍କା ପାଇଥିଲି । ତେଲ, ମସଲା, ସାବୁନ ଏବଂ ଅନ୍ୟ ଜିନିଷ କିଣିବାରେ ସେଇ ପଇସା ଖର୍ଚ୍ଚ ହୋଇଗଲା । କିନ୍ତୁ କରୋନା ଆସିବା ଦିନଠାରୁ ଆମ ପାଇଁ ଆବଶ୍ୟକ ଜିନିଷପତ୍ରର ଦର ଦୁଇଗୁଣ ହୋଇଯାଇଛି ।”
ଯମୁନା ବାଇଙ୍କ ସ୍ଵାମୀ ଶିୟାରାମଙ୍କ ସମେତ ସମାରି ବାଇଙ୍କର ଚାରି ଜଣ ଯାକ ପିଲାଙ୍କର ମୃତ୍ୟୁ ହୋଇଯାଇଛି । ଏ ସଂପର୍କରେ ଆମକୁ କହୁଥିବା ବେଳେ ସେ ଖୁବ୍ ଭାବପ୍ରବଣ ହୋଇଉଠନ୍ତି । ତାଙ୍କ ବୟସ ୬୫ ବର୍ଷରୁ ଅଧିକ ବୋଲି ସ୍ପଷ୍ଟ ଭାବରେ ମନେହୁଏ ଏବଂ ସେ ମାସିକ ୩୫୦ ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ପାଇବା କଥା- କିନ୍ତୁ ତାଙ୍କ ନାଁ ତାଲିକାଭୁକ୍ତ ହୋଇନାହିଁ ଏବଂ ସେ ଏହି ଭତ୍ତା ପାଉନାହାନ୍ତି ।
୨୦୧୧ର ଜନଗଣନା ଅନୁସାରେ ଭାରତରେ ମାତ୍ର ୨୬,୫୩୦ ଜଣ କମାର ଅଛନ୍ତି (ମହିଳା-ପୁରୁଷଙ୍କ ଅନୁପାତ ଖୁବ୍ ଭଲ, ୧୦୨୫) । ସେମାନଙ୍କ ମଧ୍ୟରୁ ଅନେକ, ପ୍ରାୟ ୮,୦୦୦ ପଡ଼ୋଶୀ ରାଜ୍ୟ ଓଡ଼ିଶାରେ ମଧ୍ୟ ବସବାସ କରନ୍ତି । ହେଲେ, ସେହି ରାଜ୍ୟରେ, ବିଶେଷ ରୂପେ ଦୁର୍ବଳ ଆଦିବାସୀ ଗୋଷ୍ଠୀ ରୂପେ ପ୍ରମାଣିତ ହେବା ତ ଦୂରର କଥା, ସେମାନେ ଏକ ଆଦିବାସୀ ଗୋଷ୍ଠୀ ରୂପେ ବି ସ୍ଵୀକୃତି ପାଇନାହାନ୍ତି ।
ପୁଣି କୌହାବହରାକୁ ଫେରିବା । ୬୫ ବର୍ଷରୁ ଅଧିକ ବୟସର ଆଉ ଜଣେ ବୟୋଜ୍ୟେଷ୍ଠ ସୁନାରାମ କୁଞ୍ଜମ କହନ୍ତି ଯେ ସେ ମଧ୍ୟ ବାର୍ଦ୍ଧକ୍ୟ ଭତ୍ତା ପାଉନାହାନ୍ତି । ତାଙ୍କ ମାଟିଘରେ ବସି ଆମକୁ ସେ କହନ୍ତି, “ମୁଁ ବୁଢ଼ା ଏବଂ ଦୁର୍ବଳ ହୋଇଯାଇଛି ଏବଂ କୌଣସିଠାରେ କାମ କରିବାରେ ଅକ୍ଷମ’’ । “ମୁଁ ମୋ ପୁଅର ପରିବାର ଉପରେ ନିର୍ଭର କରେ । ମୋ ପୁଅ ଦିନ ମଜୁରିଆ କୃଷି ଶ୍ରମିକ, କିନ୍ତୁ ଆଜିକାଲି ତାକୁ କାମ ମିଳୁନାହିଁ । ତେଣୁ ଆଜି ସେ ଓ ମୋ ବୋହୂ ମହୁଲ ଫୁଲ ସଂଗ୍ରହ କରିବା ପାଇଁ ଜଙ୍ଗଲକୁ ଯାଇଛନ୍ତି’’।
ଆଦିବାସୀମାନେ ଖୁବ୍ କମ ଦରରେ ମହୁଲ ବିକିବାକୁ ବାଧ୍ୟ ହେଉଛନ୍ତି - ଅଭାବୀ ବିକ୍ରିର ଆଉଏକ ଉଦାହରଣ। ୩୫ ବର୍ଷୀୟ ଘାସିରାମ ନେତାମ କହନ୍ତି, “ଏବେ ଆଖପାଖ ଗାଁ ଲୋକଙ୍କ ପାଖରେ ବି ଆମ ଟୋକେଇ କିଣିବାକୁ ପଇସା ନାହିଁ । ତେଣୁ ଆମେ ଟୋକେଇ ତିଆରି ବନ୍ଦ କରିଦେଇଛୁ । ମୁଁ ଓ ମୋ ସ୍ତ୍ରୀ, ଆମେ ଦୁହେଁ ମହୁଲ ସଂଗ୍ରହ କରୁଛୁ । ହାଟ ସବୁ ବନ୍ଦ ରହିଥିବାରୁ ପାଖ ଦୋକାନରେ କିଲୋଗ୍ରାମ ପିଛା ୨୩ଟଙ୍କା ହିସାବରେ ମୁଁ ପ୍ରାୟ ୯ କିଲୋ ମହୁଲ ବିକ୍ରି କଲି ।” ହାଟରେ ସେ ହୁଏତ କିଲୋ ପିଛା ୩୦ ଟଙ୍କା ପର୍ଯ୍ୟନ୍ତ ପାଇପାରିଥାଆନ୍ତେ ।
ଘାସିରାମଙ୍କର ପାଞ୍ଚଟି ପିଲାଛୁଆ । ସେମାନଙ୍କ ମଧ୍ୟରୁ ଜଣେ ମାୟାବତୀ, ଯିଏ କି୫ମ ଶ୍ରେଣୀରୁ ସ୍କୁଲ ଛାଡ଼ିଦେଇଛି । ଝିଅ ସ୍କୁଲ ଯାଉ ବୋଲି ସେ ବି ଚାହିଁଲେନି । ସେ କହନ୍ତି, “ମୁଁ ବହୁତ ଚେଷ୍ଟା କଲି, କିନ୍ତୁ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଥିବା ଆବାସିକ ବିଦ୍ୟାଳୟରେ ମାୟାବତୀକୁ ସିଟ୍ ମିଳିଲାନି । ତେଣୁ ସେ ଆଉ ଆଗକୁ ପଢ଼ିବା ବନ୍ଦ କରିଦେଲା ।” ତା ଭଳି ଆଉ କେତେ ଜଣ ମଧ୍ୟ ନାମ ଲେଖାଇ ପାରିଲେନି, କାରଣ ସେମାନେ ଜାତିଗତ ପ୍ରମାଣପତ୍ର ଦାଖଲ କରିପାରିଲେନି ।
ଅପପୁଷ୍ଟି ଯୋଗୁଁ ଶାରୀରିକ ଦୁର୍ବଳତା ଏବଂ ଦାରିଦ୍ର୍ୟରେ ଘାଣ୍ଟି ହେଉଥିବା ଏହି ଗାଁର ଲୋକେ ବହୁ ସାମାଜିକ ସେବା ଏବଂ କଲ୍ୟାଣକାରୀ ଯୋଜନାରୁ ବାଦ ପଡ଼ିସାରିଛନ୍ତି ଏବଂ ସର୍ବବ୍ୟାପୀ ମହାମାରୀ ସମୟରେ ସେମାନେ ପୀଡ଼ିତ ହେବାର ଆଶଙ୍କା ଅଧିକ । ଲକ୍ଡାଉନ୍ ସେମାନଙ୍କ ଜୀବିକା ଅର୍ଜନର ଧାରାକୁ ପ୍ରତିହତ କରିଛି । ଯଦିଓ ଏହାର କିଛି ଅଂଶକୁ ପୁନରୁଜ୍ଜୀବିତ କରାଇବା ଲାଗି ଅନେକ ଉଦ୍ୟମ ଚଳାଇଛନ୍ତି ଏବଂ ସେମାନେ ମହୁଆ ଖୋଜିବାକୁ ଜଙ୍ଗଲ ଭିତରକୁ ଯାଇଛନ୍ତି ।
ଅନୁବାଦ: ଓଡ଼ିଶାଲାଇଭ୍